ଅରବିନ୍ଦ ଦାସ

ମଟର ସାଇକେଲ ନୁହେଁ.. ବୁଲେଟ କୁହ : ରୟାଲ ଏନଫିଲଡ଼ ବୁଲେଟ, ଏକଦମ ରୟାଲ, ରାଜାଙ୍କ ବାହାନ… ।

ପିଣ୍ଡାରେ ଥୁଆ ହୋଇଥିବା ବୁଲେଟକୁ ଦେଖି ଜୟନ୍ତୀ ଅନ୍ୟମନସ୍କ ହୋଇଯାଉଥିଲା ।

“ବୁଲେଟ ହେଉଛି ଫଟଫଟିଆ…..ଇଲୋ ମାଲୋ, ଫଟଫଟ ଶବ୍ଦ କରି କାନ ଅତଡ଼ା ଫଟେଇ ଦିଏ । ପାଖ ଦେଇ ଚାଲିଗଲାବେଳେ ତା ଶବ୍ଦରେ ପା’ ଛାତି ଧଡପଡ ହୋଇଯାଏ । ଗାଡ଼ି ନୁହେଁ, ଗୋଟେ ହାତୀ ସିଏ, କମ ଓଜନ ?”

ଜେଜେମା’ର ଏଇ କଥାପଦକ ଶୁଣି ପିଲାବେଳେ ହସିହସି ଗଡିଯାଉଥିବା ଜୟନ୍ତୀ ଜାଣିନଥିଲା ବାହାହୋଇ ସେ ଯାହା ହାତ ଧରିବ, ସେ ପୁଣି ବୁଲେଟ ମଟରସାଇକେଲର ଏତେ ସଉକିଆ ହୋଇଥିବ ବୋଲି । ଅସିତ ବିଲକୁଲ ପାଗଳ ଥିଲା ବୁଲେଟ ପାଇଁ ।

ଜୟନ୍ତୀର ମନେପଡୁଥିଲା, ବିନା ଯୌତୁକରେ ବାହାଘର ପାଇଁ ଅଡି ବସିଥିବା ଅସିତକୁ ଯେତେ ବୁଝାଇଲେ ବି ଶଶୁର ଘରୁ ଉପହାର ଆକାରରେ ବି ଟଙ୍କାଟିଏ ନେବାକୁ ରାଜି ହୋଇନଥିଲା ଓ ଜୟନ୍ତୀ ନାଁରେ ବି କୌଣସି ଟଙ୍କା ଦେବାକୁ ବିରୋଧ କରିଥିଲା । ଅବଶ୍ୟ ଆଜିଯାଏଁ ସେଥିପାଇଁ ମନେମନେ ଗର୍ବ କରେ ଜୟନ୍ତୀ । ନିଜ ରୋଜଗାରରେ କାଳେ ସେ ଯାହା କିଣିବ ।

ବାହାଘର ପରେ ଜୟନ୍ତୀ, ଅସିତକୁ ପ୍ରସ୍ତାବ ଦେଇଥିଲା

-ଗୋଟେ ଏମିତିକା ସ୍କୁଟର କିଣିବା, ଯାହାକୁ ଆମେ ଦୁହେଁ ଚଲାଇ ପାରିବା । ପରେ ବରଂ ଆମେ ସୁବିଧା ଦେଖି ସେକେଣ୍ଡ ହ୍ୟାଣ୍ଡ କାର କିଣିବା ।”

ଫେଁ କିନା ହସି ଅସିତ କହିଥିଲା,

-ସ୍କୁଟର କି କାର ନୁହେଁ, କେବଳ ବୁଲେଟ ଆସିବ ଏ ଘରକୁ । ନୂଆ ବୁଲେଟ, ରୟାଲ ଏନଫିଲଡ଼ ବୁଲେଟ । ଏକଦମ ରୟାଲ, ରାଜାଙ୍କ ବାହାନ । ଦୁଇ ଲକ୍ଷ ଭିତରେ ହୋଇଯିବ ।”

ଚିତ୍କାର କଲାଭଳି ସ୍ୱରରେ ଜୟନ୍ତୀ କହିଲା,

-ଦୁଇ ଲକ୍ଷ ! ତମେ ପାଗଳ ହୋଇଗଲ ନା କଣ ? ଏତେ ଟଙ୍କା ଖର୍ଚ୍ଚ କରି ଗୋଟେ ମଟରସାଇକେଲ ଆଣିବା କଣ ଦରକାର ? ତମେ ଚଲେଇଲା ବେଳେ ରାଜା ଭଳି ଦିଶିବ, ଆଉ ମୁଁ ?”

ହସିଦେଇ ଅସିତ ପୁଣି କହିଥିଲା,

-ମ୍ୟାଡମ, ମଟରସାଇକେଲ ନୁହେଁ, ବୁଲେଟ କୁହ, ବୁଲେଟ । ବୁଲେଟର ଥାଟ ଓ ଶାନ ହିଁ ଅଲଗା । ପିଲାଟିଦିନରୁ ମୋର ଭାରି ଇଛା ଥିଲା, ଚାକିରି କରିସାରି ବାହା ହୋଇ ଆଗେ ଗୋଟେ ବୁଲେଟ କିଣିବି ଓ ରେବନ ଗ୍ଲାସ ଆଖିରେ ଲଗାଇ, ପଛପଟେ ନିଜ ପତ୍ନୀକୁ ବସେଇ ବୁଲିବି । ମୁଁ ରାଜା ହେଲେ ତମେ…..”ଧୀର ସ୍ୱରରେ ବାକି ଯେଉଁ କଥା ଅସିତ କହିଲା, ତା ଶୁଣି ପ୍ରଥମେ ଲାଜେଇ ଗଲା ଓ ପରେ ମିଛରାଗ ଦେଖାଇ ଜୟନ୍ତୀ କହିଥିଲା,

-ଅଜବ ସଉକ ତମର ? ଏଇଟା କିଣି ତମେ ଏକା ଚଲେଇ ମଜା କରିବ । ମୁଁ ତ ତାକୁ ଚଲେଇ ପାରିବିନି ।”

ଜୟନ୍ତୀ ମୁଣ୍ଡକୁ ସାଉଁଳେଇ ଦେଇ ଅସିତ କହିଥିଲା,

-ବୁଲେଟ ଚଲେଇବା ଖାଲି ଗୋଟେ ସଉକ ନୁହେଁ, ବୁଲେଟ ଗୋଟେ ପରିପୂର୍ଣ୍ଣ ଆଶା ଓ ଖୁସିର ମିଶ୍ରିତ ଫୁଆରା । ତାଛଡା ତମେ କାହିଁକି ବୁଲେଟ ଚଲେଇ ପାରିବନି ? ମୁଁ ଶିଖାଇଦେବି । ଆଉ ଜାଣିଛ, ବନ୍ଧୁକରେ ଥିବା ବୁଲେଟ ଗୁଳି ପୁଅଙ୍କ ଛାତିରେ ବାଜିଲେ ଯେତିକି ଆଘାତ ପହଞ୍ଚାଇ ପାରେନା, ରାସ୍ତାରେ ଝିଅଟିଏ ବୁଲେଟ ମଟରସାଇକେଲ ଚଲାଇ ଗଲେ ପୁଅଙ୍କ ଛାତିରେ ତାଠାରୁ ଅଧିକ ଆଘାତ ପହଞ୍ଚାଏ ।”

ହସିଦେଇ ଜୟନ୍ତୀ ପଚାରିଥିଲା,

-ତମ ଛାତିରେ ବନ୍ଧୁକ ବୁଲେଟ ନା ଝିଅଙ୍କ ବୁଲେଟ ମଟରସାଇକେଲ କ୍ଷତ ଅଛି ? ପ୍ଲିଜ ବୁଲେଟ କିଣନା । ଏତେ ଓଜନିଆ ଗାଡ଼ିକୁ ମୁଁ କ’ଣ ଉଠେଇ ଷ୍ଟାଣ୍ଡ ମାରିପାରିବି ?”

-ଅଲବତ ପାରିବ । ଝିଅମାନେ କେଉଁ ଗୁଣରେ କମ ? ବୁଲେଟ ଚଳାଇବାକୁ ଶକ୍ତି ନୁହେଁ ସାହାସ ଦରକାର ।”

ଦୁହେଁ ହସୁଥିଲେ ।

ଅସିତ ଜିଦି ଆଗରେ ହାର ମାନିଥିଲା ଜୟନ୍ତୀ । ବୁଲେଟ ଆସିଥିଲା । ସତରେ ବହୁତ ମାନୁଥିଲା ଅସିତର ଚେହେରାକୁ, କଳା ଚଷମା ଲଗାଇ ବୁଲେଟରେ ବସି ଅସିତ ବିଲକୁଲ ସିନେମା ହିରୋ ଭଳି ଦିଶୁଥିଲା । ପଛପଟେ ବସି ଅସିତର ଅଣ୍ଟାକୁ ଧରି ବସିଲାବେଳେ ଜୟନ୍ତୀ କାନୋଉଥିଲା ବୁଲେଟର ଶବ୍ଦକୁ । ବାଧ୍ୟ କରି ତାକୁ ବି ବୁଲେଟ ଚଲେଇବା ଟ୍ରେନିଂ ଦେଇଥିଲା ଅସିତ । ବୁଲେଟ ଚଲେଇବା ଯଦିଓ ଶିଖିଥିଲା, ତଥାପି କେବେ ଏକୁଟିଆ ଗାଡ଼ି ଚଲେଇବାକୁ ଆଗ୍ରହ ଦେଖାଉନଥିଲା ଜୟନ୍ତୀ ।

ନେହା ଜନ୍ମ ହେଲା ପରେ ତାକୁ ଧରି ବୁଲେଟରେ ବସିବା ପାଇଁ ଡରୁଥିଲା ଜୟନ୍ତୀ । ହେଲେ ଅସିତ ଏକ ଭିନ୍ନ ପ୍ରସ୍ତାବ ଦେଇଥିଲା ।

-ମୁଁ ଝିଅକୁ ଧରି ପଛରେ ବସୁଛି, ତୁମେ ବୁଲେଟ ଚଲାଅ ।”

ଆଶ୍ଚର୍ଯ୍ୟ ହୋଇ ଜୟନ୍ତୀ କହିଥିଲା ,

-ମୁଁ ଚଲେଇବି ? ତମେ ପାଗଳ ହେଲ ନା କଣ ? ଯଦି ତମେ ଓ ନେହା କେଉଁଠି ପଡିଯିବ ? ସବୁ ଦୋଷ ମୋ ଉପରେ ପଡ଼ିବ ।”

ନେହା ଟିକେ ବଡ଼ ହୋଇଗଲାପରେ ଅସିତ ପୁଣି ଜିଦି କରିଥିଲା ଜୟନ୍ତୀ ବୁଲେଟ ଚଲାଉ ବୋଲି । ନେହା ବୁଲେଟରେ ବସିବାକୁ ଭାରି ଭଲ ପାଉଥିଲା । ବୁଲେଟ ଶବ୍ଦ ଶୁଣିଲେ ସେ ଜାଣୁଥିଲା ପାପା ବାହାରକୁ ଯିବେ ଅଥବା ଅଫିସରୁ ଆସିଲେ ବୋଲି । ଉଭୟ ସମୟରେ ଗାଡ଼ିରେ ବସିବାକୁ କାନ୍ଦ । ବାପା ଭଳି ଝିଅର ବି ପ୍ରଥମ ପସନ୍ଦ ଥିଲା ସେଇ ବୁଲେଟ । ଘରେ ଗାଡ଼ି ଥୁଆ ହୋଇଥିଲେ ନେହା ତା ଉପରେ ବସି ଖାଏ । ନିଦରେ ଶୋଇଥିଲେ ବି ଗାଡ଼ି ଶବ୍ଦ ଶୁଣି ଉଠିପଡ଼େ । ଚିଡ଼ିଯାଇ ଜୟନ୍ତୀ କୁହେ,

