ଅକ୍ଷୟ ମହାନ୍ତି; କେବଳ ସଙ୍ଗୀତ ନୁହଁ, ସାହିତ୍ୟରେ ବି ଅନନ୍ୟ

ଅକ୍ଷୟ ମହାନ୍ତି ଆଧୁନିକ ଓଡି଼ଆ ସଙ୍ଗୀତ ଜଗତର କିମ୍ବଦନ୍ତି ପୁରୁଷ । କେବଳ ସଙ୍ଗୀତ ନୁହଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଖୁବ୍‍ ଲୋକପ୍ରିୟ । ସେ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ, ଆତ୍ମଜୀବନୀ ଆଦି ଲେଖିଯାଇଛନ୍ତି ।
ଗଳ୍ପ ପୁସ୍ତକ ‘ଅନେଶ୍ୱତ ରାଣୀ’, ‘ବିଚରା’, ‘ନଗ୍ନ ମୋନାଲିସା’, ‘ଉପନ୍ୟାସ ଅଫେରା ନଦୀ’, ‘ଗାୟକ’, ‘ଜୟା ନୁହେଁ ଜାୟା’, ‘ଗୋଟିଏ କୁହୁ, ଅନେକ ଉହୁ’, ଭ୍ରମଣ କାହାଣୀ ‘ବାହା ବାହାରେ ଆମେରିକା’, ଆତ୍ମଜୀବନୀ ‘ଆର୍ଯ୍ୟଦାସର ଆତ୍ମଲିପି’, ‘ଆର୍ଯ୍ୟଦାସର ଶେଷଲିପି’ ଇତ୍ୟାଦି । ତାଙ୍କର ଏ ସବୁ କୃତିଗୁଡି଼କ ବେଶ୍‍ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲା ।
ଶ୍ରୀ ମହାନ୍ତି ୧୯୩୭ ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରନ୍ତି । ପିତା ବିଚିତ୍ରାନନ୍ଦ ମହାନ୍ତି, ମାତା ସୁବର୍ଣ୍ଣମଞ୍ଜରୀ ମହାନ୍ତି । ପିଲାବେଳୁ ବଡ଼ ଭଉଣୀ ସୁଲକ୍ଷଣାଙ୍କ ପ୍ରଭାବରେ ତାଙ୍କ ଭିତରେ ଗୀତ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ଷ୍ଟୁଆର୍ଟ ସାଇନ୍ସ କଲେଜରେ ଆଇ.ଏସ୍‍.ସି ଓ ରେଭେନ୍ସା କଲେଜରେ ବି.ଏ. ପଢ଼ିବା ପରେ ସେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ହେଲେ କିଛି ବର୍ଷ ପରେ ସଙ୍ଗୀତ ପାଇଁ ଚାକିରି ଛାଡି଼ଦେଇଥିଲେ । କୌଣସି ପ୍ରକାର ଆନୁଷ୍ଠାନିକ ସଙ୍ଗୀତ ଶିକ୍ଷା ବିନା ସେ ସଙ୍ଗୀତ ଜଗତରେ ଏକ ବିପ୍ଳବ ସୃଷ୍ଟି କରିପାରିଥିଲେ । ‘ମା’(୧୯୫୮) ଚଳଚ୍ଚିତ୍ରର ‘ଗୋରୀ ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଙ୍ଗୀତ । ‘ମଲାଜହ୍ନ’(୧୯୬୬) ଚଳଚ୍ଚିତ୍ରରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ସୁଦୀର୍ଘ ସଙ୍ଗୀତ କ୍ୟାରିୟରରେ ସେ ରୋମାଣ୍ଟିକ୍‍ ସଙ୍ଗୀତରୁ ଆରମ୍ଭ କରି ଭଜନ ପର୍ଯ୍ୟନ୍ତ ସବୁପ୍ରକାର ଗୀତ ଗାଇଛନ୍ତି ଓ ତିଆରି କରିଛନ୍ତି । ଅକ୍ଷୟ ୧୨୯ଟି ଓଡି଼ଆ ଫିଲ୍ମରେ କଣ୍ଠଦାନ କରିଛନ୍ତି, ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସାଙ୍ଗକୁ ସେ ତିନିଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦ୍ଦେଶକ ରହିଛନ୍ତି ।
୨୦୦୨ ମସିହା ନଭେମ୍ବର ୧୨ ତାରିଖରେ ଏହି ମହାନ ସଙ୍ଗୀତଜ୍ଞଙ୍କର ପରଲୋକ ଘଟିଥିଲା ।

Related Posts

Leave a Reply

Your email address will not be published. Required fields are marked *