ଉଚ୍ଚାଭିଳାଷ ଓ ନାରୀ

ସୁସ୍ମିତା ବେହେରା

କୋମଳ ଗାନାତ୍ରା.. ଗୁଜୁରାଟର ଏକ ଅନାମଧେୟ ଗାଁରେ ରହୁଥିବା ଓ ଶିକ୍ଷକତା କରୁଥିବା ଜଣେ ମହିଳାଙ୍କ ନାମ ଥିଲା । ୨୦୧୨ ମସିହା ପୂର୍ବରୁ ତାଙ୍କର କିଛି ପରିଚୟ ନଥିଲା । ସେ ଅନ୍ୟ ସାଧାରଣ ନାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଯେ, ଉଚ୍ଚ ଶିକ୍ଷିତା ଥିଲେ କିନ୍ତୁ ଲକ୍ଷ୍ୟ ସ୍ଥିର ନଥିଲା । ସେ ବୁଦ୍ଧିମତୀ ଥିଲେ କିନ୍ତୁ ଉଚ୍ଚାଭିଳାଷି ନଥିଲେ । Salvador Dali ଙ୍କ ମତରେ “Intelligence without ambition is a bird without wings.”(Salvador Dali is a Spanish surrealist artist, known for his Painting, drawing, photography, sculpture, writing, film and jewelry)

ସୁଇଜରଲାଣ୍ଡରେ ରହୁଥିବା ଜଣେ ଏନ. ଆର.ଆଇ ଙ୍କୁ କୋମଳ ବିବାହ କରିବାର ପନ୍ଦର ଦିନ ଭିତରେ ସେ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଦେଇ ସୁଇଜରଲାଣ୍ଡ ଫେରିଗଲେ । ନ୍ୟାୟ ପାଇଁ କୋମଳ ସବୁ ସମ୍ପର୍କିତ ବିଭାଗ ଓ ଉଚ୍ଚ ପଦାଧିକାରୀଙ୍କୁ ଭେଟିଲେ, ଅନୁରୋଧ କଲେ ହେଲେ  ନିରାଶ ହେଲେ । ଶେଷରେ ନିଷ୍ପତ୍ତି ନେଲେ ଯେତେ କଷ୍ଟ ପଡୁ ପଛେ ୟୁ.ପି.ଏସ. ସି ଦେବେ ଏବଂ ସରକାରଙ୍କ ଏକ ଅଂଶ ହୋଇ ମହିଳା ଓ ଶିଶୁ ମାନଙ୍କ ଉନ୍ନତି ପାଇଁ କାମ କରିବେ । ସେ ଏମିତି ଏକ ଗାଁରେ ରହୁଥିଲେ ଯେଉଁଠି ଇଣ୍ଟରନେଟ ନଥିଲା, ଇଂରାଜୀ ଖବରକାଗଜ ଆସୁ ନଥିଲା, କୋଚିଂର କୌଣସି ସୁବିଧା ନଥିଲା । ଭାଗ୍ୟକୁ ସେ କେବେ ତାଙ୍କ ପିତାଙ୍କ ଘରେ ଲିଙ୍ଗ ଭେଦର ଶିକାର ହୋଇ ନଥିଲେ । ତାଙ୍କ ପିତା ତାଙ୍କୁ ଯଥାସମ୍ଭବ ଉଚ୍ଚଶିକ୍ଷା ପ୍ରଦାନ କରିଥିଲେ । ଏମିତି ଏକ ଘଡ଼ିସଂଦ୍ଧି ମୁହୂର୍ତ୍ତରେ ପୁଣି ଥରେ ପିତା ଓ ଭାଇ ତାଙ୍କର ମନୋବଳ ଦୃଢ଼ କଲେ । ସେ  ନିଜର ଇଚ୍ଛାଶକ୍ତିକୁ ମଜବୁତ କରି ଗୋଟିଏ ଲକ୍ଷ୍ୟ ନେଇ କଠିନ ପରିଶ୍ରମ କଲେ ଓ ତୃତୀୟ ଚେଷ୍ଟାରେ ଦେଶର ସବୁଠୁ କଷ୍ଟ ପରୀକ୍ଷା ୟୁ.ପି.ଏସ.ସି ପାଶ କଲେ । ସେ ତ ଶିକ୍ଷୟିତ୍ରୀ ଥିଲେ କିନ୍ତୁ ନିଜର ଉଚ୍ଚାଭିଳାଷ ପାଇଁ ଆଜି ତାଙ୍କ ପାଖରେ ସବୁ ଅଛି, ଗୋଟିଏ ସୁଖୀ ପରିବାର, ସମାଜରେ ପ୍ରତିଷ୍ଠା, ପ୍ରାଚୁଯ୍ୟ ବି ।

ଉଚ୍ଚାଭିଳାଷ ..ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଦୃଢ଼ ଇଚ୍ଛାଶକ୍ତି ଓ ସେଥିପାଇଁ ଲଗାତାର ଉଦ୍ୟମକୁ ହିଁ ମୁଁ ବୁଝଏ । ଉଚ୍ଚାଭିଳାଷ ବଦଳରେ ଆମେ ଅନେକ ସମୟରେ ଆଉ କେତୋଟି ଶବ୍ଦର ବହୁଳ ବ୍ୟବହାର କରିଥାଉ ଯାହାର ଖୁବ ପାଖାପାଖି ଅର୍ଥ ହେଉଛି ଉଚ୍ଚାଭିଳାଷ ..ଯେମିତି କି ଆକାଂକ୍ଷା, ଉଚ୍ଚ ଆଶା, ଲକ୍ଷ୍ୟ, ସ୍ଵପ୍ନ ଇତ୍ୟାଦି…. ଆମେ ଏସବୁ ଶବ୍ଦକୁ କିନ୍ତୁ ସେତେଟା ନକରାତ୍ମକ ଭାବରେ ଦେଖି ନଥାଉ, ଯେତିକି ଜଣେ ସ୍ତ୍ରୀଟି ଉଚ୍ଚାଭିଳାଷି ବୋଲି କହିଲେ ବୁଝୁ ।

ଉଚ୍ଚାଭିଳାଷ ବା ସମାନ ଅର୍ଥକୁ ବୁଝାଉଥିବା ଯେକୌଣସି ଶବ୍ଦ ଆମେ ଉପଯୁକ୍ତ ଭାବେ ନିଜକୁ ଗଢିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ତ୍ରୀପୁରୁଷ, ଯୁବକଯୁବତୀ, ଛାତ୍ରଛାତ୍ରୀ ନିର୍ବିଶେଷରେ ସମସ୍ତେ ନିଜର ସ୍ଵପ୍ନ ପୂରଣ ପାଇଁ ଉଚ୍ଚାଭିଳାଷ ରଖିବା ଉଚିତ ଓ କ୍ରମାଗତ ଭାବେ ସେ ଦିଗରେ ପ୍ରଚେଷ୍ଟା କରିବା ଉଚିତ ।

କଲେଜରେ ପଢ଼ୁଥିବା ସମୟରେ ମୋ ବାପାଙ୍କ ସ୍ଵପ୍ନ ଥିଲା ମୁଁ ଓ.ଏ.ଏସ ହୁଅନ୍ତି । ସାମାଜିକ ଯୋଗାଯୋଗରେ ସ୍ନାତକୋତ୍ତର ସମୟରେ ବିବାହ ଓ ତାପରେ ୬/୭ ବର୍ଷ ପର୍ଯ୍ୟନ୍ତ ଓ.ଏ.ଏସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ନପାଇବା ଯୋଗୁଁ  ଧୀରେ ଧୀରେ ମୋର ଅଭିଳାଷ ଟିକକ ମରିମରି ଗଲା ଓ ସେ ଦିଗରେ ଆଗ୍ରହ ସଂପୂର୍ଣ୍ଣ କମିଗଲା । ମୋର ସବୁ ଅଭିଳାଷ କେନ୍ଦ୍ରିତ ହେଲା ଆଉ ଜଣକୁ ସଫଳ କରିବାର ପ୍ରତିଜ୍ଞା ନେଇ । ସେଥିପାଇଁ ସବୁ ଦୁଃଖ କଷ୍ଟ ଭୁଲି ମୁଁ ଏକାଗ୍ର ଚିତ୍ତରେ ଲକ୍ଷ୍ୟ ପଥରେ ଆଗେଇଥିଲି । ସେଥିରେ ସଫଳ ବି ହେଲି ହେଲେ,  ଗୋଟିଏ ଜନ୍ମ ହାରିଯିବା ପାଇଁ ।

