ଅଭିଜିତ୍ ସାହୁ

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ| ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି| ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର ଖଣ୍ଡେ ଘରଟି ଥାନ୍ତା ହେଲେ” | ପୋଲିସ ବାବୁମାନେ କାହାର ଗୋଟିଏ ଶବକୁ ଧଳା ବେଡ଼ସିଟରେ ଘୋଡେଇ ଦେଇଛନ୍ତି, ପାଖରେ ଦଉଡି ଖଣ୍ଡେ ପଡିଛି, କିଏ ଗୋଟିଏ ଆତ୍ମହତ୍ୟା କରିଛି ବୋଧେ| କୋହଲା ପବନର ଚାପୁଡ଼ାରେ ବେଡ଼ସିଟ ଟି ଅଧା ଉଡ଼ିଗଲାରୁ ଦେଖାଗଲା ଯେ ବାଲା ବୁଢା ଶୋଇଛି, ପୋଲିସ ପାଖରେ କିଛି ଲୋକଙ୍କୁ କଣ ପଚରାଉଚୁରା କରୁଛି| କ୍ଷୀଣ ସ୍ୱରରେ କିଏ ଜଣେ “ଯେସାକୁ ତେସା” ବୋଲି କହିବାର ଶୁଣି ପାରୁଛି ମୁଁ |

ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା ମୋତେ, ଏଇ ସେହି ବାଲା ବୁଢା ଟି? ବାଳକୃଷ୍ଣ ସାମନ୍ତସିଂହାର, ନାଁ ଟା ପୂରା ଗୋବିନ୍ଦପୁର ପଞ୍ଚାୟତର 10 ଟି ଗାଁରେ କାହାକୁ ଅଜଣା ନଥିବ| ଆଛା ମୁଁ କିଏ, ବାଲା ବୁଢା ମରିବା ଖବର ଶୁଣି ମୁଁ କାହିଁକି ଏତେ ହତବାକ ହୋଇ ପଡିଛି? ମୁଁ ସେଇ ମାଧପୁର ଗାଁର ନକୁଳ ସାହୁ, ଆଜକୁ ପ୍ରାୟ ତିରିଶି ବର୍ଷ ପୂର୍ବେ ମୋର ଗୋଟିଏ 2 ଗୁଣ୍ଠ ଜମିକୁ ବନ୍ଧା ଦେଇଥିଲି, ସୁଧ ମୂଳ ବାବଦକୁ 7 ବର୍ଷ ଋଣ ସୁଝିଲା ପରେ ବି ସେ ଜମିକୁ ଆଉ ଫେରି ପାଇଲି ନାହିଁ| କୋର୍ଟକଚେରୀ ଚକର ଲଗେଇବାକୁ ବଳ ନଥିଲା, ତଥାପି ପୁଅଝିଅ ଥିବାରୁ ତାଙ୍କ ଭବିଷ୍ୟତ କଥା ଭାବି ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କଲି| ତଥାପି ମୁଁ ହାରିଗଲି, ବାଲା ବୁଢା ଠାରୁ, ଓ ତାର ଶକ୍ତି, ସତ୍ତା, ଓ ପଇସା ଠାରୁ| ଦୀର୍ଘ ଦେଢ଼ବର୍ଷ ଚେଷ୍ଟା କଲି, କିନ୍ତୁ ଲଘୁଚାପରେ ଇନ୍ଦ୍ରଧନୁ ଲୁଚିଗଲା ଭଳି ମୋର ସେହି 2 ଗୁଣ୍ଠ ଜମି ବାଲାର ବିଶାଳ ସାମ୍ରାଜ୍ୟରେ ଲୀନ ହୋଇ ସାରିଥିଲା| ନିଜ ଜମି ଗଲା ପରେ ମୂଲ ଲାଗି ଭାରି କଷ୍ଟରେ ପୁଅକୁ ସହର ପଠେଇଲି, ଇନଫୋସିସରେ ଚାକିରି କରିଛି ସେ, କଣ କୋଡ଼ିଂ କରୁଛି, ସବୁଠାରୁ ବଡକଥା ହେଲା ସେ ଭଲରେ ଅଛି, ମାସକୁ 10000 ଟଙ୍କା ପଠାଉଛି, ମଝିରେ ମଝିରେ ଗାଁକୁ ଆସୁଛି ଓ ଆମକୁ ବି ଥରେ ଦି ଥର ବାହାରକୁ ବୁଲେଇ ନେଇଛି| ଝିଅ ମୋର ବି.ଏ. ପାସ କରି 2 ବର୍ଷ ତଳେ ହାତକୁ ଦି ହାତ ହେଇଛି, ସରକାରୀ ଚାକିରି ମୋ ଜ୍ଵାଇଁର, ଭୁବନେଶ୍ୱର ସେକ୍ରେଟାରୀ ଅଫିସରେ କାମ| ଏବେ ଆମେ ବୁଢା ବୁଢ଼ୀ ଭଲରେ ଅଛୁ, ଆର ବର୍ଷ ପୁଅ ବାହାଘର କରିଦେଲେ ଚିନ୍ତା ସରିଲା| ଇଏ ତ ଗଲା ମୋ କଥା, ଏବେ ଆସିବା ବାଲା ବୁଢାର କଥା, ତାର ଅସହିଷ୍ଣୁତା ଓ ବର୍ବରତାର କଥା, ଛନ୍ଦ କପଟର କଥା|

୮୩ ବର୍ଷରେ ବାଲା ବୁଢା ଆଜି ଆତ୍ମହତ୍ୟା କରିଛି, ଚଉଡ଼ା କପାଳ,ଚନ୍ଦା ମୁଣ୍ଡ, ଓ ଶ୍ୟାମଳ ବର୍ଣ| ଲୁଙ୍ଗିଖଣ୍ଡେ ପିନ୍ଧିଛି, ହାତ ଶିଥିଳ ହୋଇ ପଡିଛି, ଆଖି କୋରଡରେ ପଶି ଯାଇଛି, ପାଦ ନିସ୍ତେଜ ହୋଇ ପଡିଛି, ଉଚ୍ଚ ସ୍ୱରରେ ଚିତ୍କାର କରୁଥିବା ବୁଢା ଆଜି ସବୁଦିନ ପାଇଁ ଚୁପ ହୋଇଯାଇଛି| କିନ୍ତୁ ପ୍ରଶ୍ନ ଏଇଠି ଉଠିଛି ଯେ ୮୩ ବର୍ଷରେ ଆତ୍ମହତ୍ୟା, ସେ ପୁଣି ଛାତ ଉପରୁ ଏକ ରସି ଲଗାଇ ଝୁଲି ପଡିଛି? ଆଜିକାଲି ଲୋକେ 65-70 ବର୍ଷରୁ ବାର୍ଦ୍ଧକ୍ୟ ଅନୁଭବ କରୁଛନ୍ତି ଆଉ ସେ ୮୩ ବର୍ଷରେ ରସି ବାନ୍ଧି ଝୁଲିଛି? ଲୋକେ କହୁଛନ୍ତି ସାନ ପୁଅ ବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ବୁଢା ଏମିତି କରିଛି| ୮୩ ବର୍ଷ ଜୀବନକାଳ ଭିତରେ କେତେ ଯେ ଜୀବନ ଉଜାଡିଛି ସେ, କେତେ ନିରୀହ ଲୋକର ଦାନାପାଣି ବନ୍ଦ କରିଦେଇଛି ସେ ତାର ହିସାବ କେବଳ ସମୟ ପାଖରେ ହିଁ ଅଛି| ଏତେ ଶକ୍ତିଶାଳୀ, ଅହଂକାରୀ, ନିଷ୍ଠୁର ଲୋକର ଏଭଳି ଅବସାନକୁ ଲୋକେ ଟିକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି! ବାକ୍ୟର ବାଣ ବୁଢାର ବକ୍ଷକୁ ଏଭଳି ଭେଦ କରିଛି ଯେ ବୁଢା ଆଉ ବଞ୍ଚିବାକୁ ଇଚ୍ଛା କଲାନି | ବୁଢା ଗତ 3-4 ବର୍ଷ ହେଲାଣି ବ୍ଲଡ଼ ପ୍ରେସର, ଡାଇବେଟିସ, ବ୍ରେନ ଷ୍ଟ୍ରୋକ, ପାରାଲେସିସରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲା, ଭାରି ଯନ୍ତ୍ରଣାରେ ଜୀବନ ବିତାଉଥିଲା, ଚାମୁଚରେ ବି ଟିକେ ଖାଇ ପାରୁନଥିଲା କି କଷ୍ଟରେ ଠିକରେ ଶୋଇ ପାରୁ ନଥିଲା| ବଡପୁଅ ଦିଲ୍ଲୀରେ ଗତ 15 ବର୍ଷ ଧରି ରହୁଛି, ତା ମୁଁହ ଟିକେ ଦେଖି ପାରିନି ସେ| ଗତ 6-7 ମାସ ହେବ ବୁଢା ଠିକ ହୋଇ ଚଲା ବୁଲା କଲା, ଠିକ ହୋଇଆସିଲା, ତେବେ ଅଚାନକ ଏଭଳି ଏକ ଅଘଟଣ| ଏହା କଣ ବିଧିର ବିଧାନ, ନା ଭଗବାନଙ୍କ ଶାସ୍ତି ନା ହଜାର ହଜାର ଲୋକଙ୍କ ଆଖିର ଲୁହ? ସେ ଯାହା ବି ହେଉ, ବୁଢା ଆଜି ନାହିଁ, ଏହି ଚର୍ଚ୍ଚା ଯେତିକି ଜୋର ଧରିନି ତା ଠାରୁ ବଡ କଥା ହେଲା ଆତ୍ମଗର୍ବୀ ବାଲା ବୁଢା ଆତ୍ମହତ୍ୟା କରିଛି| ବାଲା ବୁଢାକୁ ମୁଁ ଏତେ ଭର୍ତ୍ସନା କାହିଁକି କରୁଛି? ହଉ, ଆସନ୍ତୁ ଶୁଣିବା ବାଳକୃଷ୍ଣ ସାମନ୍ତସିଂହାରର କଥା

ଦେଶ ସ୍ୱାଧୀନର ପର କଥା, ବାଲା ସେତେବଳେ 6 ବର୍ଷର ବାଳୁତ | ଧୀରେ ଧୀରେ ବଡ ହେଲା, ପାଠଶାଠରେ ଟିକିଏ ହେଲେ ମନ ଦେଲାନି| ବାଲାର ଦୁଇ ଭାଇ ଓ ବାଲାର ବାପା ଅମାପ ସମ୍ପତ୍ତିର ଅଧିକାରୀ| କାହାକୁ ଖାତିର କରୁନଥିଲା ବାଲା, ସମସ୍ତଙ୍କ ସହ ଝଗଡା କରିବା, ଅସଭ୍ୟ ଭାଷାରେ ଲୋକଙ୍କୁ ଗାଳିଗୁଲଜ କରିବା, ସମସ୍ତଙ୍କ ପରିହାସ କରିବା ବାଲାର ଗୋଟିଏ ଅଭ୍ୟାସରେ ପରିଣତ ହେଉଥିଲା| ନିଜ ଜେଜେବାପା ବୋଉଙ୍କୁ ବାଲା ଖରାପ ବ୍ୟବହାର କଲା, ଏଥିରେ ତା ବାପାମା ତାକୁ ରୋକିଲେ ନାହିଁ, ସାହସ ପାଇ ବାଲା ଆହୁରି ଉଦ୍ଧତ ହୋଇଗଲା| 1970 ମସିହାରେ ବାଲା ହାତକୁ ଦି ହାତ ହେଲା | ଦିନକୁ ଦିନ ବାଲାର କାର୍ଯ୍ୟକଳାପ ଆହୁରି ଅସହ୍ୟ ହୋଇଗଲା| ବାଲା ନିଜ ସ୍ତ୍ରୀ, ବାପାମାଙ୍କୁ ବି ଖରାପ ଭାଷାରେ ଗାଳି ଦେବାରେ ଲାଗିଲା | ନିଜ ସ୍ତ୍ରୀକୁ ଗାଳିଗୁଲଜ କରିବା ସହ ମାଡ ମାରିଲା | ବୁଢା ବୟସରେ ନିଜ ବୁଢା ବାପା ମାଙ୍କୁ ନାନା ରକମର ହଇରାଣ କଲା, ଦିନେ ତ ନିଜ ଜନ୍ମ ଦିଆ ମାକୁ ଟେକି ତଳେ ଫୋପାଡ଼ି ଦେଇଥିଲା | ବାହା ହେବା ପରଠାରୁ ନିଜ ସ୍ତ୍ରୀକୁ ଦିନେ ବି ଖୁସିରେ ରଖିନି ବାଲା, କେବେ ଦୋ ଅକ୍ଷରୀ ଗାଳି ତ କେବେ ଚାରି ଅକ୍ଷରୀ| ସବୁବେଳେ ତା ମନରେ କଷ୍ଟ ଦେଇ ଆସିଛି| ନିଜ ପୁଅ-ବୋହୂଙ୍କୁ ବି ଖରାପ ଭାଷାରେ ଗାଳି ଦେଇଛି ସେ | ଇଏ ତ ଗଲା ବାଲା ପରିବାରର ଭିତିରି କଥା, ତା ସାମାଜିକ ରୂପ ବି କିଛି କମ କଠୋର ଥିଲା | ସାହୁକାର ଜମିଦାର ଭଳି ସମ୍ଭ୍ରାନ୍ତଶ୍ରେଣୀ ର ଲୋକ ସେ| ସେତେବଳେ ତ ଆଉ ବ୍ୟାଙ୍କ ନଥିଲା, ତା ଦୁଆରେ ଲୋକଙ୍କର ଲମ୍ବା ଧାଡି ଲାଗୁଥିଲା ଟଙ୍କା ଋଣ ନେବା ପାଇଁ | ଋଣ ଉପରେ ମନ ଇଚ୍ଛା ସୁଧ ହିସାବ କରେ, ସୁଧ ଟଙ୍କା ପୈଠ କଲାପରେ ବି ଅନେକ ଲୋକଙ୍କର ଘରଜମି ହଡପ କରିଛି ସେ| ଟଙ୍କା ପାଇଁ କେତେ ଲୋକ ନିଜ ସୁନାଗହଣା ବନ୍ଧକ ରଖିଥାନ୍ତି ତା ପାଖରେ, ସେ ସବୁ ସୁନାଗହଣା ଆଉ ଫେରେ ନାହିଁ ସେ ନିରୀହ ଲୋକଙ୍କ ପାଖକୁ| ଋଣ ଦେବା ଓ ଋଣ ଟଙ୍କା ପରିଶୋଧ ନ କରି ପାରିଲେ ଜମି ହଡ଼ପ କରିନେବା କାମରେ ସେ ବୋଧହୁଏ ସ୍ନାତକ ହାସଲ କରି ସାରିଥିଲା| ଏହା ବ୍ୟତୀତ ଲୋକଙ୍କ ନିନ୍ଦା ଓ ପରିହାସ କରିବା, ଛନ୍ଦ କପଟ କରିବା, ପାରିବାରିକ କଳହରେ ଲିପ୍ତ ହେବା, ନିଜ ସ୍ତ୍ରୀ ସମେତ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା, ସମ୍ପତ୍ତି ପାଇଁ ନିଜ ଭାଇମାନଙ୍କ ଠାରୁ ଅଲଗା ହେବା, ତାଙ୍କ ଜମିକୁ ଜବରଦଖଲ କରିନେବା, ଲୋକଙ୍କୁ କଷ୍ଟ ଦେଇ ଖୁସି ପାଇବା – ଏଭଳି କେଉଁ ଅମାନୁଷିକ କାର୍ଯ୍ୟ ନାହିଁ ଯେଉଁଥିରେ ବାଲା ସାମନ୍ତସିଂହାର ଲିପ୍ତ ନଥିଲା| ଅମାପ ସମ୍ପତ୍ତିର ଅଧିକାରୀ ହୋଇ ସେ ଥିଲା କଂଜୁସ- ଗୋଟିଏ ଟଙ୍କା କାହାକୁ ଦେଉ ନଥିଲା ଓ ଲୋଭୀ – ଜମି/ ଘରବାଡ଼ି ପାଇବାର ଲାଳସା ତାର କେବେ ବି ସରୁ ନଥିଲା | 1980-1990 ମସିହା ଭିତରେ ଏସବୁ ବହୁତ ଅଧିକ ହୋଇ ଯାଇଥିଲା| ନିଜ ଭାଇର ଅପରେସନ ପାଇଁ ଟଙ୍କା ମାଗିବାରୁ ଭାଉଜଙ୍କ ଗହଣା ପର୍ଯ୍ୟନ୍ତ ବନ୍ଧା ରଖିବାକୁ ପଛେଇ ନଥିଲା, ଓ ସେ ଗହଣାକୁ ଆଉ ଫେରେଇ ବି ନଥିଲା| ଏହିଭଳି ଥିଲା ବାଳକୃଷ୍ଣ ସାମନ୍ତସିଂହାରର ଓରଫ ବାଲା |

କଥାରେ ଅଛି ଏ ହାତ ପାପ ସେ ହାତ ନିଏନି ଆଉ ମଣିଷକୁ ନିଜ ପାପର ଦଣ୍ଡ ତା ପରଜନ୍ମରେ ମିଳେ, କିନ୍ତୁ ଯଦି ପାପଭାର ଅତି ହୋଇଯାଏ ତେବେ କିଛିଟା ଏଇ ଜନ୍ମରେ ବି ଭୋଗିବାକୁ ପଡେ| ସାନପୁଅ-ବୋହୂ ବାଲାବୁଢାକୁ କଣ ହଇରାଣ କରିଛନ୍ତି କି ଖରାପ ବ୍ୟବହାର କରିଛନ୍ତି ସେ କଥା ମୁଁ ଜାଣିନି| କିନ୍ତୁ ବୁଢା ବୟସରେ ବଡ ପୁଅ ଘର ବାହାରେ, ନାନା ରୋଗରେ ପୀଡିତ ହୋଇ 3-4 ବର୍ଷ ଧରି ଶଯ୍ୟାଶାୟୀ, ସାନପୁଅ-ବୋହୂଙ୍କର ଅତ୍ୟାଚାର – ବାର୍ଦ୍ଧକ୍ୟ ହେଉଛି ଅଣକୁଶଳୀ ନିରସ୍ତ୍ର ସିପାହୀର ଅବସ୍ଥା ଭଳି, ସେଥିରେ ପୁଣି ତାକୁ ସାମ୍ନା କରିବାକୁ ପଡିଛି ସୃଷ୍ଟିର ଶକ୍ତିଶାଳୀ ଯୋଦ୍ଧାମାନଙ୍କୁ| ସେ ସାନପୁଅ-ବୋହୂର କେଉଁ କଥା ବୁଢାକୁ ଏତେ ବାଧିଛି ତାହା ତ ଭଗବାନ ହିଁ ଜାଣିଥିବେ| କିନ୍ତୁ ସେ କଥା ପଦ ବୋଧେ ଇନ୍ଦ୍ରାସ୍ତ୍ର ଓ ବ୍ରହ୍ମାସ୍ତ୍ର ଠାରୁ ଅଧିକ ଭୟାନକ ଥିଲା ଯାହା ବାଲା ସାମନ୍ତସିଂହାର ଭଳି ଲୋକର “ଗର୍ବ-ଅହଂକାର” ସ୍ୱରୂପ କବଚକୁ ବି ଭେଦି ଦେଇ ପାରିଲା | ବାଳକୃଷ୍ଣ ସାମନ୍ତସିଂହାରର ଚିତା ଜଳୁଛି, କିଛି ଲୋକ ଠିଆ ହୋଇ ଦେଖୁଛନ୍ତି, ନିଜ ଭିତରେ କଣ ଗୁଣୁଗୁଣୁ ହେଉଛନ୍ତି| ସେମାନେ ବୋଧେ ବାଲା ବୁଢାର ମରଶରୀରକୁ ଜଳିବାର ଦେଖୁ ନାହାନ୍ତି, ସେମାନେ ଦେଖୁଛନ୍ତି ବାଲାର ଲୋଭ, ଗର୍ବ, ଅହଂକାର, ଛନ୍ଦ କପଟ, କଟୁ କଥା ଓ ଅସଂଖ୍ୟ ଅମାନୁଷିକ କାର୍ଯ୍ୟକଳାପ ଗୁଡିକ ମାଟିରେ ମିଶୁଥିବାର |

ଅଭିଜିତ୍ ସାହୁ, ଖଣ୍ଡଗିରି
ମୋବାଇଲ- 8917500934, ଇମେଲ୍- sabhijit05@gmail.com

Related Posts

Leave a Reply

Your email address will not be published. Required fields are marked *