ବହି : ହ୍ୟୁମାନସ ଅଫ କୋଭିଡ: ଟୁ ହେଲ୍ ଆଣ୍ଡ ବ୍ୟାକ
ଲେଖିକା: ବରଖା ଦତ୍
ପ୍ରକାଶକ: ଜଗର୍ନଟ ବୁକସ୍
ପୃଷ୍ଠା: ୨୪୮ । ମୂଲ୍ୟ: ୬୯୯ ଟଙ୍କା

ସାମ୍ବାଦିକା ଭାବରେ ବରଖା ଦତ୍ ସାରା ଭାରତରେ ବେଶ୍ ପରିଚିତା । ଲେଖିକା ଭାବରେ ସେ ଏଇ ପୁସ୍ତକଟିକୁ ମିଶେଇ ଦୁଇଟି ବହି ଲେଖିଛନ୍ତି । ତାଙ୍କର ପ୍ରଥମ ପୁସ୍ତକ ଥିଲା ୨୦୧୫ରେ ପ୍ରକାଶିତ ଦିସ୍ ଅନ୍କ୍ୱାୟେଟ୍ ଲ୍ୟାଣ୍ଡ୍ । ଏ ଦୁଇଟି ଯାକ ବହି ଭିତରେ ଗୋଟେ ସାମଞ୍ଜସ୍ୟ ରହିଛି । ଉଭୟ ବହିଟିରେ ଏକ ବିଷମ ପରିସ୍ଥିତିରେ ସାଧାରଣ ଲୋକଙ୍କ କାହାଣୀ ରହିଛି । ଆଉ ଜଣେ ସାମ୍ବାଦିକର ଆଖି ଏବଂ ଦୃଷ୍ଟିକୋଣରୁ ଏ କାହାଣୀଗୁଡ଼ିକ କୁହାଯାଇଛି ।

‘ହ୍ୟୁମାନସ ଅଫ କୋଭିଡ ଟୁ ହେଲ୍ ଆଣ୍ଡ ବ୍ୟାକ’ ପୁସ୍ତକରେ ସେ କରୋନା କାଳରେ ଯେତେବେଳେ ସାରା ଭାରତରେ ଲକଡାଉନ୍ ହେଇଥିଲା ସେହି ସମୟରେ ସାଧାରଣ ଲୋକଙ୍କର ଅବସ୍ଥା ବିଷୟରେ ଲେଖିଛନ୍ତି । ଅଚାନକ ଏବଂ ଦୀର୍ଘ ଦିନ ଧରି ଲକ୍ଡାଉନ୍ ଫଳରେ ସାରା ଭାରତରେ ହଜାର ହଜାର ଲୋକ, ବିଶେଷ କରି ପ୍ରବାସୀ ଶ୍ରମିକ ଏବଂ ଛୋଟ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ଲୋକମାନେ ହଇରାଣ ହେଇଥିଲେ, ଅନେକେ ପ୍ରାଣ ହରେଇଥିଲେ । ଏ ବହିରେ ସେମିତି ଲୋକଙ୍କର କାହାଣୀ ଲେଖାଯାଇଛି ।

ଏ ବହିଟିି କୋଭିଡ୍ ଭାଇରସ୍ ର ବୈଜ୍ଞାନିକ ବିଶ୍ଳେଷଣ ନୁହଁ । ଏ ବହିଟି ସେତେବେଳେ ପ୍ରଶାସନ ଯେଉଁ ନିଷ୍ପତିମାନ ନେଇଥିଲେ ସେ ନିଷ୍ପତି କେତେଦୂର ଠିକ, ଭୁଲ୍ ତାହାର ବିଶ୍ଳେଷଣ ମଧ୍ୟ ନୁହଁ । ଏ ବହିଟି ହେଉଛି ସେହି ସମୟରେଭାରତବର୍ଷର ସାଧାରଣ ଲୋକମାନଙ୍କର କାହାଣୀ । ଏଥିରେ ସେହି ପ୍ରବାସୀ ଶ୍ରମିକମାନଙ୍କର କାହାଣୀ ରହିଛି ଯେଉଁମାନଙ୍କୁ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ଘରକୁ ଫେରିବାକୁ ପଡିଥିଲା । ଏଥିରେ ସେହି ଲୋକମାନଙ୍କର କଥା ରହିଛି ଯେଉଁମାନଙ୍କୁ ଅନାହାରରେ ରହିବାପାଇଁ ପଡିଥିଲା । ଏଥିରେ ସେହି ଝିଅ ମାନଙ୍କର କାହାଣୀ ରହିଛି ଯେଉଁମାନଙ୍କୁ ଲକଡାଉନ ସମୟରେ ଦୁର୍ବ୍ୟବହାର କରାଯାଇଥିଲା । ଏଥିରେ ସେ ବିଧବା ବୟସ୍କା ସ୍ତ୍ରୀଲୋକମାନଙ୍କ କଥା ରହିଛି ଯେଉଁମାନଙ୍କୁ ତାଙ୍କର ପୁଅମାନେ ଛାଡି ଚାଲିଗଲେ । ଏଥିରେ ସେ ଡାକ୍ତର ମାନଙ୍କର କଥା ରହିଛି ଯେଉଁମାନେ ନିଜ ଜୀବନର ପରୱା ନକରି ରୋଗୀମାନଙ୍କର ସେବା କରିଛନ୍ତି କିନ୍ତୁ ତାଙ୍କ ଘରଲୋକ ତାଙ୍କୁ ଘରେ ନ ପୁରେଇ ଦବାର ମସୁଧା ବି କରିଛନ୍ତି । ଏଥିରେ ସେ ଲୋକମାନଙ୍କର କଥା ବି ରହିଛି ଯେଉଁମାନେ ସେମାନଙ୍କର ନିକଟଜନଙ୍କୁ ଅକ୍ସିଜେନ ଦେଇ ପାରିନାହାନ୍ତି ଯେଉଁଥିପାଇଁ ତାଙ୍କର ନିକଟଜନଙ୍କର ମୃତ୍ୟୁ ହୋଇଛି । ଏଥିରେ କୋଭିଡରେ ପ୍ରାଣ ହରେଇଥିବା ସେ ଲୋକମାନଙ୍କର କଥା ଲେଖା ଯାଇଛି ଯେଉଁମାନଙ୍କୁ ନଦୀରେ ଭସେଇ ଦିଆଯାଇଥିଲା କାରଣ ସେତେବେଳେ ଶ୍ମସାନଘାଟରେ ଶବ ଦାହ ପାଇଁ ଜାଗା ନଥିଲା । ଶ୍ମସାନରେ ଶବ ଦାହ କରିବାପାଇଁ ବା କବର ଦେବାପାଇଁ ଆତ୍ମୀୟମାନଙ୍କୁ ରୀତିମତ ସଂଘର୍ଷ କରିବାପାଇଁ ପଡ଼ୁଥିଲା ।

ଏ ପୁସ୍ତକରେ କିଛି କିଛି କାହାଣୀ ଅଛି ଯାହା ଭାରତରେ ବିଭିନ୍ନତା ଭିତରେ ଐକ୍ୟର କଥା ରେଖାଙ୍କିତ କରେ । ଏଥିରେ ସେ ହିନ୍ଦୁଟିର କଥା ରହିଛି ଯେ ମୁସଲମାନ ମାନଙ୍କର କବର ଖାନାରେ କବର ଖୋଳୁଥିଲା । ସେହି ମୁସଲମାନ ସ୍ୱେଛାସେବୀଟିର କଥା ରହିଛି ଯିଏ ଗୋଟେ ହିନ୍ଦୁ ଶିଶୁର ଶେଷ କୃତ୍ୟ କରିଛି । ଏଥିରେ ସେ ଗୁରୁଦ୍ୱାରା ଗୁଡ଼ିକର କଥା ରହିଛି ଯେଉଁମାନେ ଅକ୍ସିଜେନର ବ୍ୟାପକ କଳାବଜାର ହେଉଥିଲାବେଳେ ଅକ୍ସିଜେନ ଲଙ୍ଗର ଆରମ୍ଭ କରିଥିଲେ । ଏଥିରେ ସେ ଗୃହିଣୀର କଥା ବି ରହିଛି ଯିଏ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ପ୍ରତିଦିନ ତା ଘରେ ଅଧିକ ରୁଟି ତିଆରି କରୁଥିଲା ଯେମିତି କିଛି ରୁଟି ତାଙ୍କୁ ଦିଆଯାଇପାରିବ ।

ବରଖା ଦତ୍ଙ୍କର ଏ ବହିଟି ତାଙ୍କର ଗ୍ରାଉଣ୍ଡ ରିପୋର୍ଟିଂ ରୁ ଉଠି ଆସିଛି । କୋଭିଡ ସମୟରେ ସେ ‘ମଜୋସ ଷ୍ଟୋରୀ’ ନାଁରେ ଗୋଟେ ଡିଜିଟାଲ ପ୍ଲାଟଫର୍ମ ତିଆରି କରିଥିଲେ ଏବଂ ଏହା ଜରିଆରେ ସେ ଭାରତର ବିଭିନ୍ନ ସ୍ଥାନରୁ କୋଭିଡ୍-ଆକ୍ରାନ୍ତ ସମୟର ରିପୋର୍ଟିଂ କରିଥିଲେ ।

ଏଠି ଆଉଗୋଟେ କଥା କହି ରଖିବା ଦରକାର ଯେ ଯେତେବେଳେ ଏବହି ଲେଖା ହେଉଥିଲା ସେତେବେଳେ ବରଖା ଦତ୍ଙ୍କର ନିଜ ବାପା କୋଭିଡରେ ପୀଡିତ ହେଲେ ଏବଂ ଏତେ ପରିଚିତା ସାମ୍ବାଦିକା ହେବା ସତ୍ୱେ ସେ ତାଙ୍କ ବାପାଙ୍କ ପାଇଁ ଉପଯୁକ୍ତ ଡାକ୍ତରୀ ସେବା ଯୋଗାଡ଼ କରି ପାରିଲେ ନାହିଁ । ତାଙ୍କ ବାପା ଚାଲିଗଲେ । ଆଉ ଯେଉଁଦିନ ତାଙ୍କ ବାପାଙ୍କୁ ଶେଷକୃତ୍ୟ କରାଯାଉଥିଲା ସେଇ ଦିନ ବରଖା ଦତ ବି କୋଭିଡ ପଜେଟିଭ୍ ହେଲେ ।

କୋଭିଡ ଯେଭଳି ଭାବରେ ସାଧାରଣ ଲୋକଙ୍କୁ ଏବଂ ସମାଜର ପ୍ରଭାବଶାଳୀ ବର୍ଗର ଲୋକ ସମସ୍ତଙ୍କୁ ଯେଉଁଭଳି ଭାବରେ ପ୍ରଭାବିତ କରିଥିଲା ବରଖା ଦତ୍ ନିଜେ ତାକୁ ଅନୁଭବ ବି କରିଛନ୍ତି ଭୋଗିଛନ୍ତି । ତେଣୁ ଏ ବହିରେ ତାଙ୍କ ନିଜ ଜୀବନର ଆବେଗର କଥା ମଧ୍ୟ ରହିଛି । ଆଉ ସେ ଆବେଗ ଏ ସଂପୁର୍ଣ୍ଣ ବହିର କାହାଣୀ ଗୁଡିକୁ ଏକ ଭିନ୍ନ ମାତ୍ରା ଦେଇଛି । କୋଭିଡ ସମୟର ମାନବିକ ଦିଗ ଗୁଡିକ ଯଦି ଆପଣ ଜାଣିବାପାଇଁ ଚାହାନ୍ତି ତାହାହେଲେ ବରଖା ଦତ୍ଙ୍କର ଏ ବହିଟି ପଢ଼ନ୍ତୁ ।

+++

Related Posts

Leave a Reply

Your email address will not be published. Required fields are marked *