ଅଭିଳାଷ ବା ଆକାଂକ୍ଷା …ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଟିକିଏ ତଳେଇ କରି ଦେଖିଲେ ଜାଣିପାରିବା ଏହା ଆମର ବ୍ୟକ୍ତିଗତ ବ୍ୟବହାର ଓ ମୂଲ୍ୟବୋଧ ଉପରେ ସମ୍ପୂର୍ଣ୍ଣ ଭାବେ ପର୍ଯ୍ୟବେସିତ ଅଟେ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେଭଳି ହୁଏ ନାହିଁ । ଯେତେବେଳେ ଉଚ୍ଚାଭିଳାଷ ପାଇଁ କୌଣସି ବ୍ୟକ୍ତି ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ସମ୍ପର୍କଠାରୁ ଦୂରେଇ ଯାଆନ୍ତି ବା ସେମାନଙ୍କୁ ଉପେକ୍ଷା କରନ୍ତି ସେତେବେଳେ ସେ  ଆସ୍ତେ ଆସ୍ତେ ସେ ସମ୍ପର୍କ ଗୁଡ଼ିକୁ ହରାଇ ବସନ୍ତି । ତେଣୁ ଉଚ୍ଚ ଅଭିଳାଷ ସହିତ ବ୍ୟକ୍ତିଗତ ମୂଲ୍ୟବୋଧକୁ ନେଇ ନିଜ ଭିତରେ ଏକ ମୂଲ୍ୟାଙ୍କନ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ । ତା’ଛଡା ନିଜର ସାମର୍ଥ୍ୟର ମୂଲ୍ୟାଙ୍କନ, ଅପଚୟ କରୁଥିବା ସମୟ, ଅର୍ଥ, ଜ୍ଞାନ କୌଶଳର ମୂଲ୍ୟାଙ୍କନ ବି କରାଯିବା ଉଚିତ । ବେଳେବେଳେ ଆଖି ବନ୍ଦ କରି ସ୍ଥିର ମୁଦ୍ରାରେ ନିଜର ଅଭିଳାଷ ପୂର୍ଣ୍ଣ  କରିବାର ରାସ୍ତାରେ ପ୍ରତ୍ୟେକ ଦୃଶ୍ୟପଟର ଆଗମନ ଓ ପ୍ରସ୍ଥାନକୁ ଭଲ ଭାବେ ନିରୀକ୍ଷଣ କରିବା ଉଚିତ ।

ଉଚ୍ଚାଭିଳାଷ …ସମୟ ଓ ସ୍ଥିତିକୁ ନେଇ ବଦଳି ଯାଇପାରେ । ଉଚ୍ଚ ଅଭିଳାଷ ବା ଏକ ସ୍ଥିର ଲକ୍ଷ୍ୟ ନିର୍ଦ୍ଧାରଣ ଏକ ସକାରାତ୍ମକ ଆଭିମୁଖ୍ୟ ଯେକୌଣସି ବ୍ୟକ୍ତିର ପୁରୁଷ ଓ ମହିଳା ନିର୍ବିଶେଷରେ ସମସ୍ତଙ୍କର ହୋଇପାରେ । ଏହା ସକାରାତ୍ମକ ଥିଲେ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଲାବେଳେ ଯେତେ ବାଧାବିଘ୍ନ ଆସିବ ତାକୁ ଆଡେଇ ଯିବା ସହଜ ହୁଏ ।

