ଜିତେନ୍ଦ୍ର ପରିଡ଼ା

ତୁମେ କହିଥିଲ ଏଇ ଶୀତକୁ
ବୁଣି ଦେବ ଗୋଟେ ସ୍ୱେଟର
ତୁମର ସେ ଚମ୍ପାକଢି ଆଙ୍ଗୁଳିରେ
ସବୁଠୁ ମୁଲାୟମ ଉଲ୍ ଆଉ ସରୁ
କଣ୍ଟାରେ…
ଅଧାଅଧି ବୁଣି ସାରିଲଣି
ଏଥରକୁ ମିଶେଇ
ସାତ ଆଠ ଥର ମାପ ନେଲଣି,
କହୁଛ ସମୟ ମିଳୁନି ।
ଦେଖ ଏତେଟା ସରାଗ ଭଲ ନୁହଁ
ମୋତେ ପରକୀୟା ପ୍ରୀତିରେ
ଭାଗିଦାରି କରନି,
ତମେ ନାଇ ସାରିଛ କାହା ହାତର ଶିକୁଳି,
ମଥାରେ ନାଇଛ
ଆଉ କାହା ସନ୍ତକ ।
ତମେ ଯଦି ସତରେ ବୁଣୁଥାଅ ସ୍ୱେଟର
ବନ୍ଦ କରିଦିଅ,
ନଚେତ୍ ତମ ନାମେ କଳଙ୍କ ଲାଗିଲେ
ମୁଁ ବଞ୍ଚି ଥାଇ ବି ମରିଯିବି ।
ତମେ ମାପ ବଦଳେଇ ଦିଅ
ତମେ ଯାହାର ତା ପଞ୍ଜୁରୀରେ
ଶାରି ହୋଇ ରୁହ
ମୁଁ ସ୍ମୃତିର ସ୍ୱେଟର ଘୋଡି ହୋଇ
ବଞ୍ଚି ରହେ କିଛି କାଳ ।
ରାଣ ରହିଲା ତମକୁ
ତମେ କହିବନି କାହାକୁ ଯେ
ତୁମେ ମୋ ପାଇଁ ସ୍ୱେଟର ବୁଣୁଥିଲ ।
ମୁଁ ସ୍ମୃତିର ସ୍ୱେଟର ଘୋଡି ହୋଇ
ବଞ୍ଚି ରହେ କିଛି କାଳ
ରାଣ ରହିଲା ତମକୁ
ତମେ କହିବନି କାହାକୁ ଯେ
ତୁମେ ମୋ ପାଇଁ ସ୍ୱେଟର ବୁଣୁଥିଲ ।
କେନ୍ଦୁଝର ଗଡ଼, ମୋବାଇଲ – ୯୪୩୭୦୦୬୧୯୬
ଲେଖକ ପରିଚୟ
୨୦୦୪ରୁ ପ୍ରାୟ ୧୭ ବର୍ଷ ହେବ ମୁଁ ଲେଖାଲେଖି କରୁଛି । ପାରିପାର୍ଶ୍ଵିକ ଅବସ୍ଥା ମୋତେ ଲେଖିବାକୁ ପ୍ରେରଣା ଯୋଗାଏ । ସଂସାର ଜଞ୍ଜାଳର କେତୋଟି ସମସ୍ୟା ଯାହାର କୌଣସି ସମାଧାନ ମିଳିପାରେନି , ସେସବୁ ମୋତେ ବ୍ୟତିବ୍ୟସ୍ତ କରିପକାନ୍ତି ଆଉ ସେ ପୀଡ଼ାରୁ ମୁକ୍ତି ପାଇବାକୁ ମୁଁ ତାକୁ କବିତାକୁ ଉତାରେ । “ଛିନ୍ନପତ୍ର” ନାମରେ ଏକ କବିତା ସଂକଳନ ଏବଂ ଗୋଟିଏ ଗଳ୍ପ ସଂକଳନ ଏଯାବତ୍ ଦୁଇ ଖଣ୍ଡ ବହି ମୋର ପ୍ରକାଶିତ ହୋଇଛି ।