ବିଦ୍ୟାଧର ପଣ୍ଡା

ମିଶ୍ରବାବୁଙ୍କ ଘରେ ଏବେ ଖୁସିର ରାଜତ୍ଵ । ପୁଅ ବାହାଘରଟା ଭଲରେ ଭଲରେ ସରିଯାଇଛି । ତାଙ୍କ ଏକୋଇରବଳା ବିଶିକେଶନ ମାନସ । ଗୋଟିଏ ବୋଲି ପୁଅ, ଝିଅ ନାହିଁ । ମାନସଟା ପିଲାଦିନରୁ ଅତି ସୁକୁମାରିଆ । ତାକୁ ଅତି ଗେଲବସର କରି ବଢ଼ାଇଛନ୍ତି ମମତା । ପିଲାଦିନରୁ ଉତ୍ତମ ସଂସ୍କାର ଶିଖାଇଛନ୍ତି । ପାଠପଢି ଯୋଗ୍ୟ ହେବାପରେ ବି ସିଏ ସେମିତି ନମ୍ର, ଶାନ୍ତ, ସୁଧାର ଓ ବାପମା’ଙ୍କ ଆଜ୍ଞାଧୀନ ହୋଇ ରହିଛି । ବିଦ୍ୟାଳୟକୁ ଯିବାବେଳେ ଯେମିତି ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠୁଥିଲା, ଏବେବି ସେମିତି । ପିଲାଦିନର ଏଇ ଉତ୍ତମ ଅଭ୍ୟାସଟାକୁ ଏବେବି ଛାଡିନି ମାନସ ।

ପୁଅ ପାଇଁ ମମତାଙ୍କର ଚିନ୍ତା ନାହିଁ । ହେଲେ କଥାଟା ରହିଛି ବୋହୂ ପାଖରେ । ଯୁଗ ବଦଳୁଛି ନା ! ସିଏ ନିଜେ ଯଦି ଯଦି ସମତାଳରେ ନବଦଳିବେ ତେବେ କେମିତି ହେବ !

କଥାଟା ତାଙ୍କର ବେଶ୍ ମନେ ଅଛି । ସମୁଦୁଣୀ ନିର୍ବନ୍ଧ ଦିନ ପରା ତାଙ୍କୁ କାନେକାନେ କହିଥିଲେ । ଝିଅଟା ଆମର ପଢ଼ାପଢ଼ି କରିବା ପାଇଁ ହଷ୍ଟେଲରେ ରହିବା ଦିନଠାରୁ ଡେରିରେ ଉଠିବାର ମନ୍ଦ ଅଭ୍ୟାସରେ ପଡ଼ିଯାଇଛି । ଆପଣ ଦୟାକରି ଏଇ ମାମୁଲି କଥାଟିକୁ ଗଣ୍ଠି କରି ଧରିବେନି । ଦେଖିବେ ଦିନ କେଇଟା ଭିତରେ ସବୁକିଛି ସୁଧୁରିଯିବ । ଆପଣ ଅଛନ୍ତି ନା ! ଆମର କିଛି ଚିନ୍ତା ନାହିଁ ।

ମା’ପରି ଶାଶୁଟିଏ ହେବାର ମଧୁର ମାନସିକତାରେ ମଗ୍ନ ମମତାଙ୍କୁ ଗଲା ରାତିସାରା ଭଲ ନିଦ ହୋଇନି । ଟିକିଏ ଗଡ଼ି ପଡ଼ିଥିବେ କି ନାଇଁ, ଆଖିପତା ଲାଗି ଆସୁଥିବ ଆଉ ସଙ୍ଗେସଙ୍ଗେ କେମିତି ଗୋଟାଏ ଚା‌ଉଁଚାଉଁ ଲାଗି ନିଦଟା ଭାଙ୍ଗି ଯାଉଥିବ । ଭୋର୍ ପାଞ୍ଚଟା ବାଜିଗଲା । ଆଉ ଶୋଇ ପାରିଲେନି । ଉଠିଲେ, ମୁହଁ ଧୋଇଲେ । ସିଧା ଟ‌ଏଲେଟ୍‌ରେ ପଶିଗଲେ । ଉଦ୍ଦେଶ୍ୟ ଗାଧୁଆପାଧୁଆ ସାରି ଫୁଲ ଆଣି ଠାକୁର ପୂଜା ସାରିଦେବେ । ପୂଜାବେଳେ ସମୁଦୁଣୀଙ୍କ ସସ୍କାରୀ ଝିଅ, ମାନେ ତାଙ୍କ ଶିକ୍ଷିତା ବୋହୂକୁ ଡାକିବାକୁ ପଡ଼ିବନି ! ଶ୍ଲୋକ ଆବୃତ୍ତି ଶୁଣି ତ ସିଏ ତ ଆପେ ଉଠି ପଡିବ ! ଏମିତି ଏକ ସୁନ୍ଦର ଭାବନା ଭିତରେ ଆଛନ୍ନ ମମତା ପୋଛାପୋଛି ହୋଇ ଶାଢୀ ପାଲଟି ଗାଧୁଆଘରୁ ବାହାରି ଗଲେ । ହେଲେ ଏ କ’ଣ ଦେଖୁଛନ୍ତି ସେ ?

