ବହି: ଇଣ୍ଡିଆନ ମିଡିଆ ଜିଆଣ୍ଟସ୍: ଦି ବିଜିନେସ ଡାଇନାମିକସ୍ ଅଫ ପ୍ରିଣ୍ଟ ଲିଗାସିଜ୍
ଲେଖିକା: ସୁରଭି ଦାହିଆ
ପ୍ରକାଶକ: ଅକସଫୋର୍ଡ ୟୁନିଭରସିଟି ପ୍ରେସ
ଭାରତରେ ମୁଦ୍ରିତ ଗଣମାଧ୍ୟମର ଆରମ୍ଭ ୧୭୮୦ ମସିହାରେ । ପ୍ରଥମ ଖବର କାଗଜ ହିକିସ୍ ବେଙ୍ଗଲ ଗେଜେଟ୍ । ଜାନୁଆରି ୨୯, ୧୭୮୦ରେ ଏହି ଇଂରାଜୀ ଖବର କାଗଜଟି ପ୍ରଥମେ ପ୍ରକାଶିତ ହୋଇଥିଲା । ତା ପରଠୁ ଭାରତର ବିଭିନ୍ନ ରାଜ୍ୟରେ, ବିଭିନ୍ନ ଭାଷାରେ ଖବରକାଗଜ ପ୍ରକାଶିତ ହୋଇଛି । ସାମାଜିକ ସଂସ୍କାର, ବ୍ୟକ୍ତି ସ୍ୱାଧୀନତାର ଅବଧାରଣାର ବିକାଶଠୁଁ ସ୍ୱାଧୀନତା ସଂଗ୍ରାମରେ ସହଭାଗିତା ଦେଶ ସ୍ୱାଧୀନ ହେଲା ଯାଏଁ ଏସବୁଥିରେ ଭାରତୀୟ ସମ୍ବାଦପତ୍ରର ଏକ ବିଶେଷ ଭୂମିକା ଗ୍ରହଣ କରିଛି । ସ୍ୱାଧୀନତା ପରେ ଦେଶର ଉନ୍ନୟନ, ସାଧାରଣ ଲୋକଙ୍କ ହିତ ଓ ବିକାଶ କ୍ଷେତ୍ରରେ ଖବରକାଗଜ କାର୍ଯ୍ୟ କରିଛି । ଭାରତରେ ଖବରକାଗଜ ପ୍ରକାଶନ ସହିତ ଏହାକୁ ଏକ ବ୍ୟବସାୟ ଏବଂ ପରେ ଏକ ଶିଳ୍ପ ଭାବରେ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଖବରକାଗଜ ହିକିସ୍ ଗେଜେଟ୍ର ଆଉ ଗୋଟେ ନାଁ ବି ଥିଲା: କ୍ୟାଲ୍କାଟା ଜେନେରାଲ୍ ଆଡ୍ଭର୍ଟାଇଜର । ଅର୍ଥାତ୍ ବିଜ୍ଞାପନକୁ ବି ଆରମ୍ଭରୁ ମାନ୍ୟତା ଦିଆଯାଇଥିଲା ।
ସ୍ୱାଧୀନତା ଆନ୍ଦୋଳନରେ ସହଭାଗୀ ହେବା ପାଇଁ ଅନେକେ ଖବରକାଗଜକୁ ମାଧ୍ୟମ ଭାବରେ ବ୍ୟବହାର କରିଥିଲେ । ସେମାନଙ୍କ ଭିତରୁ ଅନେକେ ଖବରକାଗଜକୁ ଆବେଗରେ ପ୍ରକାଶ କରୁଥିଲେ । ତାର ବ୍ୟବସାୟିକ ଦିଗଟିକୁ ଦୃଷ୍ଟି ଦେଉନଥିଲେ । ତେଣୁ ଏ ଖବରକାଗଜଗୁଡ଼ିକ ଦୀର୍ଘଜୀବିତ ହୋଇ ପାରି ନାହାନ୍ତି । ସମ୍ପୃକ୍ତ ଖବରକାଗଜ ପ୍ରକାଶନା ଏକ ପ୍ରତିଷ୍ଠାନ ଭାବରେ ଠିଆ ହୋଇ ପାରି ନାହିଁ । କିନ୍ତୁ କେତେକ ଖବରକାଗଜ ତାହା କରି ପାରିଛନ୍ତି ।
୨୦୨୨ ବେଳକୁ ଭାରତରେ ଆରଏନଆଇ (ରେଜିଷ୍ଟ୍ରାର ଅଫ୍ ନିଉଜପେପର)ଙ୍କ ହିସାବ ଅନୁସାରେ ପାଖାପାଖି ଲକ୍ଷେ ଖବର କାଗଜ, ପତ୍ରପତ୍ରିକା ଇତ୍ୟାଦି ପ୍ରକାଶିତ ହେଉଛି । ଭାରତର ବେଶ୍ କେତେଗୁଡିଏ ଗଣମାଧ୍ୟମ ପ୍ରକାଶନ ସଂସ୍ଥା କେବଳ ଭାରତବର୍ଷରେ ନୁହେଁ ବିଶ୍ୱରେ ଅଗ୍ରଣୀ ପ୍ରକାଶନ ସଂସ୍ଥାର ମାନ୍ୟତା ଲାଭ କରିଛନ୍ତି । ସେହିଭଳି କେତେଗୁଡିଏ ଅଗ୍ରଣୀ ପ୍ରକାଶନ ସଂସ୍ଥା ବିଷୟରେ ଏ ପୁସ୍ତକରେ ଲେଖା ଯାଇଛି । ଏ ପୁସ୍ତକରେ ଭାରତୀୟ ଗଣମାଧ୍ୟମ ବିଶେଷକରି ମୁଦ୍ରିତ ଗଣମାଧ୍ୟମ ବ୍ୟବସାୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଲେଖା ଯାଇଛି । କେମିତି ମୁଦ୍ରିତ ଗଣମାଧ୍ୟମ ବ୍ୟବସାୟ ସହିତ ସ୍ୱାଧିନତା ଅନ୍ଦୋଳନ, ଦେଶ କଲ୍ୟାଣ ଏ ସବୁଥିରେ ଏକ ବିଶେଷ ଅଂଶ ଗ୍ରହଣ କଲା ସେ ବିଷୟରେ ଏ ପୁସ୍ତକରେ ଉଲ୍ଲେଖ କରାଯାଇଛି ।
୧୦୦୦ ପୃଷ୍ଠାରୁ ଉର୍ଦ୍ଧ ଏ ପୁସ୍ତକଟି ନଅଟି ଅଧ୍ୟାୟରେ ବିଭକ୍ତ । ପ୍ରଥମ ଅଧ୍ୟାୟରେ ଭାରତରେ ଗଣମାଧ୍ୟମ ବ୍ୟବସାୟ କିଭଳି ଭାବରେ ପରିବର୍ତ୍ତିତ ହୋଇଛି ଏବଂ ହେଉଛି ସେ ବିଷୟରେ ଆଲୋକପାତ କରାଯାଇଛି ।
ଦ୍ୱିତୀୟ ଅଧ୍ୟାୟରେ ମୁଦ୍ରିତ ଗଣମାଧ୍ୟମର କ୍ରମ ବିକାଶ ବିଷୟରେ ଆଲୋଚନା କରାଯାଇଛି । ୧୭୮୦ ରୁ ୧୯୪୬ ପର୍ଯ୍ୟନ୍ତ ପ୍ରାକ୍ ସ୍ୱାଧିନତା ଯୁଗରେ ଖବର କାଗଜର ସ୍ଥିତି କଣ ଥିଲା, ବିଦେଶୀ ଶାସନ କାଳରେ ଭାରତୀୟ ଖବର କାଗଜ କିଭଳି ଭାବରେ ସ୍ୱାଧିନତା ସଂଗ୍ରାମରେ ସହଭାଗୀ ହୋଇଥିଲେ ଏବଂ କିଛି ବ୍ରିଟିସ୍ ମାଲିକାନାଧିନ ଖବର କାଗଜ କିଭଳି ଭାବରେ ବ୍ରିଟିସ ଶାସନକୁ ସମର୍ଥନ କରୁଥିଲେ ଏ ବିଷୟରେ ଲେଖା ଯାଇଛି । ପରବର୍ତ୍ତି ସମୟରେ ୧୯୪୭ରୁ ୧୯୯୦ ଯାଏଁ ଗଣମାଧ୍ୟମ ବ୍ୟବସାୟ କିଭଳି ଭାବରେ ଆହୁରି ବିସ୍ତାରିତ ହେଲା ତାପରେ ୧୯୯୧ରୁ ୨୦୦୦ ପର୍ଯ୍ୟନ୍ତ ଉଦାରୀକରଣ ପରେପରେ ଭାରତୀୟ ଗଣମାଧ୍ୟମରେ ଯେଉଁ ବୈପ୍ଳବିକ ଅଭିବୃଦ୍ଧି ହେଲା ତା ବିଷୟରେ ଲେଖାହେଇଛି । ୨୦୦୧ରୁ ୨୦୧୦ ପର୍ଯ୍ୟନ୍ତ ସହସ୍ରାବ୍ଦିର ପ୍ରଥମ ୧୦ ବର୍ଷରେ କଣ ପରିବର୍ତ୍ତନ ହେଲା ଆଉ ୨୦୧୧ରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଡିଜିଟାଲ ଟେକନଲୋଜି କିଭଳି ଭାବରେ ଗଣମାଧ୍ୟମକୁ ପ୍ରଭାବିତ କରିଛି ସେ ବିଷୟରେ ବିସ୍ତାରିତ ଭାବେ ଆଲୋଚନା କରାଯାଇଛି ।
ତୃତୀୟ ଅଧ୍ୟାୟରେ ଏହା ଟାଇମସ୍ ଅଫ ଇଣ୍ଡିଆ ଖବର କାଗଜର ଆରମ୍ଭ, ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଚତୁର୍ଥ ଅଧ୍ୟାୟ ସେମିତି ହିନ୍ଦୁ ଖବର କାଗଜ, ତାର ଆରମ୍ଭ, ବିକାଶ, ଆଧୁନିିକିକରଣ ବିଷୟରେ ଆଲୋଚନା କରାଯାଇଛି । ପଞ୍ଚମ ଅଧ୍ୟାୟରେ ହିନ୍ଦୁସ୍ଥାନ ଟାଇମସ୍ ଖବର କାଗଜ ବିଷୟରେ ଲେଖାଯାଇଛି । ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରତିଷ୍ଠା କରାଯାଇଥିବା ଗୋଟେ ଖବର କାଗଜ କିଭଳି ଭାବରେ ବ୍ୟବସାୟରେ ମଧ୍ୟ ବେଶ୍ ଅଗ୍ରଗତି କରିପାରିଲା ସେ ବିଷୟରେ ଲେଖାଯାଇଛି । ଷଷ୍ଠ ଅଧ୍ୟାୟରେ ସେମିତି ଇଣ୍ଡିଆନ ଏକସ୍ପ୍ରେସ୍ ସଂପର୍କରେ ଲେଖା ଯାଇଛି । ଜରୁରୀ କାଳିନ ପରିସ୍ଥିତିରେ ଏହା କିଭଳି ଭାବରେ ପ୍ରେସ୍ ସ୍ୱାଧିନତା ପାଇଁ ଲଢ଼ିଥିଲା ସେ ବିଷୟଟି ମଧ୍ୟ ରେଖାଙ୍କିତ କରାଯାଇଛି । ସପ୍ତମ ଅଧ୍ୟାୟରେ ଜାଗରଣ ପ୍ରକାଶନ ଉପରେ ଲେଖାଯାଇଛି । ଅଷ୍ଟମରେ ଦୈନିକ ଭାସ୍କର ବିଷୟରେ ଲେଖାଯାଇଛି । ୧୯୫୬ରେ ଭୋପାଳରୁ ପ୍ରକାଶିତ ଦୈନିକ ଭାସ୍କର କିଭଳି ଭାବରେ ବର୍ଷ କେତେଟା ଭିତରେ ଭାରତର ପ୍ରଥମ ପାଞ୍ଚଟି ସର୍ବାଧିକ ପ୍ରସାରିତ ଖବରକାଗଜ ଭିତରେ ନିଜ ଯାଗା କରିନେଇଛନ୍ତି ସେ ସଂପର୍କରେ ଆଲୋଚନା କରାଯାଇଛି ।
ନବମ ଅଧ୍ୟାୟରେ ଖବରକାଗଜ ବ୍ୟବସାୟର ବିଜିନେସ ଡାଇନାମିକସ୍ ବିଷୟରେ ଲେଖାଯାଇଛି । କେଉଁଭଳି ଭାବରେ କେଉଁ କମ୍ପାନୀ କେଉଁ ଭାବରେ ନିଜ କାଗଜକୁ ବଢ଼ାଇବା ପାଇଁ କେଉଁ ରଣନୀତି ଗ୍ରହଣ କରିଥିଲେ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଏ କ୍ଷେତ୍ରରେ ନେତୃତ୍ୱ ନେଇଥିବା ସଂପାଦକ, ପ୍ରକାଶକମାନଙ୍କ କଥା ମଧ୍ୟ ଉଲ୍ଲେଖ କରାଯାଇଛି ।
ଦଶମ ତଥା ଅନ୍ତିମ ଅଧ୍ୟାୟରେ ଭାରତୀୟ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଏବଂ ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇଛି । ଭାରତୀୟ ଗଣମାଧ୍ୟମର ବ୍ୟବସାୟକୁ ନେଇ ଖୁବ୍ ବେଶୀ ପୁସ୍ତକ ଆମ ଦେଶରେ ନଥିଲା । ସେ ଦୃଷ୍ଟିରୁ ଏହା ଏକ ମୂଲ୍ୟବାନ ସଂଯୋଜନା । ଯେଉଁମାନେ ଗଣମାଧ୍ୟମ ବ୍ୟବସାୟ ବିଷୟରେ ଜାଣିବା ପାଇଁ ଚାହାନ୍ତି ତାଙ୍କପାଇଁ ଏହା ଏକ ଅବଶ୍ୟ ପାଠ୍ୟ ପୁସ୍ତକ ।
+++