ଗେଟୱେ ଓଡ଼ିଶା ସାହିତ୍ୟ ସମାରୋହ -୨୦୨୬

ଭୁବନେଶ୍ୱର : ଯଶ ଲାଳସା ସାହିତ୍ୟରେ ବାଧକ ସାଜେ । ଏଥିରୁ ଉର୍ଦ୍ଧ୍ଵ ଯାଇ ସାହିତ୍ୟିକମାନେ ସର୍ଜନାରେ ମଗ୍ନ ରହିବା ଉଚିତ ବୋଲି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ମାରୁତି ମିଡ଼ିଆ ପକ୍ଷରୁ ଆଜି ମିଳିତ ଭାବେ ଭୁବନେଶ୍ଵରରେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ଵତ ଉତ୍ସବ ‘ଗେଟୱେ ଓଡ଼ିଶା ସାହିତ୍ୟ ସମାରୋହ -୨୦୨୬’ରେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଇ.ଆର.ସି. ଭିଲେଜସ୍ଥିତ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ (ୟୁସିସିଆଇଏଲ୍) ପରିସରରେ ଆୟୋଜିତ ଏହି ସାହିତ୍ୟ ସମାରୋହରେ ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ଉଦଘାଟକ ଭାବେ ଯୋଗ ଦେଇଥିଲେ । ଏହାସହିତ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ କବି ତଥା ଭାରତ ସରକାରଙ୍କ ପତ୍ର ସୂଚନା ବ୍ୟୁରୋ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଖିଳ କୁମାର ମିଶ୍ର, ସମ୍ମାନିତ ଅତିଥି ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଗେଟୱେ ଓଡ଼ିଶାର ସ୍ଵତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମାରୁତି ମିଡ଼ିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମାରୁତି ମିଡ଼ିଆ ସମ୍ପାଦକ ଦିଲୀପ ମିଶ୍ର ପତ୍ରିକା ଓ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଉପଦେଷ୍ଟା କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ପ୍ରାବନ୍ଧିକ ଭାସ୍କର ପରିଚ୍ଛା, ଗାଳ୍ପିକା ହିରଣ୍ମୟୀ ମିଶ୍ର ଓ ମୌସୁମୀ ଦାସ, କବି ଡକ୍ଟର ଗଣେଶ୍ୱର ଜେନା, ଔପନ୍ୟାସିକା ମନୋରମା ସାହୁ ଏବଂ ପ୍ରାବନ୍ଧିକା ପ୍ରୀତିଛନ୍ଦା ଧଳଙ୍କୁ ‘ଗେଟୱେ ଓଡ଼ିଶା ସାହିତ୍ୟ ସମ୍ମାନ -୨୦୨୬’ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ପତ୍ରିକାର ନିୟମିତ ଲେଖକ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ, ପ୍ରଦୀପ ପ୍ରମାଣିକ, ଅରୁଣ କୁମାର ନାୟକ, ଡକ୍ଟର ଦ୍ଵିତୀ ଚନ୍ଦ୍ର ସାହୁ ଏବଂ ଶ୍ରୀମତୀ ଅନସୂୟା ପଣ୍ଡାଙ୍କୁ ‘ଗେଟୱେ ଓଡ଼ିଶା ସାରସ୍ଵତ ପ୍ରତିଭା ସମ୍ମାନ -୨୦୨୬’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଶିଷ୍ଟ ଶିଳ୍ପପତି ସୁନୀଲ ରାଉତ ଓ ପବିତ୍ର ରାଉତରାୟଙ୍କୁ ‘ଗେଟୱେ ଓଡ଼ିଶା ପ୍ରିୟ ବନ୍ଧୁ ସମ୍ମାନ – ୨୦୨୬’ ପ୍ରଦାନ କରାଯାଇଥିଲାବେଳେ ସାହିତ୍ୟିକ ଡକ୍ଟର ନଟବର ପ୍ରଧାନ, ସଞ୍ଜୟ ବରାଳ ଏବଂ ଜୟ ନାରାୟଣ ନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହେଲା । ବିଶିଷ୍ଟକବି ତଥା ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ମିଶ୍ର ସଭାପତି ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହ-ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଯୁବକବି ସୁବ୍ରତ କୁମାର ସେନାପତି ସଂଯୋଜନା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥି କବିମାନେ କବିତା ପାଠ କରିବା ସହିତ ସମ୍ବର୍ଦ୍ଧିତ ହୋଇଥିଲେ । ପରିଶେଷରେ ମାରୁତି ମିଡ଼ିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସର୍ବଶ୍ରୀ ରାଜୀବ ରଥ, ନୃସିଂହ ପ୍ରସାଦ ନନ୍ଦ, ଅଭିଷେକ ମିଶ୍ର ଏବଂ ଶ୍ରୀମୟା ରଥ ପ୍ରମୁଖ ସହଯୋଗ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *