ବିପ୍ଳବର ସ୍ଵପ୍ନ ଓ ସ୍ଵପ୍ନଭଙ୍ଗର କାହାଣୀ

ପୁସ୍ତକ: ଦି ଡ୍ରିମ୍‍ ଅଫ୍‍ ରିଭଲ୍ୟୁସନ: ଏ ବାୟୋଗ୍ରାଫି ଅଫ ଜୟପ୍ରକାଶ ନାରାୟଣ
ଲେଖକ: ବିମଲ ପ୍ରସାଦ ଏବଂ ସୁଜାତା ପ୍ରସାଦ
ପ୍ରକାଶକ: ପେଙ୍ଗୁଇନ ରାଣ୍ଡମ ହାଉସ,
ପୃଷ୍ଠା ୩୦୬, ମୂଲ୍ୟ ୬୯୯ଟଙ୍କା

ସ୍ବାଧୀନୋତ୍ତର ଭାରତର ରାଜନୀତିକ ଇତିହାସରେ ଜୟପ୍ରକାଶ ନାରାୟଣ (ଜେପି ଭାବରେ ସେ ଅଧିକ ପରିଚିତ, 1902-1979) ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅଧିଷ୍ଠିତ । ମାର୍କସବାଦୀ ଏବଂ ଗାନ୍ଧୀବାଦୀ ଆନ୍ଦୋଳନର ଏକ ମିଶ୍ରିତ ପ୍ରୟୋଗରେ ବିଶ୍ୱାସ କରୁଥିଲେ ସେ । ତାଙ୍କ ନେତୃତ୍ଵରେ ସ୍ବାଧୀନୋତ୍ତର ଭାରତରେ ଏକ ବିଶାଳ ଜନଆନ୍ଦୋଳନ ଗଢ଼ି ଉଠିଥିଲା । କିନ୍ତୁ ବଡ଼ ବିଚିତ୍ର କଥା, ତାଙ୍କ ଉପରେ ଗବେଷଣାତ୍ମକ ବହ ଏଯାଏଁ ଖୁବ୍‍ ବେଶି ଲେଖାଯାଇନାହିଁ । ଭାରତର ରାଜନୈତିକ ଇତିହାସରେ ତାଙ୍କ ଭୂମିକାକୁ ବିଭିନ୍ନ ଦିଗରୁ ଆଲୋଚନା- ବିଶେଷ କରାଯାଇ ନାହିଁ । ସେ ଦୃଷ୍ଟିରୁ ଏ ବହିଟି ଏକ ମୂଲ୍ୟବାନ ସଂଯୋଜନ ।

ଏ ବହିର ଲେଖକମାନଙ୍କ ଭିତରୁ ପ୍ରଫେସର ବିମଲ ପ୍ରସାଦ ଜଣେ ଐତିହାସିକ । ସେ ଜୟପ୍ରକାଶ ନାରାୟଣଙ୍କୁ ପାଖରୁ ଜାଣିଥିଲେ । ଜୟପ୍ରକାଶ ଆନ୍ଦୋଳନରେ ସେ ସାମିଲ ବି ଥିଲେ । ଜୟପ୍ରକାଶଙ୍କ ଦେହାନ୍ତ ପରେ ସେ ବହିଟି ଲେଖିବାକୁ ଆରମ୍ଭ କରିଥିଲେ । ପ୍ରଫେସର ବିମଲ ପ୍ରସାଦଙ୍କ ଦେହାନ୍ତ ପରେ ତାଙ୍କ ଝିଅ ସୁଜାତା ପ୍ରସାଦ ବହିଟିକୁ ଶେଷ କରିଛନ୍ତି ।

