ଶରତ କୁମାର ରାଉତ
ମହାମାରୀ କରୋନା ଭୂତାଣୁ ସାରା ଭାରତକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା । ପ୍ରତିମୁହୂର୍ତରେ ରୋଗୀ ସଂଖ୍ୟା ବଢୁଥିଲା ଓ ମୃତ୍ୟୁ ସଂଖ୍ୟା ବି ଆଗକୁ ଚାଲିଥିଲା । ପ୍ରବାସୀ ମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହେଉଥିଲେ । କରୋନାର ଭୟାବହତା ଆରମ୍ଭ ଦିନ ଠାରୁ ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା । ଶିଳ୍ପ କାରଖାନା ଓ ଅନ୍ୟାନ୍ୟ କର୍ମ ନିୟୋଜନ ସଂସ୍ଥାରେ ତାଲା ଝୁଲୁଥିଲା । କାମଧନ୍ଦା ବନ୍ଦ । ଲୋକେ ଖାଇବାକୁ ପାଉନଥିଲେ । ଚାରିଆଡ଼େ ଖାଦ୍ୟାଭାବ । ପ୍ରବାସୀ ମାନଙ୍କୁ ସେମାନଙ୍କ ରାଜ୍ୟରେ ପହଂଚାଇବା ପାଇଁ ଦେଶର ବିଭିନ୍ନ ଅଂଚଳରୁ ସ୍ପେଶାଲ୍ ଟ୍ରେନ୍ ଓ ବସ୍ ବ୍ୟବସ୍ଥା ହୋଇଥିଲା । ସେଥିରେ ଅସମ୍ଭବ ଭିଡ଼ ଓ ଠେଲାପେଲା ଚରମ ସୀମା ପାର କରିଥିଲା । ଅନେକ ଆହତ ହେଉଥିଲେ । ପ୍ରଶାସନ ମଧ୍ୟ ନାକେଦମ୍ । କୋଟି କୋଟି ଲୋକଙ୍କୁ ସ୍ତାନାନ୍ତରଣ ଏତେ ସହଜ କାମ ନୁହେଁ!
କେବଳ ସୁରତ ସହରରୁ ଓଡ଼ିଶାକୁ ଶତାଧିକ ସ୍ପେଶାଲ ଟ୍ରେନ୍ ଓ ବସ୍ ଆସି ସାରିଥିଲା । ଓଡ଼ିଶା ଫେରିବାକୁ ଥିବା ଆଉ କିଛି ଲୋକେ ଭୋକ ଉପାସରେ ସ୍ପେଶାଲ ଟ୍ରେନ୍ ଅପେକ୍ଷାରେ ଥିଲେ । କରୋନା ଧୀରେ ଧୀରେ କାୟା ବିସ୍ତାର କରୁଥିଲା । ଏଥିଯୋଗୁ ଟ୍ରେନ୍ ସେବା ମିଳିବା ସ୍ୱପ୍ନ ଭଳି ହୋଇଗଲା । ତଥାପି ପ୍ରବାସୀ ମାନେ ଚେଷ୍ଟାରେ ଥିଲେ । କୌଣସି ପ୍ରକାର ନିଜ ଜନ୍ମଭୂମିରେ ପହଂଚିବା ସମସ୍ତଙ୍କର ମୂଳ ଉଦ୍ଦେଶ୍ୟ । କିଛି ପ୍ରବାସୀଙ୍କ ନେତୃତ୍ୱ ନେଉଥିବା ହଳଧର ଠିକ୍ କରିନେଲା ଏକ ସ୍ପେଶାଲ୍ ବସ୍ । ସ୍ଥାନୀୟ ପ୍ରଶାସନ ମଧ୍ୟ ସବୁଜ ସଙ୍କେତ ଦେଲା । ହଳଧର ନିଜ ସ୍ତ୍ରୀ ରୂପା ଓ ଝିଅ ମାମିନା ସହିତ ୧୫ ବର୍ଷ ତଳୁ ସୁରତରେ ରହିଆସୁଛି । ଏକ କପଡ଼ା କାରଖାନାରେ ସେ ସୁପରଭାଇଜର । ଭଲ ପଇସା ରୋଜଗାର କରେ । କରୋନା ମାଡ଼ରେ କମ୍ପାନୀର କାରଖାନା ବନ୍ଦ । ଗତ ମାସର ଦରମା ମିଳିଥିଲା । ଏ ମାସର ଦରମା ମିଳିବାକୁ ତିନିଦିନ ବାକି ଥିବାବେଳେ ଏହି ଅବସ୍ଥା! ଦରମା ତ ଦୂରର କଥା, କମ୍ପାନୀ ଲୋକଙ୍କ ଦେଖା ବି ମିଳିଲା ନାହିଁ । ଅତି କମ୍ରେ କମ୍ପାନୀ ଯଦି ସେମାନଙ୍କୁ ଖାଦ୍ୟପେୟ ସହ କିଛି ଭରସା ଦେଇଥାନ୍ତା, ସେମାନେ ଏତେ ହିନସ୍ତା ହୋଇ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହୋଇନଥାନ୍ତେ । ଏହି ଅବସ୍ଥା ଦେଶର ସବୁ ପ୍ରବାସୀଙ୍କ ପାଇଁ ପ୍ରାୟ ସମାନ ଥିଲା । ଗୁଜୁରାଟ ହେଉ କି ମହାରାଷ୍ଟ୍ର କି ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରୁଥିଲେ କିମ୍ବା ଫେରିବାକୁ ଚେଷ୍ଟା କରୁଥିଲେ । ଦେଶର ବିଭିନ୍ନ ଅଂଚଳର ଜାତୀୟ ରାଜପଥରେ ସ୍ପେଶାଲ୍ ବସ୍ର ଧାଡ଼ି ଲମ୍ବିଥିଲା ।
ହଳଧର ଓ ତା’ ପରିବାର ଭଳି ସବୁ ଓଡ଼ିଆ ଭାରି ଖୁସି! ଦୁଃଖ କଷ୍ଟେ ନିଜ ଘରେ ପହଂଚିଗଲେ, ଚିନ୍ତା ଯିବ!…ଜାତୀୟ ରାଜପଥରେ ସୁରତରୁ ଓଡ଼ିଶା ଅଭିମୁଖେ ଆଗେଇ ଚାଲିଛି ସ୍ପେଶାଲ ବସ୍ । ନାଗପୁରରେ ପହଂଚିବା ଭିତରେ ଅନେକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଲା । କିଛି ଲୋକେ ଗୁରୁତର ଆହତ ହୋଇଥିଲେ ଓ ଆଉ କେତେଜଣ ପ୍ରାଣ ବିକଳରେ କିଏ କୁଆଡ଼େ ଛତ୍ରଭଙ୍ଗ ଦେଇଥିଲେ । କିଛି ସମୟ ପୂର୍ବରୁ କୁଆଡ଼େ ପୋଲିସ୍ ବାହିନୀ ପହଂଚି ଘଟଣାକୁ ଆୟତ କରିଥିଲା । ସେମାନେ ପୋଲିସ୍ ଠାରୁ ଜାଣିବାକୁ ପାଇଲେ ଯେ, ଖାଦ୍ୟ ପାଇଁ ଦଙ୍ଗା ହୋଇଥିଲା । କରୋନାର ତାଣ୍ଡବ ଯୋଗୁ ପଛକୁ ପଛ ସାତଟି ବଡ଼ ଟ୍ରକ୍ ସରକାରୀ ଖାଦ୍ୟ ଦ୍ରବ୍ୟ, ଔଷଧ ଓ ମାକ୍ସ ନେଇ ଭିଲାଇ ଓ ରାୟପୁର ଗଲାବେଳେ ଦୁଇ ତିନି ଦିନ ତଳୁ ଭୋକରେ ଥିବା କିଛି ସ୍ଥାନୀୟ ଲୋକେ ଖାଦ୍ୟ ଲୁଟ୍ କରିବାକୁ ଚେଷ୍ଟା କରିଥ୍ôଲେ । ଟ୍ରକ୍ ଅଟକାଇ ଖାଦ୍ୟଦ୍ରବ୍ୟ ନିଜ ନିଜ ଘରକୁ ନେଇ ଯାଇଥିଲେ । ପୋଲିସ୍ ପହଂଚି ଲୋକମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା । ଘଟଣା ଅଣାୟତ ହେବାରୁ ପୋଲିସ୍ ଗୁଳି ଚାଳନା କରିଥିଲା!
