ଭୁବନେଶ୍ଵର : ରାୟଗଡ଼ାର ବିଶିଷ୍ଟ ସାରସ୍ୱତ ପରିବାରର ଯୁବ ଲେଖିକା ମହିମା ଗନ୍ତାୟତଙ୍କ ପ୍ରଥମ ପୁସ୍ତକ ତଥା ହିନ୍ଦୀ କବିତା ସଂକଳନ “ଅନ୍ କହୀ ବାତେଁ” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । କଟକ ସ୍ଥିତ ପ୍ରକାଶନ ସଂସ୍ଥା ‘ଆଦିତ୍ୟ ଭାରତ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି କୋରାପୁଟ ସ୍ଥିତ ହୋଟେଲ ଆଲିଶାନ୍ ଠାରେ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଭାବେ ପରିବାର ବର୍ଗଙ୍କ ଗହଣରେ ଲୋକାର୍ପିତ ହୋଇଛି ।
ଲେଖିକାଙ୍କ ପିତା, ଜଣାଶୁଣା କବି ତଥା ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତ ଏହି ପୁସ୍ତକକୁ ଉନ୍ମୋଚନ କରିବା ସହ କନ୍ୟା ମହିମାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥିସହ ପିଲାଦିନରୁ ଆରମ୍ଭ ହୋଇଥିବା ମହିମାଙ୍କ ସାହିତ୍ୟ ଯାତ୍ରାକୁ ସମର୍ଥନ କରିଥିବା ପାଠକ ବର୍ଗ, ବିଭିନ୍ନ ପତ୍ରପତ୍ରିକା ଓ ସାରସ୍ୱତ ମଞ୍ଚଗୁଡ଼ିକୁ ସେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମହିମାଙ୍କ ମାଆ ରୀନା ଗନ୍ତାୟତ, ବଡ଼ ଭଉଣୀ ସାଇ ସନ୍ତୋଷିନୀ ଗନ୍ତାୟତ ଏବଂ ଭଗ୍ନୀପତି ସୁଶୋଭନ୍ତ ସାହୁ ଉପସ୍ଥିତ ରହି ତାଙ୍କୁ ସାଧୁବାଦ ଜଣାଇଥିଲେ । ଗତ ଗ୍ରୀଷ୍ମ ଋତୁରେ ମହିମାଙ୍କ ଉତ୍ସର୍ଗୀକୃତ ସୃଜନଶୀଳ ପ୍ରୟାସ ଓ କଠିନ ପରିଶ୍ରମ ଯୋଗୁଁ ହିଁ ଏହି ପୁସ୍ତକଟି ପ୍ରକାଶ ପାଇପାରିଛି ବୋଲି ପରିବାର ପକ୍ଷରୁ ପ୍ରକାଶ କରାଯାଇଛି ।
ଏତଦବ୍ୟତୀତ ମହିମା ନିଜେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ”ମୁଁ ସର୍ବଦା ମୋର ପାଠକମାନଙ୍କ ପାଇଁ ଲେଖିଛି । ଘରର ପାଠାଗାର ଏବଂ ସ୍କୁଲ ଜୀବନରେ କେନ୍ଦ୍ରୀୟ ବିଦ୍ୟାଳୟ ପାଠାଗାରର ବହିଗୁଡ଼ିକ ମୋତେ ସାହିତ୍ୟ ରଚନା ପ୍ରତି ଆକର୍ଷିତ କରିଥିଲା । ମୋ ବାପାଙ୍କ ସମେତ ମୋ ପିଉସୀ ଦିବଙ୍ଗତା ଲେଖିକା ନିର୍ମଳା ଗନ୍ତାୟତ ଓ ଦାଦା ଦିବଙ୍ଗତ ହାସ୍ୟବ୍ୟଙ୍ଗ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ ପଦାଙ୍କ ଅନୁସରଣ କରି ମୁଁ ଲେଖନୀ ଚାଳନା କରୁଛି । ପରିବାରର ଏହି ସୃଜନଶୀଳ ପରମ୍ପରା ହିଁ ମୋର ସବୁଠାରୁ ବଡ଼ ପ୍ରେରଣା ।”
