ସୁପ୍ରିୟା ପ୍ରଶାନ୍ତ

ଭାଗ –୬

ଶ୍ରୀଧାରା

ଶ୍ରୀ ସହ ଭେଟିବା ପରେ ଯେଉଁ କଳାଶ୍ରମ ଉତ୍ସବ ହୋଇଥିଲା, ସେଠି ମୁଁ ତାକୁ ନାଚିବାର ଦେଖି ନ ଥିଲି। ମୋର ନିଜର କାମ ଥିବାରୁ ମୋତେ ସେଥିରେ ବେଶି ମନୋଯୋଗ ଓ ସମୟ ଦେବାକୁ ପଡୁଥିଲା।

ୟୁ ଟ୍ୟୁବରେ ଶ୍ରୀର ନିଜର ଗୋଟେ ଚାନେଲ ଖୋଜି ପାଇଲି। ସେଥିରେ ଅନେକ ଗୁଡେ ଭିଡିଓ ଥିଲା। ତାର ଗ୍ରାହକ ସଂଖ୍ୟା ମଧ୍ୟ ଦଶ ହଜାରରୁ ବେଶୀ। ମୁଁ ଶ୍ରୀର ନିଜ ବୃତ୍ତି ଓ ନୃତ୍ୟ ପ୍ରତି ଉତ୍ସର୍ଗୀକୃତ ଭାବ ଦେଖି ଖୁସି ହେଲି। ଅବଶ୍ୟ ସେ ସବୁବେଳେ ସେମିତି ଥିଲା। କର୍ମବହୁଳ ଜୀବନରେ ବହୁ ନୃତ୍ୟଶିଳ୍ପୀଙ୍କ ସହ ମୋର ପରିଚୟ ଥିଲା। ସେମାନଙ୍କ ଜୀବନଶୈଳୀ ମୋତେ ଅଳ୍ପବହୁତ ଜଣାଥିଲା। କିନ୍ତୁ ଶ୍ରୀର ସବୁ କିଛି ମୋତେ ନିଆରା ଲାଗୁଥିଲା।

ତାର ସେଇ ଅନବଦ୍ୟ ଆଖି, ନିଜଭିତରେ ହଜିଯିବା, ଆଉ ଯେତେ ଅଦ୍ଭୁତ କଥା…

ମୁଁ ଗୋଟେ ପରେ ଗୋଟେ ଭିଡିଓ ଉପରେ ଆଙ୍ଗୁଳି ଦବେଇଲି। ତାର ଏକାମ୍ର ଉତ୍ସବରେ ମଙ୍ଗଳାଚରଣକୁ ଲକ୍ଷେରୁ ଅଧିକ ଥର ଦର୍ଶକ ଦେଖିଛନ୍ତି। ଶ୍ରୀ ବିଭିନ୍ନ ଜାଗାରେ କରିଥିବା ନୃତ୍ୟ ପରିବେଷଣର ଭିଡିଓ ଛଡା ଆଉ କିଛି ଭିଡିଓ ଯେଉଁଥିରେ ସେ ନୃତ୍ୟ ଶିକ୍ଷା ଦେଉଥିଲା, ସେସବୁ ବି ଛାଡିଥିଲା। ସେଥିରୁ ଗୋଟେ ଭିଡିଓ ମୁଁ ଖୋଲି ଦେଖିଲି। ଶ୍ରୀ ହଲଦୀ ରଙ୍ଗର ଅଭ୍ୟାସ ଶାଢୀରେ ଓଡିଶୀ ଚୌକ କେମିତି କରାଯାଏ ଶିଖାଉଥିଲା। କିଛି ସମୟ ସେଇଟିକୁ ଦେଖି ମୁଁ ଆଉ ଗୋଟେ ଭିଡିଓ ଖୋଲିଲି। ଶ୍ରୀ ତାର ଆଣ୍ଠୁ ଛୁଉଁ ଥିବା ବାଳ ମୁକୁଳା କରି ଗୋଟେ ଚୌକିରେ ବସି ଓଡିଶୀର ଭିନ୍ନ ଭିନ୍ନ ମୁଦ୍ରା ହାତରେ ଦେଖାଉଥାଏ। କେଜାଣି କାହିଁକି ମୁଁ ତାର କୌଣସି ଗୋଟେ ଭିଡିଓ ଆରମ୍ଭରୁ ଶେଷ ଯାଏ ଦେଖି ପାରିଲି ନାହିଁ। ଆଉ ତା ସ୍ୱର ନ ଶୁଣି ଶବ୍ଦରହିତ ଭାବେ ତାକୁ ଦେଖି ଚାଲିଲି। ଗୋଟେ ଭିଡିଓରେ ନୃତ୍ୟ ପାଇଁ କେମିତି ପ୍ରସାଧନ କରିବ, ପୁଣି ଆଉ ଗୋଟେରେ ମୁହଁରୁ ପ୍ରସାଧନ କିପରି ଛଡାଇବ ସେ କଥା ଦେଖାଉଥାଏ।

ଶ୍ରୀ ଯେତେବେଳେ ମଞ୍ଚ ପାଇଁ ପ୍ରସ୍ତୁତ ହେଉଥିଲା, ମୁଁ ତିନି ଚାରି ଥର ତା କୋଠରୀରେ ବସି ତାକୁ ଦେଖିବାର ସୁଯୋଗ ପାଇଥିଲି। ଥରେ ଶ୍ରୀ ମୋ ସହ ବହୁତ ଝଗଡା କରିଥିଲା। ସବୁବେଳେ ସେ ଆଉ ମୁଁ ଏକା ସହରରେ କାମ ପକେଇବାକୁ ଚେଷ୍ଟା କରୁ, ତା ହେଲେ ଆମେ କିଛି ସମୟ ବାହାର କରି ବୁଲିବାକୁ ଯାଇପାରୁ। ସେମିତିରେ କିନ୍ତୁ ବେଶି ସମୟ ମିଳୁ ନ ଥିଲା। ତା ଛଡା ଆମ ଭଳି ନୂଆ କଳାକାରଙ୍କୁ କେତେ ବା ନିମନ୍ତ୍ରଣ ମିଳୁଥିଲା। କେବେ କେବେ ସେଇ କାର୍ଯ୍ୟକ୍ରମ ବ୍ୟତୀତ ଆଦୌ କଥା ହେବାକୁ ବି ସମୟ ମିଳୁ ନ ଥିଲା, ଏକାଠି ହେବା ତ ଦୂରର କଥା। ସେଥର ସେ ଜିଦ୍ ଲଗେଇ କହିଥିଲା ମୋର କିଛି କାମ ନ ରଖି ତା ସହ ବରହମପୁର ଯିବାକୁ। ସେଠିକାର ଗୋଟେ ସାଂସ୍କୃତିକ ଅନୁଷ୍ଠାନରୁ ତାକୁ ଡକରା ଆସିଥାଏ। ଆମ ଦେଖା ହେବାର ପ୍ରାୟ ଦେଢ ବର୍ଷ ପରେ କେତେ ଆଶା ଆଶଙ୍କା ଭିତରେ ଦୁଇଦିନ ତା ସହ ଏକାଠି ବିତେଇବା ସମ୍ଭବ ହେଇଥିଲା।

ସେଦିନ ସନ୍ଧ୍ୟାରେ ତାର ମଞ୍ଚ ଅଭ୍ୟାସ ଥିଲା। ମୁଁ ସେଠିକି ଯାଇ ନଥିଲି। ମୁଁ ଚାହୁଁ ନଥିଲି ଆମ ଅନ୍ତରଙ୍ଗତାକୁ ଲୋକେ ଜାଣନ୍ତୁ। ଆମ ପେଶାଦାର ଜଗତର ଚାରି କାନ୍ଥ ତ ପରଚର୍ଚ୍ଚା, ପରନିନ୍ଦା, ସମାଲୋଚନା ଆଉ ଚୁଗୁଲିକୁ ନେଇ ଗଢା। ଆଉ ପ୍ରେମ ଫ୍ରେମ ବ୍ୟାପାର ଗନ୍ଧ ପାଇଲେ ଆମ ଲୋକେ କାହାର ପ୍ରତିଭା ବା ସୁଗୁଣ ଭୁଲି କେବଳ ବ୍ୟକ୍ତିଗତ ଜୀବନକୁ ନେଇ ବ୍ୟବସ୍ଥିତ ଭାବେ ଟୀକା ଟିପ୍ପଣୀ ଦେବାରେ ଲାଗିଯାଆନ୍ତି।

ସେଦିନ ସନ୍ଧ୍ୟାରେ ଶ୍ରୀ ଫେରୁ ଫେରୁ ଡେରି ହେଲା। ଆମେ ଆଉ ବାହାରକୁ ଯାଇ ଏକାଠି ଖାଇ ପାରି ନଥିଲୁ। ସେ ଏକବାରେ କ୍ଲାନ୍ତ ହୋଇ ପଡିଥାଏ ଆଉ ଖୁବ୍ ଗମ୍ଭୀର ଦେଖା ଯାଉଥାଏ। ଗୋଟେ ଗୋଟେ ଦିନର କଥା କେତେ ସ୍ପଷ୍ଟ ହେଇ ମନେ ରହିଥାଏ!

ଶ୍ରୀ ଦର୍ପଣ ଆଗରେ ବସି ମୁହଁରୁ ପ୍ରସାଧନ ଛଡାଇବାରେ ବ୍ୟସ୍ତ। ମୋତେ ବି କେମିତି ଅଦ୍ଭୁତ ଲାଗୁଥାଏ। ମୁଁ ମନ ହାଲୁକା କରିବାକୁ କହିଲି, “ଶୁଣ, ଆମର ପ୍ରଚଣ୍ଡ ଯୁବ ପ୍ରତିଭା ପଣ୍ଡିତ ଶ୍ରୀଧର ମୋତେ ଦି ଦିନ ତଳେ କଣ କହିଲେ! କଲ୍ୟାଣ ଭାଇ, ଆପଣଙ୍କ ସାଙ୍ଗରେ ରାଗ ଭୈରବ ଯୁଗଳବନ୍ଦୀ ଗୋଟେ କରିବାକୁ ମୋର ଭାରୀ ମନ। ମୁଁ ତାକୁ କହିଲି — ତୁମର ଯୋଉ ଅସାମାନ୍ୟ ଗଳା, ମୁଁ କଣ ସ୍ୱର ମିଶେଇ ଗାଇ ପାରିବି?”

“ତୁମେ ନା ସତରେ କି ବଦମାସ୍! ସମସ୍ତଙ୍କର କଣ ତୁମ ଭଳି ଈଶ୍ୱରଦତ୍ତ ପ୍ରତିଭା ଅଛି?” ଶ୍ରୀ ହସିଲା।

“ସେ ତ ଗଦଗଦ୍ ହେଇଗଲା। ମୋର ଯେ କି ଅବସ୍ଥା ହେଲାଣି, ତୁମେ କଣ ବୁଝିବ? ଆଗେ ତାକୁ ଦେଖିଲେ ବିରକ୍ତ ଲାଗୁଥିଲା। ଆଉ ଏବେ? ଯୋଉ ଲୋକର ନାଁରେ ଶ୍ରୀ ଅଛି ତାକୁ ଦେଖିଲେ ମୁଁ କି ଖୁସି ହେଇଯାଉଛି!”

ଶ୍ରୀ ଆଖିରୁ ବହଳ କଳା ଅଲିଭ ତେଲଭିଜା କନାରେ ପୋଛୁଥିଲା। ରାତି ଆକାଶରେ ତାରା ଭଳି ସେ ଆଖି ମିଟି ମିଟି କଲା।

“ଏ ଯେଉଁ ମାନସିକତା — କାଲି ସକାଳେ ଗୀତ ଗାଇ ଶିଖିଲି, ଆଜି ନିଜକୁ ପଣ୍ଡିତ କହି ବୁଲିବି, ଦି ଦିନ ପରେ ବଡ ଗୋଟେ ପୁରସ୍କାର ଦରକାର। ଆହୁରି ବାହାସ୍ଫୋଟ ଶୁଣ — ଅଠର ମାସରେ ଅଠରଟା କ୍ୟାସେଟ୍ ବାହାର କରି ଅଠରନଳା ସାଙ୍ଗରେ ସଙ୍ଗାତ ବସିବି!”

“ତୁମେ ନବପ୍ରତିଭା ସଂଗୀତ ପ୍ରତିଯୋଗୀତାରେ ବିଚାରକ ହେଇକି ଯିବା ଆଗରୁ ଯୋଉ ପ୍ରସ୍ତୁତ ହୁଅ, ଏମିତି ସମୀକ୍ଷା କରିବି, ସେମିତି ଗୋଡ ଟାଣିବି, ସେଇଟା କଣ? ନୂଆ ଗାୟକଙ୍କ ମୁହଁରୁ ପ୍ରଶଂସା ଶୁଣିବାର କି ଜୋରଦାର ପ୍ରୟାସ!” ଶ୍ରୀ ମୁହଁ ଓ ହାତ ଠାଣିରେ ମୋର ନକଲ କଲା।

ମନେହେଲା ସେ କଣ୍ଢେଇଟେ, ମୁଁ ତାକୁ ପକେଟରେ ପୂରେଇ କୁଆଡେ ଏକାବେଳେ ପଳାନ୍ତି କି! କହିଲି, “ମୁଁ ଯଦି ଏମିତି ଉଦାର ହେବି, ଡହରା ଗୁଡାଙ୍କୁ ତୁଛ ନ କରିବି, ବଞ୍ଚିବି କେମିତି?”
“କାହିଁକି, ତୁମ ପାଇଁ ସଂଗୀତ ଯଥେଷ୍ଟ ନୁହେଁ?”
“ତୁମେ ହିଁ ଯଥେଷ୍ଟ, ତୁମେ, ତୁମେ।”
“ହଉ ହେଲା।”

ମୁଁ ତା ପାଇଁ ମୋ ଆତୁରତା ବଖାଣିଲେ, ସେ ଏ ପଦଟି ଥଟ୍ଟାରେ ବରାବର କହେ। କାଲି ସକାଳେ ତାର ନୃତ୍ୟୋତ୍ସବ। ସେ ମୁହଁ ପରିଷ୍କାର କରି ସାରି ପାଦରୁ ଭାରି ପାଉଁଜି ଖୋଲିଲା। ହଳଦୀମରା ଅଳତାଲଗା ତା ପାଦ, ଚାଙ୍ଗୁଡିଏ କେତକୀ କୁସୁମ।

ସକାଳପାଇଁ ସବୁ ଜିନିଷ ସଜାଡି ଆସି ମୋ ହାତ ଉପରେ ମୁଣ୍ଡ ରଖି ଶୋଇଲା। ମୋ ପାପୁଲିରେ ଅସଂଖ୍ୟ ଯେତେ ରେଖା — ଜୀବନ ରେଖା, ହୃଦୟ ରେଖା, କର୍ମ ରେଖା, ସଂପର୍କ ରେଖା, ପରିବାର ରେଖା, ଭାଗ୍ୟରେଖା — ସବୁକୁ ଆଉଁସୁ ଆଉଁସୁ ତା ଆଖି ମୁଦି ହେଇଗଲା। ମୁଁ ତାର ନିବୁଜ ପଦ୍ମକଢୀ ଆଖିକୁ କେତେ ସମୟ ଚାହିଁ ରହିଲି। ତା ନିଦ ଟିକେ ଭାଙ୍ଗିଗଲା, ନିଦୁଆ ଆଖିରେ ସେ ମୋତେ ଜୁଳୁଜୁଳୁ କରି କେତେ କ୍ଷଣ ଅନେଇ ଶୋଇପଡିଲା। ମୋର ମନେ ହେଲା କେଜାଣି କେତେ କାଳରୁ ମୋ ଚେତନା ଖଣ୍ଡ ଖଣ୍ଡ ଇତଃସ୍ତତଃ ଘୁରି ବୁଲୁଥିଲା, ଆଉ ଏବେ ଗୋଟିଏ ଜାଗାରେ ରୁଣ୍ଡ ହେଇଯାଇଛି; ମୁଁ ଭବଘୂରା ଯେମିତି ମୋ ଆଦିନୀଡକୁ ଫେରିଆସିଛି। ସ୍ଵପ୍ନରାଇଜରେ ମୁଁ ଗାଇଚାଲେ ଅସରନ୍ତି ଗୀତ, ପବନରେ ଭରିଯାଏ ମୋ ଅନାହତ ନାଦ ସ୍ଵରର, ମୋ ଆତ୍ମାର ଧ୍ଵନୀ ପ୍ରତି ଧ୍ଵନୀ।

ମୋର ସେଇ ଶ୍ରୀମୟ ସତ୍ତା ତାହା କେଉଁଠି କେମିତି ହଜିଗଲା? ଆଉ ତାର ସେଇ ଶେଷ ଚିଠି? କେତେ କଣ ଯେ ସେ ଲେଖିଥିଲା, ମୁଁ ବୁଝି କି ବି ବୁଝିନି।

ମୁଁ ଆଉ ତୁମ ପାଖକୁ ଚିଠି ଲେଖିବିନି, ଗତଥର ଡାକ୍ତର ମୋ ଉପରେ ବିରକ୍ତ ହେଲେ—ମୁଁ ଭଲ ହେବାକୁ ଚାହୁଁନି, ତାଙ୍କ ବାରଣ ସତ୍ତ୍ୱେ ତୁମ ସହ ଯୋଗାଯୋଗ ରଖୁଛି, ମୋର ତ ପୁରା ଜୀବନ ପଡିଛି, ମୁଁ କେତେ ଭଲ ନର୍ତ୍ତକୀ, ଆଉ କେତେ ସଫଳ ହେଇପାରିବି ଇତ୍ୟାଦି। ତୁମେ ବି ମୋତେ ବୁଝେଇବାକୁ ଚେଷ୍ଟା କରିଛ; ମୁଁ କଳାକାଶରେ ବିଜୁଳି ଭଳି ଚମକିଲେ ତୁମେ ଦୂରରୁ କେତେ ଖୁସି ହେବ; ତାହା ହିଁ ତୁମର କାମନା, ତାହା ହିଁ ତୁମର ପ୍ରାର୍ଥନା। ମୋର ଯେତିକି ମୁଣ୍ଡ ଠିକ୍ ଅଛି, ସେତିକିରେ ମୁଁ ବୁଝିପାରୁଛି—ତୁମେ ଗୋ ସଂଗୀତ ଜଗତର ଘଡଘଡି, ଛେନା ଗୁଡ କଦଳୀ ତୁମ ଶୁଭାକାକ୍ଷାଂ। ସହଜେ କଣ ହଜମ ହେଉଛି?

ସେ ଯାହା ହେଉ, ମୋର ଗୁଡେ ଅଭିଜ୍ଞତା ହେଇଗଲା! ନିଷ୍କର୍ସ ଆଉ କଣ? ଯେମିତି ଗୋଟେ ଗୀତର ସୁର ମୁଣ୍ଡ ଭିତରେ ଘୁରୁଛି, ଦରଖଣ୍ଡିଆ, ଅସ୍ପଷ୍ଟ, ଅପୂର୍ଣ୍ଣ; ସେ ସୁର ଅକାଳେ ସକାଳେ ମୋତେ ବ୍ୟସ୍ତ କରୁଛି, ମୋ ମୁଣ୍ଡ କଣ ହେଇଯାଉଛି, ମୋତେ ଭାରି କଷ୍ଟ ହଉଛି। କେଜାଣି କାହିଁକି ଭାବୁଥିଲି ତୁମେ ମୋ ପାଇଁ ପୂରା ପୂରା ସୁରଟି ଖୋଜି ଆଣିଥାନ୍ତ କି?

ଗୋପାଳପୁର ସମୁଦ୍ରକୂଳକୁ ଯାଇଥିଲି। ବେଳାଭୂଇଁରେ ଗୋଡ ଲମ୍ବେଇ, ବାଲିରେ ପାଖାପାଖି ଆମ ଦୁଇ ଜଣଙ୍କ ନାଁ ଲେଖିଲି, ଢେଉ ଆସି ତାକୁ ଧୋଇ ନେଇଗଲା। ମୁଁ ଯେତେଥର ଲେଖିଲି, ଢେଉ ସେତେଥର ଧୋଇନେଇଗଲା। ହଠାତ୍ ଗୋଟେ ବଡ ଢେଉ ଆସି ମୋତେ ପୁରା ଭିଜେଇ ଚାଲିଗଲା। ଏଇ ଯେ କଳାମୟ ସମୁଦ୍ର — ବାଲିର ଦେହପରେ ଢେଉ ପରେ ଢେଉ, ବାଲିର ଦେହ ଭେଦି ଢେଉ ତଳେ ଢେଉ ଛୁଏଁ ଅବା ମାଟିର ଅନ୍ତରକୁ, ଯେଉଁଠି ପଡିଥିବ ନଈ ବୋହି ଆଣିଥିବା ଦୂର ଗାଁର ସ୍ମୃତି, ବଇରାଗୀ ମନର ଚଉତିଶା, ଅବ୍ୟକ୍ତ ଯେତେ ଭାବନା, ଆଦିମ ସବୁ ଇଛା। ଦିଗଦିଗନ୍ତ ଛୁଇଁଯାଏ ଆକାଶ ବିଭୋର ଢେଉ, କେତେଥର କେଜାଣି ମୋତେ ବୁଡେଇ ମୋର ଆତ୍ମସତ୍ତାକୁ ଧୋଇ ଧୋଇ ଫେରିଗଲା।

ଆଜି ସନ୍ଧ୍ୟାରେ ଏଠି ଶ୍ରୀଧରର ଗୋଟେ ସଂଗୀତ କାର୍ଯ୍ୟକ୍ରମ ଅଛି। ଘରୁକୁ ଆସିଥିଲା, ବାରମ୍ବାର କହିକି ଯାଇଛି। ଭାବୁଛି ଯିବି। ମୁଁ ତାକୁ ତୁମ ସହ ଗୋଟେ ଯୁଗଳବନ୍ଦୀ କରିବାକୁ ପ୍ରବର୍ତ୍ତେଇଲି। ତୁମକୁ କେମିତି କଣ କହି ଫୁସୁଲେଇବ, ଦି ଚାରିଟା ବୁଦ୍ଧି ବି ଦେଲି, ତୁମେ ଯେ ଦିନକୁ ଦିନ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁ ଭଳି ଚମକୁଛ ଆଦି କେତେ କଥା। ଦିନା କେତେ ସେ ତୁମ ସାଙ୍ଗରେ ଜୋକ ଭଳି ଲାଗିବ, କି ବଢିଆ ମଜା ହେବ!

(କ୍ରମଶଃ)

ପ୍ରତିମାସ ପ୍ରଥମ ଓ ତୃତୀୟ ଶୁକ୍ରବାରରେ ପଢନ୍ତୁ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ସୁପ୍ରିୟା ପ୍ରଶାନ୍ତଙ୍କ ଏହି ନୂତନ ଉପନ୍ୟାସ କେବଳ www.odishasahitya.com ରେ

Related Posts

2 thoughts on “ଅସମାପ୍ତ

Leave a Reply

Your email address will not be published. Required fields are marked *