ଭାରତୀୟ ଇତିହାସ ଓ ଧର୍ମରେ ମଦ୍ୟ

ବହି: ଅନହୋଲି ବ୍ରିଉ: ଆଲକୋହଲ୍ ଇନ ଇଣ୍ଡିଆନ ହିଷ୍ଟ୍ରି ଆଣ୍ଡ ରିଲିଜିଅନ
ଲେଖକ: ଜେମସ୍ ମ୍ୟାକହଗ୍
ପ୍ରକାଶକ: ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍, ମୂଲ୍ୟ: ୫୯୮ ଟଙ୍କା

ପୃଥିବୀରେ ଲୋକ କେବେଠୁ ମଦ ପିଉଛନ୍ତି ତାକୁ ନିର୍ଦ୍ଦିଷ୍ଟ ଭାବରେ କହିହେବନି । ତେବେ ନୃତତ୍ୱବିତ୍ମାନେ ଅନୁମାନ କରନ୍ତି ଯେ ମଣିଷ ଅନ୍ତତଃ ୧୦ହଜାର ବର୍ଷ ତଳୁ ମଦ ପିଉଛି ।

ଭାରତ ଆମର ସଂସ୍କାରୀ ଦେଶ । ଅନେକେ ବିଶ୍ୱାସ କରନ୍ତି ଯେ ଭାରତୀୟମାନେ ମଦ ଆଦୌ ପିଅନ୍ତି ନାହିଁ । ସେମାନେ ମଦଠୁ ସବୁବେଳେ ଦୂରରେ ରହନ୍ତି । ବିଦେଶୀମାନେ ଆସି ସେମାନଙ୍କୁ ଏ ବଦଭ୍ୟାସ କରେଇଛନ୍ତି ।

ବର୍ତ୍ତମାନ ଯେଉଁ ବହିଟି ବିଷୟରେ ଆଲୋଚନା କରୁଛି, ଏହାର ଲେଖକ ଜେମସ୍ ମ୍ୟାକହଗ୍ ସାଉଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଏସୀୟ ଧର୍ମ ବିଭାଗର ପ୍ରଫେସର ଅଛନ୍ତି । ସଂସ୍କୃତ ଭାଷାରେ ତାଙ୍କର ବିଶେଷ ବ୍ୟୁତ୍ପତ୍ତି ରହିଛି । ତାଙ୍କ ମତରେ ଭାରତୀୟ ଇତିହାସରେ ମଦ ବିଷୟରେ ଖୁବ୍ ବେଶୀ ଏଇଥିପାଇଁ କୁହାଯାଇନାହିଁ ଯେ ଅନେକ ଭାରବୀୟ ନିଜେ ମଦ ପିଉଥିଲେ ହେଁ ମଦ ପିଇବାଟାକୁ ବିଶେଷ ସମର୍ଥନ କରୁନଥିଲେ । ସେମାନେ ଚାହୁଁନଥିଲେ, ଅନ୍ୟମାନେ ବି ମଦ ପିଅନ୍ତୁ । ପରବର୍ତ୍ତୀ ସମୟରେ ହୁଏତ ଅନେକେ ଭାବିଲେ ଯେ ଆମ ପୂର୍ବପୁରୁଷ ମଦ ପିଉଛନ୍ତି ଏକଥା ଯଦି ଇତିହାସରେ ଲେଖାଯିବ ତାହାହେଲେ ଆମ ପରପୁରୁଷ କଣ ଭାବିବେ? ସେଇଥିପାଇଁ ବୋଧହୁଏ ଭାରତର ଇତିହାସ ଓ କାବ୍ୟକାହାଣୀରେ ମଦ ସେମିତି ଭାବରେ ସ୍ଥାନ ପାଇଲା ନାହିଁ, ଯେମିତି ଧରନ୍ତୁ ଇଟାଲିରେ ରହିଛି ।

ପ୍ରଫେସର ଜେମସ୍ ମାକହଗ୍ କହନ୍ତି ଯେ ଭାରତରେ ବହୁ ପ୍ରାଚୀନ କାଳରୁ ମଦ ସଂସ୍କୃତି ରହିଛି ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଜିନିଷରୁ ବିଭିନ୍ନ ପ୍ରକାରର ମଦ ତିଆରି କରାଯାଏ । ଚାଉଳ, ମକା, ଆଖୁ ରସ, ଖଜୁରି ରସ- ବହୁ ପ୍ରକାର ଜିନିଷରୁ ଭାରତର ବିଭିନ୍ନ ପ୍ରାନ୍ତରେ ମଦ ତିଆରି କରାଯାଇଛି ଏବଂ କାଳକାଳ ଧରି ଲୋକ ମଦ ପିଇଛନ୍ତି ।

ହିନ୍ଦୁ ଦେବଦେବୀଙ୍କ ଭିତରେ ମଦର ବି ଜଣେ ଦେବୀ ଅଛନ୍ତି । ହିନ୍ଦୁ ଏବଂ ବୌଦ୍ଧ ପୁରାଣରେ ମଧ୍ୟ ମଦର ଦେବୀ ଅଛନ୍ତି । ତାଙ୍କୁ ବାରୁଇ ଦେବୀ ବା ସୂରୀ ଦେବୀ ବୋଲି କୁହାଯାଏ ଏବଂ ଏ ଦେବୀ ସାଗର ମନ୍ଥନ ବେଳେ ପ୍ରକଟ ହେଇଛନ୍ତି । ଜେମସ ମ୍ୟାକହଗ ଏକ ପ୍ରଚୀନ ସଂସ୍କୃତ ଗ୍ରନ୍ଥକୁ ଅନୁବାଦ କରଛନ୍ତି ଯେଉଁଥିରେ ୟାଙ୍କର ଉଲ୍ଲେଖ ରହିଛି । ଗ୍ରନ୍ଥରେ ଯାହା ଅଛି, ସେ ଅନୁସାରେ ସୂରୀଦେବୀଙ୍କର ୧୮ଟି ହାତ । ୯ଟି ହାତରେ ସେ ୯ଟି ଜାର ଧରିଛନ୍ତି । ଆଉ ୯ଟି ହାତରେ ଗ୍ଲାସ ବା କପ୍ ଧରିଛନ୍ତି, ଯେଉଁଥିରେ ସେ ଦେବତାମାନଙ୍କୁ ସୁରା ଢ଼ାଳି ଦେଲେ । ସେଥିରୁ କିଛି ବୁନ୍ଦା ପୃଥିବୀରେ ଖସି ପଡିଲା ଏବଂ ସେଇ ବୁନ୍ଦା ଗୁଡିକରୁ ପୃଥିବୀରେ ଯେତେପ୍ରକାର ମାଦକ ଦ୍ରବ୍ୟ – ମଦଠୁ ଆରମ୍ଭ କରି ଉଦ୍ଭିଦ-ଜାତ ମାଦକ ଦ୍ରବ୍ୟ (ଯେମିତି ଗଞ୍ଜେଇ, ଅଫିମ)ର ଉଦ୍ଭବ ହେଲା ।

ମଦ୍ୟପାନ ସହିତ ଭାରତୀୟମାନଙ୍କର ସଂପର୍କ ବଡ ଜଟିଳ । ଅନେକେ ମଦ୍ୟପାନର ଘୋର ବିରୋଧୀ, କିନ୍ତୁ ଅନେକେ ଠିକ୍ ତାର ଓଲଟା । ଯେଉଁମାନେ ପାନ କରୁଥିଲେ ସେମାନେ ବିଭିନ୍ନ ପ୍ରକାରର ମଦ୍ୟପାନ କରିଛନ୍ତି । ଶସ୍ୟରୁ ତିଆରି ମଦ୍ୟକୁ କୁହାଯାଉଥିଲା ସୁରା । ଆଖୁ ରସରୁ ଯେଉଁ ମଦ ତିଆରି କରାଯାଉଥିଲା ତାକୁ କୁହାଯାଉଥିଲା ସିଧୁ ବା ମାଇଁରେଆ । ମାଇଁରେଆଟା ଅନେକଟା ଆଜିକାର ସାମ୍ପେନ ଭଳିଆ । ଆଉ ଗୋଟେ ରକମର ମଦ ହେଉଥିଲା, ତାକୁ କୁହଯାଉଥିଲା- ଆସ୍ୱାଭାସ । ତାହା ବିଭିନ୍ନ ପ୍ରକାର ଫଳ ଏବଂ ଗୁଳ୍ମ ଇତ୍ୟାଦିରୁ ତିଆରି ହେଉଥିଲା । ବର୍ତ୍ତମାନ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହାର ଉଲ୍ଲେଖ ରହିଛି ।

ଆପଣମାନଙ୍କ ଭିତରୁ ଅନେକ ସୋମରସର ନାଁ ଶୁଣିଥିବେ । ମ୍ୟାକ୍ହଗ୍ଙ୍କ ଗବେଷଣା ଅନୁସାରେ, ଏ ସୋମ ଏକ ପ୍ରକାର ରସ କିନ୍ତୁ ଇଏ ମଦନୁହଁ । ମଦଠୁ ଇଏ ଭିନ୍ନ । ଏ ରସ ତିଆରି କରିବାର ବିଭିନ୍ନ ପ୍ରକାରର ନିୟମ ରହିଥିଲା । କୌଣସି ଗଛର ସରୁ ଡାଳକୁ ଛେଚି, ରସ ବାହାର କରି , ସେଥିରେ ପାଣି ମିଶେଇ ତାକୁ ଫିଲ୍ଟର କରାଯାଉଥିଲା । ସେଥିରେ କିଛି କ୍ଷୀର ମିଶେଇ ସୋମରସ ତିଆରି କରାଯାଉଥିଲା । ଏହାକୁ ପିଇଲେ ମନ ଏବଂ ଦେହରେ ସ୍ଫୁର୍ତ୍ତି ଆସୁଥିଲା । ଇଏ କିନ୍ତୁ ସୁରା ନୁହଁ । ସୁରା ହେଉଛି ଆଲକୋହଲିକ୍ । ସୋମରସ ଆଲକୋହଲିକ୍ ନୁହଁ । ଅନେକ କହନ୍ତି ଯେ ସୋମରସ ହେଉଛି ଦେବତାମାନଙ୍କ ପାଇଁ । ଆଉ ସୁରା ହେଉଛି ମଣିଷ ପାଇଁ ।

ଭାରତବର୍ଷରେ ଦୀର୍ଘବର୍ଷ ଧରି ମଦ ପିଇବାର ପ୍ରଚଳନ ଥିଲା । ବେଶ୍ କିଛି ପ୍ରାଚୀନ ସାହିତ୍ୟରେ ସ୍ତ୍ରୀ ଲୋକମାନେ ବି ମଦ୍ୟପାନ କରୁଥିବାର ବର୍ଣ୍ଣନା ରହିଛି । ଉଦାହରଣ ସ୍ୱରୂପ: ଦ୍ୱାଦଶ ଶତାବ୍ଦୀର ଗୋଟେ ସଂସ୍କୃତ ବହି ମାନସ ଉଲ୍ଲାସ ।

ତେବେ ବହୁ ପୁସ୍ତକ, କାହାଣୀ ଏପରିକି ଧାର୍ମିକ ନିୟମରେ ମଦ୍ୟପାନକୁ ଏକ ଗର୍ହିତ ଅପରାଧ ଭାବେ ଗ୍ରହଣ କରାଯାଉଥିଲା । ସାଧାରଣରେ ଧାରଣାଥିଲା ଯେ ମଦ୍ୟପାନ କଲେ ତମେ ବୁଦ୍ଧି ସୁଦ୍ଧି ହରେଇ ବସିବ ଏବଂ ଏମିତି କିଛି କାମ କରିବ ଯାହା ଅତ୍ୟନ୍ତ ବିପଦ ପୂର୍ଣ୍ଣ କିମ୍ବା ହ୍ୟୁମିଲିଟିଂ- ନିଜକୁ ଜୋକର୍ କରିବା କାମ । ତେବେ ବ୍ରାହ୍ମଣମାନେ ସେମାନେ କହୁଥିଲେ ଯେ ସୋମରସ ତିଆରି କରିବାର ଜ୍ଞାନ-କୌଶଳ ତାଙ୍କ ପାଖରେ ଅଛି ଏବଂ ସୋମରସ ତ ମଦ(ଆଲକୋହଲିକ୍ ବିଭରେଜ) ନୁହଁ । ତେଣୁ ତାକୁ ପିଇଲେ ଦୋଷ ନାହିଁ । ଜୈନମାନଙ୍କ ଧାରଣା ଥିଲା ଯେ ପ୍ରଯୁସିତ (ଫରମେଣ୍ଟଡ୍) ପାନୀୟରେ ଅନେକ ଜୀବାଣୁ (ବ୍ୟାକ୍ଟେରିଆ) ରହନ୍ତି, ତେଣୁ ତାକୁ ପିଇବା ମାନେ ଜୀବହତ୍ୟା । ମନୁଙ୍କ ନୀତି ଶାସ୍ତ୍ରରେ କିଛି କିଛି ସଂପ୍ରଦାୟଙ୍କୁ ମଦ ପିଇବାକୁ ସ୍ୱୀକୃତି ଦିଆଯାଇଥିଲା । କ୍ଷତ୍ରିୟ ଏବଂ ବୈଶ୍ୟମାନେ କେବଳ ଶସ୍ୟରୁ ଯେଉଁ ସୁରା ତିଆରି ହୁଏ ତାକୁ ପିଇବାକୁ ବାରଣ କରାଯାଇଥିଲା ଅନ୍ୟପ୍ରକାରର ସୁରାରେ ସମସ୍ୟା ନାହିଁ ।

ମୋଟ ଉପରେ କହିବାକୁ ଗଲେ ମଦ ପିଇବାକୁ ନେଇ ଭାରତୀୟମାନଙ୍କର ଧାରଣା ଆରମ୍ଭରୁ ଏପର୍ଯ୍ୟନ୍ତ ବଡ ଜଟିଳ ହେଇ ରହିଛି । ତେବେ ଭାରତୀୟ ଇତିହାସ ଓ ଧର୍ମରେ ମଦର ସ୍ଥାନ କଣ ଥିଲା ସେ ବିଷୟରେ ଆନ୍ଦାଜ କରିବା ପାଇଁ ଏ ବହି ସାହାଯ୍ୟ କରିବ ନିଶ୍ଚୟ ।

++

Related Posts

Leave a Reply

Your email address will not be published. Required fields are marked *