ନୀତୁ, ତୁ କ’ଣ କଲୁ ?

ଶ୍ରୀ କୁଞ୍ଜ ବିହାରୀ ସାହୁ

 ଆରେ ଆରେ ନୀତୁ ଏ କ’ଣ କଲୁ ? ବୁଢାବାପକୁ ଅଣଦେଖା କରି ଭୁବନେଶ୍ବର ପଳେଇଗଲୁ । ଗାଁରେ କେମିତି ଏକଲା ଥିବ କହିଲୁ ତୋ ବାପ । ପିଲାଟିବେଳୁ ତୋତେ କାଖେଇ, କୋଳେଇ ଏଡୁଟିଏ କଲା । ପାଠ ପଢେଇଲା । ଖୀରି, ପଲଉ ଖାଇବାକୁ ଦେଲା  । ଯାନି ଯାତରା ଦେଖାଇଲା । ଯେତେବେଳେ ଯାହା ଚାହିଁଲୁ ପାଖରେ ଆଣି ଥୋଇଦେଲା । ଏ ବୟସରେ ତା’ ପାଖରେ ଦଣ୍ଡେ ନ ରହିଲେ ତା ଆଖିରୁ ପାଣି ମରିଯିବ ଯେ । ଖୁଁ ଖୁଁ କାଶରେ ବୁଢାବାପଟି ପରା ଦହଗଞ୍ଜ ହେଉଛି।  ନୀତୁ ତୁ ଗଲୁ ଯେ ଆଉ ପଛକୁ ଫେରି ଚାହିଁଲୁନି ।  ଭୁବନେଶ୍ବରରେ କୋଉଠି ରହୁଛି କେଜାଣି ବୁଢାବାପକୁ ଜଣାପଡିଲାନି । ତୁ କିନ୍ତୁ ବାପ କଥା ପାସୋରିଦେଇ ସାଙ୍ଗସାଥୀମାଙ୍କ ସହ ମସ୍ତି କଲୁ । ତୋ ଚିକମିକ ଯୈାବନକୁ ବିକିଦେଲୁ ସାଥୀଝିଅମାନଙ୍କୁ । ହଷ୍ଟେଲର ପୁଅମାନଙ୍କୁ । ଧୁମ୍ ଅର୍ଥ କମେଇଲୁ । ପିଲାବେଳୁ ଟଙ୍କାର ମୁହଁକୁ ଭଲଭାବରେ ଦେଖିପାରିନଥିଲୁ ତ ସେଇଥିପାଇଁ ଟଙ୍କା ମୋହରେ ସବୁକିଛି କରିଦେଲୁ ନା ! ଗୋଟାପଣେ ଏବେ ଧନୀ ହୋଇଗଲୁ ନୀତୁ । ଦେହ ବିକାରେ ତ ଭଲ ଟଙ୍କା କମେଇଲୁ । ଭ୍ୟାନିଟିବ୍ୟାଗଟାକୁ ଫୁଲ୍ କରିଦେଲୁ । ସହରକୁ ଯାଇଛୁ ଯେତେବେଳେ, ଆଖିଦୃଶିଆ କାମ କରିନଥାନ୍ତୁ କେମିତି । ଗୋଲାମ ନଗରୀରେ ସାଙ୍ଗସାଥୀଙ୍କ ସହ ରାତି ବିତେଇବା କେତେ ମଜା, ତୁ ଏବେ ଜାଣିଗଲୁ ନା ! 
    ନୀତୁ କିଛିଦିନ ଭୁବନେଶ୍ବରରେ ରହିଲା । ସହରର ଚାକଚକ୍ଯରେ  ଅତୀବ ଖୁସି ହୋଇଗଲା । ସେଦିନ ସେ ଶ୍ରାବଣ ପୂନେଇଁରେ ବୁଲାକୁକୁରଙ୍କ ବିକଟାଳ ରଡିରେ ଚମକିପଡିଲା । ମନରେ ଛନକା ପଶିଗଲା । ବହୁତ ମନେପଡିଗଲା ବୁଢାବାପ କଥା ।     ତା ଦେହକୁ ଚାଟିଚାଟି ମଜାନେଉଥିବା ବାନ୍ଧବୀଙ୍କ ସହ ଗାଁକୁ ଗଲା । ମଫସଲି ଗାଁ । କେନାଲ ବନ୍ଧ, ଧାନ କିଆରି । ତେଣ୍ଡାରୁ ପାଣି ମଡେଇଦିଆଯାଉଥିବା ପଦର । ସରୁ ନଈବାଟ । ଗାଁ ମୁଣ୍ଡରେ ଗଉଡ ଘର । ସାଥୀଝିଅମାନେ ନୀତୁ ଥଣ୍ଡା ବୋତଲ ପାଣି ପିଆଇଦେଇଥିଲେ । ନିଶା ତାଳୁ ଉପରକୁ ଚଢିଯାଇଥିଲା ଘର ଦାଣ୍ଡ ଦୁଆରେ ପାଦ ଦେଉ ଦେଉ ଭକଭକ ବାନ୍ତି କରିଦେଲା ନୀତୁ ।  ବୋଧହୁଏ ନିଶା ଖସିଗଲା ।
       ଦୁଆର କବାଟ ମେଲା ଅଛି । ସାଥୀମାନଙ୍କୁ ଡାକିଲା ନୀତୁ ଘର ଭିତରକୁ । ଖଟକୁ ଆଉଜି ଶୋଇଥିଲା ତା ବୁଢାବାପ । ବୁଢାବାପକୁ ଡାକିଲା । ଶୁଣି ନ ପାରିବାରୁ ବାପର ଦେହଟିକୁ ହଲେଇଦେଲା । ମୁହଁ ଉପରକୁ ଦେଖାଗଲା ବୁଢାବାପର  । କିନ୍ତୁ ବୁଢାବାପ ନିସ୍ତେଜ ହୋଇ ପଡିଥିଲା କେତେ ସମୟ ଆଗରୁ । ତା ବାପ ଏ ଜୀବନରେ ନାହିଁ, ବିଶ୍ୱାସ କରିପାରିଲାନି ନୀତୁ ସହଜରେ ।  ବୁଢାବାପରେ ପେଟ ଉପରେ ଲଥ୍ କରି ପଡିଗଲା ନୀତୁ ଆଉ କାନ୍ଦିଲା ଆଖିର ଶେଷ ଲୁହ ଝରିବା ପର୍ଯ୍ୟନ୍ତ ।
   ସାଥିସାଙ୍ଗମାନେ ଭାବୁଥିଲେ, ସେମାନେ ନୀତୁର ଗୋରା ଦେହଟାକୁ ଚୁମିଚୁମି ଖାଇଦେଲେ ସିନା ଗରିବ ସୁନ୍ଦରୀ ଝିଅଟିଏ ଭାବି, ହେଲେ ନୀତୁକୁ ତା ବୁଢାବାପଠୁ ଅଲଗା କରିଦେଲେ ସବୁଦିନ ପାଇଁ । 
   ନୀତୁକୁ କ୍ଷମାମାଗିଲେ ସାଥୀମାନେ ।  ନୀତୁର ବୁଢାବାପକୁ ନେଇଗଲେ ଗାଁ ମଶାଣିକୁ କାନ୍ଧେଇ କାନ୍ଧେଇ । ନିଜର ପାପକର୍ମକୁ ମଶାଣିରେ ପୋଡିଦେବାକୁ । 

 ଏଲ୍.ଆଇ.ଜି.  ୧୫,    ନୟାପଲ୍ଲୀ ବ୍ରିଟ୍ କଲୋନୀ, ଭୁବନେଶ୍ବର 

Related Posts

Leave a Reply

Your email address will not be published. Required fields are marked *