ରାମକୃଷ୍ଣ

ହାତ ଛାଡ଼ ନାହିଁ
ଥରେ ଅଲଗା ହୋଇଗଲେ
ଆଉ ପରସ୍ପରକୁ ଭେଟିବାର ସଂଭାବନା କ୍ଷୀଣ
ସମୟ ରଚିଥିବା ଚକ୍ରବ୍ୟୁହରେ…
ଉଡ଼ିବା ପାଇଁ ଆମର ଅନ୍ୟ କୌଣସି ସର୍ତ୍ତ ନଥିଲା
କେବଳ ଚଂଚୁରେ ଚଂଚୁ ଘଷିବା ବ୍ୟତୀତ,
କେତେବେଳେ କାହାର ମାୟାରେ
ଆକାଶରୁ ଓହ୍ଲାଇ ଆମେ ଡାଳରେ ବସିଲେ
ବସା ବାନ୍ଧି ଜନ୍ମଦେଲେ ପ୍ରତିବିମ୍ବକୁ
ଜାଣିହେଲା ନାହିଁ…
ଜାଣିହେଲା ନାହିଁ
କେବେ ଡାଳରୁ ଓହ୍ଲାଇ ବସିଲେ ମାଟିରେ
ଦାନା ଖୁମ୍ପି ଛନ୍ଦିହେଲେ ଜାଲରେ,
କାହିଁ କେତେ ଦୂରକୁ ଘୁଞ୍ଚିଗଲା ଆକାଶ
ପାଦ ଚେରେଇଗଲା ମାଟିରେ…
ଜାଣିହେଲା ନାହିଁ
ଏଥର ସ୍ଵପ୍ନମାନେ ଆସନ୍ତି କେବଳ ନିଦରେ
ସେମାନଙ୍କ ଡେଣା ନଥାଏ
ବସା ସଜାଡ଼ିବାର ବ୍ୟସ୍ତତାରେ
ହାତ ମୁଠାରୁ ଖସି ଯାଉଥାଏ ସୁଖ
ବଳ ବୟସ ଖସି ଯାଉଥାନ୍ତି
ସ୍ଵପ୍ନମାନଙ୍କ ଅକାଳ ମୃତ୍ୟୁରେ…
ହାତ ଛାଡ଼ ନାହିଁ
ଆମର ଡେଣାରୁ ଝଡ଼ି ଗଲାଣି ସବୁ ପର
ଅନନ୍ତତଃ ସ୍ଵପ୍ନମାନଙ୍କ ଡେଣା ଥାଉ
ଆକାଶ ଉଡ଼ାଣ ପାଇଁ ନିଦରେ ।
କୁଦୋପାଲି, ବରଗଡ଼
ଲେଖକ ପରିଚୟ
ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।

