ମହେଶ୍ଵର ବିଶ୍ଵାଳ
ଶେଷ ଠିକଣାର ଠିକଣା କେ ଭୁଲେ
ଦେହ ଦରଜାର ଅନ୍ତିମ ଘାଟ
ହଜିଯାଏ ସବୁ ସୁଖଦୁଃଖ ଯହିଁ
ମାଟିରେ ମିଶଇ ମାଟିର ଘଟ ।
ଜନମରୁ ମୃତ୍ୟୁ ବାଟ ଦି ଚାଖଣ୍ଡ
ଚାଲୁଚାଲୁ ସଞ୍ଜ ହୋଇବ ଆସି
ଲୁହ ଆଉ ହସ ସାଉଁଟି ଚାଲିଛୁ
ହିସାବ କରିବୁ ଶେଷରେ ବସି ।
କେତେ ଢିପ ଖାଲ କେତେ ନଈନାଳ
କେତେ ବଣ ଭୂଇଁ କରିଛୁ ପାରି
ଅନୁଭୁତି ମୁଣି ସାଇତି ରଖିଛୁ
ଛ’ଖଣ୍ଡ କାଠରେ ଶୋଇବୁ ପାରି ।
ବଡ଼ ସାନ କିଛି ଫରକ ନପଡ଼େ
ଧନୀ କି ନିର୍ଧନୀ ସମାନ ସବୁ
ଛ’ଖଣ୍ଡ କାଠକୁ ଛ’ଫୁଟର ଗାତ
ସମ୍ବଳ ବୋଲି ତୁ ସାଥେ ପାଇବୁ ।
ସମ୍ପର୍କର ଡୋରି ଛିଣ୍ଡିଗଲେ ଥରେ
ପର କି ଆପଣା ସବୁ ସମାନ
ଲୁହ ଦୁଇଠୋପା ଦି’ଦିନ ଗଡ଼ିବ
ଦଶ ତୁଠ ପରେ ହେବୁ ସପନ ।
ଲୋଭ ଲାଭ କ୍ଷତି ଫରକ ନଥାଏ
ଧଳା ବିଛଣାରେ ଶୋଇବୁ ଯେବେ
ଖଇ କଉଡ଼ି ଯେ ବିଞ୍ଚୁଥିବେ ଆଗେ
ବନ୍ଧୁପରିଜନ ସାଥିରେ ଥିବେ ।
ଜୀବ ଯେଉଁ କ୍ଷଣି ଛାଡ଼ିଯିବ ତୋତେ
ନାମ ବଦଳରେ କହିବେ ଶବ
ଛୁଇଁ ଦେଲେ ତୋତେ ହୋଇବେ ଛୁଆନ୍ତା
ମୁହୂର୍ତ୍ତେ ବଦଳେ ଠିକଣା ତବ ।
ଜନ୍ମରୁ ମରଣ ହଜାରେ ଠିକଣା
କାଲି ଯାହା ଥିଲା ବଦଳେ ଆଜ
ଶେଷ ଠିକଣା ତ ବିଧିର ବିଧାନ
କୋଟି ଜନଙ୍କର ଗୋଟିଏ ଶେଯ ।
ଅଫେରା ଦୁଆରେ ପଶିଗଲେ ଥରେ
ନିମିଷେ ହୋଇବୁ ଜୁଇ ପାଉଁଶ
ମାଟିରେ ମିଶିବ ତୋ ମାଟି ଶରୀର
ଜୀବନୀ ତୋହର ହୋଇବ ଶେଷ ।
ପୋଖରୀପୁଟ, ଭୂବନେଶ୍ଵର
ଲେଖକ ପରିଚୟ
ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ତର୍କ ଓ ଦର୍ଶନ ଶାସ୍ତ୍ର ବିଷୟରେ ଅଧ୍ୟାପନା କରି ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଅବସର ନେଇଛନ୍ତି । ଓଡ଼ିଆ ସାହିତ୍ୟ ପ୍ରତି ପ୍ରଗାଢ ଆଗ୍ରହ ତାଙ୍କୁ ଗତ ଅଢ଼େଇ ବର୍ଷ ହେବ ବୋଧଗମ୍ୟ ଭାଷାରେ ଓଡ଼ିଆ ଛନ୍ଦ କବିତା ଲେଖିବାକୁ ପ୍ରେରିତ କରିଥିଲା । କବିତା ଲେଖିବା ତାଙ୍କ ପେଶା ନୁହେଁ କି ସେ ଜଣେ ଚିହ୍ନା କବି ମଧ୍ୟ ନୁହନ୍ତି । ମାତ୍ର ଫୁରସତ ମିଳିଲେ କବିତା ଲେଖି, ଓଡ଼ିଆ ସାହିତ୍ୟ ପ୍ରତି ନିଜର ଅବଦାନ ଦେଇ କିଛିଟା ଆତ୍ମସନ୍ତୋଷ ପାଆନ୍ତି ।