ଲାବଣ୍ୟ ନାୟକ

ମାଟିରେ ପାଦ ଥାପିବା ଦିନଠୁ
ପ୍ରତିଥର ଅନ୍ଧ ମୁହାଣରେ
ଝୁଣ୍ଟି ପଡୁଥାଏ,
ବୟସକୁ ପେଡିରେ ଗଣ୍ଠିଲି କରି
ଦୁଃଖକୁ ସାଇତି ରଖେ,
ପୋଖରୀର ପଙ୍କ ପରି
ବୋଳି ହୋଇଥାଏ ସଂସାରର ଦାୟିତ୍ୱ !!

ସବୁ ପ୍ରଶଂସାକୁ ଜୁଡାରେ
ବେଣୀ ପରି ବାନ୍ଧି ରଖେ ତ
ବାପାଙ୍କ ଫଟା ପାଦର ଯନ୍ତ୍ରଣାକୁ
ଆଉଁସି ନପାରି ଭେଦେଇ ଦିଏ
ନିଜ ଭିତରେ ପୁଳାପୁଳା ରକ୍ତ,
ଦରଦୀ ପକେଟକୁ ସଂଚୟ
କରିପାରେନା ବାପାଙ୍କର
ଅଭାବି ମୁହୁର୍ତ୍ତର ଭାବ !!

ସ୍ୱପ୍ନମଗ୍ନା ମନ ନେଇ
ମୁକ୍ତା ଲଗା ପ୍ରେମକୁ
ଗହୀର ପାଣିରେ ପୋତିଦିଏ,
ଦୀର୍ଘ ନିଶ୍ୱାସରେ ପ୍ରେମିକାପଣକୁ
ମଶାଣୀର ମାଟି ତଳେ
ସମାଧି ଦବାରେ ସେ ସିଦ୍ଧହସ୍ତ !!

କେଉଁ ଏକ ଉଦାସ କବିର
ବହି ଥାକରେ ଦାଗଦିଆ
ମୋଡ଼ା ଚିହ୍ନ ହୋଇ
ସଜା ହୋଇଥାଏ ସ୍ତ୍ରୀଲୋକ !!

କେବେ ପୁଣି
ପ୍ରେମହୀନ ଆଖିପତା ତଳୁ
ଆଶା ସବୁ ବୁନ୍ଦ‍ାବୁନ୍ଦା ମୋତି ହୋଇ
ଝୁରି ଝରିପାରେ ଅନାବୃତ,
ନିରାଶାକୁ ଲୁଗା କାନିରେ ବାନ୍ଧି
ଡେଇଁ ପାରେନା ଏରୁଣ୍ତି ବନ୍ଧ !!

ଭଲ ତରକାରୀ ରାନ୍ଧିଲେ ପ୍ରଶଂସା ତ
ଭଲ କବିତା ଲେଖିଲେ
ନିନ୍ଦାର ଗୋହିରୀ ଭିତରେ
ଦଗ୍ଦ ହୋଇ ମୁହଁ ମାଡ଼ି
ଚାହିଁଥାଏ ଯୁଗଟିଏ ହବା ଯାଏ ସମାପ୍ତ !!

ଆଖିର କଜଳ ଗାର ପରି
ସଜା ଅହରହ ତା’ଲାଗି କଳଙ୍କ
ଅବିଶ୍ରାନ୍ତ ଭାବେ ଜଳି ଜଳି
ଦୀପଶିଖା ଲିଭିବା ଯାଏ
ହସିହସି ବାଣ୍ଟୁଥାଏ ତମାମ୍ ଆୟୁଷର ସୁଖ..!!

ଲାବଣ୍ୟ ନାୟକ, କୁଆଁସରପୁର, ଦେବିଦ୍ଵାର, ଯାଜପୁର, ମୋବାଇଲ – ୮୭୬୩୦୭୦୭୯୮

ଲେଖକ ପରିଚୟ
ମୁଁ କବି ନୁହେଁ କିନ୍ତୁ ଲେଖିବାକୁ ଭଲପାଏ । ଚାକିରି ଛାଡିଲା ପରେ beautician କୁ ପ୍ୟାସନ କରିଥିଲି,ଏବେ କିନ୍ତୁ ସାଧାରଣ ଗୃହିଣିଟିଏ । ଏସବୁ ପରେ ବି ଲେଖାଲେଖି ପ୍ରତି ଅହେତୁକ ଆଗ୍ରହ ତେଣୁ ଆଖି ସାମ୍ନାରେ ଘଟୁଥିବା ଏବଂ ମନକୁ ପ୍ରଭାବିତ କରୁଥିବା ଘଟଣାକୁ ନେଇ ଲେଖେ । ପ୍ରାୟ ନବମ ଶ୍ରେଣୀରୁ ଲେଖିବା ଆରମ୍ଭ କରିଛି । ପିଲାଦିନୁ ଗୀତି କବିତା, ସାମାଜିକ କବିତା, ଆଧୁନିକ କବିତା ଆଦି ନାନା ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ବିବାହ ପରେ ଲେଖାଲେଖି ଛାଡ଼ି ଦେଇଥିଲି ହେଲେ ସ୍ୱାମୀଙ୍କ ପ୍ରେରଣାରେ ପୁଣିଥରେ ୨୦୧୪ରୁ ଲେଖାଲେଖିରେ ମଗ୍ନ ମୁଁ । ନିକଟରେ ଏକ କବିତା ସଂକଳନ ପ୍ରକାଶିତ ହୋଇଛି, ଦ୍ଵିତୀୟଟି ପାଇଁ ପ୍ରସ୍ତୁତି ଚାଲିଛି ।

Related Posts

Leave a Reply

Your email address will not be published. Required fields are marked *