ଆଜିଠାରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ମହାକୁମ୍ଭର ଆରମ୍ଭ

ଭୁବନେଶ୍ୱର : ଇତିହାସରେ ଓଡ଼ିଆ ଭାଷାର ବହୁ ଐତିହ୍ୟ ଓ ଗୌରବମୟ ଅଧ୍ୟାୟ ରହିଛି । ଓଡ଼ିଆ ଭାଷାର ସତ୍ତା ବଜାୟ ରଖିବା ପାଇଁ ମହାପୁରୁଷମାନେ ଅତୀତରେ କେତେ ଯେ ପରିଶ୍ରମ କରିଛନ୍ତି, ବଳିଦାନ ଦେଇଛନ୍ତି, ତାହା ଅବର୍ଣ୍ଣନୀୟ । କିନ୍ତୁ ବର୍ତ୍ତମାନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗରେ ଓଡ଼ିଆ ଭଷା ନୂଆ ନୂଆ ଆହ୍ଵାନର ସମ୍ମୁଖୀନ ହେଉଛି । ଏହି ଆହ୍ଵାନର ମୁକାବିଲା କରି ଓଡ଼ିଆକୁ ଅଧିକ ଉନ୍ନତ ଓ ଲୋକପ୍ରିୟ କରାଇବାକୁ ଆଜି (ଫେବୃଆରୀ ୩ ତାରିଖ)ଠାରୁ ଆରମ୍ଭ ହେଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଏନେଇ ଭବ୍ୟ ଆୟୋଜନ କରାଯାଇଛି । ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୧ ଟାବେଳେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ପ୍ରଥମ ଥର ପାଇଁ କୌଣସି ଆଞ୍ଚଳିକ ଭାଷା ପାଇଁ ଏଭଳି ଉତ୍ସବ ଆୟୋଜନ ହେଉଥିବାରୁ ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା ଓଡ଼ିଆଙ୍କ ଭିତରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ସମ୍ମିଳନୀରେ କେବଳ ଓଡ଼ିଆ ଭାଷା ପ୍ରସଙ୍ଗରେ ବିଚାର ବିମର୍ଶ କରାଯିବ ନାହିଁ ବରଂ ବୃହତ୍ତର ବିଶ୍ଵ ଆଡ଼କୁ ଓଡ଼ିଆ ଭାଷା କିପରି ଅଗ୍ରସର ତାହା ନିର୍ଦ୍ଧାରଣ କରାଯିବ । ସମ୍ମିଳନୀରେ ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି । ଏହାସହିତ ଏହି ସମୟ ମଧ୍ୟରେ ଭାଷା ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମମାନ କିପରି ଅଧିକାଂଶ ବିଭାଗ ଆୟୋଜନ କରିବ ସେନେଇ ମଧ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ତଥା କମିଶନ ସୁଜାତା ଆର୍ କାର୍ତ୍ତିକେୟନ ଏକାଧିକ ଥର ସମୀକ୍ଷା କରି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି ।

ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ଏକ ପରିଚୟ ହେବ । ଏଥିପାଇଁ ୩ ଦିନରେ ମୋଟ ୧୭ ଟି ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନା ହେବ । ଏହାସହିତ ବିଶେଷଜ୍ଞମାନେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ମାନସମନ୍ଥନ କରିବେ । ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଓ ଦକ୍ଷିଣ ଏସୀୟ ସଂସ୍କୃତି ବିଶେଷଜ୍ଞ ଭାବେ ପରିଚିତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଫେସର ଉୱେ ସ୍କୋଡ଼ା ଏବଂ ଐତିହାସିକ ପ୍ରଫେସର ଆର୍ଲୋ ଗ୍ରିଫିଥ୍ସ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *