‘ଅକ୍ଷର ଭୂମି’ରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ସମଗ୍ର ବିଶ୍ଵରେ ଓଡ଼ିଆ ଭାଷାକୁ ସମୃଦ୍ଧ, ଲୋକପ୍ରିୟ ଓ ଗ୍ରହଣୀୟ କରିବା ନିମନ୍ତେ ଆୟୋଜିତ ଏହି ସମ୍ମିଳନୀରେ ଭାଷା ଗବେଷକ, ଭାଷାବିତମାନେ ଯୋଗ ଦେଇ ବ୍ୟାପକ ବିଚାର ବିମର୍ଶ କରିବେ । ଏହି ସମ୍ମିଳନୀକୁ ସ୍ମରଣୀୟ ତଥା ସଫଳ କରିବା ପାଇଁ ଭୁବନେଶ୍ୱର ସ୍ଥିତ କଳାମଣ୍ଡପ ପରିସରରେ ନିର୍ମାଣ ହେଉଛି ଅକ୍ଷର ଭୂମି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ କଳାମଣ୍ଡପ ଯାଇ ଅକ୍ଷର ଭୂମିର ଅଗ୍ରଗତି ସମୀକ୍ଷା କରିଛନ୍ତି । ଦୁଇ ହଜାର ଆସନ ବିଶିଷ୍ଟ କଳାମଣ୍ଡପ ସମ୍ମିଳନୀ କେନ୍ଦ୍ର ରାଜ୍ୟର ସବୁଠାରୁ ବଡ଼ ସମ୍ମିଳନୀ କେନ୍ଦ୍ର ହେବାକୁ ଯାଉଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ସମ୍ମିଳନୀ କେନ୍ଦ୍ରର ନିର୍ମାଣ ଦାୟିତ୍ୱ ଇଡ୍କୋ ବହନ କରିଛି । ଶ୍ରୀ ପଣ୍ଡିଆନ କଳାମଣ୍ଡପ ପରିସରରେ ନିର୍ମାଣଧୀନ କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଳାମଣ୍ଡପର ଆଭ୍ୟନ୍ତରୀଣ ସାଜସଜ୍ଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରାଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀକୁ ଚିର ସ୍ମରଣୀୟ କରିବା ପାଇଁ ଅକ୍ଷର ଭୂମିକୁ ଖଣ୍ଡେଲାଇଟ ପଥରରେ ନିର୍ମାଣ କରାଯାଉଛି । ଏହାସହିତ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି । ଭବିଷ୍ୟତ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ ଜନସାଧାରଣଙ୍କ ସୁବିଧାକୁ ନଜରରେ ରଖି ବେସମେଣ୍ଟରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଉଛି । ୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ବିଡ଼ିଏ ଉପାଧ୍ୟକ୍ଷ ବଳବନ୍ତ ସିଂ, ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦଶ, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *