ଅରୁଣ କୁମାର ମିତ୍ର

ସବୁଜିମା ଚାରି ଦିଗ ମେଘମାଳା ଗଗନେ
ପରିଚ୍ଛନ୍ନ ଧୂଳିହୀନ ମୃଦୂ ମନ୍ଦ ପବନେ ।
ପ୍ରଥମ ପୂଜ୍ୟ ଆମ ଦେବତା ଗଣପତି
ଶାରଦୀୟା ଶୁଭାରମ୍ଭ ଉଲ୍ଲସିତ ଧରିତ୍ରୀ ।
ସିଦ୍ଧିଦାତା ଗଜାନନ ବୁଦ୍ଧିଦାତା ବାଣିଜ୍ୟେ
ଆରାଧନା ପ୍ରସ୍ତୁତିରେ ଦୁନ୍ଦୁଭି କର୍ଣ୍ଣେ ବାଜେ ।
ପରମ ଦୟାଳୁ ବାବା ଶାନ୍ତ ସୌମ୍ୟ ଧୀର ଗତି
ଜ୍ଞାନୀ ବୋଦ୍ଧା ପାଦ ତଳେ କରୁଥାନ୍ତି ମୀନତି ।
ଅଭୟ ବରାଭୟ ଦାତା, ସୁଖ ଶାନ୍ତି ସମୃଦ୍ଧି
ତାଙ୍କ କୃପା ଲାଗି ଧନ୍ୟ ଭକ୍ତଙ୍କ ନାହିଁ ଅବଧି ।
ପୁରପଲ୍ଲୀ ଗଳିକନ୍ଦି ବିଦ୍ୟାଳୟ ଗୃହରେ
ସର୍ବ କ୍ଷେତ୍ରେ ସଭିଏଁ ବ୍ୟସ୍ତ ଭକ୍ତି ଶ୍ରଦ୍ଧା ଆଦରେ ।
ହେ ପ୍ରଭୁ ଚତୂର୍ଭୁଜ ଚତୁର୍ଦ୍ଦଶୀ ଆଗତ
ମର୍ତ୍ତ୍ୟେ ପାଦ ରଖ ପ୍ରଭୁ କରନି ଆଶାହତ ।
ଜୟ ଜୟ ଗଣପତି ଗଜାନନ ବେଶ ଧରି
କୋଟିଏ ପ୍ରଣାମ ପ୍ରଭୁ ସିଦ୍ଧିଦାତା ଶ୍ରୀହରି ।
ଯାଜପୁର ରୋଡ଼, ଯାଜପୁର
ଲେଖକ ପରିଚୟ
କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