-ସମ୍ଭାଳ ତୁମ ମହାରାଣୀଙ୍କୁ । ଆଛା ଏ ବୁଲେଟ ଶବ୍ଦ ଯେ, ଏ ଟୋକି ଉଠିକି ବସି ପଡୁଛି । ଯାଅ, ତାକୁ ଘେରାଏ ବୁଲାଇ ଆଣ ।”

ହସିଦେଇ ଅସିତ ଥରେ କହିଥିଲା,

-ଅଫିସରୁ ଫେରିଲାବେଳକୁ ମୁଁ ହାଲିଆ, ତେଣୁ ତମେ ଝିଅକୁ ଟିକେ ଗାଡ଼ିରେ ବସେଇ ବୁଲେଇ ଆଣ ।”

-ମୁଁ ଜମା ଛୁଇଁବିନି । ତମେ ହିଁ ଚଲେଇବ । କାହିଁକି ଏ ସମ୍ପତ୍ତି କିଣୁଥିଲ ? କହୁଥିଲ  କଣ ନା ଏହା ସଉକ ନୁହେଁ, ଖୁସିର ଫୁଆରା । ଦେଖାଅ ଏବେ ତମ ଫୁଆରା ତମ ଗେହ୍ଲି ଝିଅକୁ ।”

ଧୀର ସ୍ୱରରେ ସେଦିନ ଅସିତ କହିଥିଲା,

-ଆଛା, ଯଦି ମୁଁ ନଥିବି, ତେବେ ନେହାକୁ କିଏ ବୁଲେଟରେ ବସେଇ ଚଲେଇବ ? ତମକୁ ଚଲେଇବାକୁ ତ ପଡ଼ିବ ।”

ଚଟକିନା ଜୟନ୍ତୀ ପଚାରିଥିଲା,

-କୁଆଡେ ଯିବ ତମେ ? କୁଆଡ଼େ ଯଦି ଯିବ, ବୁଲେଟକୁ ବିକିକି ଯିବ ।”

କେବଳ ମୁରୁକି ହସିଥିଲା ଅସିତ ଓ କହିଥିଲା,

-ପ୍ଲିଜ କେବେ ଏହାକୁ ବିକିବାକୁ କହିବନି । ଏଇଟା ମୋ ଲାଇଫ ଲାଇନ । ୟାର ପ୍ରତିଟି ସ୍ପନ୍ଦନରେ ମୋ ହୃଦୟ ସ୍ପନ୍ଦନ ଭରି ରହିଛି ବୋଲି ଭାବିବ ।”

ହେଲେ ଅସିତ ଯେ ତାକୁ ଏମିତି ଠକିଦେଇ ଚାଲିଯିବ ତା କଣ ସେ ଜାଣିଥିଲା ! ବୁଲେଟ ଚଲାଇ ସକାଳୁ ଯାଉଥିଲାବେଳେ ଗୋଟେ ଟ୍ରକ ହଠାତ ଭାରସାମ୍ୟ ହରାଇ ତା ଆଡ଼କୁ ମାଡ଼ି ଆସୁଥିବାରୁ, ଅସିତ ନିଜକୁ ବଞ୍ଚାଇବାକୁ ଯାଇ ରାସ୍ତାକଡ଼ ଖାଲ ଭିତରେ ବୁଲେଟକୁ ପଶାଇ ଦେଇଥିଲା । ଗୋଟେ ବଡ଼ ପଥରରେ ତା ମୁଣ୍ଡ ବାଡ଼େଇ ହୋଇଯାଇଥିଲା । ବ୍ରେନ ହାମରେଜ, କୋମାରେ ଥିଲା ଅସିତ । ବୁଲେଟ ଏକଦମ ଅକ୍ଷତ ଥିଲା ।

ସମସ୍ତେ ଆହା ଚୁଚୁ କରି ଆଶ୍ୱସନା ଦେଉଥିଲେ ଜୟନ୍ତୀକୁ । ଚାରିଆଡ଼ ଅନ୍ଧାର ଦିଶୁଥିଲା ତାକୁ ।

ନେହା କାନ୍ଦିକାନ୍ଦି କହୁଥିଲା,

-ମମି, ଦେଖିବ ରହିଥା, ପାପା ପୁଣି ହସ୍ପିଟାଲରୁ ଆସିବେ ଓ ବୁଲେଟ ଚଳାଇବେ ।

ପାଞ୍ଚଦିନ ପରେ ଅସିତ ଚାଲିଗଲା ।

ଅନେକ କହୁଥିଲେ,

-ଏ ବୁଲେଟଟା ଅମଙ୍ଗଳିଆ । ତୋ ସ୍ୱାମୀକୁ ଖାଇଲା । କାହାକୁ ମାଗଣାରେ ଦେଇଦେ । ବିକିଲେ ବି ଏ ଅଶୁଭ ଗାଡ଼ିକୁ କିଏ କିଣିବ ?”

ଚୁପଚାପ ବୁଲେଟକୁ ଦେଖୁଥିଲା ଜୟନ୍ତୀ ।

ଅସିତର ବାର କର୍ମ ଦିନ, ଅନେକଦିନ ତଳେ ସରକାରୀ ଚାକିରି ପାଇଁ ଜୟନ୍ତୀ ଦେଇଥିବା ପରୀକ୍ଷାର ରେଜଲ୍ଟ ବାହାରିଥିଲା ଓ ଜୟନ୍ତୀ କୃତକାର୍ଯ୍ୟ ହୋଇଥିଲା ।

ଜୟନ୍ତୀକୁ ଲାଗୁଥିଲା ଯେମିତି ଭଗବାନ ନୁହେଁ ବରଂ ଖୋଦ ଅସିତ ସବୁ ବ୍ୟବସ୍ଥା କରିଦେଉଥିଲା । କିଛିଦିନ ପରେ ଆପଏଣ୍ଟମେଣ୍ଟ ଲେଟର ଆସିଥିଲା । ସେଇ ସହରରେ ଚାକିରି ।

ସମସ୍ତେ ପ୍ରସ୍ତାବ ଦେଉଥିଲେ ଗୋଟେ ମାସିକିଆ ଭଡ଼ା ଅଟୋରେ ଜୟନ୍ତୀ ସବୁଦିନ ଅଫିସ ଯାଉ ବୋଲି ଓ ବୁଲେଟ ବିକି ଦେଉ । ଗାଡ଼ି ବିକିବା ବି ଫାଇନାଲ ହୋଇଯାଇଥିଲା ।

ସେଦିନ ସକାଳୁ ବୁଲେଟ ଚାବି ନେଇ ଜୟନ୍ତୀ, ଆଖି ବୁଜି ଠିଆ ହେଲା ଅସିତ’ର ଫୁଲମାଳ ଦିଆ ଫଟ ସାମ୍ନାରେ । ତାକୁ ଲାଗିଲା ଫୁସଫୁସ କରି କିଏ ତା କାନରେ ଯେମିତି କିଛି କହିଲା,

“ବୁଲେଟ ତୁମକୁ ବି ବଢିଆ ମାନିବ । ଏଇ ରୟାଲ ଏନଫିଲଡ଼ ବୁଲେଟ ଖାଲି ରାଜା ମିଜାଜ ଵାଲା ପୁରୁଷଙ୍କ ପାଇଁ ନୁହେଁ, ବରଂ ବିନ୍ଦାସ ମିଜାଜ ବାଲା ରାଣୀଙ୍କ ପାଇଁ ବି । ମୁଁ ରାଜା ହେଲେ ତମେ ମୋ ରାଣୀ । ଏ ବୁଲେଟ କେବଳ ଆମ ଦୁହିଁଙ୍କର ଓ ଆମ ଛୁଆଙ୍କର ।”

ଚମକି ପଡ଼ିଲା ଜୟନ୍ତୀ । କିଏ କହିଲା ଏକଥା ? ରୁମରେ ତ ଆଉ କେହି ନାହାନ୍ତି । ଏଇ କଥା ପଦକ ତ ଅସିତ ଅନେକଦିନ ତଳେ ତାକୁ କହିଥିଲା । ହେଲେ ଆଜି !!!

ତାର ପୁଣି ମନେପଡ଼ିଲା ଅସିତ କଥା, “ପ୍ଲିଜ କେବେ ଏହାକୁ ବିକିବାକୁ କହିବନି । ଏଇଟା ମୋ ଲାଇଫ ଲାଇନ । ୟାର ପ୍ରତିଟି ସ୍ପନ୍ଦନରେ ମୋ ହୃଦୟ ସ୍ପନ୍ଦନ ଭରି ରହିଛି ବୋଲି ଭାବିବ ।”

ଜୟନ୍ତୀ ଦେଖିଲା କବାଟ ଫାଙ୍କ ଦେଇ ଜୁଳୁଜୁଳୁ କରି ତାକୁ ଚାହିଁଥିଲା ନେହା ।

ମୋବାଇଲ ଲଗାଇ ଜୟନ୍ତୀ କାହାକୁ କହିଲା,

-ସରି, ଏ ବୁଲେଟ ମୁଁ ବିକିବନି, ବରଂ ଆଜିଠୁ ନିଜେ ଚଲେଇବି ବୋଲି ଠିକ୍ କରିଛି ।”

ନେହା ଦୌଡ଼ିଆସି ତାକୁ କୁଣ୍ଢେଇ ପକାଇଲା । ଝିଅକୁ ଗେଲ କରି, ବୁଲେଟକୁ ଗୋଟେ କନାରେ ପୋଛି ଦେଉଦେଉ ଜୟନ୍ତୀ କହିଲା,

-ଏଣିକି ତୋତେ ସବୁଦିନ ମୁଁ ବୁଲେଟରେ ବସେଇ ସ୍କୁଲରେ ଛାଡି, ତାପରେ ମୋ ଅଫିସ ଯିବି, ଯେମିତି ତୋ ପାପା କରୁଥିଲେ । ଏତେ ବଡ଼ ଦୁନିଆରେ ନିଜକୁ ସମ୍ଭାଳି, ତୋତେ ମଣିଷ କରିବାକୁ ଯଦି ତୋ ମାମା ସାହାସ କରି ପାରିଛି, ତେବେ ବୁଲେଟ ଓଜନ କଣ ମୋତେ ବଳେଇଯିବ ?”

ତା ସ୍ୱରରେ ଆତ୍ମବିଶ୍ଵାସ ଭରି ରହିଥିଲା ।

ବୁଲେଟକୁ ଷ୍ଟାର୍ଟ କରି ଜୟନ୍ତୀ ଅସିତ’ର ଫଟକୁ ଚାହିଁଲା । ତାକୁ ଲାଗିଲା ଫଟରେ ଯେମିତି ହସୁଥିଲା ଅସିତ ।

ମହାରାଣୀପେଟା, ବିଶାଖାପାଟଣା-୫୩୦୦୦୨, ଆନ୍ଧ୍ରପ୍ରଦେଶ, ଦୂରଭାଷ-୯୧୭୭୬୦୫୧୦୫

ଲେଖକ ପରିଚୟ

ପେଶାରେ ଭାରତୀୟ ରାଜସ୍ଵ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ ହେଲେ ହେଁ ନିଜକୁ ମୁଁ ସବୁବେଳେ ଜଣେ ଛାତ୍ର ହିଁ ଭାବେ । ପ୍ରତିଦିନ ଗୋଟାଏ ଗପ ଲେଖିବାକୁ ଚେଷ୍ଟା କରେ । ଏଯାବତ୍ ‘ପ୍ରଜାପତିର ନୂଆ ଠିକଣା’, ‘ବିଅର’, ‘ପେଦାପୁରମର ପଦ୍ମା’, ‘ବିଧର୍ମୀ’ ନାମକ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *