ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ଵର : ଭୁବନେଶ୍ଵର ସ୍ଥିତ ଜୟଦେବ ଭବନଠାରେ ‘ସମ୍ବାଦ’ ଗ୍ରୁପର ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ୩୮ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ କହିଛନ୍ତି ଯେ ଲେଖକଙ୍କ କାର୍ଯ୍ୟ ଈଶ୍ଵରଙ୍କୁ ନିଦରୁ ଉଠାଇବା । କେବଳ ନଅଙ୍କ ଦୁର୍ବିକ୍ଷ ବା ପରାଜୟ ପାଖରେ ଲେଖକମାନେ ଅଟକି ରୁହନ୍ତୁ ନାହିଁ । ବରଂ ତାକୁ ଅତିକ୍ରମି ଯାଇ ସାହସୀ କଳିଙ୍ଗର ଗୌରବମୟ ଇତିହାସକୁ ପୁଣିଥରେ ସାମ୍ନାକୁ ଆଣନ୍ତୁ ।

ସେହିପରି ସମାରୋହରେ ଉପସ୍ଥିତ ଥିବା ମୁଖ୍ୟବକ୍ତା ବିଖ୍ୟାତ କଥାଶିଳ୍ପୀ ତଥା ସମ୍ଭକାର ଆନନ୍ଦ ନୀଳକାନ୍ତନଙ୍କ କହିବାନୁଯାୟୀ ଯେକୌଣସି ଭାଷାକୁ ବ୍ୟବହାରର ଆୟୁଧ କରି ସେ ଭାଷାକୁ ଶିଖିପାରେ । ହେଲେ ମାତୃଭାଷାର ବିକଳ୍ପ ନାହିଁ । ମାତୃଭାଷା ହିଁ ଅସଲ ପରିଚୟ ଓ ହୃଦୟର ଭାଷା । ଆନନ୍ଦ ନୀଳକାନ୍ତନ ଓଡ଼ିଶାରେ ପାଠକ ସଂଖ୍ୟା କମୁଥିବା, ବହି ଓ ଚଳଚ୍ଚିତ୍ର ଶିଳ୍ପ ବିକଶିତ ହେଉନଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ।

ଏତଦବ୍ୟତୀତ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ଵ କରି କହିଛନ୍ତି ଯେ ପ୍ରଥମ ଦିନରୁ ହିଁ ‘ସମ୍ବାଦ’ ସହ ସାହିତ୍ୟ ଯୋଡ଼ି ହୋଇ ରହିଛି । ନୂଆ ପାଠକ ଓ ଲେଖକ ସୃଷ୍ଟି କରିବାକୁ ‘ସମ୍ବାଦ’ ଅନବରତ ପ୍ରୟାସ ଜାରି ରଖିଚି ଯାହାର ମୂକ ସାକ୍ଷୀ ୩୭ ବର୍ଷ ତଳେ ଜନ୍ମ ନେଇଥିବା ‘କଥା’ । ଆଜି ଯେ ସେ ଓଡ଼ିଆ ସାହିତ୍ୟ ସୁରକ୍ଷା କବଚ ପାଲଟିଛି କହିଲେ କିଛି ଭୁଲ ହେବନି । ତେବେ ପୂର୍ବଭଳି ନୂଆ ଲେଖକଙ୍କ ସଂଖ୍ୟା କମିବାରେ ଲାଗିଛି ଯାହା ଚିନ୍ତାଜନକ ।

ସେହିପରି ‘କଥା’ର ସମ୍ପାଦକ ବିଶିଷ୍ଟ କଥାକାର ଗୌରହରି ଦାସ ସ୍ଵାଗତ ବକ୍ତବ୍ୟ ଦେଇ କହିଥିଲେ, ସାହିତ୍ୟ ଜଗତକୁ ନୂଆ ପ୍ରତିଭା ନଆସିଲେ ସାହିତ୍ୟର ସ୍ଵାସ୍ଥ୍ୟ ଭଲ ନାହିଁ ବୋଲି ବୁଝିବାକୁ ହେବ । କିନ୍ତୁ ପ୍ରତି ବର୍ଷ ପରି ଫାଲଗୁନ ସନ୍ଧ୍ୟାରେ ଏଠି ନୂଆ ମୁହଁମାନଙ୍କ ମେଲଣ ଲାଗିଛି । ସାହିତ୍ୟ ଜଗତକୁ ନୂଆ ପ୍ରତିଭାମାନଙ୍କୁ ଭେଟି ଦେବା ପାଇଁ ‘କଥା’ର ଏହି ଜୟଯାତ୍ରା ଓଡ଼ିଶାର ସାରସ୍ଵତ ଜଗତକୁ ସମୃଦ୍ଧ କରିଛି । ଏହି ଅବସରରେ ଚଳିତ ବର୍ଷ ୧୦ ଜଣଙ୍କୁ ‘କଥା’ ନବପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ହେଲେ ରୋଜାଲିନ ମୁଦୁଲି, ଜୀବନ ପ୍ରଦୀପ ପ୍ରଧାନ, ରଶ୍ମିରଞ୍ଜନ ରାଉତ, ଭାଗ୍ୟଲକ୍ଷ୍ମୀ ସେଠୀ, ଶୀତଲ ମିଶ୍ର, ଭାଗ୍ୟଶ୍ରୀ ଲେଙ୍କା, ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା, ସଂଘମିତ୍ରା ପଣ୍ଡା, ଶାକମ୍ବରୀ ପ୍ରିୟଦର୍ଶନୀ ସାହୁ ଓ ସ୍ରୋତସ୍ଵିନୀ ପରିଡ଼ା ପ୍ରମୁଖ ।

Related Posts

Leave a Reply

Your email address will not be published. Required fields are marked *