ବହି: ମୋବାଇଲ ପତ୍ରକାରିତା (ଭାଷା: ହିନ୍ଦୀ)
ଲେଖକ: ଡ. କୁମାର କୌସ୍ତୁଭ
ପ୍ରକାଶକ: କେକେ ପବ୍ଲିକେଶନ, ପ୍ରଥମ ସଂସ୍କରଣ: ୨୦୧୯
ଦୃଶ୍ୟ-ଶ୍ରାବ୍ୟ ଏବଂ ୱେବ୍ ମଞ୍ଚରେ ମୋବାଇଲ ସାମ୍ବାଦିକତା (ବା ମୋଜୋ) ଗତ କେଇ ବର୍ଷ ହେଲା ତା’ର କାୟା ବିସ୍ତାର କରିସାରିଲାଣି । ଟେଲିଭିଜନ ସାମ୍ବାଦିକତା ଓ ମୋବାଇଲ ସାମ୍ବାଦିକତା କ୍ଷେତ୍ରରେ କେତୋଟି ଫରକ ରହିଛି । ପ୍ରଥମ ଏବଂ ଦୃଶ୍ୟମାନ ଫରକଟି ହେଲା- ଟେଲିଭିଜନ ସାମ୍ବାଦିକତାରେ ଟେଲିଭିଜନ କ୍ୟାମେରା ଜରିଆରେ ଦୃଶ୍ୟଶ୍ରାବ୍ୟ ଘଟଣାମାନ ରେକର୍ଡ କରାଯାଏ । ଆଉ ମୋବାଇଲ ପତ୍ରକାରିତାରେ ମୋବାଇଲ ମାଧ୍ୟମରେ ତାହା କରାଯାଏ ।
ଦ୍ବିତୀୟ ବଡ଼ ଫରକଟି ହେଉଛି, ଟେଲିଭିଜନ ପତ୍ରକାରିତା କ୍ଷେତ୍ରରେ ଯେଉଁଠି ଟେଲିଭିଜନ କ୍ୟାମେରା ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହାର କରାଯାଏ, ସେଥିରେ ଲୋକ ବଳ ବି ଅଧିକା ଲାଗେ ଏବଂ ଏ ଯନ୍ତ୍ରପାତିଗୁଡ଼ିକ ଅଧିକ ବ୍ୟୟ ବହୁଳ। ମୋବାଇଲ ସାମ୍ବାଦିକତା କ୍ଷେତ୍ରରେ ମୋବାଇଲ ମାଧ୍ୟମରେ ଜଣେ ଲୋକ ଘଟଣାକୁ ରେକର୍ଡ କରିପାରିବ, ଏଡିଟ୍ ବି କରିପାରିବ ଏବଂ ଏହାକୁ ପ୍ରସାରଣ ପାଇଁ ପ୍ରସ୍ତୁତ ବି କରିପାରିବ । ଏ ସୁବିଧା ହେବା ଯୋଗୁଁ ୱେବ-ଚ୍ୟାନେଲ୍ ତ ନିଶ୍ଚୟ, ଟେଲିଭିଜନ ଚ୍ୟାନେଲଗୁଡି଼କ ମଧ୍ୟ ମୋବାଇଲ ପତ୍ରକାରିତା ଆଡ଼କୁ ଢଳିଲେଣି । ଏନ୍ଡିଟିଭି ଭଳି କେତେକ ପ୍ରତିଷ୍ଠିତ ଟେଲିଭିଜନ ଚ୍ୟାନେଲ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମୋବାଇଲ ପତ୍ରକାରିତା ଉପରେ ନିର୍ଭର କରୁଛନ୍ତି । ଏଥିରେ ବ୍ୟୟ କମ୍, ଲୋକବଳ କମ୍ ଲାଗିବେ ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସମୟ ବି କମ୍ ଲାଗିବ । ମୋବାଇଲ୍ ଏବଂ ଏହାକୁ ବ୍ୟବହାର କରି ଦୃଶ୍ୟ ଉତ୍ତୋଳନ ପାଇଁ ସରଂଜାମ ସହଜରେ ବହନଯୋଗ୍ୟ ହୋଇଥିବାରୁ ଘଟଣାଟିଏ ଘଟିଲେ ତୁରନ୍ତ ସେଠାକୁ ଯାଇ ଦୃଶ୍ୟ ଉତ୍ତୋଳନ କରି ହେବ । ପ୍ରସାରଣ ବି କରିହେବ । ଇଣ୍ଟରନେଟ୍ ଓ ସ୍ମାର୍ଟ-ଫୋନ୍ର କାରିଗରୀ ଯେତେ ଉନ୍ନତ ହେଉଛି- ମୋବାଇଲ୍ ସାମ୍ବାଦିକତା ବ୍ୟବହାରିକ ଦୃଷ୍ଟିକୋଣରୁ ସେତେ ସୁବିଧାଜନକ ଓ କମ ବ୍ୟୟସାପେକ୍ଷ ହେଉଛି । ତେଣୁ ଅଧିକ ବ୍ୟବହାର ମଧ୍ୟ ହେଉଛି । ୱେବ୍-ଚ୍ୟାନେଲ୍ ଗୁଡ଼ିକ ପାଇଁ ଏହା ଖୁବ ସୁବିଧାଜନକ ହୋଇଛି ।
ମୋବାଇଲ ସାମ୍ବାଦିକତା କ୍ଷେତ୍ରରେ ଭାରତୀୟ ଭାଷାରେ ବହି ବିଶେଷ ନ ଥିଲା । କୁମାର କୌସ୍ତୁଭଙ୍କର ଏ ବହିଟି ସେ ଦିଗରେ ପ୍ରଥମ କେତୋଟି ବହି ଭିତରୁ ଗୋଟିଏ ।
କୁମାର କୌସ୍ତୁଭ ପେଶାରେ ସାମ୍ବାଦିକ । ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ସେ ଦୀର୍ଘ ବର୍ଷ ଧରି ଅଛନ୍ତି । ଦିଲ୍ଲୀରେ ରହନ୍ତି । ଏ ମୋବାଇଲ ପତ୍ରିକାରିତା ବିଷୟରେ ଲେଖିବା ପୂର୍ବରୁ ସେ ‘ଟିଭି ସମାଚାର କି ଦୁନିଆ’, ‘ବିଶ୍ୱ ମିଡିଆ ବିମର୍ଷ’, ‘ଅଣ୍ଡରଷ୍ଟାଣ୍ଡିଂ ୱାର୍ଲଡ ମିଡିଆ’, ‘ମିଡିଆ କା ମାୟାଲୋକ’- ଏମିତି କେତୋଟି ପୁସ୍ତକ ସେ ପ୍ରକାଶ କରିଛନ୍ତି, ଯାହା ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ବ୍ୟବହାର ହୁଏ । ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ଆଗ୍ରହୀ ଲୋକେ ମଧ୍ୟ ଏହାକୁ ପଢ଼ି ପାରନ୍ତି । କୁମାର କୌସ୍ତୁଭ ନିଜେ ମୋବାଇଲ ସାମ୍ବାଦିକତା କରିବା ପାଇଁ ଆରମ୍ଭ କଲା ପରେ ଏଇ ବହିଟି ଲେଖିଛନ୍ତି । ଏଥିରେ ୨୦ଟି ଅଧ୍ୟାୟ ଅଛି । ମୋବାଇଲ ପତ୍ରକାରିତାର ଅବଧାରଣାଠୁ, ଏହାର ବ୍ୟବହାରିକ ଦିଗ- ଅର୍ଥାତ୍ କେମିତି କରିବେ, ଏ ବିଷୟରେ ବେଶ୍ ବିସ୍ତାରିତ ଭାବରେ ଲେଖାଯାଇଛି । ଏଥିରେ ଆଉ କେତୋଟି ବିଷୟ ଅଛି, ଯାହା ସାଧାରଣ ଭାବେ ବର୍ତ୍ତମାନର ସାମ୍ବାଦିକତା ପାଇଁ ବେଶ୍ ଗୁରୁତ୍ୱପୂମ୍ର୍ଣ । ତାହା ଭିତରେ ରହିଛି ମୋବାଇଲ ପତ୍ରକାରିତା; ଗୁଡ୍ ନ୍ୟୁଜ୍, ବ୍ୟାଡ୍ ନ୍ୟୁଜ୍, ଫେକ୍ ନ୍ୟୁଜ୍ । କେମିତି ମୋବାଇଲରେ ଉଠାଇଥିବା ଫଟୋକୁ ଫେକ୍ ନ୍ୟୁଜ୍ ପ୍ରସାରଣରେ ବ୍ୟବହାର କରାଯାଉଛି, ତାହା ଉପରେ ଗୋଟିଏ ଅଧ୍ୟାୟ ଅଛି । ଏଥିରେ ଆଉ ଗୋଟିଏ ବିଷୟ ଅଛି, ଯାହାର ଶୀର୍ଷକ ହେଲା ହାସ୍ ଟ୍ୟାଗ୍ ଜର୍ଣ୍ଣାିଲିଜିମ୍ ଅର ମୋବାଇଲ ପତ୍ରକାରିତା । ସୋସିଆଲ ମିଡିଆରେ ବ୍ୟବହାର ପାଇଁ ଯେଉଁ ସାମ୍ବାଦିକତା କରାଯାଉଛି, ତାକୁ ହାସ୍ ଟ୍ୟାଗ୍ ସାମ୍ବାଦିକତା ବୋଲି କୁହାଯାଉଛି । ଏ କ୍ଷେତ୍ରରେ ମୋବାଇଲ୍ ସାମ୍ବାଦିକତା (ମୋଜୋ) କେମିତି ତାକୁ ସାହାଯ୍ୟ କରୁଛି, ୟାକୁ ନେଇ ଗୋଟିଏ ଅଧ୍ୟାୟ ରହିଛି । ମୋବାଇଲ ପତ୍ରକାରିତାର ଭବିଷ୍ୟତ ନେଇ ମଧ୍ୟ ଗୋଟିଏ ଅଧ୍ୟାୟ ରହିଛି । ମୋବାଇଲ ପତ୍ରକାରିତା କରିବେ କେମିତି?- ତା’ର ଏକ ମାର୍ଗଦର୍ଶିକା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦିଆଯାଇଛି । ମୋବାଇଲ ପତ୍ରକାରିତା ଯେଉଁମାନେ କରୁଛନ୍ତି, ସେମାନଙ୍କ ପାଇଁ ହିନ୍ଦୀରେ ଲିଖିତ ଏ ବହିଟି ବେଶ୍ ଉପଯୋଗୀ ହେବ ।