ଭୁବନେଶ୍ଵର : ଯେବେ ଜଣେ ଦରଜି କପଡ଼ା ସିଲାଇ କରିବା ସମୟରେ ଆଙ୍ଗୁଠିରେ ଛୁଞ୍ଚି ଫୁଟି ରକ୍ତ ବାହାରେ ଏବଂ ଏହି ରକ୍ତର ଛିଟା ସିଲାଇ ହେଉଥିବା କପଡ଼ାରେ ଲାଗିଯାଏ, ତେବେ ସେ କ୍ଷେତ୍ରରେ ରକ୍ତଠାରୁ କପଡ଼ାର ଢେର ବଢିଯାଏ ବୋଲି କହିଛନ୍ତି ମରାଠୀ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର-୨୦୨୪ ବିଜେତା ଦେବୀଦାସ ସୌଦାଗର । ସେ ରେଡ଼ିମେଡ୍ ପୋଷକର ଲୋକପ୍ରିୟତା ବୃଦ୍ଧି ଯୋଗୁ ପାରମ୍ପରିକ ଦରଜିମାନେ ସମ୍ମୁଖୀନ ହେଉଥିବା ଆହ୍ଵାନ ଏବଂ ଜୀବିକା ନିର୍ବାହ ଲାଗି ସେମାନଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଛନ୍ତି । ଏତେ ବାଧାବିଘ୍ନ ସତ୍ତ୍ୱେ ସେ ସାରସ୍ଵତ ସାଧନାକୁ ବ୍ରତ ରୂପରେ ଗ୍ରହଣ କରିଛନ୍ତି ।
କେବଳ ଦେବୀଦାସ ନୁହନ୍ତି ଏଭଳି ସଂଘର୍ଷମୟ ଘଟଣା ଘଟିଛି ଗୁଜୁରାଟୀ ଭାଷାର ଯୁବ ଲେଖିକା ରିଙ୍କୁ ରାଠୋଡ଼ଙ୍କ କ୍ଷେତ୍ରରେ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଯୁବ ପୁରସ୍କାର ପାଇବାରେ ସେ ପ୍ରଥମ ଗୁଜୁରାଟୀ ଆଦିବାସୀ କଥାକାର । ସାକ୍ଷରତା କ୍ଷେତ୍ରରେ ସଂଘର୍ଷ କରୁଥିବା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରୁ ଆସିଥିବା ରିଙ୍କୁ ଛଅ ଭଉଣୀଙ୍କ ମଧ୍ୟରେ ସବା ସାନ । ବାପମାଙ୍କ ସଂଘର୍ଷ ଓ ତାଙ୍କ ଅଧ୍ୟବସାୟ ବଳରେ ସେ ଆଜି ଏହି ପୁରସ୍କାର ପାଇପାରିଛନ୍ତି । ଖାଲି ଏତିକି ନୁହେଁ ପ୍ରଥମ ଥର ପାଇଁ ଉଡ଼ାଜାହାଜରେ ଯାତ୍ରା କରିପାରିଛନ୍ତି । ଅନୁରୂପ ଭାବେ ମାତୃଭାଷା ବଙ୍ଗାଳୀ ହେବା ସତ୍ତ୍ୱେ ଯୁବ ଲେଖକ ଅଞ୍ଜନା କର୍ମକାର ସାନ୍ତାଳୀ ଭାଷା ପାଇଁ ଯୁବ ପୁରସ୍କାର ହାତେଇଛନ୍ତି । ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀରେ ଯୋଗ ଦେଇ ଏହି ଯୁବ ପ୍ରତିଭାମାନେ ସେମାନଙ୍କ ଜୀବନର ସୁଖଦୁଃଖ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି ।
ସାହିତ୍ୟ ଏକାଡ଼େମୀର ଉପସଭାପତି ପ୍ରଫେସର କୁମୁଦ ଶର୍ମା କାର୍ଯ୍ୟକ୍ରମରେ ପୌରହତ୍ୟ କରି କହିଲେ, ଯୁବ ଲେଖକମାନଙ୍କ ମଧ୍ୟରେ ପ୍ରଚୁର ସୃଜନଶୀଳତା ଭରି ରହିଛି । ସେମାନେ ନିଜର ଅନୁଭୂତି ଏବଂ ଅନୁଭବକୁ ଖୁବ ସୁନ୍ଦର ଭାବରେ ସାହିତ୍ୟ ମାଧ୍ୟମରେ ପରିପ୍ରକାଶ କରୁଛନ୍ତି । ସାମାଜିକ ସମସ୍ୟାରୁ ପ୍ରେରିତ ହୋଇ ମଧ୍ୟ ସେମାନେ ସାହିତ୍ୟ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀମତୀ ଶର୍ମା କହିଥିଲେ । ସ୍ଵାଗତ ଭାଷଣରେ ସାହିତ୍ୟ ଏକାଡ଼େମୀର ସଚିବ କେ. ଶ୍ରୀନିବାସ ରାଓ ଯୁବ ଲେଖକମାନଙ୍କ ସୃଜନଶୀଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିବା ସଂସ୍କୃତ ଭାଷାର ପୁରସ୍କାର ପ୍ରାପକ ମୁନି ପାର୍ଶ୍ଵସୁନ୍ଦର ବିଜୟଙ୍କ ଭାଷଣ ପାଠ କରିଥିଲେ ।