ପୁଲ୍ଲକିତ ହେବ ଧରା

ଗୀତାଞ୍ଜଳି ପୃଷ୍ଟି

କୋଟି ଲାବଣ୍ୟକୁ ଉପହାସ କରି
ତୁମ ରୂପକାନ୍ତି ହସେ
କହ କଳାକାହ୍ନୁ କଳାଠାକୁରହେ
ଏମିତି କାହିଁକି ଦିଶେ ll

ରଥ ପଥ ଆଜି ଶୋଭା ପାଉଅଛି
ତୁମ ଦିବ୍ୟ ସ୍ପର୍ଶ ପାଇ
ଦେବତା ମାନବ ସର୍ବେ ଏକାକାର
ଭାବ ଭକ୍ତି ସୁଧା ନେଇ ll

କେଡ଼େ ଅନୁପମ ରହସ୍ୟ ଗହନ
ବୁଝିବାକୁ କେ ସମର୍ଥ
ଜଗତ କରତା ଆହେ ଜଗନ୍ନାଥ
କରୁଅଛି ମଥାନତ ll

ଦୟଣା କୁସୁମ ତୁଳସୀର ହାର
କଣ୍ଠେ ପାଉଅଛି ଶୋଭା
ସୁବର୍ଣ୍ଣର ଚିତା ଶ୍ରୀଅଙ୍ଗ ଶୋଭିତା
ଲକ୍ଷେ ଜ୍ୟୋତିପୂର୍ଣ୍ଣ ଆଭା ll

ରତ୍ନ ସିଂହାସନୁ ଆସିଛ ଓଲ୍ହାଇ
ସ୍ୱଦେହରେ ବଡ଼ ଦାଣ୍ଡେ
ଭାଇ ଭଉଣୀଙ୍କୁ ଦେଖି ଭକ୍ତଗଣ
ସ୍ଥାଣୁ ହୋଇଯାନ୍ତି ଦଣ୍ଡେ ll

ଶଙ୍ଖକ୍ଷେତ୍ର ଆଜି ପଡୁଛି ଉଛୁଳି
ରୋମାଞ୍ଚିତ ରମ୍ୟବନ
ଶ୍ରୀଅଙ୍ଗ ପରଶେ ବହୁଛି ସମୀର
ଛୁଇଁ ଛୁଇଁ ଭକ୍ତ ଜନ ll

ବଡ଼ଦଣ୍ଡ ଧୂଳି ଆବେଗେ ଅସ୍ଥିର
ଅସୁମାରୀ ଆଶା ନେଇ
ଭକ୍ତ ଭଗବାନ ଏକତ୍ର ଯେଉଁଠି
ନିର୍ବିକାର ଭାବ ବହି ll

କି ମାୟା ତୁମର ହଟିଆ ନାଗର
ଭକ୍ତ ମନ ଜିଣା ରୂପ
ହରିବୋଲ ସଙ୍ଗେ କମ୍ପେ ହୁଳହୁଳି
ସଂକୀର୍ତ୍ତନ ଅନୁରୂପ ll

ରାଥ ବି ବିଭୋର ପଥ ବି ବିଭୋର
ଭକତ ବିଭୋର ପଣ
ଆନନ୍ଦେ ଉଛୁଳି ଅଶ୍ରୁ ପଡ଼େ ଗଳି
କି ଭାବ ମନମୋହନ ll

ପଣ୍ଡା ପଢିହାରୀ ଦଇତା ପତିଙ୍କ
ଆବେଗିକ ଭାବ ଧାରା
ନାଚେ ଦେବଦାସୀ ନାଚୁଛି ଶ୍ରୀକ୍ଷେତ୍ର
ଶ୍ରୀଜୀଉଙ୍କ ଯାତ୍ରା ପରା ll

କିଏ ଶୁଣାଉଛି କିଏବା ଶୁଣୁଛି
ତୁମ ଲୀଳା ଖେଳା ରାଜି
କିଏ ଦେଖାଉଛି କିଏବା ଦେଖୁଛି
ଶତ ଶୋଭାଙ୍ଗନ ସୃଜି ll

ସଜାଇ ରଖିଛି ମନ ବଡ଼ଦାଣ୍ଡ
ପ୍ରଭୁ ତୁମ ପ୍ରତୀକ୍ଷାରେ
ଆସିବ କି କେବେ ଶ୍ରଦ୍ଧା ଟିକେ ନେଇ
ଭିଜି ଯିବି କରୁଣାରେ ll

ଆତ୍ମା ପରମାତ୍ମା ମହାମିଳନରେ
ପୁଲ୍ଲକିତ ହେବ ଧରା
ଉଛୁଳି ଉଠିବ ଆନନ୍ଦ ଉଲ୍ଲାସେ
ପୁଣ୍ୟ ତପୋବନ ସାରା ll

ସଫିପୁର, କଟକ ସଦର, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *