ବହି – ଟମ୍ବ ଅଫ୍‍ ସ୍ୟାଣ୍ଡ୍‍
ମୂଳ ହିନ୍ଦୀ: ଗୀତାଞ୍ଜଳି ଶ୍ରୀ
ଇଂରାଜୀ ଅନୁବାଦ: ଡେଇଜି ରକ୍‍ୱେଲ୍‍
ପ୍ରକାଶକ – ପେଙ୍ଗୁଇନ୍‍
ପୃଷ୍ଠା – ୭୨୫, ମୂଲ୍ୟ – ୬୯୯ ଟଙ୍କା

ଭାରତର ସ୍ୱାଧୀନତା ଏକ ରକ୍ତରଂଜିତ ସ୍ଥିତିରେ ହୋଇଥିଲା । ଦେଶ ବିଭାଜନବେଳେ ଯେଉଁ ହିଂସାକାଣ୍ଡ ହୋଇଥିଲା ସେଥିରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହାରଇଥିଲେ । ଅସଂଖ୍ୟ ଲୋକ ଆହତ ହୋଇଥିଲେ । ଲୁଣ୍ଠନ, ଧର୍ଷଣର ଶିକାର ହୋଇଥିଲେ ଅନେକେ ।

ଦେଶ ବିଭାଜନକୁ ନେଇ ଏବଂ ଏହାର ପ୍ରେକ୍ଷାପଟରେ ଅନେକ ବହି ଲେଖାଯାଇଛି । ତଥ୍ୟନିଷ୍ଠ ଇତିହାସ ଲେଖାଯାଇଛି ପୁଣି ଏ କାଳଖଣ୍ଡର ପ୍ରେକ୍ଷାପଟରେ କାହାଣୀ ମଧ୍ୟ ଲେଖାଯାଇଛି । ଦେଶ ବିଭାଜନ ପ୍ରେକ୍ଷାପଟରେ ସାଦତ ହାସନ ମଣ୍ଟୋଙ୍କ ଗଳ୍ପଗୁଡ଼ିକ କାଳଜୟୀ ହୋଇ ରହିଛି । ଖୁସ୍‍ୱନ୍ତ ସିଂହଙ୍କ ‘ଏ ଟ୍ରେନ୍‍ ଟୁ ପାକିସ୍ଥାନ’ କଥା ବି ଏ ପ୍ରସଙ୍ଗରେ ମନେ ପଡ଼େ ।

ଗୀତାଞ୍ଜଳି ଶ୍ରୀଙ୍କ ପୁସ୍ତକ ରେତ ସମାଧି (ଇଂରାଜୀରେ ଟମ୍ବ ଅଫ ସାଣ୍ଡ୍‍) ତଥ୍ୟ-ନିର୍ଭର ଏକ ଉପନ୍ୟାସ । ଏ ଉପନ୍ୟାସଟି ସମ୍ପ୍ରତି ଆନ୍ତର୍ଜାତିକ କ୍ଷେତ୍ରରେ ଅତ୍ୟନ୍ତ ସମ୍ମାନଜନକ ବୁକର ପୁରସ୍କାରର ଦୀର୍ଘ-ତାଲିକା (ଲଙ୍ଗ-ଲିଷ୍ଟ୍‍)ରେ ସାମିଲ ହୋଇଛି । ହିନ୍ଦୀ ଭାଷାର କୌଣସି କୃତି ଏ ତାଲିକାରେ ସାମିଲ ହେବାରେ ଏହା ପ୍ରଥମ । ଉତ୍ତର ଭାରତରେ ଜନ୍ମ ଗୀତାଞ୍ଜଳି ଲହା ପୂର୍ବରୁ ତିନୋଟି ଉପନ୍ୟାସ ଲେଖିଛନ୍ତି । ସେଗୁଡ଼ିକ ଆର୍ନ୍ତଜାତିକ ସ୍ତରରେ ବିଭିନ୍ନ ବିଦେଶୀ ଭାଷାରେ ଅନୁଦିତ ହୋଇଛି ।

ରେତ ସମାଧି (ଟମ୍ବ ଅଫ ସାଣ୍ଡ୍‍) ଉପନ୍ୟାସର ମୁଖ୍ୟ ବିଷୟ ହେଉଛି ଦେଶ ବିଭାଜନର ପ୍ରେକ୍ଷାପଟରେ ବନ୍ଧୁତ୍ୱ ଓ ପ୍ରେମ । ମୁଖ୍ୟ ଚରିତ୍ର ହେଲେ ଏକ ବଡ଼ ପରିବାରର କର୍ତ୍ତୀ: ଆମ୍ମା । ମା । ଆମ୍ମା ଆଉ ତାଙ୍କ ପୁଅ, ବୋହୂୁ ନାତି, ଝିଅ ଓ ତାଙ୍କ ସାଂଗଙ୍କୁ ନେଇ ଏ ଉପନ୍ୟାସ ।

ଆମ୍ମା ରହନ୍ତି ଉତ୍ତର ଭାରତରେ । ବୟସ ୮୦ । ତାଙ୍କର ସ୍ୱାମୀଙ୍କ ପରଲୋକ ପରେ ସେ ମାନସିକ ଭାବେ ଭାଂଗିପଡ଼ନ୍ତି । ଡିପ୍ରେସନ୍‍ରେ ଭୋଗନ୍ତି । ତାପରେ ସେ ନିଜକୁ ସାଉଁଟନ୍ତି ଆଉ ଠିକ୍‍ କରନ୍ତି ସେ ପାକିସ୍ଥାନ ଯିବେ । ସେଠି ତାଙ୍କର ପିଲାବେଳ କଟିଥିଲା । କୈଶୋରରେ ଦେଶ ବିଭାଜନ । ସେତିକିବେଳେ ତାଙ୍କ ପରିବାର ଭାରତକୁ ଚାଲିଆସନ୍ତି । ଆମ୍ମା ତାଙ୍କ କୈଶୋର ସମୟକୁ ଜୀଇଁବାକୁ ଚାହାନ୍ତି । ଜୀବନକୁ ନୂୁଆ ଆଙ୍ଗିକରେ ଦେଖିବାକୁ ଚାହାନ୍ତି ।

ଏ ଉପନ୍ୟାସର ଗଠନଟି ଅନେକଟା ଫରୁଆ ଭିତରେ ଫରୁଆ ଭଳି । ଗୋଟେ କଥାରୁ ଆଉ ଗୋଟେ କଥା ଗଢ଼ିଉଠେ । ସାତ ଶହ ପୃଷ୍ଠାର ଏ ଉପନ୍ୟାସରେ ଅନେକ ଚରିତ୍ର, ସେମାନଙ୍କ ଅନେକ ଗଳ୍ପ ପରସ୍ପର ସହିତ ଗୁନ୍ଥାଗୁନ୍ଥି ହୋଇ ଥାନ୍ତି । ଦୀର୍ଘ ଏ ଉପନ୍ୟାସ ଭିତେ ଅନେକ ରହସ୍ୟର ପରଦା ଖୋଲୁଛି । ଆମ୍ମାଙ୍କର ସ୍ୱାଧୀନଚେତା ଝିଅ ଆବିସ୍କାର କରନ୍ତି ସେ ତାଙ୍କ ମା ତାଙ୍କଠୁଁ ବି ସ୍ୱାଧୀନଚେତା ।

ଏକ ଅତ୍ୟନ୍ତ ବେଦନାଦାୟକ ସ୍ଥି୍‍ିତିର ପ୍ରେକ୍ଷାପଟରେ ଲେଖା ଏ ଉପନ୍ୟାସରେ କିନ୍ତୁ ଅନେକ ହାସ୍ୟପରିହାସ ବି ରହିଛି । ଏ ହାସ୍ୟ ପରିହାସକୁ ମଣିଷର ବିଷମ ପରିସ୍ଥିତିରେ ନିଜକୁ ବଞ୍ଚେଇ ରଖିବାର ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି । ପୁଣି ଯୁଦ୍ଧ, ନିଜ ଜମି ଉପରେ ଦଖଲ, ସୀମା-ନିର୍ମାଣ ଇତ୍ୟାଦିକୁ ବ୍ୟଙ୍ଗ ଭାବୋର ମଧ୍ୟ ବ୍ୟବହାର କରାଯାଇଛି ।

ଏ ଉପନ୍ୟାସରେ ଭାଷା ଏବଂ କଥନଶୈଳୀଟି ଚମତ୍‍କାର । ପାଠକଙ୍କୁ ବାନ୍ଧି ରଖିଲା ପରି । ଅନୁବାଦ ଚମତ୍‍କାର । ପଢ଼ିଲେ ମୂଳ ରଚନା ପଢ଼ିବା ପରି ଅନୁଭବ ହୁଏ । ହିନ୍ଦୀକୁ ଇଂରାଜୀରେ ଅନୁବାଦ କରିବା କଷ୍ଟ । କିନ୍ତୁ ଅନୁବାଦିକା ଡେଇଜି ରକ୍‍ୱେଲ୍‍ ଅତ୍ୟନ୍ତ ସାବଲୀଳ ଭାବେ ଏହା କରିଛନ୍ତି । ଆମେରିକାର ଭରମଣ୍ଟ୍‍ ନିବାସୀ ଡେଇଜି ପୂର୍ବରୁ ବେଶ କେତୋଟି ହିନ୍ଦୀ ଏବଂ ଉର୍ଦ୍ଧୁ କାହାଣୀକୁ ଇଂରାଜୀରେ ଅନୁବାଦ କରିଛନ୍ତି ।

ଏ ଉପନ୍ୟାସଟିକୁ ଏକ ଯୁଦ୍ଧ ବିରୋଧୀ ଉପନ୍ୟାସ ଭାବେ ପଢ଼ା ଯାଇପାରେ । କାରଣ ଏହାର ଅନ୍ତଃସ୍ୱର ହେଲା: ଅହିଂସା, ପ୍ରେମ ଭାତୃତ୍ୱଭାବ ଆଉ କ୍ଷମା । ଏ ଉପନ୍ୟାସ ଚେତେଇ ଦିଏ: ହିଂସା ସମସ୍ୟାର ସମାଧାନ ନୁହେଁ । କ୍ଷମା ଆଉ ପ୍ରେମହିଁ ଶାନ୍ତି ଆଣିପାରିବ ।

ପୁଣି ଏହାକୁ ଏକ ନାରୀବାଦୀ ପାରିବାରିକ ଉପନ୍ୟାସ ଭାବେ ମଧ୍ୟ ପଢ଼ାଯାଇପାରେ ଯେଉଁଥିରେ ପୁଅମାନେ ବଡ଼ ଭାବେ ଧନସମ୍ପତ୍ତି ଠୁଳେଇବାରେ ଅଧିକ ମନ ଦେଉଛନ୍ତି ଆଉ ଝିଅମାନେ ବୟସ୍କମାନଙ୍କ ସେବା ଶୁଶ୍ରୁଷାରେ ।
ପୁଣି ଏହାକୁ ସେ ବିଷମ କାଳଖଣ୍ଡର ଏକ ସାମାଜିକ ଦସ୍ତାବିଜ ଭାବରେ ମଧ୍ୟ ପଢ଼ାଯାଇପାରେ । ପ୍ରଚଣ୍ଡ ଆଘାତରେ ବିପର୍ଯସ୍ତ ମଣିଷ କେମିତି ଧୀରେ ଧୀରେ ନିଜକୁ ସାଉଁଟି ପୁଣି ମୁଣ୍ଡ ଟେକି ଠିଆ ହେଉଛି ତାର କାହାଣୀ ଭାବେ ମଧ୍ୟ ପଢ଼ାଯାଇପାରେ ।

++

Related Posts

Leave a Reply

Your email address will not be published. Required fields are marked *