ବିଶ୍ଵେଶ୍ଵର ମାଝୀ

– ମଉସା ଚା କପ୍ ଦଶଟଙ୍କା ପରା ! ଜାଣିଶୁଣି ପାଞ୍ଚ ଟଙ୍କା ଧରି ଚାଲି ଆସୁଛ କାହିଁକି ?”
ମଉସା ଜଣକ ଉତ୍ତର ଦେଲେ, ଯେଉଁଦିନ ଦଶଟଙ୍କା ଥାଏ ମୁଁ ଦିଏ ନା ! ଯେଉଁଦିନ ନଥାଏ ଆସେ ନାହିଁ । ଆଜି ପାଞ୍ଚ ଟଙ୍କା ଅଛି ରଖି ଥାଅ ।”
– ନା, ପଇସା ନଥିଲେ ଆଉ ଆସିବ ନାହିଁ, ଏଠି ଖଇରାତ ଖାନା ଖୋଲିନି । ମୁଁ ବି ତୁମଠାରୁ ଧନୀଲୋକ ନୁହେଁ ।
ପାଖରେ ବସି ଚା ପିଉଥିବା ଯୁବକ ଜଣେ ଉଠି ଆସି କହିଲେ, “ଭାଇ, ଜଣେ ବୟସ୍କ ଭଦ୍ରଲୋକଙ୍କୁ ଏମିତି କଣ ବ୍ୟବହାର କରୁଛ ? ଚା ଦିଅ, ବାକି ପଇସା ମୁଁ ଦେଇଦେବି ।”
– ରାସ୍ତା ଆରପଟ ତିନି ମହଲା ଘର ଦେଖୁଛନ୍ତି, ଦାମୀ କାର୍ ଦେଖୁଛନ୍ତି, ଆଉ ଗେଟରେ ସେ କୁକୁର; ସବୁ ତାଙ୍କର । ଏଥର କୁହନ୍ତୁ, ସବୁଦିନ ମୁଁ କାହିଁକି ଦେବି ? ଆପଣ ସିନା ଦିନେ ପଇସା ଦେଇଦେବେ ।”
ଯୁବକ କଥାର ସତ୍ୟାସତ୍ୟ ଜାଣିବାକୁ ମଉସାଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଲେ । ସେ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲେ । ଏଥର ଯୁବକ ଆଶ୍ଚର୍ଯ୍ୟରେ କହିଲେ, “ଏ ଦୋକାନୀ ଭାଇଠାରୁ ଅପମାନ ଆପଣଙ୍କୁ ଭଲ ଲାଗୁଛି ?”
– ଭଲ ତ ଲାଗୁନି । ଏତେ ଦିନର ବଦଭ୍ୟାସ ବି ଛାଡ଼ି ହେଉନି । ସକାଳୁ ଉଠିଲେ ଚା କପେ ଦରକାର । ବୋହୂ ଉଠେ ଡେରିରେ । ରୋଷେଇଆ ଆସେ ଆଠଟାରେ ।”
ଯୁବକ ପରାମର୍ଶ ଦେଲେ, “ମାଉସୀ ନାହାନ୍ତି କି ? ନିଜେ ଚା ତିଆରି ଶିଖୁନାହାନ୍ତି ! ବାହାରକୁ ଆସିଲେ ପୁରା ପଇସା ଧରି ଆସୁନାହାନ୍ତି ।”
– ବାବା ଯେଉଁ ଘରଟା ଦେଖୁଛ, ମୋ ପଇସାରେ । ହେଲେ ଏବେ ମାଲିକ ପୁଅବୋହୂ । ମୋର ଅବସରକାଳୀନ ସବୁ ଅର୍ଥ ଖର୍ଚ୍ଚ କରିଦେଇଥିଲି । ମାଉସୀ କଥା ଶୁଣିଲି ନାହିଁ । ରୋଗରେ ପଡ଼ି ଚିକିତ୍ସା ଅଭାବରୁ ଚାଲିଗଲା ସେ, ମତେ ଏକଲା କରି । ଚାଲିଗଲା ଭଲ ହେଲା । ପୁଅ ଶୁଣିବ, ସକାଳୁ ଉଠି ନିଜେ ଚା କରୁଥିଲି । ବୋହୂ ବାରଣ କଲା, ବଦଖର୍ଚ୍ଚ ବଢିଯାଉଛି, ଘରେ ଚା ତିଆରି ବନ୍ଦ । ମୋର ଥିଲା କମ୍ପାନୀ ଚାକିରୀ, ପେନସନ ନାହିଁ । ତେଣୁ ବାଧ୍ୟ ହୋଇ ପରିବା ଆଣିବାବେଳେ ଦର କସାକସି କରି ପାଞ୍ଚ ଦଶ ଟଙ୍କା ଯଦି ବଳିଲା, ହିସାବ ଯୋଡ଼ି ଦେଇଦିଏ, ଚା ଟିକେ ପିଇଦେଇ ଯାଏ । ଯେଉଁଦିନ ବଳେ ନାହିଁ ତ, ଚା ପିଆ ବନ୍ଦ ।”
– ପରିବା ଆଣିବାକୁ ?
ମ୍ଳାନ ହସି ମଉସା କହିଲେ, “ପୁଅବୋହୂ କୁହନ୍ତି, ବେକାର ଘରେ ବସିଛ, ପରିବା ଆଣିଲେ ଚାଲିବା ହେବ, ଶରୀର ସୁସ୍ଥ ରହିବ, ବଜାର ଦର ବି ଜାଣିବ ।
ହେଲେ ଏ ବୁଢ଼ା ଶରୀର ଆଉ ପରିବା ବୋଝ ବୋହିବାକୁ ନାରାଜ । କିନ୍ତୁ ତାଙ୍କ କଥା ମାନିବାକୁ ପଡ଼ିବ । ବୋହୂ ହିସାବ କରି ଚିଠା ସହ ପଇସା ଦିଏ । ଦର ବଢ଼ିଗଲେ, ଦଶ ଜାଗା ବୁଲି ବୁଝିବାକୁ ପଡ଼େ, ଚିଠା ଅନୁସାରେ ସବୁ ନଆଣିଲେ ଦି’ଚାରି କଥା ଶୁଣିବାକୁ ପଡ଼ିବ ।”
ଯୁବକଙ୍କ ଆଖିରେ ଲୁହ ଦେଖି ମଉସା କହିଲେ, “ତୁମର ଯଦି ମାବାପା ବଞ୍ଚିଥିବେ, ଯତ୍ନ ନେବ ବାବୁ । ଏ କୁପରମ୍ପରା ଆଗାମୀ ପିଢିକୁ ଉଧାର ସୁତ୍ରରେ ନଯାଉ । ହଉ ଆସୁଛି । ଦି’ପଦ ମନଖୋଲା କଥା ହେବା ପାଇଁ ଧନ୍ୟବାଦ ।”
ଚା ଦୋକାନୀ ଏଯାଏଁ ସବୁ ଶୁଣୁଥିଲେ, ଧାଇଁ ଆସିଲେ ଚା କପେ ଧରି । କହିଲେ, “ମଉସା ଆଜିଠାରୁ ମୁଁ ଗୋଟାଏ ପୁଅ ଆପଣଙ୍କର, ଚା ସବୁଦିନ ମୋ ତରଫରୁ । ନଜାଣି ଯେତେ କଟୁ କଥା କହିଛି, ପାରିବେ ତ ମତେ କ୍ଷମା କରିଦେବେ । ହଁ, ଅନ୍ୟ କିଛି ଆବଶ୍ୟକତା ଥିଲେ ମଧ୍ୟ ମୁହଁ ଖୋଲି କହିବ । ମୁଁ ତ ବାପମା’ଛେଉଣ୍ଡ ପିଲାଦିନରୁ, କିଛି ପିତୃଋଣ ପରିଶୋଧ ସୁଯୋଗ ଦିଅନ୍ତୁ ।”
ଘରକୁ ଫେରିବା ପୂର୍ବରୁ ଯୁବକ ଜଣକ ଚା ଦୋକାନୀ ସହ ଫୋନ ନମ୍ବର ବିନିମୟ କରି କହିଲେ, “ଭାଇ, କେବେ ମଉସାଙ୍କର କିଛି ଅସୁବିଧା ହେଲେ ମତେ ଜଣାଇବ, ଯଦି କିଛି ସାହାଯ୍ୟ କରିପାରିବି । ପୁତ୍ ନରକରୁ ଉଦ୍ଧାର କରିବାକୁ ମଣିଷ ପୁଅ ଜନ୍ମ ପାଇଁ ପୂଜା ବ୍ରତ କରେ, ହେଲେ ଯଦି ନିଜ ହାତରେ ଗଢ଼ା ଘର ନରକ ହୁଏ, ଭଗବାନ ବରଂ ନିଃସନ୍ତାନ କରନ୍ତୁ, ସୃଷ୍ଟି ଆଗକୁ ନଯାଉ ।”
ମଉସା ସେତେବେଳକୁ ରାସ୍ତା ପାରିହୋଇ ଗେଟ ଭିତରେ ପଶୁଥିଲେ, ଆଉ ଗୋଟାଏ ଦିନର ନିଜ ଦୁର୍ଭାଗ୍ୟ ସାମନା କରିବାକୁ ।
ବୈକୁଣ୍ଠ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧
ଲେଖକ ପରିଚୟ
ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି । ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।