ମାନବ ସମାଜର ନୂଆ ଇତିହାସ

ବହି: ଦ ଡନ ଅଫ ଏଭ୍ରିଥିଙ୍ଗ୍: ଏ ନିୟୁ ହିଷ୍ଟ୍ରି ଅଫ ହ୍ୟୁମାନିଟି
ଲେଖକ : ଡେଭିଡ୍ ଗ୍ରାଏବର ଏବଂ ଡେଭିଡ୍ ୱେନଗ୍ରୋ
ପ୍ରକାଶକ: ଆଲେନ ଲେନ୍
ମୂଲ୍ୟ: ୯୯୯ ଟଙ୍କା

ବର୍ତ୍ତମାନ ମଣିଷକୁ ଆମେ ଯେଉଁ ରୂପରେ ଦେଖୁଛୁ ତାକୁ ହୋମୋ ସାପିଆନ୍ସ ବୋଲି କୁହାଯାଏ । ଏ ହୋମୋ ସାପିଆନସମାନେ ପୃଥିବୀରେ ପାଖାପାଖି ଦୁଇଲକ୍ଷ ବର୍ଷ ହେଲା ରହିଲେଣି । ହେଲେ ଅଜବ କଥା ହେଉଛି ଯେ ପାଖାପାଖି ଲକ୍ଷେ ଅଶୀ-ନବେ ହଜାର ବର୍ଷ ଏମାନେ କେମିତି ଥିଲେ, କେମିତି ଭାବରେ ଆଦିମ ଅବସ୍ଥାରୁ ଧୀରେ ଧୀରେ ସଭ୍ୟତା ଆଡକୁ ଆଗେଇଲେ ସେ ବିଷୟରେ ଆମର ଖୁବ୍ ବେଶୀ ଧାରଣା ନାହିଁ ।

ସେମାନଙ୍କ ବିଷୟରେ ଯେତେବେଳେ କୁହାଯାଏ ଦୁଇଟି ପ୍ରକାରର କଥା ମୁଖ୍ୟତଃ ଶୁଣାଯାଏ । ଗୋଟିଏର ପ୍ରବକ୍ତା ହେଉଛନ୍ତି ଅଷ୍ଟାଦଶ ଶତାବ୍ଦୀର ଜର୍ମାନ ଦାର୍ଶନିକ ରୁଷୋ (୧୭୧୨-୧୭୭୮) । ସେ କହନ୍ତି ଯେ ଆଦିମ ମଣିଷମାନେ ଶିଶୁମାନଙ୍କ ଭଳି ସରଳ ଜୀବନ ଯାପନ କରୁଥିଲେ ଏବଂ ବଡ ଖୁସିରେ ଥିଲେ । ସେମାନେ ବଣଜଙ୍ଗଲରେ ଫଳମୂଳ ଗୋଟେଇ ବା ଶୀକାର କରି ଚଳୁଥିଲେ । ଯେଉଁଠି ଚାହୁଁଥିଲେ ଯାଇ ପାରୁଥିଲେ । ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବଡ ଆନନ୍ଦରେ ସେମାନେ ରହୁଥିଲେ । ପରେ ପରେ କୃଷିର ବିକାଶ ହେଲା ଏବଂ ସେମାନେ ଯାଯାବର ଭଳି ବୁଲିବା ବନ୍ଦ କରି କ୍ରମଶଃ ଗୋଟିଏ ଜାଗାରେ ରହିବାପାଇଁ ଆରମ୍ଭ କଲେ । ଧୀରେ ଧୀରେ ସମାଜ ସୃଷ୍ଟିହେଲା ଏବଂ ସେ ସମାଜରେ ସ୍ତର ବିନ୍ୟାସ ସୃଷ୍ଟିହେଲା । କ୍ରମଶଃ ସେମାନେ ଆଉ ଖୁସିରେ ରହିଲେ ନାହିଁ ବା ଅନ୍ୟ ଭାଷାରେ କହିଲେ ତାଙ୍କର ଖୁସୀ ଧୀରେ ଧୀରେ କମି ଆସିଲା ।

