ବହି: ୱାଟର ସେଡ, ହାଓ ଉଇ ଡେଷ୍ଟ୍ରଏଡ ଇଣ୍ଡିଆଜ ୱାଟର ଆଣ୍ଡ ହାଓ ଉଇ କ୍ୟାନ୍ ସେଭ ଇଟ
ଲେଖକ : ମ୍ରିଦୁଲା ରମେଶ
ପ୍ରକାଶକ: ହାଚେଟ ଇଣ୍ଡିଆ
ପୃଷ୍ଠା: ୨୮୦, ମୂଲ୍ୟ: ୬୯୯ ଟଙ୍କା
ଖରାଦିନ ଆସିଲାମାତ୍ରେ ଓଡ଼ିଶା ସହ ଭାରତର ବହୁ ରାଜ୍ୟରେ ଜଳ ସଙ୍କଟ ଦେଖାଯାଏ । ଯେତିକି ପାଣି ଆମର ଅଛି, ଆମେ ତା ତୁଳନାରେ ଅଧିକ ଖର୍ଚ୍ଚ କରି ଚାଲିଛୁ । ତେଣୁ ବର୍ତ୍ତମାନଠୁ ଚେନ୍ନାଇ, ଦିଲ୍ଲୀ ଏବଂ ଅନ୍ୟାନ୍ୟ ବହୁ ସହରରେ ଜଳାଭାବର ଉତ୍କଟ ଦୃଶ୍ୟର ଅଶନୀ ସଂକେତ ଦେଖାଗଲାଣି ।
ଏ ସଂକଟକୁ ଆଖି ଆଗରେ ରଖି ଆମକୁ ଜଳକୁ ପରିଚାଳନା କରିବାପାଇଁ ପଡିବ । ଜଳ ପରିଚାଳନା ପାଇଁ ଜଳର ଚାହିଦାକୁ ମଧ୍ୟ ପରିଚାଳନା କରିବାପାଇଁ ପଡିବ ।
ଜଳର ଚାହିଦା ମୁଖ୍ୟତଃ ତିନିକ୍ଷେତ୍ରରେ ଘରୋଇ ବ୍ୟବହାର, ଚାଷବାସ ଏବଂ ଶିଳ୍ପ ଏ ତିନୋଟି କ୍ଷେତ୍ରରେ । ଏ ଚାହିଦାକୁ ନିୟନ୍ତ୍ରଣ କରିବା ସହିତ ଯେଉଁ ଜଳ ନଷ୍ଟ ହେଉଛି (ପ୍ରଦୂଷଣ ବା ଅନ୍ୟାନ୍ୟ ଯେକୌଣସି ବାଟରେ ହେଉ) ତାର ସଂରକ୍ଷଣ ଦରକାର । ଏ ଚାରୋଟି ଦିଗ ପ୍ରତି ଦୃଷ୍ଟି ଦେଲେ ଜଳକୁ ଆମେ ପରିଚାଳନା କରିପାରିବା ।
ମ୍ରିଦୁଲା ରମେଶ ତାଙ୍କ ପୁସ୍ତକ ‘ୱାଟର ସେଡ, ହାଓ ଉଇ ଡେଷ୍ଟ୍ରଏଡ ଇଣ୍ଡିଆଜ ୱାଟର ଆଣ୍ଡ ହାଓ ଉଇ କ୍ୟାନ୍ ସେଭ ଇଟ’ରେ ଏଇ କଥାହିଁ ଲେଖିଛନ୍ତି ।
ଏ ପୁସ୍ତକରେ ସେ ଭାରତରେ ଜଳକୁ କେମିତି ପରିଚାଳନା କରାଯାଉଥିଲା ଏବଂ ତାହାର ଐତିହାସିକ ପରିପ୍ରେକ୍ଷିଟି ଅତି ସ୍ପଷ୍ଟଭାବରେ ଦେଇଛନ୍ତି । ସେ ବେଦପୁରାଣଠୁ ଆରମ୍ଭକରି ବର୍ତ୍ତମାନର ସେଣ୍ଟ୍ରାଲ ୱାଟର କମିଶନର ରିପୋର୍ଟ ଯାଏଁ ଏଥିରେ ଉଲ୍ଲେଖ କରିଛନ୍ତି । ଭାରତର ପାରମ୍ପରିକ ଜଳ ପରିଚାଳନା କିଭଳି ଭାବେ ବାଧାପ୍ରାପ୍ତହେଲା ଏବଂ ତାର କୁପ୍ରଭାବ କଣ ପଡିଲା ସେ ବିଷୟରେ ସେ ଲେଖିଛନ୍ତି । ଭାରତରେ ଜଳସେଚନ, ଜଳଯୋଗାଣ ଓ ଜଳସେଚନର ଯେଉଁ ଢ଼ାଞ୍ଚା ଥିଲା ଏବଂ କ୍ରପିଙ୍ଗ ପାଟର୍ନ ଯାହା ଥିଲା ବ୍ରିଟିଶ୍ ଶାସନ କାଳରେ ସେଥିରେ ବ୍ୟାପକ ପରିବର୍ତ୍ତନ ହେଲା । ତା ସହିତ ବ୍ୟାପକ ଜଙ୍ଗଲହାନୀ ହେଲା । ଏହା ପଛରେ ବ୍ରିଟିଶ୍ ଶାସକମାନଙ୍କର ସ୍ୱାର୍ଥ ଥିଲା । କିନ୍ତୁ ଭୋଗିଲା ଭାରତ ।
ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଜଳ ବ୍ୟବହାର କ୍ଷେତ୍ରରେ ଗୋଟେ ନୂଆ ଜିନିଷ ଆସିଲା । ତାହାକୁ ହାଇଡ୍ରୋଲିକ୍ ମିଶନ ବୋଲି କୁହାଯାଇପାରେ । ଏଥିରେ ନଦୀରେ ବଡ ବଡ ବନ୍ଧ ତିଆରି କରିବା ଉପରେ ଯୋର ଦିଆଗଲା ଯେଉଁଥିରେ ବିଦ୍ୟୁତ ବି ଉତ୍ପାଦନ ହୋଇପାରିବ ଏବଂ କେନାଲ ସାହାଯ୍ୟରେ ଜଳକୁ ବିଭିନ୍ନ ଯାଗାକୁ ନିଆଯାଇପାରିବ । ପରବର୍ତ୍ତି ସମୟରେ ପାଶ୍ଚାତ୍ୟ ଦେଶମାନଙ୍କରେ ବଡ଼ ବନ୍ଧ ନିର୍ମାଣ ଆଉ ବିପୁଳ ପରିମାଣରେ ପାଣିକୁ କେନାଲ ଜରିଆରେ ବିତରଣର ଢ଼ାଞ୍ଚା ପରିବର୍ତ୍ତନ କରିଦିଆଗଲା । ସେମାନେ ଆଉ ଏହା କରୁନାହାନ୍ତି । କିନ୍ତୁ ଭାରତ ଏପର୍ଯ୍ୟନ୍ତ ହାଇଡ୍ରୋଲିକ ମିଶନମୋଡରେ ହିଁ ଅଛି । ଏହାର ବିଭିନ୍ନ କାରଣ ଥାଇପାରେ କିନ୍ତୁ ଏହା ଫଳରେ ଯାହା ହେଲା ତାହା ହେଉଛିଯେ ପାରମ୍ପରିକ ଜଳ ପରିଚାଳନା କ୍ଷେତ୍ରରେ ଏହାର ନକାରାତ୍ମକ ପ୍ରଭାବ ପଡିଲା ।
ଲେଖିକା ମ୍ରିଦୁଲା ରମେଶ ତାଙ୍କ ପୁସ୍ତକରେ ଆଉଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ରେଖାଙ୍କିତ କରିଛନ୍ତି । ତାହାହେଲା ସ୍ୟୁଏଜ୍ ମ୍ୟାନେଜମେଣ୍ଟ ବା ବର୍ଜ୍ୟ ପଦାର୍ଥ ମିଶ୍ରିତ ଜଳ ପରିଚାଳନା । ବର୍ଜ୍ୟପଦାର୍ଥ ମିଶ୍ରିତ ଦୂଷିତ ପାଣିକୁ ଯଦି ପରିଶୋଧନ କରାଯାଏ ତାହାହେଲେ ଭାରତର ଜଳ ସଂକଟକୁ ଅନେକଟା ମୁକାବିଲା କରିହେବ ବୋଲି ଲେଖିକା କହିଛନ୍ତି । ଭାରତର ସହରାଞ୍ଚଳରେ ପ୍ରତିଦିନ ୬୨୦୦୦ ମିଲିଅନ ଲିଟର ସ୍ୟୁଏଜ୍ ପ୍ରଡ୍ୟୁସ ହେଉଛି । ସେଣ୍ଟ୍ରାଲ ପୋଲ୍ୟୁସନ କଣ୍ଟ୍ରୋଲ ବୋର୍ଡ କହନ୍ତି ଯେ ଆମର ସ୍ୟୁଏଜ ଟ୍ରିଟମେଣ୍ଟର ଇନଷ୍ଟଲ କାପାସିଟି ହେଉଛି ଏହାର ୩୭% କିନ୍ତୁ ପ୍ରକୃତରେ ଟ୍ରିଟ୍ ହେଉଛି ମାତ୍ର ୩୦ ଶତାଂଶ । ଏଇଯେଉଁ ପରିଶୋଧନ କରାଯାଇଥିବା ପାଣିକୁ ପିଇବା ଛଡା ଅନ୍ୟବାଟରେ ବ୍ୟବହାର କରାଯାଇପାରେ ଉଦାହରଣ ସ୍ପରୁପ ପାଇଖାନା ଫ୍ଲାସ କରିବାପାଇଁ ବ୍ୟବହାର କରାଯାଇପାରେ, ବଗିଚାରେ ପାଣିଦେବାପାଇଁ ବ୍ୟବହାର କରାଯାଇପାରେ, ଗାଡି ଧୋଇବାପାଇଁ ବ୍ୟବହାର କରାଯାଇପାରେ । ଏହା କରାଗଲେ ଫ୍ରେସ ୱାଟରର ଚାହିଦା କିଛିଟା କମିଯିବ । କିନ୍ତୁ ସମସ୍ୟା ହେଉଛି ଆମର ଯେଉଁ ସହର ପ୍ରଶାସନ ବ୍ୟବସ୍ଥା (ଅରବାନ ଲୋକାଲ ବଡି) ଅଛି ସେମାନଙ୍କ ପାଖରେ ଏହା କରିବା ପାଇଁ ସେତେ ଅର୍ଥ ନାହିଁ ଆଉ ଏତେ ବିପୁଳ ଜନସଂଖ୍ୟା ଆମ ସହର ମାନଙ୍କରେ ରହିଛି ଏତେଲୋକଙ୍କ ପାଖରେ ତାକୁ ପହଞ୍ଚେଇବାର ସାଧନ ବି ନାହିଁ ।
ଲେଖିକା ଜଳ ପରିଚାଳନାର ଯେଉଁ ନୂଆ ଟେକନିକ୍ ଏବଂ ଯନ୍ତ୍ରପାତି ବାହାରୁଛି ସେ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । କିନ୍ତୁ ଗୋଟେ ଗୁରୁତ୍ୱପୁର୍ଣ୍ଣ କଥା ସିଏ ଉଲ୍ଲେଖ କରିଛନ୍ତି ତାହାହେଲା ଯେକୌଣସି ପ୍ରଜୁକ୍ତି ବିଦ୍ୟା ସଫଳ ହେବାପାଇଁ ସଠିକ ପରିପ୍ରେକ୍ଷୀ ଦରକାର ଏବଂ ଯେଉଁମାନେ ଏହାକୁ ବ୍ୟବହାର କରିବେ ତାଙ୍କୁ ଏହା ବ୍ୟବହାରରେ ଲାଭ ହେଉଥିବା ଦରକାର । ସେ ଏହାର ଉଦାହରଣ ଭାବରେ ଡ୍ରିପ୍ ଇରିଗେସନ ବା ବୁନ୍ଦା ଜଳସେଚନର ଉଦାହରଣ ଦେଇଛନ୍ତି । ବୁନ୍ଦା ଜଳସେଚନ ଫଳରେ ବେସିନ୍ ସ୍ଥରରେ ଜଳ ସଂଚୟ କରାଯାଇପାରିବ ନାହିଁ । ଗୋଟେ ଜାଗାର ଜଳକୁ ଆଉ କେଉଁଠିକି ନେଇଯାଇ ହେବନି । ଯାହା ହେଇପାରିବ ତାହା ହେଉଛି ସେହି ଜଳକୁ ବ୍ୟବହାର କରି ଜଣେ ଚାଷୀ ଯେତିକି ଅଞ୍ଚଳରେ ଜଳସେଚନ କରୁଥିଲା ସେଇଠି ତାଠୁ ଆଉ ଅଧିକା ଅଞ୍ଚଳରେ ଜଳସେଚନ କରିହେବ ।
ମ୍ରିଦୁଲା ରମେଶଙ୍କର ଏ ବହିଟି ଜଳ ପରିଚାଳନାର ଆବଶ୍ୟକତାର ବର୍ତ୍ତମାନ ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ରେଖାଙ୍କିତ କରିଛି । ଆଜି ଯଦି ଆମେ ଜଳ ପରିଚାଳନା କରିନପାରିବା ବା ଜଳ ପରିଚାଳନା ସଠିକ୍ ଭାବରେ ନକରିବା ଜଳକୁ ନଷ୍ଟ କରିଚାଲିବା ଏବଂ ଯେତିକି ତାକୁ ଉପଯୋଗ କରୁଛନ୍ତି ସେହି ହାରରେ ଉପଯୋଗ କରିବା ତେବେ ଖୁବ୍ ଅଳ୍ପ ବର୍ଷ ଭିତରେ ଏ ଦେଶ ଜଳ ସଂକଟରେ ଆଉଟୁ ପାଉଟୁ ହେବ ଏହା ନିଶ୍ଚିତ ।
ଏ ପୁସ୍ତକରେ ଯେଉଁ ବାର୍ତ୍ତା ଦିଆ ଯାଇଛି ତାହା ହେଲା: ଆମକୁ ବୁଝିବାପାଇଁ ପଡିବ ଯେ ଆମ ପାଣି ପାଇଁ ଆମେହିଁ ଦାୟୀ । ଆଉ ଆମକୁ ହିଁ ଆମ ଦେଶରେ ବା ଆମ ପ୍ରଦେଶରେ ଯେତିକି ପାଣି ମିଳୁଛି ତାକୁ ପରିଚାଳନା କରିବାପାଇଁ ପଡିବ ।
++