ଅରବିନ୍ଦ ଦାସ
ସହକର୍ମୀ ଅରୁଣ ଘରେ, ହାଠାତ୍ ପହଁଚି ତାକୁ ସରପ୍ରାଇଜ ଦେବାକୁ ଭାବିଲା ହିମାଂଶୁ । ସପିଙ୍ଗ ମଲ’ର ପାଖ ଗଳିରେ ଥିଲା ଅରୁଣର ଘର । ଅନେକଥର ନିମନ୍ତ୍ରଣ କଲାଣି । ଆଜି ସପିଙ୍ଗ ସରିଲା ପରେ ନେହାଙ୍କୁ ରାଜି କରାଇ ଦୁହେଁ ପହଂଚିଲେ ଅରୁଣର ପୈତୃକ ଘରେ ।
ସେମାନଙ୍କୁ ଦେଖି ବହୁତ ଖୁସି ହୋଇଗଲେ ଅରୁଣର ପୁରା ପରିବାର । ସୁରେଖା ଭାଉଜ ତରବର ହୋଇ ପକୁଡ଼ି ଓ ଚାହା ବନେଇବାରେ ଲାଗିଲେ । ରାତିରେ ପୁରୀ, ତରକାରୀ, ଖିରି ଖାଇ ଯିବାପାଇଁ ବି ଆଗୁଆ କହିଦେଲେ ।
ନେହା କହିଲା,
-“ଆପଣ ଅଯଥାରେ ହଇରାଣ ହେବେ । ଆମେ ଆଉକେବେ ପୁଣି ଆସିବୁ । ୟାଙ୍କୁ ବାରମ୍ବାର କହୁଥିଲି ଫୋନ୍ କରି ଜଣାଇଦିଅ ।”
-“ଆରେ, ନା,ନା । ହଇରାଣ କଣ ? ସାଙ୍ଗମାନଙ୍କ ଭିତରେ ଫର୍ମାଲିଟି ଦରକାର ନଥାଏ । ଆପଣଙ୍କ ଘରକୁ ଗଲେ ଆପଣ କେତେ ଚର୍ଚ୍ଚା କରନ୍ତି ବୋଲି ଇୟେ କହନ୍ତି । ଆଜି ଆପଣମାନେ ପ୍ରଥମଥର ଆମ ଘରକୁ ଆସିଛନ୍ତି ।” ସୁରେଖା ହସି ଦେଇ କହିଲା ।
ନେହା ଅନାଉଥିଲା ଘରର ଚାରିଆଡ଼କୁ । ସୋଫା ଉପରେ ପିଲାଙ୍କ ଲୁଗା ଓ ଡାଇନିଂ ଟେବୁଲ ଉପରେ ଥିବା ବହି, ଖାତାକୁ ସୁରେଖା ତରବର ହୋଇ ପିଲାଙ୍କ ରୁମରେ ରଖି, ବେଡ଼ରୁମର ବେଡ଼ସିଟଟା ବଦଳାଇ ନେହାକୁ ବସିବାକୁ କହିଲା । ଘରଟା ଏକଦମ ଅସଜଡ଼ା ଓ ଅପରିଷ୍କାର ଲାଗୁଥିଲା ନେହାକୁ । ସବୁଠୁ ବିରକ୍ତିକର ଲାଗୁଥିଲା ଘର କାନ୍ଥ ଓ ଡ୍ରଇଂ ରୁମର ଶୋକେଶଟା । ବିଭିନ୍ନ ମାନପତ୍ର, ସାର୍ଟିଫିକେଟ ବନ୍ଧେଇ ହୋଇ ଝୁଲୁଥିଲା କାନ୍ଥରେ ଓ ଶୋକେଶରେ ଭର୍ତ୍ତି ହୋଇଥିଲା ବିଭିନ୍ନ କପ, ସିଲ୍ଡ଼ ଓ ପୁରସ୍କାର ମୋମେଣ୍ଟୋରେ । କିଛି ଶସ୍ତା ଶୋ ପିସ୍ ଓ ସଫ୍ଟଟୟ ବି ଥୁଆ ହୋଇଥିଲା । ଠାକୁରଙ୍କ କ୍ୟାଲେଣ୍ଡର ଓ ଫ୍ୟାମିଲି ଫଟ ବି ।
– “ଏସବୁ ପ୍ରାଇଜ ପିଲାମାନେ ଓ ଇୟେ ଗପ, କବିତା ଲେଖି ପାଇଛନ୍ତି । ଅରୁଣ ବାବୁ ବି ଲେଖାଲେଖି ଓ ଚିତ୍ର ଆଙ୍କି ଗୁଡ଼ାଏ ପ୍ରାଇଜ ପାଇଛନ୍ତି ବୋଲି ଇୟେ କୁହନ୍ତି । ଆପଣଙ୍କ ଘରେ ତ ବେଶୀ ଥିବ ଏସବୁ ଜିନିଷ । ଆପଣଙ୍କ ଘରଟାକୁ ଆପଣ ବହୁତ ସୁନ୍ଦର ସଜାଇ ରଖିଛନ୍ତି ବୋଲି ଇୟେ କହୁଥିଲେ । ଥରେ ମୁଁ ଯାଇ ଦେଖିବି । ଆମ ଘରେ ଏ ପିଲା ତିନିଟାଙ୍କୁ ସମ୍ଭାଳି ମୋ ସମୟ ପଳାଉଛି ଯେ, ଘର ସଜାଡ଼ିବାକୁ ସମୟ ନାହିଁ । ତେବେ ଶାଶୂ, ଶ୍ଵଶୁର ଏଇଠି ରହୁଛନ୍ତି ବୋଲି ମୁଁ ହଇରାଣ ହେଉନି । ତେବେ ଗତକାଲି ବାପାବୋଉ ଦୁହେଁ ଧାନ ଅମଳ ପାଇଁ ଗାଁକୁ ଯାଇଛନ୍ତି । ସେଥିପାଇଁ ଘରଟା ଖାଲି ଖାଲି ଲାଗୁଛି ।”
ସୁରେଖା କଥା ଶୁଣି ଆଶ୍ଚର୍ଯ୍ୟ ହେଲା ନେହା । ମନେମନେ ଭାବିଲା ଶାଶୂ, ଶ୍ଵଶୁର ଥାଇ କେମିତି ଆରାମ ପାଉଛି ଏ ସ୍ତ୍ରୀଲୋକ ? ହିମାଂଶୁଙ୍କ ଘର ଲୋକ ଆସିଲେ ନେହାକୁ ଅନେକ ଚିନ୍ତା ମାଡ଼ି ବସେ । ସୋଫାରେ ଗୋଡ଼ ଉଠାଇକି ବସିବେ । ଗାଧୁଆ ଘର, ବେସିନ ପାଖରେ ଠିକ କରି ଜିନିଷ ରଖିବେନି । ଡ୍ରଇଂ ରୁମରେ ବସି ଶାଶୂ ମୁଣ୍ଡ କୁଣ୍ଡାନ୍ତି । ପିନ୍ଧା ଲୁଗାକୁ ଯେଉଁଠି ନାହିଁ ସେଠି ଗୁଞ୍ଜି ଦିଅନ୍ତି । ତା’ଛଡ଼ା ଏମିତି କଣ ସବୁ ଘରକୁ ରଖାଯାଏ ? ତା ନିଜର ଦୁଇ ପିଲା ବୋର୍ଡିଂ ସ୍କୁଲରେ । ଛୁଟିରେ ଯାହା ଆସନ୍ତି । ସେଇ ସମୟରେ ବି ନେହା ଅନେକ କଟକଣା ଲଗାଏ, ଯେମିତି ଘର ଅସଜଡ଼ା/ଅସନା ନହୁଏ । ସୋଫାର ଗୋଟେ କୁସନ ଅଥବା ବିଛଣାରେ ପଡ଼ିଥିବା ବେଡସିଟର ଭାଙ୍ଗ ବି ଟିକେ ଏପଟସେପଟ ହେଲେ ସେ ବିରକ୍ତ ହୁଏ ।
ଚା ପିଉପିଉ ଅରୁଣ, ହିମାଂଶୁକୁ ପଚାରିଲା,
-“ତୁ ଏତେ ବଢିଆ ପେଣ୍ଟିଂଙ୍ଗ କରୁ, କିନ୍ତୁ ତୋ ଘରେ ତୋ ନିଜ ପେଣ୍ଟିଙ୍ଗ ତ ଗୋଟାଏ ନାହିଁ ? ଗତଥର ତୋ ଘରେ କଫି ପିଇଲାବେଳେ ଭାବୁଥିଲି ପଚାରିବା ପାଇଁ । ତୋ ପ୍ରାଇଜ, ମାନପତ୍ର ସବୁ କଣ ବେଡ଼ରୁମରେ ରଖିଛୁ ନା କଣ ?
ଅରୁଣ କିଛି କହିବା ଆଗରୁ, ନେହା ଗମ୍ଭୀର ହୋଇ କହିଲା,
-“ମୋତେ ଘର ଭିତରେ ସୋଫିଷ୍ଟିକେଟେଡ଼ ଓ ଏଲିଗାଣ୍ଟଲୁକ୍ ପସନ୍ଦ, ଯାହାକୁ ଓଡ଼ିଆରେ ସମ୍ଭ୍ରାନ୍ତ ପରିବେଶ କୁହନ୍ତି । ଆବୁରୁଜାବୁରୁ ଜିନିଷ ଡ୍ରଇଂ ରୁମ୍ ରେ ଦେଖିଲେ ମୋତେ ଆଲର୍ଜି । ସେଇଥିପାଇଁ କେବଳ ଏମ.ଏଫ.ହୁସେନ, ରାଜା ରବି ବର୍ମା ଓ ଅଞ୍ଜଳି ଇଲା ମେନନଙ୍କ ପେଣ୍ଟିଂଗ ଓ କିଛି ଆଣ୍ଟିକ ଆର୍ଟ ପିସ୍ ଡ୍ରଇଁ ରୁମ୍ ରେ ରଖିଛି । ୟୁ ନୋ, କ୍ଲିନ୍ ଲୁକ୍ ।”
-“ଆଉ ହିମାଂଶୁର ମାନପତ୍ର ଓ ମୋମେଣ୍ଟୋ ସବୁ ?”
ଧୀର ସ୍ଵରରେ ହିମାଂଶୁ କହିଲା, -“ନେହାକୁ ଏସବୁ ପସନ୍ଦ ନୁହେଁ ବୋଲି ଗୋଟେ ପେଟିରେ ପଶି, କପବୋର୍ଡ ଉପରେ ଥୁଆ ହୋଇଛି ।”
ନେହା ଗମ୍ଭୀର ସ୍ଵରରେ କହିଲା,
-“ଇୟେ ସେଇଥିପାଇଁ ଆଗରୁ ମୋ ସହ ଝଗଡ଼ା କରୁଥିଲେ । ନିଜ ପ୍ରଶଂଶା ଶୁଣିବାକୁ ଓ ଦେଖାଇବାକୁ ମୋତେ ଭଲ ଲାଗେନା । ତା’ଛଡ଼ା ଲୋକମାନେ ଜାଣିଛନ୍ତି ଯେ ତମେ ପ୍ରାଇଜ ପାଇଛ । କାନ୍ଥରେ ଟଙ୍ଗାଇଲେ ବା ଶୋକେସରେ ରଖିଲେ ଅଧିକ କଣ ହେବ ? ଫୁଲେଇ ହେବା, ଆତ୍ମପ୍ରଚାର ଛଡ଼ା ଆଉକିଛି ନୁହେଁ । ଏଇଯେମିତି ଘରକୁ କୁଣିଆ ଆସିଲେ, ପିଲାଙ୍କୁ ଡାକି ଆଣି କିଛି ଲୋକ ଇଂଗ୍ଲୀଶ ରାଇମ ଶୁଣାନ୍ତି ।
ହିମାଂଶୁ ମୁହଁଟା ଶୁଖିଲା ଦିଶୁଥିଲା । ମନ ଭିତରେ ସେ ବିଦ୍ରୋହ କରେ । ହେଲେ ଏବେ ସେ ଯୁକ୍ତିତର୍କ ଅପେକ୍ଷା ଚୁପ୍ ରହିବାକୁ ପସନ୍ଦ କରୁଛି ।
ଚା,ପକୁଡ଼ି ଟି’ପୟ ଉପରେ ରଖି ସୁରେଖା କହିଲା,
-“ନିଜ ପିଲା, ସ୍ଵାମୀଙ୍କ ବା ନିଜର ପ୍ରାପ୍ତି, କୀର୍ତ୍ତି, ସମ୍ମାନ ଅନ୍ୟଙ୍କୁ ଦେଖାଇବାରେ ଖରାପ କଣ ? ବରଂ ଖୁସି ଲାଗେ । ଆତ୍ମସନ୍ତୋଷ ମିଳେ, ପ୍ରେରଣା ବି ମିଳେ । ଛୁଆଙ୍କୁ ଜବରଦସ୍ତି କରି ଅନ୍ୟ ଆଗରେ ଓଡ଼ିଆ ବା ଇଙ୍ଗଲିଶ ରାଇମ/ଗୀତ ଶୁଣାଇବା ସପକ୍ଷରେ ମୁଁ ନୁହେଁ । ତେବେ ନିଜ ଘର ବା ଚିହ୍ନାପରିଚିତଙ୍କ କୃତି/ପ୍ରାପ୍ତି ବିଷୟରେ ଅନ୍ୟକୁ ଜଣାଇବାରେ ଅସୁବିଧା କେଉଁଠି ? ପରିବାରର ଖୁସି ହିଁ ଆମ ଖୁସି । ମୋ ହାତ ରନ୍ଧାର ପ୍ରଶଂସା ଇୟେ ସମସ୍ତଙ୍କ ଆଗରେ କରନ୍ତି । ଏସବୁ ଦ୍ଵାରା ମୋତେ ଲାଗେ ପରିବାରରେ ଆନନ୍ଦ, ସ୍ନେହ, ପାରସ୍ପରିକ ଶ୍ରଦ୍ଧା ସମ୍ମାନ ବଢେ । ମୋ ଶାଶୂ ତ ସବୁଦିନ ଏଇ ପ୍ରାଇଜ ସବୁକୁ ନିଜ ଶାଢ଼ୀରେ ପୋଛି, ଗେଲ କରନ୍ତି । ତା’ଛଡ଼ା ଅନ୍ୟ ସେଲିବ୍ରିଟି କିମ୍ବା ଚିତ୍ରକର କଣ ଆମ ଫଟ, ଚିତ୍ର ତାଙ୍କ ଘରେ ଟାଙ୍ଗୁଥିବେ ?”
ଚୁପ୍ ରହିଲା ନେହା । ଘରକୁ ଫେରିଲାବେଳେ ହିମାଂଶୁକୁ କହିଲା,
-“ତାଙ୍କ ଘରଟା କି ଅପରିଷ୍କାର ଓ ଅସଜଡ଼ା କରି ରଖିଛନ୍ତି ? ମୋତେ ତ ଅଣନିଶ୍ୱାସୀ ଲାଗିଲା ।”
ହିମାଂଶୁ ଚଟକିନା କହିଲା,
-“ସେ ଘର ଭିତରେ ଖୁନ୍ଦି ହୋଇଥିବା ସ୍ନେହ ଓ ଆନନ୍ଦ ତମ ଆଖିରେ ପଡ଼ିଲାନି ? ବେଳେବେଳେ ପାରିବାରିକ ବନ୍ଧନ ଆତ୍ମୀୟତା ରୂପୀ ଅମ୍ଳଜାନ ସହିତ ନିହାତି ଅପରିଚିତ ତଥା ଦାମ୍ପତ୍ୟ ପ୍ରେମର ଅସଲ ସୂତ୍ରକୁ ଜାଣି ନଥିବା ଅହଂଭାବ ସମ୍ପନ୍ନ ଲୋକକୁ, ତାଜାପବନ ଓ ଖୋଲା ପରିବେଶରେ ବି ଅଣନିଶ୍ଵାସୀ ଲାଗେ ।”
ମହାରାଣୀପେଟା, ଆନ୍ଧ୍ରପ୍ରଦେଶ, ମୋ-୯୧୭୭୬୦୫୧୦୫
ଲେଖକ ପରିଚୟ
ପେଶାରେ ଭାରତୀୟ ରାଜସ୍ଵ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ ହେଲେ ହେଁ ନିଜକୁ ମୁଁ ସବୁବେଳେ ଜଣେ ଛାତ୍ର ହିଁ ଭାବେ । ପ୍ରତିଦିନ ଗୋଟାଏ ଗପ ଲେଖିବାକୁ ଚେଷ୍ଟା କରେ । ଏଯାବତ୍ ‘ପ୍ରଜାପତିର ନୂଆ ଠିକଣା’, ‘ବିଅର’, ‘ପେଦାପୁରମର ପଦ୍ମା’, ‘ବିଧର୍ମୀ’ ନାମକ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି ।