ଜ୍ଞାନ ରଞ୍ଜନ ସ୍ଵାଇଁ

ସବୁକିଛି ଠିକଠାକ ଅଛି ତୁମ ହାତଗଢା ବିଶ୍ୱର ସହର,
ଠିକଣା ଜାଗାରେ ଗ୍ରହ, ଚନ୍ଦ୍ର, ନକ୍ଷେତ୍ର ଓ ତାରା
ଆକାଶ ତଳେ ଅତଳତଳ ସମୁଦ୍ର, ସମୁଦ୍ର ସେପାଖ ଶୂନ୍ୟଘର
ପାହାଡ଼, ପର୍ବତ, ଗଛ ଓ ମାଟି ଉପରେ ସୁଖଦୁଖର ସଂସାର ।

ଠିକଣା ସମୟରେ ଉଇଁ ଆସୁଛି ସୁର୍ଯ୍ୟ ଦିଗବଳୟ ସେପାଖରେ,
ମାଟିଉପରେ ପହଂରୁଛନ୍ତି ଋତୁମାନେ ବେଶ୍
ଫୁଟୁଛି ଫୁଲ, ହାତଛୁଆଁରେ ସରମୀ ଯାଉଛି ଲାଜକୁଳୀ ଲତା
ବେଳ ବୁଡ଼ିଲେ ସନ୍ଧ୍ୟା ଆସୁଛି ପରଦା ଟାଣି ପଶ୍ଚିମରେ ।

ତୁମେ ଲେଖିଥିବା ସରୁକଣ୍ଠରେ ପକ୍ଷୀ ଗାଉଛି ଗୀତ,
ନଈ ହୋଇ ବହିଯାଉଛି ଝରଣା, ପାହାଡର ଛାତି ଚିରି
ପ୍ରଜାପତି ଡେଣାରେ ତୁମ ତୂଳୀର ରଙ୍ଗ, ତୁମ ଇଛାରେ ସବୁଜ ଶିରୀ
ସବୁକିଛି ଠିକଣା ଓ ବ୍ୟବସ୍ଥିତ, ସବୁ ତୁମ ଇଛାର କାଉଁରୀ ।

ଖୁବ୍ ଗୋଟେ ମାୟାବୀ କଳାକାର ତୁମେ
ନିଜ ଇଛାରେ ଗଢିଛ ଦୁନିଆ, ନିଜ ଇଛାରେ ଦେଇଛ ରଙ୍ଗ ମାଖି
ନିଜ ପାଇଁ ଗଢିଦେଇଛ କଳାରୂପ, ଦୁନିଆକୁ ଦେଖିବ ବୋଲି
ବରିନେଇଛ ସବୁଦିନକୁ ପଲକହୀନ ଚକାଚକା ଆଖି ।

ଆଦିଅନାଦି ଭବନ, ଶିଉଳି, ଗଡ଼ମା, କଟକ

ଲେଖକ ପରିଚୟ

କଲେଜ ସମୟରୁ ହିଁ ଲେଖାଲେଖି ପ୍ରତି ଆଗ୍ରହ ହେଇଛି । କବିତା, ପ୍ରବନ୍ଧ, ଗପ, ବ୍ୟଙ୍ଗ ସହିତ ଗୀତ ବି ଲେଖେ । ବର୍ତ୍ତମାନ ଭାଷା ସାହିତ୍ୟ ଓଡ଼ିଆରେ ଗବେଷଣାରତ ଏବଂ ପେସାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଚିକିତ୍ସାଳୟରେ ମ୍ୟାନେଜର ରୂପେ କାର୍ଯ୍ୟରତ । ଏଯାବତ ଗୋଟିଏ ଗଳ୍ପ ସଂକଳନ “ବାଘ କଥା” ପ୍ରକାଶିତ ହୋଇଛି ।

Related Posts

One thought on “ସବୁ ଠିକଠାକ ଅଛି

  1. ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା ସ୍ରଷ୍ଟା । ଚମତ୍କାର ସୃଜନ । ଓଡ଼ିଆ ଭାଷା ସାହିତ୍ୟର ପରିବର୍ଧନ ନିମନ୍ତେ ଏହି ସୁନ୍ଦର ପଦକ୍ଷେପକୁ ଧନ୍ୟବାଦ୍ । ବଳରାମ ପୂଜାରୀ କୁଡୁମୁଲୁଗୁମ୍ମା ମାଲକାନଗିରି

Leave a Reply

Your email address will not be published. Required fields are marked *