ବିବାହର କିଛି ବର୍ଷ ପରେ ମୋ ଜୀବନର ମୋଡ଼ ବଦଳିଗଲା । ମୃତ ପ୍ରାୟ ମୋର ଆଶା, ଆକାଂକ୍ଷା ପୁଣି ପୁନର୍ଜୀବିତ ହେଲା । ମୁଁ ଦୃଢ଼ ହେଲି, ସଂକଳ୍ପବଦ୍ଧ ହେଲି, ନିଜକୁ ପ୍ରସ୍ତୁତ କଲି ଅନ୍ଧାରରେ ବାଟ ଚାଲିବାକୁ । ନିଜର ଆବଶ୍ୟକତାର ଗୁରୁତ୍ୱ ଅନୁସାରେ ଚିଠା ପ୍ରସ୍ତୁତ କଲି । ଆକାଶ ଛୁଇଁବାକୁ ହେଲେ ଆକାଶ ଉଚ୍ଚର ସିଡ଼ିଟିଏ ନିଜକୁ ହିଁ ତିଆରିବାକୁ ପଡ଼ିବ । ମାଟିକୁ କାମୁଡ଼ି ପଡ଼ି ରହିବାକୁ ହେଲେ ମନରେ ଅମାପ ବଳ ଓ ଧୈର୍ଯ୍ୟ ରଖିବାକୁ ପଡ଼େ ।

ଉଚ୍ଚ ଅଭିଳାଷ ପୋଷଣ କରିବା ଏକାନ୍ତ ବ୍ୟକ୍ତିଗତ ହୋଇପାରେ କିନ୍ତୁ ତାକୁ ପୂରଣ କରିବା ରାସ୍ତାରେ ବେଳେବେଳେ ଅନେକ ଲୋକ ଯୋଡ଼ି ହୋଇଯାନ୍ତି । ଭାଗ୍ୟ ଓ ଭବିତବ୍ୟ ଅନୁକୂଳ ହେଲେ ମେଣ୍ଟର ବି ମିଳିଯାନ୍ତି । ପରସ୍ପରର ସହଯୋଗ ମାଧ୍ୟମରେ ପରସ୍ପରକୁ ସଫଳତା ଆଡ଼କୁ ଟାଣି ନେବାକୁ ।

ଅଭିଳାଷ କେବଳ ସାମର୍ଥ୍ୟ ଭିତରେ ହିଁ ରହିବ, ଅନେକ ଲୋକଙ୍କ ମତ… ତା ହେଲେ କୁହନ୍ତୁ, କେତେ ଜଣ ଜାଣିଛନ୍ତି ନିଜର ସାମର୍ଥ୍ୟର ସୀମାରେଖା ? କେତେ ଜଣ କହିବେ ସ୍ଵପ୍ନ ଦେଖିବାର  ବି ଏକ ସୀମା ଅଛି ?  ଦୂର ଦିଗବଳୟ ଯାଏ ଯଦି ଦୃଷ୍ଟି ନଯିବ, ତେବେ ରାସ୍ତା ତିଆରି କେତେବାଟ ଯାଏ ହେବ ?

ସୋସିଆଲ ମିଡ଼ିଆ ଫେସବୁକରେ ମୋର ଜଣେ ପ୍ରିୟ ବନ୍ଧୁ, ପ୍ରିୟ ପାଠକମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲି …ଖୁବ ସରଳ ପ୍ରଶ୍ନ …“ସ୍ତ୍ରୀ ଟିଏ ଉଚ୍ଚଭିଳାଷି ମାନେ କ’ଣ ?” ମୋତେ ଆଶ୍ଚର୍ଯ୍ୟ କରି ଅଧିକାଂଶ ମତାମତ ନକରାତ୍ମକ ଥିଲା । ସ୍ତ୍ରୀଟି ଉଚ୍ଚାଭିଳାଷି ହେବା ଅର୍ଥ ହିଁ ଯେମିତି ଏକ ଅପରାଧ । ମାତ୍ର ଆମେ ଯେତେବେଳେ ଶୁଣୁ ଜଣେ ପୁରୁଷ ଉଚ୍ଚାଭିଳାଷି ବୋଲି ତତକ୍ଷଣାତ୍ ଆମ ଭିତରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସମ୍ମାନବୋଧ ସୃଷ୍ଟି ହୋଇଥାଏ । ଆମେ ଧରିନେଉ ଯେ, ସେ ଯେଉଁ ପ୍ରକାର ଉଚ୍ଚାଭିଳାଷ ପୋଷଣ କରିଛନ୍ତି ତାହା ତାଙ୍କର ନିଜସ୍ୱ ଚେଷ୍ଟାରେ ସଫଳ କରିବାର ସାମର୍ଥ୍ୟ ସେ ରଖନ୍ତି ଓ ସେଥିପାଇଁ ସେ ଯୋଗ୍ୟ ବ୍ୟକ୍ତି । କାହାରି ମନ ମସ୍ତିଷ୍କରେ ଥରୁଟିଏ ପାଇଁ ଆସେ ନାହିଁ ଯେ ସେ ଜଣେ ଅପାରଗ ହୋଇ କିପରି ଏହା ଚିନ୍ତା କରୁଛନ୍ତି ?

ମୋ ମତରେ ଅଭିଳାଷ କେବଳ ପ୍ରାଚୁର୍ଯ୍ୟର ହୋଇ ନଥାଏ, ସାମାଜିକ ପ୍ରତିଷ୍ଠାର ବି ହୋଇପାରେ, ନିଜ କାମର ଗ୍ରହଣୀୟତା ବି ହୋଇପାରେ । ସମୟ ଓ ପରିସ୍ଥିତି ଅନୁସାରେ ଅଭିଳାଷ, ଆକାଂକ୍ଷା ବଦଳି ଯାଇପାରେ । ଉଚ୍ଚଅଭିଳାଷ କେହି ବି ରଖନ୍ତୁ ସେ ପୁରୁଷ ହୁଅନ୍ତୁ ବା ନାରୀ, ଯଦିଓ ଏହା ବ୍ୟକ୍ତିକେନ୍ଦ୍ରିକ କିନ୍ତୁ ପରିବାର ଓ ସମାଜକୁ କୌଣସି ଭାବରେ ( ନକରାତ୍ମକ ଭାବେ) ପ୍ରଭାବିତ କରିବା ଅନୁଚିତ । କିଛି ନକରାତ୍ମକ ଅଭିଳାଷ ଯାହା ଅନ୍ୟକୁ ଶାରୀରିକ ଭାବେ, ମାନସିକ ଭାବେ, ଭାବନାତ୍ମକ ଦିଗରୁ, ମନସ୍ତତ୍ଵିକ ଭାବେ, ଆର୍ଥିକଭାବେ ଏବଂ ଧାର୍ମିକ ଭାବନାକୁ ଆଘାତ କରୁଥିବ ସେଥିରୁ ନିଶ୍ଚିତ ଭାବେ ବିରତ ରହିବା ଉଚିତ । ତା’ସହିତ, ଭବିଷ୍ୟତର ସୁନେଲି ସ୍ଵପ୍ନ ପାଇଁ ଆମ ବର୍ତ୍ତମାନକୁ ଆମଠୁ ଦୂରେଇ ଦେଉ ନଥିବ ଯେମିତି ।

ଅଭିଳାଷ ଓ ଇଚ୍ଛା ଶବ୍ଦ ଦୁଇଟି ବ୍ୟକ୍ତିଗତ ସ୍ତରରେ ବିଶେଷ ଭାବେ ବ୍ୟବହୃତ ହୁଏ, କିନ୍ତୁ ଅଭିଳାଷ ନଥାଇ ମଧ୍ୟ ପରିବେଶ ଓ ପରିସ୍ଥିତି ଚାପରେ ଜଣେ ଭୁଲ ନିଷ୍ପତ୍ତି ନେଲେ ତାର ଫଳାଫଳ ଭୟାବହ ହୋଇପାରେ । ଏହା ଲେଖିବାର ଅର୍ଥ ହେଲା କୌଣସି ବ୍ୟବହାରିକ ତ୍ରୁଟି, ଅବୁଝାମଣା, ପୂର୍ବ ସର୍ତ୍ତର ଅବମାନନା, ଅସହିଷ୍ଣୁତା, ଅପ୍ରେମ ଯୋଗୁଁ କଳୁଷିତ ହେଉଥିବା ସମ୍ପର୍କ ଓ ତା’ପରେ ସଂଗଠିତ ହେଉଥିବା ଅପରାଧକୁ କେବେହେଲେ ଉଚ୍ଚାଭିଳାଷ ବୋଲି କୁହାଯାଇପାରିବ ନାହିଁ । ସମ୍ପର୍କଟିଏ ଗଢିଉଠିଲା ବେଳେ କିଛି ଅଲିଖିତ ସର୍ତ୍ତ ସେଥିରେ ନିହିତ ଥାଏ । ଧୀରେ ଧୀରେ ପୁରୁଣା ହେଲେ ଏବଂ ଲୋକ ଚରିତ୍ର ବଦଳି ଗଲେ ଅନ୍ତରଙ୍ଗତା ଗୁରୁତ୍ୱ ହରାଏ । ଆଉ ତା’ପରେ ଶକ୍ତିଶାଳୀ ଲୋକ ଜଣକ( ମହିଳା ହୁଅନ୍ତୁ ଅବା ପୁରୁଷ) ନିଜର ସମସ୍ତ ଇଚ୍ଛା ଅନ୍ୟ ଉପରେ ଲଦି ଦେବାର ଦାମ୍ଭିକତା ଦେଖାନ୍ତି । ତାକୁ ବିରୋଧ କଲେ, ଅପର ଲୋକଟି ଅପରାଧିକ ମନୋବୃତ୍ତିର ହୋଇଥିଲେ ହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ । ଖବରକାଗଜ ଲେଉଟାଇଲା ମାତ୍ରେ ଏହା ପ୍ରତିଦିନର ଖବର ହେଲାଣି ଏବେ । ସମ୍ପର୍କ ଯେତେବେଳେ ଅସମ୍ପର୍କ ହୁଏ, ଏହା ଖୁବ ଜଟିଳ ହୋଇପଡେ, ତେଣୁ ସାବଧାନ ହେବା ନିହାତି ଜରୁରୀ ।

ଅତଏବ ବିଶେଷ କରି ମହିଳାମାନେ ସମସ୍ତଙ୍କ କଥା ଶୁଣନ୍ତୁ, କିନ୍ତୁ ବିବେକ ଖଟାଇ, ବୁଝିବିଚାରି କାମ କରନ୍ତୁ । ବିନା ପରିଶ୍ରମରେ ବା ଅକାରଣରେ ମିଳୁଥିବା ପ୍ରଶଂସା, ପ୍ରେମ, ପୁରସ୍କାର, ସାହାଯ୍ୟ, ସହଯୋଗ, ସଫଳତା, ଖ୍ୟାତି କେବେହେଲେ ଜଣଙ୍କର ନିଷ୍ଠାର ଫଳ ହୋଇନପାରେ । ତେଣୁ ସେସବୁ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ପୋଖରୀପୁଟ, ଭୁବନେଶ୍ୱର-୨୦, ମୋବାଇଲ ନଂ- ୭୮୯୪୧୦୪୪୯୪

ଲେଖକ ପରିଚୟ

କେବେଠୁ ଲେଖୁଛି ଅପେକ୍ଷା ମୋ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ମୁଁ କାହିଁକି ଲେଖେ । ଯେତେବେଳେ ଭରସା ବାଟ ଭାଂଗେ ସେବେଳେ ନିଜର ହେଇଯାଆନ୍ତି ଶବ୍ଦମାନେ, ଭାବାବେଗ ଉଛୁଳି ପଡନ୍ତି ଆଉ ଲେଖି ହୁଏ କବିତା, ପ୍ରବନ୍ଧ, ଗଳ୍ପ ଓ ଆଲୋଚନା ଇତ୍ୟାଦି । ପ୍ରଥମ କବିତା ସଂକଳନ ‘ମୁଁ ତାରାଟେ ହେବକୁ ଚାହେଁ’ ୨୦୧୧ ମସିହାରେ ପ୍ରକାଶିତ ହୋଇଥିଲା । କୁନ୍ତଳା କୁମାରୀ ସାବତ, ରାଧାନାଥ ରଥ, ଗଙ୍ଗାଧର ମେହେର ପ୍ରଭୃତ କବି ମୋ ସାହିତ୍ୟର ମୂଳଦୁଆ । ତେବେ ୩ ଟା ବହି ମୋର ପ୍ରକାଶିତ ହେବା ସହିତ ୪ ର୍ଥ ବହି ପ୍ରକାଶନ ଅପେକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *