ମଣିଷ ଓ ବିଶ୍ଵବ୍ରହ୍ମାଣ୍ଡ

ମୀନକେତନ ହୋତା

ବିଜ୍ଞାନ କହେ ସୂର୍ଯ୍ୟରୁ ବା ସୂର୍ଯ୍ୟର ପ୍ରଭାବରେ ଅନ୍ୟ ନକ୍ଷତ୍ରରୁ ଛିଟିକି ପଡ଼ିଥିବା ଏ ପୃଥିବୀ ରୂପକ ଗ୍ରହ ପ୍ରଥମରୁ ଏକ ଅଗ୍ନିପିଣ୍ଡୁଳା ହିଁ ଥିଲା । ଜ୍ଵଳନ୍ତ ଅଗ୍ନିପିଣ୍ଡୁଳା ମଧ୍ୟରେ କୌଣସି ଜୀବ ସତ୍ତାର ଅସ୍ତିତ୍ୱ କସ୍ମିନକାଳେ ସମ୍ଭବ କି ? ନୁହେଁ ନା ! ତେଣୁ ଏହା ନିଶ୍ଚିତ ଯେ ଏ ପୃଥିବୀ ଦିନେ ଜୀବ ସତ୍ତାଶୂନ୍ୟ ଥିଲା । କିନ୍ତୁ ଏହା ବି ସତ୍ୟ ଯେ ସମୟକ୍ରମେ -ହୋଇପାରେ ସହସ୍ର କୋଟି ବର୍ଷ ବ୍ୟବଧାନ – ଏ ଅଗ୍ନିପିଣ୍ଡୁଳା ଗର୍ଭରୁ ଜୀବସତ୍ତାର ସୃଷ୍ଟି ହେଲା । ଅବଶ୍ୟ ଏ ଜୀବଜଗତ ହଠାତ୍ ଶୂନ୍ୟରୁ କୌଣସି ଦେବତାର ଆଶୀର୍ବାଦ ନେଇ ତ ଖସି ପଡ଼ି ନଥିବ ! ଏପର୍ଯ୍ୟନ୍ତ ଏପରି କୌଣସି ଅଲୌକିକ ଦୃଶ୍ୟ ଜଗତରେ ଦୃଷ୍ଟିଗୋଚର ହୋଇନାହିଁ । ପୁରାଣ କହେ ଖୋଦ ଈଶ୍ଵର ବି କେବେ ସ୍ଵରୂପରେ ମର୍ତ୍ତ୍ୟକୁ ଓହ୍ଲାଇ ଆସିନାହାନ୍ତି, ତାଙ୍କୁ ବି ପ୍ରକୃତିର ନିୟମ ମାନି ମାନବ ରୂପେ ଜନ୍ମ ନେବାକୁ ପଡ଼ିଛି ପ୍ରତିଥର ।

ବିଜ୍ଞାନର ବିଗ୍ ବ୍ୟାଙ୍ଗ ତତ୍ତ୍ଵ ଅନୁସାରେ ମହାବିଷ୍ପୋରଣ ପରଠାରୁ ଏ ବିଶ୍ଵବ୍ରହ୍ମାଣ୍ଡ ନିରବଧି ପ୍ରସାରିତ ହେବାରେ ଲାଗିଛି । ସମୟ ଆସିବ ଦିନେ ଏହାର ମହାସଂକୋଚନ (big crunch)କାଳ ଉପଗତ ହେବ ଓ ଏହା ସଙ୍କୁଡ଼ି ଯାଇ ପୁଣି ଏକ ଅଦୃଶ୍ୟ ପରମାଣୁ ରୂପ ପ୍ରାପ୍ତ ହେବ । ଏହାପରେ ପୁଣି ମହାବିଷ୍ଫୋରଣ ଓ ପୁଣି ସୃଷ୍ଟି ପ୍ରକ୍ରିୟାର ଆରମ୍ଭ । ଏହିପରି ବ୍ରହ୍ମାଣ୍ଡର ସଂପ୍ରସାରଣ ,ବିବର୍ତ୍ତନ ଓ ପୁଣି ଅଣୁତ୍ଵାବସ୍ଥା ପ୍ରାପ୍ତି ଅନନ୍ତ କାଳ ଲାଗିରହିଥିବ । ଅତଃ, ଏ ବିଶ୍ଵବ୍ରହ୍ମାଣ୍ଡ  ଅନାଦିକାଳରୁ ଥିଲା ଓ ଅନନ୍ତ କାଳ ଧରି ରହିଥିବ, କେବଳ ପରିସ୍ଥିତି,ସମୟ ଓ ଅବସ୍ଥା ଭେଦରେ ତାର  ଆକାର ଓ ସ୍ଥିତି ପରିବର୍ତ୍ତନ ହେଉଥିବ । ଏ ବିବର୍ତ୍ତନ ଧାରା ଅପ୍ରତିହତ ଓ ଶକ୍ତି ତାହାର କାରକ ତଥା ବାହକ । ସୃଷ୍ଟି ପାଇଁ ଆବଶ୍ୟକୀୟ ସମସ୍ତ ଉପାଦାନ ବିଶ୍ଵରେ ସଦାକାଳ ମହଜୁତ ଥାଏ ଓ ଏକ ଅନୁକୂଳ ପରିବେଶ ଉତ୍ପନ୍ନ ହେଲେ ତାହା ବିକାଶ ପ୍ରାପ୍ତ ହୋଇ ଫୁଲଫଳ ଭରା ହୁଏ ।

ଆଶ୍ଚର୍ଯ୍ୟର କଥା ଆମ ଭାରତୀୟ ଦର୍ଶନ, ଆଧୁନିକ ବିଜ୍ଞାନ ଜନ୍ମନେବା ବହୁ ପୂର୍ବରୁ, ଭିନ୍ନ ସ୍ଵରରେ ହେଉପଛକେ, ସୃଷ୍ଟି ସର୍ଜନା ବିଷୟରେ ଠିକ୍  ଅନୁରୂପ ମତପୋଷଣ କରିସାରିଥିଲା । ବିଶ୍ଵର ପ୍ରାଚୀନତମ ଗ୍ରନ୍ଥ ଋକ୍ ବେଦର ଦଶମ ମଣ୍ଡଳସ୍ଥ ୧୨୯ତମ ସୂକ୍ତ (ସାତ ଋଚା /ମନ୍ତ୍ର ବିଶିଷ୍ଟ), ଯାହା ନାସଦୀୟ ସୂକ୍ତ ନାମରେ ପରିଚିତ, ତହିଁରେ ବ୍ରହ୍ମାଣ୍ଡ ସୃଷ୍ଟି ତତ୍ତ୍ଵ ବିଷୟରେ ଏହିପରି ଉଲ୍ଲେଖ ଅଛି –

“ନାସଦାସୀନ୍ନୋ ସଦାସୀତ୍ତଦାନୀଂ ନାସୀଦ୍ରଜୋ ନବ୍ୟୋମାପରୋୟତ୍
କିମାବରୀବଃ କୁହ କସ୍ଯ ଶର୍ମନ୍ନଭ୍ଯଃ କିମାସୀଦ୍ଗହନଂ ଗମ୍ଭୀରମ୍ ।୧।

ନ ମୃତ୍ଯୁରାସୀଦମୃତଂ ନତର୍ହିନରାତ୍ଯା ଅହନ ଆସୀତ୍ପ୍ରକେତଃ
ଆନୀତବାତଂ ସ୍ଵଧାୟାତଦେକଂ ତସ୍ମାଦ୍ବାନ୍ଯନ୍ନ ପରଃ କିଞ୍ଚିନାସ ।୨।

ତମ ଆସୀତ୍ତମସା ଗୂଢତ୍ତମ୍ଅଗ୍ରେ ପ୍ରକେତଂ ସଲିଳଂ ସର୍ବାଇଦମ୍
ତୁଚ୍ଛ୍ଯେନାଭ୍ଯପିହିତଂ ୟଦାସୀତ୍ତପସନ୍ତମ୍ନହିନାଜାୟତୈକମ୍ ।୩।

ଅର୍ଥାତ- ସୃଷ୍ଟି ରଚନା ପୂର୍ବରୁ ସତ୍ ନଥିଲା, ଅସତ୍ ବି ନଥିଲା, ପଦାର୍ଥ ନଥିଲା, ଅନ୍ତରୀକ୍ଷ ନଥିଲା ଓ ଅନ୍ତରୀକ୍ଷ ଉର୍ଦ୍ଧ୍ଵରେ ଏବେ ଯାହା ଅଛି ତାହାବି ନଥିଲା । ତେବେ ସେତେବେଳେ କେଉଁ ତତ୍ତ୍ଵ କିପରି ଏସବୁକୁ  ଆବୃତ କରି ରଖିଥିଲା, ସେ କାହା ଆଶ୍ରୟରେ ଥିଲା, ଗହନ ଗମ୍ଭୀରତା କିପରି ରହିଥିଲା ? (୧)

ସେତେବେଳେ  ମୃତ୍ୟୁ ନଥିଲା, ଅମୃତ ବି ନଥିଲା, ରାତ୍ରି ନଥିଲା, ଦିବସ ବି ନଥିଲା , କେବଳ ବୀଜ ସ୍ଵରୂପ ବ୍ରହ୍ମତତ୍ତ୍ଵ ପ୍ରାଣଯୁକ୍ତ, କ୍ରିୟାନିବୃତ ଓ ମାୟା ସଂଯୁକ୍ତ ହୋଇ ରହିଥିଲା । ବ୍ରହ୍ମଭିନ୍ନ ଅନ୍ୟ କିଛି ନଥିଲା ଓ ଏହାପରେ ଆଉ କିଛି ହିଁ ନଥିଲା । (୨)

ସେତେବେଳେ ଅନ୍ଧକାର ଥିଲା ଅନ୍ଧକାର ମଧ୍ୟରେ, ପ୍ରକାଶର ବହୁପୂର୍ବରୁ ଓ ଅତି ଗଭୀର ଭାବରେ । ସର୍ବତ୍ର ଜଳାଚ୍ଛାଦିତ ଥିଲା ଓ ତାହା ଅନ୍ଧକାରାଚ୍ଛନ୍ନ ଥିଲା, ଜନ୍ମରହିତ ଦ୍ୟୁତିମାନ ଅଗ୍ନି ଶୂନ୍ୟର ନାଭିରେ ଲୁପ୍ତ ଥିଲା । (୩)

ଏହିସବୁ ବୈଦିକ ଦାର୍ଶନିକ ତତ୍ତ୍ଵ ଦେଖିଲେ, ସ୍ପଷ୍ଟ ବୋଧହୁଏ ଯେ ସୃଷ୍ଟି ସଂରଚନା ବିଷୟକ ଆଧୁନିକ ବୈଜ୍ଞାନିକ ମତବାଦ ନିର୍ମାଣ କ୍ଷେତ୍ରରେ ବୈଦିକ ଦର୍ଶନ ଏକ ବିଶ୍ଵସ୍ତ ଓ ବଳିଷ୍ଠ ଦିଗଦର୍ଶନକାରୀ ଉତ୍ସ । ବିଜ୍ଞାନର ବିକାଶରେ ଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କଦାପି ଉପେକ୍ଷା କରାଯାଇନପାରେ । ଦର୍ଶନ ଧାରଣା ସୃଷ୍ଟିକରେ ଓ ବିଜ୍ଞାନ ତାହା ସିଦ୍ଧକରେ । ବିଜ୍ଞାନର ମହା ସଂକୋଚନ (big crunch)ଓ ମହା ବଷ୍ଫୋରଣ (big bang)ଅବସ୍ଥାର ଅବଧାରଣାରେ, ବେଦ ବର୍ଣ୍ଣିତ ପ୍ରଳୟ ଓ ସୃଷ୍ଟଉତ୍ପତ୍ତି ତତ୍ତ୍ଵ ହେଉଛି ପ୍ରପିତାମହ,ଏହା ସର୍ବାଦୌ ସ୍ଵୀକାର୍ଯ୍ୟ ।

ଶୂନ୍ୟରୁ ଜୀବସତ୍ତାର ଅଭ୍ୟୁଦୟ ଅଦ୍ଭୁତ ମନେହେଲେ ହେଁ ବିଜ୍ଞାନ ମତରେ ଏକ ନିରାଟ ସତ୍ୟ । ବିଜ୍ଞାନ କହେ, ସୃଷ୍ଟିର ଆଧାର ହେଉଛି ଶକ୍ତି ଓ ଶକ୍ତିର ବିନାଶ ନାହିଁ, କେବଳ ରୂପାନ୍ତରଣ ଅଛି । ଶକ୍ତିରୁ ବସ୍ତୁ ପୁଣି ବସ୍ତୁରୁ ଶକ୍ତି, ଏ ରୂପାନ୍ତର ଏକ ଅନନ୍ତ ପ୍ରକ୍ରିୟା । ଶକ୍ତି ଶୂନ୍ୟଗର୍ଭିତ । ସୁତରାଂ ସେହି ଶୂନ୍ୟ ହିଁ ବ୍ରହ୍ମ, ଜୀବ ସୃଷ୍ଟିର ପରମ ସତ୍ତା ଓ ପରମ ସତ୍ୟ । ଶୂନ୍ୟ ରୂପମୟ ହେଲେ ସୃଷ୍ଟି ଓ ସୃଷ୍ଟି ଶୂନ୍ୟମୟ ହେଲେ ବ୍ରହ୍ମ ।  ବିକାଶ ଓ ବିକାର ସୃଷ୍ଟିର ଦୁଇଟି ସ୍ଵାଭାବିକ ପରିଣତି । ଏହା ବେଦର ବି ମତ ।

ବିକାଶ ଓ ବିକାର ବ୍ୟତୀତ, ଅକ୍ଷୟ ଶକ୍ତି ଆଶ୍ରିତ ଏ ଜୀବସତ୍ତାର ବିନାଶ ନାହିଁ, ହୁଏତ ଅଛି ରୂପାନ୍ତରଣ ! ଜୀବର ପୁନର୍ଜନ୍ମ ନୁହେଁ ବରଂ ତାର ପୁନର୍ବିନ୍ୟାସ ଘଟିବା ସମ୍ଭବ । ମୂର୍ତ୍ତି ପିଣ୍ଡ, ମାଟି ଆତ୍ମା । ମାଟିର ମୂର୍ତ୍ତିକୁ ଭାଙ୍ଗି, ଚୂର୍ଣ୍ଣ କରି ସେହି ମାଟିରୁ ନୂତନ ମୂର୍ତ୍ତି ଗଢିଲେ, ପୂର୍ବ ମୂର୍ତ୍ତି ସହ ତାହାର କିଛି ସମ୍ବନ୍ଧ ନଥାଏ, କେବଳ ସେହି ମୃତ୍ତିକା ସହ ତାର ସମ୍ବନ୍ଧ, ସୁତରାଂ ତାହା ପୂର୍ବ ମୂର୍ତ୍ତିର ପୂନର୍ଜନ୍ମ ନୁହେଁ । ବରଂ ତାର ପୁନର୍ବିନ୍ୟାସ ବା ପୁନର୍ଗଠନ । ଠିକ ସେହିପରି ଜୀବର ବିଳୟ ପରେ ଏକଦା ତା’ଠାରେ ଆଶ୍ରିତ ପଞ୍ଚମହାଭୂତ ପୁଣି ନିଜନିଜ ସତ୍ତାରେ ଲୀନ ହୋଇଯାନ୍ତି ଓ ପୁଣି ସେହି ସେହି ମହାଭୂତ ସମୂହର ଦିବ୍ୟ ସଂଯୋଗରେ ଏକ ନୂଆଁ ପିଣ୍ଡ ସୃଷ୍ଟି ସମ୍ଭବ ହୁଏ, କାରଣ ସେହି ଉପାଦାନ ସବୁ ହିଁ ଜୀବ ସତ୍ତା ଗଠନର ଆଧାର ।  ଯଦି ଜୀବ ସୃଷ୍ଟି ପ୍ରକୃତିର ଏକ ନିୟମ ତେବେ ଜୀବ ପିଣ୍ଡ ମଧ୍ୟରେ ବିଦ୍ୟମାନ ସେହି ଅଜ୍ଞେୟ ଅଦ୍ଭୁତ ଶକ୍ତି, ଅନନ୍ତ ଶକ୍ତିର ଅଂଶ ବିଶେଷ ମାତ୍ର, ତାକୁ ଯେଉଁ ଉପାଧି ଦିଆଯାଉ ପଛକେ ।

ପୃଥିବୀର ସକଳ ବସ୍ତୁ ମଧ୍ୟରେ, ସଜୀବ ହେଉ କି ନିର୍ଜୀବ, ସେହି ଅନନ୍ତ ଶକ୍ତିର ଅଂଶ ବିଦ୍ୟମାନ, ନିର୍ଜୀବ ବସ୍ତୁଠାରେ ତାହା ପ୍ରଚ୍ଛନ୍ନ ଅବସ୍ଥାରେ ଏବଂ ପ୍ରାଣୀ ଓ ସଜୀବଠାରେ ଜୀବନ୍ତ ଓ ଚଳମାନ ଅବସ୍ଥାରେ ଥାଏ । ତେବେ ଅନ୍ୟ ସଜୀବମାନଙ୍କ କୌଣସି ଅବବୋଧ ନଥାଏ ଯେ ତାଙ୍କଠି ଜୀବନଶକ୍ତି ବୋଲି ଏକ ଶକ୍ତି ଅଛି ଓ ତାହା ତାଙ୍କୁ ପରିଚାଳିତ କରୁଛି । ଏହି ଅବବୋଧ ଅଭାବ ହେତୁ ସେମାନେ ବିବିଧତାବିହୀନ ଓ ବୈଚିତ୍ରଶୂନ୍ୟ ଏକ ଗତାନୁଗତିକ ଅବୋଧ ଜୀବନ ବରଣ କରିବାକୁ ବାଧ୍ୟ ହୋଇଥାନ୍ତି । ଏପରିକି ମୃତ୍ୟୁ ବିଷୟରେ ବି ସେମାନଙ୍କ କେବଳ ମୌହୂର୍ତ୍ତିକ ଭୟ ବା ଆବେଗ ରହିଥାଏ । ଅର୍ଥାତ ମୃତ୍ୟୁ ଆଗତ ମୁହୂର୍ତ୍ତରେ ହିଁ ସେମାନେ ମରିବା ଚେତନା ଲାଭକରନ୍ତି ବା ମରୁଛନ୍ତି ବୋଲି ଜାଣନ୍ତି । ବିଶ୍ଵ ସମ୍ବନ୍ଧରେ ସେମାନଙ୍କ କୌଣସି ଜ୍ଞାନ ହିଁ ନଥାଏ । ମାତ୍ର ମଣିଷ କ୍ଷେତ୍ରରେ କଥାଟା ଅଲଗା । ସେ ଚେତନଶକ୍ତିର ଅଧିକାରୀ ଓ ଅସୀମ ଜ୍ଞାନ ଅର୍ଜନର ସାମର୍ଥ୍ୟ ରଖିଥାଏ । ବୁଦ୍ଧି ବଳରେ ଅତୀତ ଓ ଭବିଷ୍ୟତ ବିଷୟରେ ଆକଳନ କରିବା ଓ ବିଭିନ୍ନ ବସ୍ତୁ ତଥା ବିଷୟ ସମ୍ବନ୍ଧରେ ଜାଣିବା ତା ପକ୍ଷରେ ସମ୍ଭବ । ଜୀବନକୁ ଓ ବାହ୍ୟଜଗତକୁ ତନ୍ନତନ୍ନ କରି ସେ ଦେଖିବାର କୌତୁହଳ ରଖିଥାଏ । ତେଣୁ ମଣିଷର ଉଦୟ, ପ୍ରକୃତିର ସୃଷ୍ଟି ବିଧାନରେ ଏକ ପୂର୍ଣ୍ଣତାକାମୀ ସଫଳତା ।

ଏ ପୃଥିବୀରେ ମଣିଷର ସୃଷ୍ଟି  କଦାପି ଏକ ଆକସ୍ମିକତା ବା ଉଦ୍ଦେଶ୍ୟ ରହିତ କାର୍ଯ୍ୟ ପରି ମନେହୁଏ ନାହିଁ । ଧରାଯାଉ ଏ ବ୍ରହ୍ମାଣ୍ଡରେ ମଣିଷ ନଥାନ୍ତା ! ତେବେ କଣ ହୁଅନ୍ତା ? ବ୍ରହ୍ମାଣ୍ଡରେ ବିବିଧ ଜାଗତିକ ପିଣ୍ଡର ସୃଷ୍ଟି ଓ ବିଳୟ ପ୍ରକ୍ରିୟା ନିଜ ବାଟରେ ଚାଲିଥାନ୍ତା ଅଜ୍ଞାତ ଓ ଉଦ୍ଦେଶ୍ୟହୀନ ଭାବରେ, ଅନନ୍ତକାଳ । ପ୍ରତ୍ୟେକ ଛୋଟବଡ଼ ବସ୍ତୁ ଯେଉଁ ସୂକ୍ଷ୍ମାତିସୂକ୍ଷ୍ମ ଜଟିଳ ନିୟାମକ ସମୁହ ତଥା କ୍ରିୟା ପ୍ରତିକ୍ରିୟାର ପରିଣତି ସ୍ଵରୂପ ଅଦ୍ଭୁତ କୌଶଳରେ ନିର୍ମିତ, ସେହି ରହସ୍ୟ, ଏକ ଚେତନ ଶକ୍ତି ଅଭାବରେ, ଚିରକାଳ ରହସ୍ୟ ଗର୍ଭରେ ସମାଧୀସ୍ଥ ହୋଇ ରହିଯାଇଥାନ୍ତା । ବ୍ରହ୍ମାଣ୍ଡ ପ୍ରସୂତ ସୌନ୍ଦର୍ଯ୍ୟ ଓ ବିସ୍ମୟଭରା ସୃଷ୍ଟି ସମୂହର ଉଦ୍ଦେଶ୍ୟ ଓ ସାର୍ଥକତା ଅପ୍ରତିପାଦିତ ହୋଇ ଏକ ବିରାଟ ଅପୂର୍ଣ୍ଣତା ସୃଷ୍ଟି ହୋଇଥାନ୍ତା । ଚେତନଶକ୍ତି ଶୂନ୍ୟ ଜଡ଼ ଉପାଦାନ ସମୂହରେ ବ୍ରହ୍ମାଣ୍ଡ ପରିପୂର୍ଣ୍ଣ ରହି, ଦ୍ରଷ୍ଟା ଅଭାବରେ, କୌଣସି ଗୁରୁତ୍ୱ ବା ମହତ୍ତ୍ଵର ଅଧିକାରୀ ହୋଇନଥାନ୍ତା । ଏ କ୍ଷେତ୍ରରେ ବ୍ରହ୍ମାଣ୍ଡର ଥିବା ନଥିବା ଏକା କଥା ହୋଇଯାଇଥାନ୍ତା ।

ଏହିସବୁ ବ୍ୟତୀତ ପ୍ରକୃତିର କୌଣସି ବିଶେଷ ଉଦ୍ଦେଶ୍ୟ ନଥିଲେ ଜୀବନ ସୃଷ୍ଟି ପାଇଁ ସେ ପୂର୍ଣ୍ଣ ଅନୁକୂଳତା ପ୍ରଦର୍ଶନ କରିନଥାନ୍ତା । କହିବାକୁ ଗଲେ ପ୍ରକୃତି ନିଜକୁ ଓ ନିଜର ସୃଷ୍ଟିକୁ ପୂର୍ଣ୍ଣତା ଦିଏ ଜୀବ ଓ ବିଶେଷକରି ମାନବ ସୃଷ୍ଟି ମାଧ୍ୟମରେ । ବିଜ୍ଞାନ କହେ ପ୍ରକୃତି ହେତୁ ଅହେତୁର କୌଣସି ଅପେକ୍ଷା ରଖେ ନାହିଁ, ତାର ନିୟମ ହିଁ ପାଳନ କରେ, ଏଥିରେ ଆକସ୍ମିକତାର କୌଣସି ସ୍ଥାନ ନାହିଁ । ଏ ଦୃଷ୍ଟିରୁ ଦେଖିଲେ ମଣିଷର ସୃଷ୍ଟି ପ୍ରକୃତିର ଏକ ଆକସ୍ମିକ କାର୍ଯ୍ୟ କଦାପି ନୁହେଁ । ତାହା ନିଶ୍ଚୟ ନିୟମାନୁବର୍ତ୍ତୀ ଓ ଉଦ୍ଦେଶ୍ୟ ପ୍ରଯୋଜିତ । ମାତ୍ର ପ୍ରକୃତି ନିଜେ ସ୍ଵୟଂସିଦ୍ଧ ନୁହେଁ, ଏକ ଶୂନ୍ୟ ଗର୍ଭିତ ଅଜ୍ଞେୟ ଶକ୍ତି ଦ୍ଵାରା ଏହା ପରିଚାଳିତ । ବେଦରେ ଏହି ଶକ୍ତିକୁ ବୀଜ ବା ବ୍ରହ୍ମ ବୋଲି ଉକ୍ତ ହୋଇଛି । ଏହି ଶକ୍ତିଠାରେ ମାନବ ସୃଷ୍ଟିର ସଂକଳ୍ପ ବିଦ୍ୟମାନ ଥିଲା ଓ ପ୍ରକୃତି ସେହି ସଂକଳ୍ପକୁ କ୍ରିୟାନ୍ଵିତ କରିଛି ମାତ୍ର ।

ଅନନ୍ତ ବିଶ୍ବବ୍ରହ୍ମାଣ୍ଡରେ ମଣିଷ ଏକ ବିନ୍ଦୁଟିଏ ମାତ୍ର । କିନ୍ତୁ ସେ କୁତ୍ରାପି ହେୟ ନୁହେଁ । ବୃତ୍ତ ଯେତେ ବିରାଟ ହେଉପଛକେ କେନ୍ଦ୍ରସ୍ଥ ବିନ୍ଦୁଟି ହିଁ ତାର ଅସ୍ତିତ୍ଵାବଧାରକ । ଠିକ୍ ସେହିପରି ବ୍ରହ୍ମାଣ୍ତରେ ମଣିଷ ଏକମାତ୍ର ଚେତନଶୀଳ ପ୍ରାଣୀ ହେତୁ, ସେ ଯେତେ କ୍ଷୁଦ୍ର ହେଉପଛକେ, ବ୍ରହ୍ମାଣ୍ଡର ସବୁଠାରୁ ଗୁରୁତ୍ୱପୂର୍ଣ ଅଙ୍ଗ ଓ ଭାବକେନ୍ଦ୍ର । ତେଣୁ ତ ମଣିଷକୁ ଈଶ୍ଵରଙ୍କ ପ୍ରତିରୂପ ବୋଲି କୁହାଯାଏ । ମଣିଷ ଅଭାବରେ, ବ୍ରହ୍ମାଣ୍ଡର ଅସ୍ତିତ୍ୱ ଅନସ୍ତିତ୍ୱର କୌଣସି ମୂଲ୍ୟ ନଥାନ୍ତା । ବିଶ୍ଵବ୍ରହ୍ମାଣ୍ଡର ସକଳ କ୍ରିୟାକଳାପରେ ମଣିଷ ହିଁ ଏକମାତ୍ର ଦ୍ରଷ୍ଟା, ଭୋକ୍ତା ଓ ପ୍ରଶସ୍ତିକାର । ତେଣୁ ମାନବ ସୃଷ୍ଟି ପ୍ରକୃତିର ଏକ ଅନିବାର୍ଯ୍ୟ ଆବଶ୍ୟକତା ହିଁ ଥିଲା । ମଣିଷ ଓ କେବଳ ମଣିଷ ହିଁ ଏ ରହସ୍ୟମୟ ବିଶ୍ଵବ୍ରହ୍ମାଣ୍ଡର ଏକମାତ୍ର ଗାଥାକାର ।

ପାଟଣାଗଡ଼, ବଲାଙ୍ଗିର, ମୋ – ୮୮୯୫୦୦୬୭୬୧

ଲେଖକ ପରିଚୟ

ଜଣେ ଅବସରପ୍ରାପ୍ତ ଶିକ୍ଷକ । ୨୦୦୯ ରେ ଅବସର ଗ୍ରହଣ କଲାପରେ, ଉତ୍ତର ଅବସ୍ଥାରେ ସାହିତ୍ୟ ସାଧନା । କବିତା (ପାରମ୍ପରିକ ଓ ଆଧୁନିକ), ପ୍ରବନ୍ଧ ଓ ଗଳ୍ପ ରଚନାରେ ରୁଚି ରହିଛି । ଇଂରାଜୀ ଭାଷାରେ ଅଳ୍ପ ପ୍ରବନ୍ଧ ଓ କବିତା ତଥା କୋଶଳୀ ଭାଷାରେ ଅନେକ କବିତା ଓ ଗଳ୍ପ ସର୍ଜିତ ।

Related Posts

Leave a Reply

Your email address will not be published. Required fields are marked *