ପ୍ରଦୀପ କୁମାର ପଣ୍ଡା

ତମେ ଶବ୍ଦ
ମୁଁ ତୁମକୁ ଲେଖେ
ତୁମକୁ ନେଇ ମୁଁ ହଟ୍ଟଗୋଳ କରେ ।

ତୁମେ କିନ୍ତୁ ନୀରବ
ନୀରବତାଠୁ ବଳି ଅଧିକ ନୀରବ ।
ତୁମେ ବସ୍ତୁତଃ ଜଡ଼
ମୁଁ ମୋର ଅହଂକାର ପିନ୍ଧେଇ
ତୁମକୁ ଜୀବନ ଦିଏ
ଯେମିତି ଈଶ୍ଵର ମତେ !

ତୁମର ମୃତ୍ୟୁ ନାହିଁ
ମୁଁ ଲାଗିପଡ଼ି ତୁମକୁ ମରଣ ଶିଖାଏ ।

ତୁମେ ଏକ ପୋଢ଼
ମୋ ନିର୍ମିତ ଗୁହାଳରେ ରହ,
ଚାହିଁଲେ ତୁମର ଶିଙ୍ଗରେ ମତେ
ଭୁଷି ଦେଇପାରିବ,
ତୁମେ କିନ୍ତୁ ଚାହଁନା ।

ତୁମେ ଏକ ବହି
ଯାହାର ମଲାଟକୁ ପସନ୍ଦ ନକରି
ପୃଷ୍ଠା ସବୁ ଚରି ଖାଇପାରିବେ ଡିଆଁ,
ଡିଆଁମାନେ କଥା ହେଉଥିବେ ଯେଉଁ ଭାଷାରେ
ତାହା ତୁମର ଆକୃତି ନୁହେଁ ।

ତୁମେ ଶବ୍ଦ,
ରେଖାରେ ଅଙ୍କିତ ଏକ ଛବି
ମନ୍ଦ ନିସ୍ପନ୍ଦ ଏକ ଧ୍ଵନି
କରୁଣାଏ ହିଂସା
ଲୁହେ କବିତା
ଧ୍ଵଂସୀ ନୀରବତା ।

ବୃନ୍ଦାବନ ବିହାର, ସମ୍ବଲପୁର

ଲେଖକ ପରିଚୟ

ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।

Related Posts

Leave a Reply

Your email address will not be published. Required fields are marked *