ଲତିକା ମହାପାତ୍ର
ହଜିଯାଇଛି କିଛି
ଯାହା ମୁଁ ଖୋଜୁଛି
ମୋ ଅଜାଣତେ..
ହଁ, ଚୋରି ହୋଇଛି ମେଞ୍ଚାଏ ମଖମଲୀ
ମୁଲାୟମପଣ
ଆପଣାର ମଣିଷଙ୍କ ଅନାଦର ଉପେକ୍ଷାରେ..
ଜଡ଼ ନିଥର ପାଲଟିଛି ମନ
ଅସୁମାରୀ ଆଘାତରେ,
ଚାରିପାଖ ମୁହଁମାନଙ୍କ
ଅବିବେକୀ ପଣରେ..
ବାରମ୍ବାର ରଙ୍ଗ ବଦଳାଉଥିବା
ମୋ ଚାରିପଟ ଚରିତ୍ରମାନଙ୍କୁ
ଭୟ କରିଚି ବହୁତ ବେଶୀ..
ଜୀବନ କହିଲେ
ବୁକୁତଳ ଗହୀରିଆ ଦୁଃଖ
ଅସରନ୍ତି ଶୋଷ
ସମୁଦ୍ରେ ଅବଶୋଷ
ଏ ଅସ୍ତିତ୍ଵର
ରୁକ୍ଷ ବନ୍ଧୁର ଇଲାକାରେ
କେବେ ଢଳଢଳ
କୋମଳ ରେଶମୀ ସ୍ଵପ୍ନଭୂକ ମନ
ପ୍ରେମ ପାଇଁ ସାତ ଦରିଆର ଲୁହ
ଆବେଗ ଉଛୁଳା ହୃଦୟ
ଅଧୀର ଅଥୟ ପାଦ
କବିତାର ଜଳନ୍ତା ନିଆଁ କୃଷ୍ଣଚୁଡା..
ଆଜି କାଇଁ ସ୍ତବ୍ଧ ନିର୍ଜନ ମରୁଭୂମି !!!
ସମୟ ଆଉ ସମ୍ପର୍କର ନିର୍ଦ୍ଦୟ ପ୍ରହାରେ..
ଖୋଜୁଛି ସେ ବିଭୋର ମୁହୂର୍ତ୍ତମାନଙ୍କୁ
ଜୀବନର ଚଲାପଥ ପରେ..
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।