ସପ୍ତଦଶ ଶତାବ୍ଦୀର ଇଂରେଜ ଦାର୍ଶନିକ ଥୋମାସ୍ ହବ୍ସ (୧୫୮୮-୧୯୭୯) ଠିକ୍ ଓଲଟା କଥାଟି କହନ୍ତି । ତାଙ୍କର ମତ ଅନୁସାରେ ବଣ ଜଙ୍ଗଳରେ ଫଳମୂଳ ଗୋଟେଇ ଏବଂ ଶିକାର କରି ଚଳୁଥିବା ଆଦିମ ମଣିଷମାନେ ନିଶ୍ଚିତଭାବରେ ଅତ୍ୟନ୍ତ ସ୍ୱାର୍ଥପର ହୋଇଥିବେ, ତାଙ୍କର ଜୀବନକାଳ ବେଶି ବର୍ଷର ହେଇନଥିବ ଆଉ ସେମାନେ ବଡ ନିଷ୍ଠୁର ହେଇଥିବେ । କ୍ରମଶଃ ଯେତେବେଳେ କୃଷିର ବିକାଶ ହେଲା ସେତେବେଳେ ସେମାନେ ସଭ୍ୟତା ଆଡକୁ ଆଗେଇଲେ ଏବଂ କ୍ରମଶଃ ସେମାନେ ଅଧିକରୁ ଅଧିକ ଖୁସିହେଇ ରହିବା ଆରମ୍ଭ କଲେ ।

ହବ୍ସ ଏବଂ ରୁଷୋ ଉଭୟେ ଯେତେବେଳେ ଏ କଥା ଲେଖିଥିଲେ, ସେମାନଙ୍କ ମତ ସପକ୍ଷରେ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ତାଙ୍କ ପାଖରେ କୌଣସି ବୈଜ୍ଞାନିକ ହତିଆର ନଥିଲା ।

ବର୍ତ୍ତମାନ ଆଲୋଚନାର ପରିସରରେ ଥିବା ‘ଦ ଡନ ଅଫ ଏଭ୍ରିିଥିଙ୍ଗ: ଏ ନିୟୁ ହିଷ୍ଟ୍ରି ଅଫ ହ୍ୟୁମାନିଟି’ର ଦୁଇ ଲେଖକ ଉଭୟେ ହେଉଛନ୍ତି ଆନ୍ଥ୍ରୋପଲିଜିଷ୍ଟ ବା ନୂତତ୍ୱବିତ୍ । ସେମାନେ ଏ ପୁସ୍ତକ ଲେଖିବା ପାଇଁ ନୃତତ୍ୱବିଦ୍ୟା, ବାସ୍ତୁକଳା (ଆର୍କିଓଲଜି,) ସହିତ ବେଶ୍ କିଛି ବୈଜ୍ଞାନିକ ପଦ୍ଧତି ପ୍ରଣାଳୀ ଏବଂ ହତିଆରର ମଧ୍ୟ ସାହାଯ୍ୟ ନେଇଛନ୍ତି । ଯେମିତି ଡିଏନ୍ଏ ଆନାଲିସିସ୍, କାର୍ବନ ଡେଟିଂ, ଇତ୍ୟାଦି । ସେମାନେ କହନ୍ତି ଯେ ହବସ୍ ଏବଂ ରୁଷୋ ଦୁଇ ଜଣଙ୍କ ଭିତରୁ ଜଣେ ହେଲେ ଠିକ୍ କଥାଟି କହି ନାହାନ୍ତି । ଡେଭିଡ୍ ଗ୍ରାଏବର ଏବଂ ଡେଭିଡ୍ ୱେନଗ୍ରୋଙ୍କ ମତରେ ଆଦିମ ମାନବ ସମାଜ ଭିତରେ ଅନେକ କଂପ୍ଲେକସ ଅରଗାନାଇଜେସନ ବା ଜଟିଳ ଶ୍ରେଣୀ ବିଭାଗ ଥିଲା । ତେଣୁ ରୁଷୋଙ୍କର ସେ ଯେଉଁ ଶିଶୁ ସୁଲଭ ଆଦିମ ଜନଜାତି ଏଇଯେଉଁ ଅବଧାରଣା ସେ ଭୁଲ୍ । ପୁଣି ସେମାନେ କହନ୍ତି ବହୁତ ପ୍ରମାଣ ଅଛି ଯେଉଁଥିରୁ କହିହେବ ଯେ ଆଦିମ ଜନଜାତି ଯେଉଁମାନେ ଥିଲେ ସେମାନେ ପ୍ରାକୃତିକ ଭାବରେ ସ୍ୱାର୍ଥପର ନଥିଲେ ବା ସେମାନଙ୍କର ଜୀବନ ପଶୁ ସୁଲଭ ନଥିଲା । ଯେଉଁମାନେ ରୋଗାକ୍ରାନ୍ତ ହେଉଥିଲେ ସେମାନଙ୍କୁ ସମାଜର ଅନ୍ୟମାନେ ଯତ୍ନ ନେଉଥିଲେ । ତେଣୁ ହବସଙ୍କର ଯେଉଁ ଅବଧାରଣା ଥିଲା ପଶୁ ସୁଲଭ ମାନବ ସମାଜ ସିଏ ବି ଭୁଲ୍ । ଷ୍ଟିଭେନ ପିଙ୍କର ଥରେ କହିଥିଲେ ଯେ କ୍ରମଶଃ ମାନବ ସମାଜ ହିଂସାରୁ ଦୂରେଇ ଯାଉଛି । ଯୁଦ୍ଧ ବିଗ୍ରହରୁ ଦୂରଉଛି । ପୃଥିବୀରେ ଯୁଦ୍ଧ ବିଗ୍ରହ କମୁଛି । ବ୍ୟାପକ ନରହତ୍ୟା କମୁଛି । ଏ ଅବଧାରଣା ବି ଠିକ୍ ନୁହେଁ ବୋଲି ଏ ପୁସ୍ତକର ଲେଖକ ଦୁଇଜଣ ମତ ଦେଇଛନ୍ତି ।

ଏ ପୁସ୍ତକରେ ବେଶ କିଛି ପ୍ରଚଳିତ ମତକୁ ଭୁଲ୍ ବୋଲି ପ୍ରମାଣିତ କରିବାର ଚେଷ୍ଟା କରାଯାଇଛି । ଅନେକ ସମୟରେ ସମାଜତତ୍ୱବିତ୍ ଏବଂ ନୃତତ୍ୱବିଦ୍ମାନେ କିଛି ଧାରାକୁ ବିଶ୍ଳେଷଣ କଲାବେଳେ କେତେଗୁଡିଏ କଥାକୁ ଠିକ୍ ଏବଂ ଧ୍ରୁବ ବୋଲି ବିଶ୍ୱାସ କରିନେଇଥାନ୍ତି । ଏ ପୁସ୍ତକର ଦୁଇ ଲେଖକ ଏହି ଅବଧାରଣାକୁ ପ୍ରଶ୍ନ କରିଛନ୍ତି । ଉଦାହରଣ ସ୍ୱରୁପ ଧରି ନିଆଯାଉଥିଲା ଯେ ପ୍ରି-ହିଷ୍ଟୋରିକ୍ କଲଚରରେ ବା ଆଦିମ ସଂସ୍କୃତିରେ ବି ବାଣିଜ୍ୟ ଥିଲା । ବିଭିନ୍ନ ଆଦିମ ସଂସ୍କୃତିର ଲୋକମାନଙ୍କ ଭିତରେ ବାଣିଜ୍ୟଥିଲା । ଏ ଅବଧାରଣାର ଭିତ୍ତିଟି ହେଲା ଯେ ଗୋଟିଏ ସ୍ଥାନରେ ମିଳୁଥିବା ବସ୍ତୁ ପଦାର୍ଥ ହଜାର ହଜାର ମାଇଲ ଦୂରରେ ବି ଅନ୍ୟ ସଂସ୍କୃତିରେ ଥିବା ଲୋକମାନଙ୍କ ପାଖରେ ବି ମିଳିଲା । ତେଣୁ ଚିନ୍ତା କରାଗଲାଯେ ହୁଏତ ତାଙ୍କର ବାଣିଜ୍ୟିକ ନେଣ ଦେଣ ଥିବ । କିନ୍ତୁ ଏ ପୁସ୍ତକର ଲେଖକମାନେ ପ୍ରମାଣ କରିବା ପାଇଁ ଚେଷ୍ଟା କରିଛନ୍ତି ଯେ ବିନା ବାଣିଜ୍ୟିକ ଲେଣ ଦେଣରେ ମଧ୍ୟ ଜିନିଷ ପତ୍ରର ଆଦାନ ପ୍ରଦାନ ହେବା ସମ୍ଭବ ହେଇଥାଇ ପାରେ । ସେମିତି ଏକ ଅବଧାରଣା ହେଲା: ସମାଜର ଯେତେବେଳେ ଅଗ୍ରଗତି ହୁଏ ସେତେବେଳେ ସମାଜରେ ସ୍ତରବିନ୍ୟାସ ହୋଇଯାଏ । ଏହାକୁ ମଧ୍ୟ ଲେଖକ ଦ୍ୱୟ ପ୍ରଶ୍ନ କରିଛନ୍ତି । ଉଦାହରଣ ସ୍ୱରୁପ ସେମାନେ ହରପ୍ପା ସଭ୍ୟତାର କଥା କହିଛନ୍ତି, ଯେଉଁଠି ଅତ୍ୟନ୍ତ ଆଧୁନିକ ସହର ଗଢ଼ି ଉଠିଥିଲା କିନ୍ତୁ ସେ ସହରରେ ବିଶାଳ କୌଣସି ରାଜପ୍ରାସାଦ ନଥିଲା । ଅର୍ଥାତ ରାଜା ପ୍ରଜା ଭିତରେ ଗୋଟେ ବଡ ପାର୍ଥକ୍ୟ ଥିବାର ଜଣାପଡେ ନାହିଁ । ସମାନ କଥା ଆମେରିକାର ପ୍ରାଚୀନ ଜନଜାତି ସମାଜରେ ମଧ୍ୟ ଦେଖାଯାଏ । ସମାଜର ସ୍ଥର ବିନ୍ୟାସ ଉପରେ ଯେଉଁ ଅବଧାରଣା ଗୁଡିକ ଆମର ରହିଯାଇଥିଲା ତାକୁ ଏ ପୁସ୍ତକରେ ପ୍ରଶ୍ନ କରାଯାଇଛି ।

ଅତ୍ୟନ୍ତ ସରଳ ଭାଷାରେ ଲେଖାଯାଇଥିବା ଏ ପୁସ୍ତକଟି ଏପରି ଅନେକ କଥାକୁ ପ୍ରଶ୍ନ କରିଛି । ମାନବ ସଭ୍ୟତାର ବିକାଶ କେମିତି ହେଇଥିଲା, ଏ ବିଷୟରେ ଆପଣଙ୍କର ଜାଣିବାପାଇଁ ଆଗ୍ରହ ଅଛି ତେବେ ଏ ପୁସ୍ତକଟି ଆପଣଙ୍କପାଇଁ ଅବଶ୍ୟ ପାଠ୍ୟ ।

ବହି ଜଗତର ତାଜା ଖବର

ଜର୍ସି ନମ୍ବର ୯
୨୦୨୧ରେ ପ୍ରକାଶିତ ‘ଜର୍ସି ନମ୍ବର ୯’ ବୈଦ୍ୟନାଥ ମିଶ୍ରଙ୍କ ନାତିଦୀର୍ଘ ଆତ୍ମଜୀବନୀ । ୧୯୪୭ରେ କଳାହାଣ୍ଡିରେ ଜନ୍ମ ବୈଦ୍ୟନାଥ ମିଶ୍ରଙ୍କୁ ୭୦ ଦଶକରେ ଓଡ଼ିଶାର କ୍ରୀଡ଼ାପ୍ରେମୀମାନେ ଜଣେ ଭଲ ଫୁଟବାଲ ଖେଳାଳି ଭାବେ ଜାଣିଥିଲେ । ଓଡ଼ିଶା ସନ୍ତୋଷ ଟ୍ରଫି ଟିମ୍‍ର ସେ ବେଶ କିଛି ବର୍ଷ ନିୟମିତ ଖେଳାଳି ଥିଲେ । କ୍ରୀଡ଼ାବିଦ୍‍ ଭାବେ ସେ ଚାକିରି ପାଇଥିଲେ ରାଉରକେଲା ଇସ୍ପାତ କାରଖାନାର ଜନସମ୍ପର୍କ ବିଭାଗରେ । ଦୀର୍ଘ ତିନି ଦଶନ୍ଧି ସେ ସେଠାରେ କାମ କରିଛନ୍ତି । ଅବସର ନେଲା ପରେ ପଶ୍ଚିମାଞ୍ଚଳ ନାମକ ସମ୍ବାଦପତ୍ରର ସମ୍ପାଦନା କରିଛନ୍ତି । ରାଜନୀତିରେ ମଧ୍ୟ ପ୍ରବେଶ କରିଛନ୍ତି ।
ଏ ବହୌିଟିରେ ସେ ତାଙ୍କ ଜୀବନର ଗତି ଓ ପ୍ରବାହକୁ ନଥିବଦ୍ଧ କରି ଧରି ରଖିବାର ଚେଷ୍ଟା କରିଛନ୍ତି ।

ଦାୟଦ
ବର୍ତ୍ତମାନ ସମୟର ସୁପରିଚିତ କଥାକାର ଡ଼ ଦାସରଥି ଭୂୟାଂଙ୍କର ଗଳ୍ପ ସଂକଳନ ଦାୟଦ ଏବେ ହିନ୍ଦୀରେ ଅନୁଦିତ ହେଇ ପ୍ରକାଶିତ ହେଇଛି । ଅନୁବାଦ କରିଛନ୍ତି ଡ଼ ଭଗବାନ ତ୍ରିପାଠି । ଏହାକୁ ପ୍ରକାଶ କରିଛନ୍ତି ଶ୍ରୀ ସାହିତ୍ୟ ପ୍ରକାଶନ, ଦିଲ୍ଲୀ । ଡ଼ ଦାସରଥି ଭୂୟାଂଙ୍କର ଗଳ୍ପ ଗୁଡିକ ଆମ ସମାଜ ଏବଂ ଏଥିରେ ବାସ କରୁଥିବା ଲୋକମାନଙ୍କର କାହାଣୀ ତାଙ୍କ ଗଳ୍ପରେ, ତାଙ୍କ କାହାଣୀରେ ଏକ ଦରଦୀ ହୃଦୟର କଥା ଥାଏ ଯାହା ପାଠକକୁ ଆଦୃତ କରେ । ତାଙ୍କର ହିନ୍ଦୀ ଅନୁବାଦ ତାଙ୍କ ଗଳ୍ପଗୁଡିକୁ ବୃହତର ପାଠକ ସମାଜ ପାଖକୁ ନେଇଯିବ ବୋଲି ଆଶା କରାଯାଏ ।
++

++

Related Posts

Leave a Reply

Your email address will not be published. Required fields are marked *