ବସ୍ ଯାତ୍ରୀମାନେ ଭୟଭୀତ ହେବା ସ୍ୱାଭାବିକ । ଆଗକୁ କି ଅବସ୍ଥା ହେବ ଭାବି ସେମାନେ ଆତଙ୍କିତ!…….
ସକାଳ ପାଂଚଟା ବେଳେ ହଳଧର ଆଖି ଖୋଲିଲା । ସେ ଆଶ୍ଚର୍ଯ୍ୟ ହେଲା! ‘ସେ ତ ନିଜ ପରିବାର ସହ ବସ୍ରେ ଥିଲା!…’ ଆଉ କିଛି ଭାବି ପାରିଲା ନାହିଁ । ଯେତେବେଳେ ସେ ନିଜ ଚାରି ପାଖରେ ପୁରୁଷ,ମହିଳା ଓ ଶିଶୁ ମାନଙ୍କ ଶବର ସମୁଦ୍ର ଦେଖିଲା, ସେତେବେଳେ ତା’ ଭିତରେ ପ୍ରାଣ ଥିଲା କି ନା କେଜାଣି, ସେ କେବଳ ନିର୍ବାକ୍ ହୋଇ ଚାହିଁ ରହିଲା ଧୂସର ଆକାଶ ଆଡ଼େ । ସେ ହୁଏତ କିଛି ଖୋଜୁଥିଲା । ସେ ଅପ୍ରକୃତିସ୍ଥ । ସୂର୍ଯ୍ୟଙ୍କ ତାପ ପାଇ ସେ ସଚେତନ ହେଲା । ତା’ସ୍ମୃତି ରାଜ୍ୟରେ ଅନେକ ଟିକି ଟିକି ଦୃଶ୍ୟ ଭାସିବାକୁ ଲାଗିଲେ, ‘ମହାମାରୀ କରୋନାର ତାଣ୍ଡବ, ସେମାନେ ଆସିଥିବା ବସ୍, ବିଷ୍ଫୋରଣ, ଲୁଟ୍, ହତ୍ୟା, ଧର୍ଷଣ, ପୋଡ଼ାଜଳା, ଆତଙ୍କ, ଅସ୍ତ୍ରଶସ୍ତ୍ର, ଗୁଳି, ବନ୍ଧୁକ, ଛତ୍ରଭଙ୍ଗ, ରାତି, ରୂପା ଓ ଝିଅ ମାମିନା,.. ଇତ୍ୟାଦି ।’ ଏଥର ହଳଧର ଉଠି ଛିଡ଼ା ହେଲା ଏବଂ ପାଗଳ ଭଳି ଶବର ସମୁଦ୍ର ଭିତରେ ନଜର ବୁଲେଇଲା ।
ଦୀର୍ଘ ଚାରି ଘଂଟା ଧରି ହଳଧର ନିଜ ପରିବାରକୁ ଖୋଜିଲା । ସନ୍ଧାନ ପାଇଲା ନାହିଁ । ସେହି କରୁଣାର୍ଦ୍ର ପରିବେଶ ମଧ୍ୟରେ ସେ ଛିଡ଼ା ହୋଇ ରହିଲା । କିଏ ନିଜର ପିଲାକୁ ଖୋଜୁଥିଲା ତ କିଏ ନିଜ ବାପା, ମା’, ଭାଇ, ବନ୍ଧୁ, ସ୍ୱାମୀ, ସ୍ତ୍ରୀକୁ! ଗଭୀର ଶୋକରେ ମ୍ରିୟମାଣ ହଳଧର ଏବେ ମନେ ପକାଇବାକୁ ଚେଷ୍ଟା କଲା, ବସ୍ ର ଆଗ ସିଟ୍ରେ ସେ, ରୂପା ଓ ମାମିନା ସହ ବସିଥିଲା । ନାଗପୁରରୁ ରାୟପୁର ଅଭିମୁଖେ ବସ୍ ଗଡ଼ିଥିଲା । ବାସ୍, ଆଉ କିଛି ମନେ ପଡ଼ିଲାନି!…….ରୂପା ଓ ମାମିନା ତା’ ପାଖରୁ କେତେବେଳେ ଓ କେଉଁଠି ଅଲଗା ହେଲେ, ସେକଥା ମଧ୍ୟ ମନେ ପକାଇ ପାରିଲା ନାହିଁ ।……
ଏବେ ହଳଧରର ଝାପ୍ସା ମନେ ପଡ଼ିଲା ଯେ, ବସ୍ରେ ରୂପା ଓ ମାମିନା କରୋନାର ଉତ୍ପାତ ଓ ଏଥିନେଇ ଗାଁର ଅବସ୍ଥା ବିଷୟରେ କଥା ହେଉଥିଲେ । ହୁଏତ ଏତିକିବେଳେ ପଛକୁ ପଛ ଚାଲିଥିବା ବସ୍ ଗୁଡ଼ିକରେ ଲଗାତାର ବିଷ୍ଫୋରଣ ହେଲା । ଆହତ ଅବସ୍ଥାରେ ଖାଲି ପାଦରେ ରୂପା, ମାମିନା ଓ ହଳଧର ଦୌଡ଼ୁଥିଲା ବେଳେ ମାମିନା ତଳେ ପଡ଼ିଗଲା । ହଳଧର ଅଟକିଲା….କିନ୍ତୁ ପଛରୁ ଆତଙ୍କବାଦୀ ମାନଙ୍କ କୋଳାହଳ ଭାସି ଆସୁଥିବାରୁ କ’ଣ ସବୁ ଭାବି ହଳଧର ଆଗକୁ ଆଗକୁ ଦୌଡ଼ିଲା ।….
ଏତିକିବେଳେ ତା’ର ସୁରତରୁ ଫେରିବା କଥା ଝାପ୍ସା ମନେ ପଡ଼ିଲା, ‘କରୋନା ଭୂତାଣୁ’ସଂକ୍ରମଣ ଯୋଗୁ ସେମାନେ ସୁରତ ଛାଡ଼ିଥିଲେ! ଏବେ କରୋନା କ’ଣ କାୟା ବିସ୍ତାର କରି ଚାଲିଛି?’…. ଅନ୍ୟ ମନସ୍କ ହୋଇଗଲା ହଳଧର ।
ନିଜ କ୍ଲାନ୍ତ ମସ୍ତିଷ୍କ ଉପରେ ଆଉରି ଜୋର ଦେଇ କ’ଣ ସବୁ ଭାବିଲା, ତାର କିଛି ସ୍ପଷ୍ଟ ମନେ ପଡ଼ିଲା ନାହିଁ……
‘ରାସ୍ତାରେ ଯେତେବେଳେ ଗୋଟିଏ ଗାଡ଼ି ଅଟକିଥିଲା ଓ ସେହି ଗାଡ଼ି ଭିତରୁ କେତେଜଣ ସଶସ୍ତ୍ର ଯୁବକ ବାହାରକୁ ଆସିଲେ, ସେତେବେଳେ କ’ଣ ସେ ବେହୋସ୍ ଥିଲା ଓ ସେମାନେ ରୂପା ଓ ମାମିନାକୁ ଉଠେଇ ନେଇଗଲେ?……’
ହଳଧର ମନରେ କେବଳ ପ୍ରଶ୍ନ ହିଁ ପ୍ରଶ୍ନ । କୌଣସି ଉତର ନଥିଲା!..ସେ କାନ୍ଦିବାକୁ ଚାହିଁଲେ ବି ଲୁହମାନେ ଲୁଚି ଯାଉଥିଲେ ।.
ନିଜ ମନ, ମସ୍ତିସ୍କ ସହ ସଂଘର୍ଷ କରି କରି ସେ ଅସୁସ୍ଥ ହୋଇ ପଡ଼ିଲା । ତା’ପାଇଁ ଚିକିତ୍ସାର ଆବଶ୍ୟକତା ଥିଲା । ହୁଏତ କରୋନା ଭୂତାଣୁ ତା’ଭିତରେ ସଂକ୍ରମଣ ହୋଇନଥିବ, ତାହା କିଏ କହିବ?……..
ଏହି ଘଡ଼ିସନ୍ଧି ସମୟରେ ହଳଧରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ କେତେଜଣ ଯୁବକ । ରୂପା ଓ ମାମିନାର ଟିକିନିଖି ପରିଚୟ ସଂପର୍କରେ ହଳଧର ସୂଚନା ଦେଲା । ସେମାନେ ହଳଧର ମନରେ ଗଭୀର ଆଶାର ସଂଚାର କଲେ । ତା’ସ୍ତ୍ରୀ ଓ ଝିଅକୁ ସେମାନେ ନିଶ୍ଚୟ ଖୋଜି ବାହାର କରିବେ ବୋଲି ଭରସା ଦେଲେ । ହଳଧର ସେମାନଙ୍କୁ ଅଶେଷ ଧନ୍ୟବାଦ୍ ଦେଲା ଓ ସେମାନଙ୍କ ମଙ୍ଗଳ ପାଇଁ ଭଗବାନଙ୍କୁ ପ୍ରାର୍ଥନା ଜଣେଇଲା । ଏମାନଙ୍କ ଭଳି କିଛି ଯୁବକ ଆତଙ୍କବାଦୀଙ୍କ ଦ୍ୱାରା ସୃଷ୍ଟି ବିଭୀଷିକା ମଧ୍ୟରୁ ଅସହାୟ ମଣିଷ ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଂଚାଉଛନ୍ତି ବୋଲି ହଳଧର ଶୁଣିବାକୁ ପାଇଲା । ନିଜ ପରିବାରକୁ ସେ ନିଶ୍ଚୟ ଖୋଜି ପାଇବ ବୋଲି ତା’ମନରେ ଭରସା ଆସିଲା । ପୁଣି କରୋନା ଭଳି ଏକ ଅଦୃଶ୍ୟ ଭୂତାଣୁ ତୀବ୍ର ଗତିରେ ସଂକ୍ରମିତ ହେଉଥିବା ବେଳେ ଆତଙ୍କବାଦୀଙ୍କ କୁତ୍ସିତ କାର୍ଯ୍ୟ ତା’ମନରେ ଗଭୀର ରେଖାପାତ କଲା!….
‘ମଣିଷ, ଯିଏ ଯେଉଁ କାମ କଲେ ବି ମୂଳତଃ ସେ ମଣିଷ! ଆତଙ୍କବାଦୀ ବି ମଣିଷ! ସେ କାହିଁକି ଏତେ ନିଷ୍ଠୁର? ….ସାରା ପୃଥିବୀରେ ମଣିଷ ଉପରେ ଦୈବୀ ଦଣ୍ଡ ପଡ଼ିଥିବା ବେଳେ ଆତଙ୍କବାଦୀ କ’ଣ ଭିନ୍ନ ଦୁନିଆର ସ୍ୱତନ୍ତ୍ର ଜୀବ?….କରୋନା ପ୍ରତି ମୁହୂର୍ତରେ ମୁଣ୍ଡ ଗଡ଼ଉଛି! ଆଉ ଆତଙ୍କବାଦୀ ମାନେ ମଣିଷର ଏହି ଦୁର୍ଦ୍ଦିନରେ କରୋନା ଠୁ ଅଧିକ ମୁଣ୍ଡ ଗଡ଼ଉଛନ୍ତି??…. ଅଳ୍ପ କିଛିଦିନ ମଧ୍ୟରେ କରୋନା ମହାମାରୀ ମଣିଷର ନିୟନ୍ତ୍ରଣରେ ଆସିଯିବ! ହେଲେ ଆତଙ୍କବାଦ୍ କ’ଣ ମଣିଷର ନିୟନ୍ତ୍ରଣକୁ ଆସିପାରିବ?…. ମଣିଷ ପାଇଁ କରୋନା ଠାରୁ ଆତଙ୍କବାଦ୍ ହିଁ ବିପଦ…..ମହା ବିପଦ!!…..’
ପରଦିନ ସେହି ଯୁବକ ମାନେ ରାସ୍ତାରେ ଗୋଟିଏ ମହିଳାକୁ ଦେଖି ଗାଡ଼ି ଅଟକାଇଲେ । ସେ ଭୟରେ ଦୌଡିଲା । ଯୁବକ ମାନେ ତା’ପଛରେ ଦୌଡ଼ି ଦୌଡ଼ି କିଛି ଦୂରରେ ତାକୁ ଧରିଲେ । ମହିଳାଟିର ଚିହ୍ନ-ବର୍ଣ୍ଣ ନିରୀକ୍ଷଣ କଲେ । ହଳଧର କହିବା ଅନୁଯାୟୀ ରୂପାର ରୂପଗୁଣ ସହ ମହିଳାଟି ଏକଦମ୍ ମିଳି ଯାଉଥିଲା । ସେମାନଙ୍କ ପ୍ରଶ୍ନର ଉତର ସେ ଦେଲା ନାହିଁ । ସେ ଭୀଷଣ ଡ଼ରି ଯାଇଥିଲା । ତଥାପି ଯୁବକ ମାନେ ତାକୁ ବୁଝେଇବାକୁ ଚେଷ୍ଟା କଲେ, ସାହାସ ଦେଲେ ଓ ତାକୁ ତା’ପରିବାର ପାଖରେ ପହଂଚାଇ ଦେବାକୁ ପ୍ରତିଶ୍ରୁତି ଦେଲେ । ପରେ ସେ ଆଶ୍ୱସ୍ତ ହୋଇ ନିଜେ ହଳଧରର ସ୍ତ୍ରୀ ବୋଲି ମାନିଲା । ରୂପା ସ୍ୱାଭାବିକ ଅବସ୍ଥାକୁ ଆସିବା ପରେ ସେମାନେ ତାକୁ କିଛି ଖାଦ୍ୟ ଦେଲେ ଓ ଗାଡ଼ିରେ ଆଣି ବସେଇଲେ ।
ସ୍ତ୍ରୀ ଓ ଝିଅକୁ ଖୋଜିବାକୁ ହଳଧର ଭିତରେ ଆଉ ଶକ୍ତି ନଥ୍ôଲା । ଖୋଲା ଆକାଶ ତଳେ ଭୋକ-ଉପାସ ଆଉ ଅଶୁସ୍ତତା ସତ୍ୱେ ସେ ତା’ଭିତରେ ଆଶାର ସଂଚାର କରିଥିବା ସେହି ଯୁବକ ମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିଲା ।
ଏହାର ଦିନକ ପରେ ହଳଧର ସେହି ଯୁବକ ମାନଙ୍କୁ ଏକ ଗାଡ଼ିରେ ଦେଖି ଖୁବ୍ ଆନନ୍ଦରେ ସେମାନଙ୍କ ପାଖକୁ ଆସିଲା । ଗାଡ଼ି ଚାଲିବାକୁ ଆରମ୍ଭ କଲାବେଳେ ହଳଧର ପଚାରିଲା, “ମୋ ସ୍ତ୍ରୀ ଓ ଝିଅର ସନ୍ଧାନ ମିଳିଲା?…”
ସେମାନେ ଆଶ୍ୱାସନା ଭରା ସ୍ୱରରେ କହିଲେ,“ଖୁବ୍ ଶୀଘ୍ର ମିଳିଯିବ…ଆମେ ଚେଷ୍ଟା କରୁଛୁ!…” ଗାଡ଼ି ଚାଲିଗଲା ।
ହଳଧର ପୁଣି ଥରେ ସେମାନଙ୍କ ମଙ୍ଗଳ ମନାସିଲା । ତା’ ଭିତରର ଦୁଃଖ-ଯନ୍ତ୍ରଣା ବହୁ ପରିମାଣରେ କମିଗଲା ।
ସେଦିନ ସନ୍ଧ୍ୟାରେ ହଳଧର ସାମାନ୍ୟ କୋଳାହଳର ଶବ୍ଦ ଶୁଣିଲା । ବାହାରକୁ ଆସି ଅନ୍ୟମାନଙ୍କ ଠାରୁ ପଚାରି ବୁଝିଲା ଯେ, କିଛି ଦୂରରେ ଥିବା ଏକ ଗେଷ୍ଟ ହାଉସ୍ ପାଖରେ ବେହୋସ୍ ହୋଇ ପଡ଼ିଥିବା ଜଣେ ପନ୍ଦର-ଷୋହଳ ବୟସର ଝିଅକୁ ଲୋକେ ଉଠେଇ ଆଣୁଛନ୍ତି । ହଳଧର ମନରେ ସଂଦେହ ଘନୀଭୂତ ହେଲା । ସେ ମଧ୍ୟ ଅନ୍ୟମାନଙ୍କ ପଛରେ ଆଗକୁ ଚାଲିଲା । ଲୋକେ ସେହି ଝିଅକୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଛାଡ଼ି ନିଜ କାମରେ ଯିଏ ଯୁଆଡ଼େ ଚାଲିଗଲେ ।
ହଳଧର ଡ଼ାକ୍ତରଖାନା ବାହାରେ ଛିଡ଼ା ହୋଇ ରହିଲା । ଟିକେ ପରେ ଧୀରେ ଧୀରେ ସେ ଡ଼ାକ୍ତରଖାନା ଭିତରକୁ ଆସିଲା । କିନ୍ତୁ ସେ ଶବଗୃହ ଭିତରକୁ ଆସିଥିବା ଜାଣି ପାରିଲା ନାହିଁ । ସେଠାରେ ସେ ଏଣେ ତେଣେ ଆଖି ବୁଲେଇବା ବେଳେ ତାକୁ ଝାପ୍ସା ଅନ୍ଧାର ମଧ୍ୟରେ ଦେଖାଗଲା, ଯେମିତି ତା’ସ୍ତ୍ରୀ ଓ ଝିଅ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି!… ସେ ତଳେ କଚାଡ଼ି ହୋଇ ପଡ଼ିଗଲା ।
ତୁରନ୍ତ ଡ଼ାକ୍ତର ଚିକିତ୍ସା ଆରମ୍ଭ କରିଦେଲେ । ପରିକ୍ଷାରୁ ଜଣା ପଡ଼ିଲା, ହଳଧର ମହାମାରୀ କରୋନା ସଂକ୍ରମିତ!
ତାକୁ ନିକଟସ୍ଥ କୋଭିଡ଼୍ ହସ୍ପିଟାଲ୍ରେ ଭର୍ତି କରାଗଲା । ସ୍ଥାନୀୟ ପ୍ରଶାସନ ଦ୍ୱାରା ହଳଧରର ସଂପୂର୍ଣ୍ଣ ପରିଚୟ ବିଶ୍ଲେଷଣରୁ ଅନେକ ଲୋମ ଟାଙ୍କୁରା ତଥ୍ୟ ସାମ୍ନାକୁ ଆସିଲା । ସ୍ୱେଚ୍ଛାସେବୀ ନାମଧାରୀ କିଛି ଆତଙ୍କବାଦୀ ହଳଧରର ସ୍ତ୍ରୀ ଓ ଝିଅ ଭଳି ଅନେକ ମହିଳାଙ୍କୁ ସାହାଯ୍ୟ ନାଁରେ ବନ୍ଦ କୋଠରୀ ଭିତରେ ବାରମ୍ବାର ଦୁଷ୍କର୍ମ କରି ହତ୍ୟା କରିଛନ୍ତି!……
କରୋନା ସଂକ୍ରମିତ ହଳଧର ଏକଥା ଶୁଣିବା କ୍ଷଣି ଟଳି ପଡ଼ିଲା ।
କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା, ମୋ:୯୩୩୭୩୬୯୪୪୮