ଏ ବହିରେ ଜୟପ୍ରକାଶ ନାରାୟଣଙ୍କର ଜୀବନର ଅନେକ ଅକୁହା କଥା ଲେଖକମାନେ ଲୋକଲୋଚନକୁ ଆଣିଛନ୍ତି । ଜୟପ୍ରକାଶ ନାରାୟଣ ଆମେରିକାରେ ପାଠ ପଢ଼ିଥିଲେ । କିନ୍ତୁ ସେ ବିଷୟରେ ଖୁବ୍‍ ବେଶି ତଥ୍ୟ ଲୋକଲୋଚନକୁ ଆସିନାହିଁ । ୧୯୨୦ ଦଶକରେ ଆମେରିକାରେ ଅଧ୍ୟୟନ ତାଙ୍କର ମେଧା, ଚିନ୍ତାଧାରା ଓ ରାଜନୈତିକ ଦର୍ଶନକୁ ବିଶେଷ ଭାବେ ପ୍ରଭାବିତ କରିଥିଲା । ପରବର୍ତ୍ତୀ ସମୟରେ ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ଆରମ୍ଭ କରିଥିଲେ । ତା’ ପରେ କଂଗ୍ରେସକୁ ବାଦ୍‍ ଦେଇ କେବଳ ସୋସିଆଲିଷ୍ଟ ପାର୍ଟି ରହିଲା । କ୍ରମଶଃ ସେ ଅନ୍ୟାନ୍ୟ ଜନବାଦୀ (ସୋସିଆଲିଷ୍ଟ୍‍) ନେତାମାନଙ୍କର ଜଣେ ଆଦର୍ଶ ହୋଇଉଠିଲେ । ସେମାନଙ୍କ ଭିତରେ ଜର୍ଜ ଫର୍ଣ୍ଣାଡିସ ମଧ୍ୟ ଥିଲେ । ରାଜସତ୍ତାକୁ କେମିତି ଭାବରେ ବ୍ୟବହାର କରାଯିବା ଉଚିତ ସେ ବିଷୟରେ ଜୟପ୍ରକାଶ ନାୟରାଣଙ୍କର ନିଜସ୍ୱ ମତ ଥିଲା ।

ଜୟପ୍ରକାଶ ନାରାୟଣ ବିତର୍କକୁ କେବେ ଏଡ଼ାଇ ଯାଇନାହାନ୍ତି । ତାଙ୍କର ଘନିଷ୍ଟ ବନ୍ଧୁମାନଙ୍କ ସହିତ ସେ ଅନେକ ସମୟରେ ବିତର୍କ କରିଛନ୍ତି । ଏ ପୁସ୍ତକରେ ତାଙ୍କର ଗାନ୍ଧୀଙ୍କ ସହିତ ମତଭେଦ ବିଷୟରେ ବିସ୍ତାରିତ ଭାବରେ ଲେଖାଯାଇଛି । ସେ ଗାନ୍ଧୀଙ୍କ ବେଶ୍‍ କିଛି ମତବାଦ ଓ କାର୍ଯ୍ୟକୁ ପସନ୍ଦ କରୁନଥିଲେ । ତେବେ ସେ ଏକଥା ବି କହିଛନ୍ତି: ସାମାଜିକ ବିପ୍ଲବ କେମିତି ହେଇପାରିବ, ଏ ବିଷୟରେ ଗାନ୍ଧିଜୀଙ୍କ ନିଜସ୍ଵ ଚିନ୍ତା ଥିଲା ।

ନେହେରୁଙ୍କ ପ୍ରତି ତାଙ୍କର ଭଲ ଧାରଣା ଥିଲା । ସମ୍ପର୍କ ବି ବହୁତ ଭଲ ଥିଲା । କିନ୍ତୁ ଅନେକ ସମୟରେ ନେହେରୁ ଏବଂ ଜୟ ପ୍ରକାଶ ନାରାୟଣଙ୍କ ମଧ୍ୟରେ ବି ତର୍କ ଲାଗୁଥିଲା । ଏ ପୁସ୍ତକରେ ଏଭଳି ବେଶ୍‍ କିଛି ଘଟଣାର ଅବତାରଣା କରାଯାଇଛି ।

ସର୍ଦ୍ଦାର ପଟେଲଙ୍କ ସହ ମଧ୍ୟ ତାଙ୍କର ବେଶ୍‍ କିଛି ବିତର୍କ ହେଇଛି । ପୁସ୍ତକର ଲେଖକମାନେ ଯାହା ମନେକରନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜୟପ୍ରକାଶ ନାରାୟଣ ଖୁବ୍‍ ବେଶି ପସନ୍ଦ କରୁନଥିଲେ ।

ତେବେ ତାଙ୍କର ସବୁଠାରୁ ବେଶୀ ବିତର୍କ ହେଇଥିଲା ଇନ୍ଦିରା ଗାନ୍ଧୀଙ୍କ ସହିତ । ଇନ୍ଦିରା ଗାନ୍ଧୀଙ୍କୁ ପ୍ରଥମ ଅବସ୍ଥାରେ ସେ ସ୍ନେହ କରୁଥିଲେ । ଚିଠିରେ ତାଙ୍କୁ ସେ ‘ଇନ୍ଦୁ’ ବୋଲି ସମ୍ବୋଧନ କରୁୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କୁ ସମ୍ବୋଧନ କଲେ ‘ଇନ୍ଦିରାଜୀ’ ଏବଂ ଚିଠିର ଭାଷା ଓ ଭାବ ଥିଲା ସମ୍ପୂର୍ଣ୍ଣ ଅଲଗା ।

ଏ ବହିର ସବୁଠାରୁ ଛାତିକୁ ମନ୍ଥିଦେଲା ଭଳି ଅଧ୍ୟାୟ ହେଉଛି ଶେଷ ଅଧ୍ୟାୟଟି ଯେଉଁଥିରେ ଜୟପ୍ରକାଶ ନାରାୟଣଙ୍କର ଜୀବନର ଶେଷ ଅବସ୍ଥା କଥା ଲେଖାଯାଇଛି । ସେତେବେଳେ ସେ ରୋଗଶଯ୍ୟାରେ ଏବଂ ସମ୍ପୂର୍ଣ୍ଣ ଏକା । ସ୍ବାଧୀନୋତ୍ତର ଭାରତରେ ଏକ ବିଶାଳ ଜନ-ଆନ୍ଦୋଳନ ଗଢ଼ିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ଵରେ ଯେଉଁମାନେ ଏ ଆନ୍ଦୋଳନରେ ଥିଲେ ସମସ୍ତେ ବିଭିନ୍ନ ପଦପଦବୀରେ ଆସୀନ ହୋଇଗଲେଣି । ଅନେକେ ଶାସନ କ୍ଷମତାରେ ଅଛନ୍ତି । କିନ୍ତୁ ଜେପି ସମ୍ପୂର୍ଣ୍ଣ ଏକା ଅଛନ୍ତି । ଜନତା ପାର୍ଟିକୁ ନେଇ ଯେଉଁ ପରୀକ୍ଷା ନିରୀକ୍ଷା ସେ କରୁଥିଲେ, ତାଙ୍କ ଆଖି ସାମ୍ନାରେ ତାହା କ୍ରମଶଃ ତାସ୍‍ର ଘର ଭଳି ଭାଙ୍ଗି ଯାଉଥିବା ଦେଖୁଥିଲେ । ଦିଲ୍ଲୀରେ କିଏ ପ୍ରଧାନମନ୍ତ୍ରୀ ହେବେ – ତାକୁ ନେଇ ମୋରାରଜୀ ଦେଶାଇ, ଚରଣ ସିଂହ ଏବଂ ଜଗ୍‍ଜୀବନ ରାମ- ପରସ୍ପର ମଧ୍ୟରେ ଯୁଦ୍ଧରତ । ବିହାରରେ ରାମସୁନ୍ଦର ଦାସଙ୍କ ସରକାରକୁ ପ୍ରତିଷ୍ଠିତ ଏବଂ କ୍ଷମତାସୀନ କରିବାରେ ଜୟପ୍ରକାଶଙ୍କ ଆନ୍ଦୋଳନରେ ସାମିଲ ସମର୍ଥକମାନେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲେ । ହେଲେ ସେଇ ସରକାର ଜେପି ଆନ୍ଦୋଳନରେ ସାମିଲ ଲୋକମାନଙ୍କୁ ନକ୍ସଲ କହି ଗୁଳି ଚଳାଉଛନ୍ତି ।

ଏ ବହିରେ ଜେପି ନାରାୟଣଙ୍କର ପାଳିତା କନ୍ୟା ବିଭାଙ୍କ କଥା ଲେଖାଯାଇଛି । ଗୋଟିଏ ଘଟଣାର ବର୍ଣ୍ଣନା କରି ବିଭା କହୁଛନ୍ତି, ଦାଦା (ଜେପିଙ୍କୁ ସେ ଦାଦା ବୋଲି ଡାକୁଥିଲେ) ମୋତେ କହିଲେ ବିପ୍ଳବର ଦିନଗୁଡି଼କର ଗୋଟେ ଗୀତ ଗାଇବା ପାଇଁ । ଗୀତଟି ହେଲା ‘ଜୟପ୍ରକାଶ କା ବିଗୁଲ ବଜା’। ମୁଁ ଗୀତ ଗାଉଥିଲି, ଆଉ ଦାଦା ତକିଆରେ ମୁଣ୍ଡ ରଖି, ଆଖି ଉପରେ ହାତ ରଖିଥିଲେ । ଗୀତ ସରିଲା ବେଳକୁ ଦେଖାଗଲା ଯେ, ସମ୍ପୂର୍ଣ୍ଣ ତକିଆଟି ତାଙ୍କ ଲୁହରେ ଭିଜି ଯାଇଛି।

ଜୟପ୍ରକାଶଙ୍କ ଶେଷ ଜୀବନକୁ ଯଦି ଆକଳନ କରାଯାଏ, ତେବେ ତାଙ୍କୁ ସେକ୍ସପିୟରଙ୍କ ବିୟୋଗାନ୍ତକ ନାଟକର ନାୟକ ଭଳି ଦିଶିବେ ।

ଜୟପ୍ରକାଶଙ୍କର ବିବାହ ହୋଇଥିଲା ପ୍ରଭାବତୀଙ୍କ ସହିତ । ସେତେବେଳେ ତାଙ୍କ ବୟସ ୧୯, ପ୍ରଭାବତୀଙ୍କର ୧୪ । ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରଭାବତୀ ଦେବୀ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କଲେ ଏବଂ ଜୟପ୍ରକାଶଙ୍କୁ ସେ ଏ କଥା ଚିଠିରେ ଲେଖିଥିଲେ । ଏ ବହିରେ ସେ ବିଷୟରେ ମଧ୍ୟ ଲେଖାଯାଇଛି ।

ହୁଏତ ପ୍ରଫେସର ବିମଲ ପ୍ରସାଦ ବଞ୍ଚିଥିଲେ ଏ ସବୁ କଥା ଏ ବହିରେ ରହିପାରିନଥାନ୍ତା । ସୁଜାତା ପ୍ରସାଦ ଏ କଥାଗୁଡ଼ିକ ରଖିଛନ୍ତି । ଏ ବହିର ଅନ୍ତସ୍ଵର ହେଉଛି ଯେ, ଜଣେ ଲୋକ ଯେମିତି ସ୍ଵପ୍ନ ଦେଖୁଥିଲେ, ସ୍ଵପ୍ନ ପୂରଣ ପାଇଁ ଆନ୍ଦୋଳନ କରିବାକୁ ଚାହୁଁଥିଲେ- ଘଟଣାଚକ୍ରରେ ତାହା ହେଲାନାହିଁ । ତେଣୁ ଏ ବହିଟିକୁ ଜଣେ ସ୍ଵପ୍ନଦର୍ଶୀର ସ୍ଵପ୍ନଭଙ୍ଗର କାହାଣୀ ବୋଲି କୁହାଯାଇପାରେ । ପୁଣି ଏ ବହିଟିକୁ ଏକ କାଳଖଣ୍ଡକୁ ଦେଖିବା ପାଇଁ ଏକ ଝରକା ଭାବରେ ବି ନିଆଯାଇପାରେ ।

+++

Related Posts

Leave a Reply

Your email address will not be published. Required fields are marked *