ଲେଖିକା ଅମିୟବାଳା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ଵର : ବିଶିଷ୍ଟ ଶିକ୍ଷାବିତ, ଲେଖିକା ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ଅମିୟବାଳା ପଟ୍ଟନାୟକ ୭୮ ବର୍ଷ ବୟସରେ ଇହଲୋକ ପରିତ୍ୟାଗ କରିଛନ୍ତି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଉଚ୍ଚକୋଟୀର ସାହିତ୍ୟ, ଲେଖା ଓ ଅନୁବାଦ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।

ତାଙ୍କର ୭ଟି କବିତା ପୁସ୍ତକ ଓ ୨୨ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଆଦି ଭାଷାର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଫଣିଶ୍ୱରନାଥ ରେଣୁଙ୍କ ମୂଳ ହିନ୍ଦୀ ଗଳ୍ପ ସଂକଳନ ‘ରେଣୁ ରଚନା ସଂଚୟନ’କୁ ଓଡ଼ିଆ ଭାଷାରେ ଅନୁବାଦିତ କରି, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

୧୯୪୯ ଜାନୁଆରୀ ପହିଲାରେ ବାପା ଭିକାରି ଚରଣ ପଟ୍ଟନାୟକ ଓ ମାତା ରଜନୀରାଣୀ ପଟ୍ଟନାୟକଙ୍କ କନ୍ୟା ସୁଶ୍ରୀ ଅମିୟବାଳା ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଓଡ଼ିଆରେ ଏମ ଏ ଓ ୧୯୭୯ରେ ଏମ ଏଡ କରିବା ପରେ ନିଜ କର୍ମମୟ ଜୀବନ କୋଲକାତା ରାମକୃଷ୍ଣ ମିସନରେ ଡିଟିବି ଭାବେ ଆରମ୍ଭ କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଓ କଳିଙ୍ଗ ସାହିତ୍ୟ ସମାଜର ସଭାପତି ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ରହି ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଅନୁବାଦ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଶତାବ୍ଦୀ ସମ୍ମାନ ଓ ଝଙ୍କାର ଅନୁବାଦ ପୁରସ୍କାର ସହ ବହୁ ସମ୍ମାନ ଓ ପୁରସ୍କାର ମିଳିଥିଲା ।

ସୂଚନାନୁଯାୟୀ ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପରଲୋକଗତ ଖବର ଶୁଣି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *