ଶିବାଶିଷ ପାଢ଼ୀ
ନୂଆ ଅଫିସର ଜଏନ କରିବା ଆଗରୁ ତାଙ୍କ ବିଷୟରେ ଖବର ସଂଗ୍ରହରେ ଲାଗି ପଡ଼ିଥିଲେ ଥୋକାଏ । ସେ ଭିତରୁ ପ୍ରମୁଖ ଥିଲେ ଆମ ଅନନ୍ତବାବୁ । ଭୀଷଣ ଭାବେ ଯୋଗାଡ଼ିଆ ଅନନ୍ତବାବୁ । ଦୁନିଆଁ ଯାକର ଖବର ତାଙ୍କ ଆଙ୍ଗୁଠି ଟିପରେ । ହେଲେ ବିଶେଷକରି ସାହେବମାନଙ୍କ ମନସ୍ତତ୍ଵକୁ ବୁଝିବାରେ ଯେମିତି ପୁରା ଓସ୍ତାଦ ସେ ।
କିଏ ସିନେମା ପ୍ରିୟ କି କିଏ ଗୀତ, କବିତା ପ୍ରିୟ, କିଏ ସାଦା ତ କିଏ କଡ଼ା ଖାଇବାକୁ ପସନ୍ଦ କରନ୍ତି, ସବୁ ଜାଣି ଯାଆନ୍ତି ସେ । ଅନେକ କହନ୍ତି, “ଏ ବିଷୟରେ ଯଦି ବିଶ୍ୱବିଦ୍ୟାଳୟମାନେ ଡ଼କ୍ଟରେଟ ଦେଉଥାନ୍ତେ ତେବେ ଚାରି ପାଞ୍ଚଟା ଡିଗ୍ରୀ ଧରି ବୁଲନ୍ତେ ସେ ।“ ତାଙ୍କର ଆଉ ଗୋଟିଏ ବିଶେଷଗୁଣ ହେଲା ସାହେବଙ୍କ ରୁଚି ଅନୁସାରେ ନିଜକୁ ପରିବର୍ତ୍ତନ କରିଦିଅନ୍ତି ସେ, ଯେମିତି ବିଗତ ସାହେବଙ୍କ ଯୋଗୁ ପ୍ରଚଣ୍ଡ ମାଂସାସୀ ଅନନ୍ତବାବୁ ସୁଦ୍ଧ ଶାକାହାରୀ ରୂପ ଧରିଥିଲେ ! ଆଉ ଏ ବିଶେଷ ଗୁଣ ସବୁ ଯୋଗୁଁ ଅଫିସରେ ଏକ ବିଶିଷ୍ଟ ପୋଜିସନରେ ଥାଆନ୍ତି ସେ । ଆଉ ସେ ପୋଜିସନର ଫାଇଦା ଉଠାଇ ବିଭିନ୍ନ ମାମଲ୍ତିକର କରି ନିଜକୁ ଉପକୃତ କରିବାରେ ଖୁବ ଆଗରେ ସେ । ପନ୍ଦର ବର୍ଷ ହେଲା ତାଙ୍କୁ ଟକ୍କର ଦେବା ପାଇଁ ଅନ୍ୟାନ୍ୟ ଛୋଟଛୋଟ ବଳିଦତ୍ତମାନେ ବିଫଳ ହୁଅନ୍ତି ବାରମ୍ବାର ।
ଏଥର କିନ୍ତୁ ଅନନ୍ତବାବୁଙ୍କୁ ବି ହାର ମାନିବାକୁ ପଡୁଥିଲା । ଭାରି କଡ଼ା ଥିଲେ ନୂଆ ସାହେବ । ନା ଖାଉଥିଲେ ନାଁ ଖାଇବାକୁ ଦେଉଥିଲେ । ଥୋକେ ତ ଖୁସି ଥିଲେ କିନ୍ତୁ ଆଉ ଥୋକାଏଙ୍କ ଭାଳେଣି ପଡ଼ି ଯାଇଥିଲା । ସେମାନଙ୍କ ନେତା ଥିଲେ ଅନନ୍ତବାବୁ । ଲାଗିଥିଲେ ଚେଷ୍ଟାରେ, କହୁଥିଲେ, “ଏ ଦୁନିଆଁରେ ଏମିତି ମଣିଷଟେ ନାହିଁ ଯାହାର କୌଣସି ଦୁର୍ବଳତା ନଥିବ । ଚେଷ୍ଟା ଠିକ୍ ହେବା କଥା ।“ ଆଉ ଶେଷରେ ସଫଳ ହୋଇଥିଲେ ସେ ।
ସାହେବଙ୍କୁ ତ ଭରଷି ପାରୁ ନଥିଲେ ସେ କିନ୍ତୁ କୌଣସି ପ୍ରକାରେ ଜାଣି ଯାଇଥିଲେ ଯେ ମ୍ୟାଡ଼ାମ ହେଉଛନ୍ତି ଜଣେ କବି । ବାସ୍ ଆଉ କଣ ? ସାଙ୍ଗେ ସାଙ୍ଗେ ରୂପ ବଦଳେଇ ଥିଲେ ଅନନ୍ତବାବୁ । ଅନେକ ଖୋଜାଖୋଜି ପରେ ଜଣେ ଅନାମଧ୍ୟେୟ ବୃଦ୍ଧ କବିଙ୍କୁ ପାଇଥିଲେ । କିଛି ଉପାର୍ଜନର ଏଇ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରି ନଥିଲେ କବି ଜଣକ । ଆଉ କବି ପାଲଟି ଯାଇଥିଲେ ଅନନ୍ତବାବୁ ।
ମ୍ୟାଡ଼ାମଙ୍କ ପାଖକୁ ପହଞ୍ଚିବା ଆଉ ତାଙ୍କ କବିତ୍ଵର ପ୍ରଶଂସାରେ ଶତମୁଖ ହେବା ପାଇଁ ଜମା ସମୟ ଲାଗି ନଥିଲା ଏଇ ଫିଲଡର ପୁରୁଖା ଖେଳାଳି ଅନନ୍ତବାବୁଙ୍କୁ । ଗଳାବାଟ ଦେଇ ପୁଣି ଧୀରେଧୀରେ ଫେରି ପାଉଥିଲେ ପୁରୁଣା ପୋଜିସନ । ଅଫିସର ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ ନିଜ ଗହଣରେ ଏଇ କବିଙ୍କୁ ପାଇ । କିନ୍ତୁ ମ୍ୟାଡ଼ାମ ବି ଥରେଥରେ ଆଶ୍ଚର୍ଯ୍ୟ ହେଉଥିଲେ । କହୁଥିଲେ, “ଚମତ୍କାର କବିତା ଲେଖୁଛନ୍ତି ଆପଣ ! ଆପଣଙ୍କ ଏତେ ଟ୍ୟାଲେଣ୍ଟ ଥାଉଥାଉ କାହିଁକି ଆଗରୁ ଏସବୁ ପ୍ରକାଶିତ କରୁ ନଥିଲେ ?”
“ନାଇଁ ମ୍ୟାଡ଼ାମ ! ମୁଁ ସେସବୁକୁ ଯାଏନି । ଏସବୁ ନିଜର ଖୁସି ପାଇଁ … “ ବିନମ୍ରତାର ଶ୍ରେଷ୍ଠତମ ପରାକାଷ୍ଠା ଦେଖାଇ ହସି ଦେଉଥିଲେ ଅନନ୍ତବାବୁ । ଏମିତି ଚାଲିଥିଲା ଅନେକ ଦିନ । ସାହେବଙ୍କ ଅବସର ପାଖେଇ ଆସୁଥିଲା । ଅନନ୍ତବାବୁ ଭାବିଥିଲେ ବର୍ଷେ ଛ’ ମାସ ଏମିତି ଗଡ଼ାଇ ଦେବେ । ସେଦିନ କିନ୍ତୁ ହଠାତ୍ ଘନେଇ ଆସିଥିଲା ସମସ୍ୟାର କଳା ବାଦଲ । ସହରରେ ଅନୁଷ୍ଠିତ ହେଉଥିଲା ଏକ କବିତା ପାଠ । ମ୍ୟାଡ଼ାମଙ୍କୁ ଡକା ହୋଇଥିଲା, ଆଉ ମ୍ୟାଡ଼ାମ ଠିକ୍ ବାହାରିବା ଆଗରୁ ଜିଦ୍ କରିଥିଲେ ଅନନ୍ତବାବୁଙ୍କୁ ସାଙ୍ଗରେ ନେବା ପାଇଁ । କହିଥିଲେ,
“ଚାଲନ୍ତୁ, ଆଜି ଆପଣଙ୍କ ପ୍ରତିଭା ବିଷୟରେ ସାରା ସହର ଜାଣିବ ।“
ମନା କରିବାର ଯୁ’ ନଥିଲା । ସାଙ୍ଗେସାଙ୍ଗ ଆସୁଛି ମ୍ୟାଡ଼ାମ କହି ଅନନ୍ତବାବୁ ଗୋଟିଏ ନିଶ୍ୱାସରେ ସିଧା ଦୌଡ଼ିଥିଲେ ବୃଦ୍ଧ କବିଙ୍କ ଘରକୁ । ହେଲେ ସେଇଠି ତାଙ୍କୁ ସ୍ୱାଗତ କରିଥିଲା ଏକ ବିରାଟ ତାଲା । ଝିଅ ଘରକୁ ଯାଇଥିଲେ କବି । ଧାଡ଼ିରେ ବସିଥିଲେ ଅନନ୍ତବାବୁ । ଏସି ହଲ୍ କିନ୍ତୁ ଗମଗମ ଝାଳ ବାହାରୁଥିଲା ତାଙ୍କର । ସାମ୍ନାରେ ବସିଥିଲେ ଅନେକ ଚିହ୍ନାପରିଚିତ ବିଶିଷ୍ଟ ବ୍ୟକ୍ତି । ମନେମନେ କବିତାର କିଛି ଧାଡ଼ି ମନେ ପକାଉଥିଲେ ସେ, ହେଲେ କବିତା ତ ଅଲଗା କଥା “କ” ବି ଆସୁ ନଥିଲା ମୁଣ୍ଡକୁ !
ନିଜ ଅସାମାନ୍ୟ ମସ୍ତିଷ୍କକୁ ପ୍ରୟୋଗ କରି ସେଠାରୁ ଖସିଯିବା ଉପାୟ ଚିନ୍ତା କଲେ ସେ । ବାରମ୍ବାର ବାଥରୁମ୍ ଯାଇକି ଆସିଲା ପରେ ଚୁପିଚୁପି ଯାଇ ମ୍ୟାଡ଼ାମଙ୍କ କାନରେ କହିଲେ,
“ତିନି ଥର ଗଲିଣି ମ୍ୟାଡ଼ାମ ! ତଥାପି ମାନୁ ନାହିଁ । ମୁଁ ଆଉ ରହିପାରିବି ନାହିଁ ।“ ଅନନ୍ତବାବୁଙ୍କ ଝାଳ, ତାଙ୍କ ଅଶ୍ୱସ୍ତି ଅବସ୍ଥା ଆଉ ମୁଖଭଙ୍ଗୀ ଦେଖି ଅନେକ କିଛି ଅନୁମାନ କରି ସାରିଥିଲେ ମ୍ୟାଡ଼ାମ । ଏଣୁ ସାଙ୍ଗେସାଙ୍ଗେ ଅନୁମତି ଦେଇଦେଲେ । ଲାଗୁଥିଲା ଯେମିତି କୌଣସି ପିଞ୍ଜରାରୁ ବାହାରିଗଲେ ଅନନ୍ତବାବୁ ।
ଭଗବାନଙ୍କୁ ବାରମ୍ବାର ନମସ୍କାର କରୁଥିଲେ ସେ । ହେଲେ ସେ ନମସ୍କାର କୌଣସି କାମ ଦେଇ ନଥିଲା । ପରଦିନ ଅଫିସ ଆସୁଆସୁ ସମସ୍ତେ ଶୁଣିବା ଭଳିଆ ଖୁବ୍ ଭଲ ଭାବରେ ଉତ୍ତମ ମଧ୍ୟମ ଦେଇଥିଲେ ସାହେବ । ସମସ୍ତେ ଭାବିଲେ “ଏଥର ଖେଳ ଖତମ୍” । ହେଲେ ସାହେବଙ୍କ ଚେମ୍ବରରୁ ଆସି ଆରାମରେ ନିଜ ଚେୟାରରେ ବସିଥିଲେ ଅନନ୍ତବାବୁ ।
ବଡ଼ବାବୁ ପଚାରିଥିଲେ, “ମୋ କଥା ତ ଶୁଣ ନାହିଁ । ଏବେ ଆଉ କ’ଣ କରିବ ଅନନ୍ତ ବାବୁ ?” ହାଃ ହାଃ ହାଃ… ହସି ଦେଇଥିଲେ ଅନନ୍ତବାବୁ । କହିଥିଲେ, “ଆଉ ତିନି ମାସ ପରେ ସାହେବଙ୍କ ଅବସର । ଚଳିଯିବ । ଆଉ ଜାଣିଛନ୍ତି ତାଙ୍କ ପରେ ଯେ ଏଠାକୁ ଆସିବା ପାଇଁ ଖୁବ୍ ଜୋର ଲାଗିଛନ୍ତି ସେ ମହାନ୍ତି ବାବୁଙ୍କ ସହ ମୋର ଭାରି ଭଲ ସମ୍ପର୍କ । ସେ ଆସିଯାନ୍ତୁ ନା ! ତାପରେ ଦେଖିବେ ।“
ପାନ ଖଣ୍ଡେ କଳରେ ଜାକି ହସୁଥିଲେ ବଡ଼ବାବୁ । ମନେ ମନେ କହୁଥିଲେ, “ଏଇ ବଳିଦତ୍ତମାନେ କେବେ ମରିଛନ୍ତି ନା ହାରିଛନ୍ତି ଯେ ଇୟେ ହାରିବ । ଏମାନେ ସବୁଠି ଅଛନ୍ତି । ଭିନ୍ନ ଭିନ୍ନ ରୂପରେ ।“ ଏପଟେ କାହାକୁ ଫୋନ୍ କରି ମହାନ୍ତିବାବୁଙ୍କ ନମ୍ବର ମାଗୁଥିଲେ ଅନନ୍ତବାବୁ ।
ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!
ବଳିଦତ୍ତ ଜୀବନ୍ତ ପାରିବା ପଣେ ସିଦ୍ଧହସ୍ତ ! ସରଳ ତରଳ କଥନ,ଏହାର ଆକର୍ଷଣ !! ସୁମନାସ ଭାଇନା