ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ କଲେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ

ଭୁବନେଶ୍ଵର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହକୁ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସଙ୍ଗୀତ ରୂପରେ ପରିବେଷଣ କରିଥିଲେ । ଏହି ଅବସରରେ ଗାନ୍ଧିଜୀଙ୍କ ପାଇଁ ରଚିତ ତଥା ଶ୍ରୀମତୀ ଦାସ କଣ୍ଠଦାନ କରିଥିବା ଏକ ସଙ୍ଗୀତ ସିଡି ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ, ସେବା, ସାହିତ୍ୟ, ସାମ୍ବାଦିକତା ତଥା ସମାଜସେବା କ୍ଷେତ୍ରରେ ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀମତୀ ଦାସଙ୍କ କଣ୍ଠରେ “ଜୀବନ ପାତ୍ର ମୋ ଭରିଛ କେତେ ମତେ” ସଙ୍ଗୀତରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି କେଦାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହ ଅତିଥି ଭାବରେ ଯୋଗଦେଇଥିଲେ ।

ଜାତିକୁ ଏକତ୍ରିତ କରିବା ପାଇଁ ଭାଷାର ସୁରକ୍ଷା ଓ ବିକାଶ ସବୁଠାରୁ ଅଧିକ ଆବଶ୍ୟକ ଏବଂ ଏଥିପାଇଁ ସଙ୍ଗୀତ ସବୁବେଳେ ଏକ ବଳିଷ୍ଠ ମାଧ୍ୟମ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିବା ସହ ଭାଷା ଓ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଏବଂ ଏହାର ଉନ୍ନତି ପାଇଁ ସମସ୍ତେ ବ୍ୟକ୍ତିଗତ ଭାବରେ ପ୍ରୟାସ କରିବା ଉଚିତ । ଇତିହାସ ସହ ଯୋଡ଼ି ହେଲେ ଯାଇ ଭବିଷ୍ୟତ ଗୌରବମୟ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଭାଷାବିତ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟର ସ୍ମୃତିଚାରଣ କରି କହିଲେ ଯେ ଓଡ଼ିଶାର ଲୋକଙ୍କ ଅବସ୍ଥା ଦେଖି ଗାନ୍ଧୀଙ୍କୁ ଆଣ୍ଠୁ ଉପରେ ଲୁଗା ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି କହିଥିଲେ । ଅନ୍ୟତମ ଅତିଥି ଶ୍ରୀ ସିଂହ ଓଡ଼ିଶା ସହ ଗାନ୍ଧୀଙ୍କ ସମ୍ପର୍କ ବିଷୟରେ ଆଲୋଚନା କରି ଉତ୍କଳମଣି ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ନାରୀ କବି କୁନ୍ତଳା କୁମାରୀ ସାବତ, ଜାତୀୟ କବି ବୀରକିଶୋର କବି ଶେଖର ଚିନ୍ତାମଣି ମହାନ୍ତିଙ୍କ ଆଦି କବିମାନେ ଗାନ୍ଧୀଙ୍କୁ ନେଇ ଯେଉଁ କାଳଜୟୀ କୃତି ସବୁ ରଚନା କରିଛନ୍ତି ତାହା ଆମକୁ ଗାନ୍ଧୀଙ୍କ ସହିତ ପରିଚିତ ହେବାର ବାଟକୁ ସହଜ କରିବ । ବିଶ୍ଵ ସାହିତ୍ୟରେ ଗାନ୍ଧୀ ଏକମାତ୍ର ବ୍ୟକ୍ତିତ୍ୱ ଯାହାଙ୍କ ଉପରେ ସବୁଠାରୁ ଅଧିକ ସାହିତ୍ୟ ରଚିତ ହୋଇଛି ବୋଲି ମଧ୍ୟ ସେ କହିଥିଲେ । ପ୍ରତି ମଣିଷ ନିଜ ମୁକ୍ତି ସହ ଅନ୍ୟ ପାଇଁ ମୁକ୍ତିର ମାର୍ଗ ତିଆରି କରିବା ହିଁ ଗାନ୍ଧୀ ଚେତନାର ମୁଖ୍ୟବାର୍ତ୍ତା ବୋଲି କବି ଶ୍ରୀ ମିଶ୍ର କହିଥିଲେ ।

ଏହି ଅବସରରେ ରମେଶ ମହାନ୍ତି ଓ ରଶ୍ମି ମହାନ୍ତି ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରଚିତ କବିତା ପାଠ କରିଥିଲେ ଏବଂ ପରିଶେଷରେ ଗୁରୁପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଗାନ୍ଧିବାଦୀ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *