ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡ଼େମୀର ଆଲୋଚନାଚକ୍ର

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ଏକାଡ଼େମୀର ଆଲୋଚନାଚକ୍ର ଏବଂ ଅଭିନନ୍ଦନ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜୁଲାଇ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏକାଡ଼େମୀର ସଭାପତି ଦାଶ ବେହେନୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏକାଡ଼େମୀର ସାଧାରଣ ସମ୍ପାଦକ ବୀରେନ୍ଦ୍ର ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହାସହିତ ସେ ଏକାଡ଼େମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବି ସୂଚନା ଦେଇଥିଲେ ।

ଏହି ଅବସରରେ ୨୦୨୩ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବାଲ୍ ସାହିତ୍ୟ ପୁରସ୍କାର ନିମନ୍ତେ ମନୋନୀତ ଡ. ଯୁଗଳ କିଶୋର ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ସାହିତ୍ୟିକା ସୁବାସିନୀ ଧଳଙ୍କ ଶିଶୁ ନାଟକ ‘ଏଇ ଆମ ସରଗପୁର’ ଉନ୍ମୋଚନ ହୋଇଥିଲା । ପରେ ‘ଆଜିର ଶିଶୁ ସାହିତ୍ୟ ଓ ଆଗାମୀ କାଲିର ବିଜ୍ଞାନ’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନରେନ୍ଦ୍ର ପ୍ରସାଦ ଦାସ, ଶରତ କୁମାର ବିଶ୍ଵାଳ ଓ ହିମାଂଶୁ ଶେଖର ଫତେସିଂହ ପ୍ରମୁଖ ଶିଶୁ ସାହିତ୍ୟରେ ବିଜ୍ଞାନ ରଚନା ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଧନଞ୍ଜୟ ସ୍ଵାଇଁ, ମୁଖ୍ୟବକ୍ତା ସନାତନ ପଣ୍ଡା, ସମ୍ମାନିତ ଅତିଥି ରବୀନ୍ଦ୍ରନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସାହିତ୍ୟ ଗ୍ରାମାଭିମୁଖୀ ହେଉ ଓ ସରଳ, ବୋଧଗମ୍ୟ, ଆନନ୍ଦଦାୟୀ, ଶିଶୁ ମନଲାଖି ଶବ୍ଦ ପ୍ରୟୋଗରେ ଶିଶୁ ସାହିତ୍ୟ ରଚନା ହେଉ ବୋଲି ମୁଖ୍ୟଅତିଥି ଧନଞ୍ଜୟ ସ୍ଵାଇଁ ନିଜ ମତବ୍ୟକ୍ତ କରିଥିଲେ ।

ଏହାବ୍ୟତୀତ ସଭାରେ ଉପସ୍ଥିତ ଥିବା ଦ।ଶ ବେନହୁର, ମହେନ୍ଦ୍ର କୁମାର ମଲ୍ଲିକ, ବୀରେନ୍ଦ୍ର ମହାନ୍ତି, ନରେଶ ଦାଶ, ରବୀନ୍ଦ୍ର ମାଝୀ, ଶରତ ବିଶ୍ଵାଳ, ସନାତନ ପଣ୍ଡା, ପ୍ରବୀଣ। ପରିଡ଼ା ପ୍ରମୁଖ ଶିଶୁ ସାହିତ୍ୟ ସମ୍ପର୍କରେ ନିଜ ନିଜର ମତ ପୋଷଣ କରି ଅନେକ ଉପାଦେୟ କଥାମାନ କହିଥିଲେ । ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିବା ବେଳେ ଶେଷରେ ଏକାଡ଼େମୀ ଉପସଭାପତି ମହେନ୍ଦ୍ର କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଆଗାମୀ ଉତ୍ସବ ନୟାଗଡ଼ ଜିଲ୍ଲାରେ ହେବାକୁ ସ୍ଥିର ହୋଇଥିଲା ।

Related Posts

Leave a Reply

Your email address will not be published. Required fields are marked *