ପ୍ରଣୟ ସୁଧା

ବାରୁଦ ଯୁଗ ପରେ
ଏହା ଜଣା ନାହିଁ ଯେ
ଯଦି ଫୁଲଟିଏ ଫୁଟେ କେଉଁଠି
ତେବେ ଫୁଲକୁ ମିଠେଇ ମାଗିବା ପାଇଁ
ମହୁମାଛିମାନେ ଆଉ ଥିବେ କି ନାହିଁ,
ଲୁହର ଠିକଣା ପାଇବାକୁ
ଆଖି ହଳେ ନଥିଲାବେଳେ
ବର୍ଷା ବତୁରା ପବନରରେ
ଆଉ ଇନ୍ଦ୍ରଧନୁ ଦିଶିବ କି ନାହିଁ !!

ଏବେ କହିବା ମୁସ୍କିଲ ଯେ
ଯେବେ ଦିନ ରାତି
ଆପ୍ଲିକେସନ ଜରିଆରେ ହେଉଥିବ
ସେବେ ଘରୁ ଆକାଶ ଆଡ଼କୁ
ଚାହିଁବା ପାଇଁ ଆଉ ଝରକାଟେ
ଥିବ କି ନାହିଁ ।

ସୁଖ, ଦୁଃଖ, ସ୍ନେହ, ଅନୁରାଗ
ଭୋକ, ଶୋଷ, ହସ, କାନ୍ଦ ଓ ମହକ
ଡିଜିଟାଲ ହୁଅନ୍ତୁ
କିନ୍ତୁ ଖଣ୍ଡିଏ ଥାଉ କି ଅନେକ
ବହିଥାକଟିକୁ ବଞ୍ଚେଇ ରଖ
ସବୁକିଛି ସହି କିଛି ବି କହୁ ନଥିବା
ପୃଥିବୀ ବାବଦରେ ଅନ୍ତତଃ କିଛି ବ୍ୟଥା
ଉଚ୍ଚାରିତ ହେବାକୁ ବହିଟିଏ ଥାଉ ।

ଧର୍ମଶାଳା, ଜାରକା, ଯାଜପୁର

ଲେଖକ ପରିଚୟ

ପ୍ରେମ ଓ ସମ୍ବେଦଶୀଳତାର କଥା କହୁଥିବା କବି ୨୦୧୦ ମସିହାରୁ ଅନବରତ ଲେଖିନୀ ଚାଳନା କରିଚାଲିଛନ୍ତି । ଏଯାବତ୍ ତାଙ୍କର ୪ ଗୋଟି କବିତା ସଂକଳନ ପ୍ରକାଶିତ ହୋଇସାଇଛି । ନବକଳେବର ସମ୍ମାନ ଓ ମାୟାଧର ମାନସିଂ ସମ୍ମାନ ଭଳି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି କବି ମହୋଦୟ ।

Related Posts

Leave a Reply

Your email address will not be published. Required fields are marked *