ବୋହୂ ତାଙ୍କର ସୋଫା ଉପରେ ଅଳସୀ ରାଜକନ୍ୟା ପରି ନିଜକୁ ଲୋଟାଇ ଦେଇଛି । ନିଦରେ ନୁହେଁ ଅର୍ଦ୍ଧଶାୟିତ ଅବସ୍ଥାରେ । ଓଠରୁ ଝରୁଛି ଖିଲ‌ଖିଲ୍ ହସ । ଏତିକି ଦେଖୁଦେଖୁ ମମତାଙ୍କ ପେଟ ପୁରି ଉଠିଲା । ସମୁଦୁଣୀ ତାଙ୍କର ଠିକ୍ କହିଥିଲେ । ଦିନ ପାଞ୍ଚଟା ଯାଇନି ତାଙ୍କ ବୋହୂଟା ବଦଳିଗଲା ! ସତରେ ବୋହୂଟି ମୋର ନିଶ୍ଚୟ ଭାରି କାମିକା !

ମମତା ଗାଧୁଆ ଘରୁ ବାହାରିଲେ । ଶିବାନୀ ସେମିତି ସୋଫାରେ ବସିଥାଏ, ହାତରେ ଧରିଥିବା ମୋବାଇଲ୍ ପରଦା ଉପରେ ଲଟକି ରହିଥାଏ ନଜର । ମମତା ମାତୃସୁଲଭ ମଧୁବୋଳା ସ୍ଵରରେ କହିଲେ- “ଆରେ ମା’, ଏତେ ସକାଳୁ କାହିଁକି ଉଠିଲୁ । ପିଲାଲୋକ, ଦେହ ଖରାପ ହେବ । ଆଉ ଟିକିଏ ପରେ ଉଠିଥିଲେ କ’ଣ ଚଳି ନଥାନ୍ତା ? ତୋର ପରା ହଷ୍ଟେଲରେ ରହି ଟିକିଏ ଡେରିରେ ଉଠିବାର ଅଭ୍ୟାସ ହୋଇ ଯାଇଥିଲା ।“

ମମତାଙ୍କ କଥା ଶୁଣି ଶିବାନୀ କୋମଳ ସ୍ଵରରେ କହିଲା- “ବ୍ୟସ୍ତ ହୁଅନ୍ତୁନି ବୋଉ, ଏବେ ଟିକେ ଡିପି ଆଉ ଷ୍ଟାଟସ୍ ଅପ୍‌ଡେଟ୍ କରି ଦେଉଛି । ସାଙ୍ଗସାଥୀଙ୍କୁ ସକାଳର ଶୁଭେଚ୍ଛା ବାର୍ତ୍ତା ପଠାଇ ଦେଉଛି । କାମ ସାରି ପୁଣି ଟିକିଏ ଶୋଇ ପଡ଼ିବି । ଆପଣ ତ ଗାଧୋଇକି ପୂଜାପୂଜି ସାରି ଦେଲେଣି । ମର୍ଣ୍ଣିଂ ଟି ବନେଇଲା ବେଳେ ମତେ ପ୍ଲିଜ୍ କପେ ଷ୍ଟ୍ରଙ୍ଗ୍ ଟି’ ଦେବେ । ଦେଖିବେ, ସକାଳଟା ପୁରା ଜମିଯିବ । ମେନି ମେନି ଥ୍ୟାଙ୍କ୍ସ ଇନ୍ ଆଡଭାନ୍‌ସ, ମାଇଁ ସୁଇଟ୍ ବୋଉ ।“

ମଧୁର ବାଣୀରେ ମନ କିଣିବାରେ ଓସ୍ତାଦ କାମିକା ବୋହୂର ଅପୂର୍ବ ଦକ୍ଷତାରେ ଚକିତ ହୋଇ ଯାଉଥିଲେ ମମତା । ତାଙ୍କୁ ଲାଗୁଥିଲା ଝରକା ଫାଙ୍କରେ ପଶି ଆସୁଥିବା ସୂର୍ଯ୍ୟକିରଣ ଫେଣ୍ଟା ଧୂଳିକଣାଗୁଡ଼ିକ ସେମିତି ଅଚାନକ ନିଶ୍ଚଳ ହୋଇ ଯାଇ କେବଳ ତାଙ୍କୁ ହିଁ ଉପହାସ କରୁଥିଲେ ।

ଅଢେଇଗୁଣ୍ଡି, କାନପୁର, କଟକ- ୭୫୪୦୩୭

ଲେଖକ ପରିଚୟ

୧୯୮୭ରୁ ଆରମ୍ଭ ଲେଖାଲେଖି । ଖୁସି ପାଇ ଖୁସି ଦେବାକୁ ଲେଖେ । ଜେଜେମା’ର ପୁରାଣପାଠ ଓ ଶିକ୍ଷକଙ୍କ ମଧୁର ତାଡ଼ନା ହିଁ ମୋ ପ୍ରେରଣାର ଉତ୍ସ । ମୋ ମତରେ ସାହିତ୍ୟ ହେଉଛି କଳ୍ପନା ଓ ବାସ୍ତବତାର ଏକ ଅଦ୍ଭୁତ ସମ୍ମିଶ୍ରଣ । ସଂକଟର ଆବର୍ତ୍ତରେ ଜୀବନ, ପୁସ୍ତକ ପ୍ରକାଶ ତେଣୁ ସପନ । (ଓଡ଼ିଶାର ପ୍ରାୟ ସମସ୍ତ ପ୍ରତିଷ୍ଠିତ ଖବରକାଗଜ ଓ ସାହିତ୍ୟ ପତ୍ରପତ୍ରିକାରେ ଗଳ୍ପ, କବିତା ଓ ଆଲେଖ୍ୟ ପ୍ରକାଶ ପାଏ)

Related Posts

One thought on “କାମିକା

Leave a Reply

Your email address will not be published. Required fields are marked *