ଭୁବନେଶ୍ଵର : ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଗୁରୁବାର ଦିନ ଭୁବନେଶ୍ଵର ସ୍ଥିତ ନିଜର ବାସଭବନରେ ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ବିଗତ କିଛି ଦିନ ହେବ ସେ ହୃଦରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି । ଆଜି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।
ସୂଚନା ଥାଉ ଯେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ୧୯୫୫ ମସିହାରେ ଜନ୍ମିତ ସଦାନନ୍ଦ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୦୩ ମସିହାରେ ‘ସତୀ’ ନାମକ ଗଳ୍ପ ପୁସ୍ତକ ପାଇଁ ପୁରସ୍କୃତ ହୋଇଥିଲେ । ‘ଅନ୍ୟଜଣେ ସଦାନନ୍ଦଙ୍କ ମୃତ୍ୟୁ ପରେ’ ହେଉଛି ତାଙ୍କର ଏକ ଲୋକପ୍ରିୟ ଗଳ୍ପ ସଂକଳନ । ସେହିପରି ତାଙ୍କର ଚର୍ଚ୍ଚିତ ଗଳ୍ପ ଭିତରେ ‘ରଙ୍ଗନାଥ ଘଡ଼େଇ’, ‘ଝଡ଼ି ପୋକର ପର’,’ଅନ୍ଧାରରେ ଦିନେ’ ଏବଂ ତାଙ୍କର ଶେଷ ବହି ‘ଦେଶାଚାର’ ଥିଲା । ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୩୪ ବର୍ଷ କାଳ ଚାକିରି କରିବା ପରେ ଅବସର ନେଇଥିଲେ ।
ଗାଳ୍ପିକ ସଦାନନ୍ଦଙ୍କ ମୃତ୍ୟୁରେ ସାରା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ସୂଚନାନୁସାରେ ତାଙ୍କର ଦୁଇ ଜ୍ଵାଇଁ ତାଙ୍କୁ ମୁଖାଗ୍ନି ଦେଇଥିଲେ ।
