ଆଶୁତୋଷ ଆଚାର୍ଯ୍ୟ

ସପ୍ତାହ ଗୋଟାରେ ଦୋକାନ ଆଉ ଗରାଖଙ୍କୁ ଆପଣେଇ ନେଲା ବାବୁଲା । ପରିଷ୍କାର ପରିଛନ୍ନଠୁ ଆରମ୍ଭ କରି ହିସାବ କିତାବ, ଆଉ ରୋଷେଇ ବାସର ତନଖି ଯାଏ । ରୋଷେୟା ସୋମେନ ମୁଖାର୍ଜୀଠୁ ଆରମ୍ଭ କରି ବାସନ ମାଜୁଥିବା ବଙ୍ଗାଳୀ ବୌଦି ରେଶମା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକଟ । ସବୁ କାମ ଯେମିତି ଠିକରେ ହେବା ଦରକାର । ତାର ଚଳଚଂଚଳ ଭଙ୍ଗୀକୁ ଦେଖି ସୋମେନ ଦା ଛିଗୁଲେଇ କଣ ସବୁ ବଙ୍ଗଳା ଭାଷାରେ କହିଯାଏ । ୟେ କିଛି ବୁଝିପାରେନା । କ୍ୟାସ କାଉଣ୍ଟର ପାଖରେ ବସିଥିବା ମାଲିକ ଦିନା ସାହୁ, ଯାହା କେବଳ ମୁରୁକି ମୁରୁକି ହସୁଥାଏ ।

ବାବୁଘାଟ । ଗଙ୍ଗା କୁଳିଆ ଜାଗା । କଲିକତା ସହରର ଏକ ପ୍ରମୁଖ ବସ୍ ଷ୍ଟାଣ୍ଡ । ଗହଳ ଚହଳ ଚବିଶି ଘଣ୍ଟା । ଦୋକାନ ବଜାର ଭିଡ଼ । ଆଉ ସେଇଠି ଦିନା ସାହୁର ଦୋକାନ । ମହାକାଳୀ ହିନ୍ଦୁ ହୋଟେଲ । କୋଡିଏ ଫୁଟରେ ସତର ଫୁଟର ଗୋଟେ ଝୁପୁଡି ଘର । ପଶ୍ଚିମ ପଟକୁ ଗୋଟେ ପ୍ଲାଇ ଦିଆ ଅସ୍ଥାୟୀ କାନ୍ଥ ଘରଟିକୁ ଦୁଇ ଭାଗ କରିଛି । ଭାଗେରେ ହୋଟେଲ ଚାଲେ ଆଉ ଭାଗେ ବ୍ୟବହାର ହୁଏ ଶୋଇବା ଆଉ ପରିବାପତ୍ର ରଖିବା ପାଇଁ । କଲିକତାରୁ ବସ ଯୋଗେ ଓଡିଶା ଫେରନ୍ତା ଲୋକଙ୍କ ପସନ୍ଦ ଏଇ ମହାକାଳୀ ହୋଟେଲ । ଶସ୍ତାରେ ପେଟ ଭରା ଖାଦ୍ୟ ମିଳେ କୁଆଡେ ଏଇଠି ।

ବାଲେଶ୍ଵରର ଭୋଗରାଇ ଅଞ୍ଚଳରେ ଦିନା ସାହୁର ଘର । ବାପା ଉପରେ ରାଗି ଚାଲିଆସିଥିଲା କଲିକତା । ଛଅ ଭାଇର ଘର । ତା ଘରୁ ପଳେଇ ଆସିବାଟା ହୁଏତ ବାପାଙ୍କ ପାଇଁ ଏତେ ଗୁରୁତ୍ୱ ରଖିଲାନି । ଦକ୍ଷିଣକାଳୀ ମନ୍ଦିର ପାଖେ କେଉଁ ଗୋଟେ ଛୋଟିଆ ଶିବ ମନ୍ଦିରରେ କେଇବର୍ଷ କାଳ ଝାଡୁ ପୋଛା ମାରିଲା । ତା’ପରେ ଦମଦମ୍ ଅଞ୍ଚଳରେ କିଛିଦିନ ଟାଙ୍ଗା ଟାଣିଲା  ଆଉ ପରେପରେ ରିକ୍ସା । କେବେ ଥରେ କେଉଁ ଏକ ବଙ୍ଗାଳୀ ଲୋକଙ୍କୁ ରିକ୍ସାରେ ନେଉନେଉ କହିବସିଲା ତା ଦୁଃଖ କାହାଣୀ । ଆଉ ତା ପରଦିନ ଉଦାର ବଙ୍ଗାଳୀ ଭଦ୍ରଲୋକଙ୍କ କେହି ଜାଣେ ଦୂର ସମ୍ପର୍କୀୟଙ୍କ ଏଇ ମହାକାଳୀ ହୋଟେଲକୁ ଚାଲିଆସିଥିଲା ଦିନା । ସେଇ ହୋଟେଲ ରହି ରୋଷେଇ ବାସଠୁ ବାସନା ମଜା ଯାଏ କରୁକରୁ ପଇସା ଉପରେ ପଇସା ଯୋଡି ଦିନେ ମାଲିକଙ୍କୁ ଅନୁନୟ କରିଥିଲା ଯେ ଝୁପୁଡି ହୋଟେଲକୁ ତାକୁ ଦେଇଦେବାକୁ । ମାଲିକଙ୍କର ବି ଅନ୍ୟାନ୍ୟ ବ୍ୟାପାର ଥିଲା । ଦିନା ସାହୁର ସଚ୍ଚୋଟପଣିଆ ନେଇ ସେ ଖୁସି ବି ଥିଲେ । ଆଉ ତା’ପରେ ଦିନା ସାହୁ ହେଇଗଲା ଦିନା ବାବୁ । ହୋଟେଲ ମହାକାଳୀର ନୂଆ ମାଲିକ ।

ଗାଁ ଛାଡିବାର ପ୍ରାୟ ପନ୍ଦର ବର୍ଷ ପରେ ଯୋତା କୁର୍ତ୍ତା ପିନ୍ଧା ଦିନାକୁ ଗାଁରେ ଦେଖି ସମସ୍ତେ ଶଙ୍କିଗଲେ । ହାତରେ ଏଚ. ଏମ.ଟି ଘଣ୍ଟା, ଚିପା ପ୍ୟାଂଟ ପିନ୍ଧା ଲୋକ ଯେ ଦିନା,ଏକଥା କେହି ବିଶ୍ୱାସ କରିବାକୁ ନାରାଜ । ଘରେ ପହଞ୍ଚୁ ପହଞ୍ଚୁ ମାଆ ତାର ଛାଡିଲା ବାହୁନା । ବାପା ନିରବ । ଦିନାକୁ ଗଡ଼ ଜିତିଲା ପରି ଲାଗୁଥାଏ । ଉପର ଦି ଭାଇ ବାହା ହେଇ ସାରିଥିଲେ । ଭାଉଜଗୁଡା ୟାକୁ ଦେଖି ବେଶି ଖୁସି ଲାଗୁ ନଥିଲେ । କୁଆଡ଼େ ଥିଲା ଚାଲିଆସିଲା ଭାଗ ଖାଇବାକୁ !

ଓଳିଏ ଘରେ ରହି ପୁଣି କଲିକତା ବାହାରିଲା ଦିନା । ମାଆ ତାର ଠାକୁରାଣୀଙ୍କ ରାଣ ପକେଇଲା । ପୁଅ ଏତେ ଦିନାକେ ଫେରିଛି । ହାତ ଛନ୍ଦି ନଦେଲେ ଆଉ ଫେରିବ କି ନା କିଏ ଜାଣେ । ବଡ ଅଡୁଆ ପରିସ୍ଥିତି । ଶେଷରେ ଦିନା ରାଜି ହେଲା । ଗାଁ ପାଖ ବଣିଆ ସାହିର ଝିଅ ମାଳତୀ ସହ ଖୁବ ଜାକଜମକରେ ବାହାଘର ହେଇଗଲା । ଚଉଠି ସରୁଣୁ ଧାଇଁଲା ଦିନା କଲିକତା । ମାଇପି କାନିରେ ବନ୍ଧା ହେଲେ ବେପାର ବେଉସା ବୁଡିବ । ଆଉ କିଛିଦିନ ରହିବାକୁ ମାଆ, ମାଇପ ରାଣ ଅଳି କଲେ ହେଲେ ଦିନା ଶୁଣିବାକୁ ନାରାଜ ।

ଦିନା କଲିକତା ଗଲା ସିନା ହେଲେ ମାଇପି ସୁଆଗ ପାଇଁ ମାସେ କି ପନ୍ଦର ଦିନରେ ଥରେ ଘରକୁ ଧାଇଁଲା । ମାଇପକୁ ନେଇ କଲିକତାରେ କିଛିଦିନ ରଖିଲା ପାଖରେ । କିନ୍ତୁ ଗହଳ ଦୋକାନ, କଲିକତା ପାଣିପବନ ଆଉ ନୂଆ ମାଇପକୁ ଏକାଠି ସମ୍ଭାଳି ପାରିଲାନି ସେ । ହପ୍ତାଏ ପରେ ମାଇପ ଫେରିଲା ଘରକୁ ।

ଦିନାର ହୋଟେଲ କହିଲେ ସାମ୍ନାସାମ୍ନି ତିନି ଧାଡ଼ିରେ ଶାଳ କାଠର ଡେସ୍କ ଆଉ କେଇ ଖଣ୍ଡ ପ୍ଲାଷ୍ଟିକ ଚେୟାର । ରାତି ଦଶ ବାଜିଲେ, ଦିନା ଯାଏ ପାଖ ହାଟକୁ ପରିବା ଆଣି । ହାଟରୁ ବଳକା ବାଳକି ପଚାସଢା ପରିବା ମେଞ୍ଚେ ଧରି ଫେରିଆସେ ଦୋକାନକୁ । ସଦ୍ୟ ପରିବାରେ ଶସ୍ତା ଖାଇବା ଦେଇ ହୁଏନି  I ପରିବା ସବୁ ଥୋଇ ଚିତ ହେଇ ଶୋଇଯାଏ ସଉପ ଉପରେ । ଠିକ ସକାଳ ପାଞ୍ଚରେ ଉଠେ । ଗଙ୍ଗା କୂଳରେ ନିତ୍ୟକର୍ମ ଆଉ ଗଙ୍ଗାସ୍ନାନ ପରେ ହୋଟେଲରେ ଆଞ୍ଚ ଲଗାଇ କୋଇଲା ପକାଏ । ସୋମେନ୍ ଦା ଆସୁ ଆସୁ ସକାଳ ସାତ । ତିଆରି ହୁଏ ଚାହା, ଜଳଖିଆ ଆଉ ଖରାବେଳ ମିଲ ପାଇଁ ପ୍ରସ୍ତୁତି । ଆଗରୁ ଦୁଇଟା ପିଲା କାମ କରୁଥିଲେ । ରାତି ରୋଷେଇ ବି ହେଉଥିଲା । ପିଲାଗୁଡା ବଙ୍ଗାଳୀ ଟୋକାଙ୍କ ମେଳରେ ମିଶି ବିଡ଼ି ଟାଣିଲେ, ପଇସା ଚୋରି କଲେ କ୍ୟାସ ବାକ୍ସରୁ । ଧକିଆ ମାରି ସେମାନଙ୍କୁ ବାହାର କରିଦେଲା ଦିନା । ଏବେ ଆଉ ରାତି ରୋଷେଇ ନାହିଁ । ଖାଲି ଜଳଖିଆ ଆଉ ଦିନ ମିଲ୍ । ଦିନ ମିଲ୍ ରୁ ବଳିଲେ ରାତିକୁ ହୋଟେଲ ଖୋଲେ ନହେଲେ ନାଇଁ । ଦୀପାବଳୀ ଅମାସିଆରେ, ଗାଁକୁ ଗଲା ବେଳେକୁ ଦିନାକୁ ମିଳିଥିଲା ବାବୁଲା । ତାରି ଗାଁ, ଗଉଡ଼ ସାହିର ପିଲା । ବାବୁଲାର ବୟସ ବାର କି ତେର ହେବ । ଜନ୍ମରୁ ମାଆ ଛେଉଣ୍ଡ । ବାପା ମଦ ପିଇ ଅଧାଦିନ ଘର ମାଡେନା । ବଡ଼ ନିଉଁଛୁଣିଆ ପିଲାଟା । ସାଇ ଭାଇ ହାତଟେକା ଖାଇ ବଂଚିଛି । ବାବୁଲାର ବାପାଟା ଲେଖାଯୋଖାରେ ଦିନାର କକେଇ ହେବ । ତାହାରି ଅନୁରୋଧରେ ବାବୁଲାକୁ ସାଙ୍ଗରେ ଆଣିଥିଲା କଲିକତା ।

ବାବୁଲାଟା ଖାଇବା ରଙ୍କ । ଗୁଦୁଲୁଗାଦୁଲୁ ଚେହେରା, ଗୋରା ଦେହ । ମଧ୍ୟମ ଉଚ୍ଚତା । ଯାହା ପାଏ ଖାଇଯାଏ । ପେଟଟି ପୁରିଥିଲେ ତା ମନ ଖୁସ୍ । ବାବୁଲା ବି କାମରେ ତତ୍ପର । ହୋଟେଲ କାମ ତଦାରଖ କରିବାଠୁ ଆରମ୍ଭ କରି ହାଟ ସଉଦାରେ ବେପାରୀ ସହ ଦର ଝିଙ୍କିବାରେ ଏବେ ପାରଙ୍ଗମ ହେଇଗଲାଣି । କିଏ କହିବ ଟୋକାଟା ଏଇ ସପ୍ତାହେ ହେଲା କଲିକତା ଆଇଛି !

ଏବେ ଦିନା ସାହୁକୁ ଆରାମ୍ କରିବାକୁ ଫୁରସତ ମିଳେ । ବାବୁଲାକୁ ଲୋକ ଛୋଟ ବାବୁ ଡାକୁଛନ୍ତି । ବାବୁଲା ଖୁସି ଆଉ ଦିନା ବି । ଏଇ ବାହାନାରେ ଯଦି ବେଶି କାମ ହେଉଛି ହଉ । ପର ପୁଅ କଉ ନିଜର ହେଲାଣି ଯେ । ଦିନା, ମନେ ମନେ ହସେ  । ଦିନ ସାରା ଠେକୁଆଟେ ପରି ଧାଉଁଥିବ ବାବୁଲା । ପ୍ଲେଟ ସଫା ହେବ, ପାଣି ଆସିବ, ଚାଉଳ ପଡିଲା କି ନାଇ, ଡାଲି କେତେରେ ପରିବା କେତେ, ଏସବୁର ହିସାବ ସେ ରଖେ । କିଏ କଣ କହିଲା ତାକୁ ପରବାୟ ନଥାଏ । ରାତି ହେଲେ ବଳକା ଭାତ ଆଉ ମାଛ ଭଜା ଖଣ୍ଡେ ଖାଇଦେଲେ ହେଲା ତାର ।

ମଗୁଶିର ପୁନେଇଁ ପରେ ଗାଁରୁ ଫେରି ଦିନା ଯେତିକି ଖୁସି ଲାଗୁଥିଲା ଠିକ ସେତକ ଦୁଃଖି । ଭାବ ବାରି ସୋମେନ ଦା ପଚାରିବାରୁ ଦିନା ଘଟଣାଟା କହିଲା । ମାଇପି ତାର ଗର୍ଭବତୀ । ଆଉ ଏବେ ମିଳାମିଶା ବନ୍ଦ । ଠୋଠୋ ହସିଲା ସୋମେନ ଦା । ମିଠା ଖର୍ଚ୍ଚ ମାଗିଲା ଏ ଖୁସି ଖବର ପାଇଁ । ଆଉ ଥଟ୍ଟା ବି କରି କହିଲା “ନଅ ମାସ ଅପେକ୍ଷା କର, ଅପେକ୍ଷା ଫଳ ମିଠା” । ମନେ ମନେ ଅସନ୍ତୋଷ ହେଇ ଦିନା ଶହେ ଟଙ୍କିଆଟେ ବଢେଇ ଦେଲା ସୋମେନ ଦା ହାତକୁ ।

ତା’ପର କିଛି ଦିନ ଯେମିତି ଚାଲିବା କଥା ଚାଲିଲା । ବାବୁଲା ପ୍ରାୟ ଦୋକାନ ବନ୍ଦ କରି ବାହାର ପାଖେ ବେଞ୍ଚ ଉପରେ ଶୋଇପଡେ । ବାବୁଲାର ପତଳା ନିଦ । ଟିକିଏ ଶବ୍ଦରେ ଉଠିବସିବା ପିଲା । ସେଦିନ ଶନିବାର । ଶୀତ ଦିନିଆ ଥଣ୍ଡା ପରିବେଶ । ଆଉ ହଠାତ ରାତି ଗୋଟାଏ ସରିକି ବାବୁଲାର ନିଦ ଭାଙ୍ଗିଗଲା । ସେ ଶୁଣିପାରିଲା କିଛି ଅପ୍ରାକୃତିକ ଶବ୍ଦ । ଠିକ ପ୍ଲାଇ କାଁଥ ଆରପାଖ ଦିନା ସାହୁ ଶୋଇବା ଜାଗାରୁ । ଧାଇଁ ଯାଇ ଦେଖିଲାବେଳକୁ ଚାରିକାତ ମେଲି ପଡିଛି ଦିନା । ଦେହରେ ଲୁଗା ନାହିଁ । ଚାରିଆଖି ମିଶିଯିବାରୁ ଧଡପଡ ହେଇ ଦେହରେ ଗାମୁଛା ପକେଇଦେଲା ଦିନା । ବାବୁଲା ବି ଲାଜରେ ଫେରିଆସିଲା ।

ତା ପରଦିନ ହୋଟେଲ ପଛପଟେ ବାବୁଲା ଦୁଇ ବାଲ୍ଟି ପାଣି ଆଣି ଗାଧୋଇଲାବେଳେ ତାକୁ ଲାଗିଲା ଯେମିତି କେହି ତା ପଛରେ ଅଛି । ବୁଲି ଚାହିଁଲା ବେଳକୁ ଦିନା । ହାତରେ ଗୋଟେ ନାଲି ରଙ୍ଗର ଛିଟ ସାର୍ଟ । ବାବୁଲାକୁ ସାର୍ଟଟି ବଢ଼େଇ ଦେଲା ଆଉ ପିନ୍ଧିବାକୁ କହିଲା । ଅଭାବୀ ପିଲାଟା । ଖାଇବା ଆଉ ପିନ୍ଧିବାରେ ସୁଖ ପାଉ । ଗୁଣୁଗୁଣେଇ ଦିନା ଚାଲିଗଲା । ବାବୁଲା ସେଦିନ ଖୁବ କାମ କରିବା ସହ  ସାର୍ଟଟିରେ ଦାଗ ନଲାଗିବାକୁ ନେଇ ଖୁବ ଯତ୍ନବାନ ଥିଲା । ଏ ଡ୍ରେସ ସେ ଘରକୁ ପିନ୍ଧି ଫେରିବ । ବାପାକୁ ଦେଖେଇବ । ବାପା ତାର ମଦ ନପିଇଥିଲେ ଖୁବ ଖୁସି ହେବ । ପିଇଥିଲେ …. ଆଉ ଆଗକୁ ଭାବିପାରିଲାନି ସେ । ଦିନ ଯାଇ ସଂଜ ହେଲା ଆଉ ସଂଜ ଯାଇ ରାତି ।

ମୁଠେ ଖାଇ ଯେ ଯାହାର ଶୋଇବାକୁ ଗଲେ । ଦିନା ସାହୁ ତା ଘରକୁ ଆଉ ବାବୁଲା ହୋଟେଲ ବେଞ୍ଚରେ । କିଛି ସମୟ ପରେ କେଜାଣି କାହିଁକି ଦିନା ବାବୁଲାକୁ ଭିତରକୁ ଡାକିଲା । ସ୍ନେହରେ ତାରି ପାଖେ ଶୋଇଯିବାକୁ କହିଲା । ଛୋଟିଆ ଘର । ଯଦିଓ ଅସୁବିଧା ନାଇଁ ତଥାପି ବାବୁଲା ଦିନା ପାଖେ ଶୋଇବାକୁ କୁନ୍ଥୁକୁନ୍ଥୁ ହେଲା ।

ମୋତେ ପର ଭାବୁଛୁ କିରେ ? ଏତିକି କଥା ଶୁଣିଲା ପରେ ବାବୁଲା ଦିନା ସାହୁ କଡ଼କୁ ଏକପାଖିଆ ହେଇ ଶୋଇଗଲା । ରାତି ଗାଢ଼ ହଉହଉ ଦିନା ସାହୁର ଗୋଟେ ହାତ ଆସି ବାବୁଲାର ଛାତି ଉପରେ ରହିସାରିଥିଲା । ମାଆ ଛେଉଣ୍ଡ ପିଲାଟାକୁ ମାଆ ପାଖେ ଶୋଇଲା ପରି ଲାଗୁଥିଲା କି କଣ, ନିଶ୍ଚିତରେ ଘୁଙ୍ଗୁଡ଼ି ମାରି ସକାଳକୁ ଅପେକ୍ଷା କରିଥିଲା ବାବୁଲା ।

ଦିନକୁ ଦିନ ଦିନା ସାହୁର ଆଦର ପାଇ ବାବୁଲା ନିଜକୁ ଧନ୍ୟ ମନେ କରୁଥିଲା । ଶନିବାର ରାତିର ଘଟଣାକୁ ଏକ ଆକସ୍ମିକ ଦୁର୍ଘଟଣା ଭାବି ସେ ତାକୁ ଭୁଲିବାକୁ ଆରମ୍ଭ କରିସାରିଥିଲା । ଏବେ ସବୁ ଦିନ ସେ ଦିନା ସାହୁ ପାଖରେ ଶୁଏ । ଘୋଡ଼ି ହେବା ପାଇଁ ଦୁଇଟା ଚଦର ବଦଳରେରେ ଗୋଟେ ଚଦର ବ୍ୟବହାର ହୁଏ । ସେଦିନ ଦିନା ପରିବା ହାଟରୁ ଫେରିଲାବେଳକୁ ଦିନା ଆଣିଆସିଲା ଦଶଟା ସରିକି ରସଗୋଲା । ରାତିଖିଆ ସରିଲା ପରେ ବଳେଇ ବଳେଇ ଖୁଏଇଲା ବାବୁଲାକୁ । ଶୋଇବାକୁ ଗଲେ ଦୁଇଜଣ ଗପସପ କରି ।

ସେଦିନ ରାତିଟା ଥିଲା ଅନ୍ୟ ରାତିଠୁ ଅଲଗା ପ୍ରକାର । ଛାଇ ନିଦରେ ଥିବା ବାବୁଲା ଅନୁଭବ କରିପାରୁଥିଲା ତା ଛାତି ଆଉ ପେଟ ଉପରେ ବୁଲୁଥିଲା ହାତ ପାପୁଲିର ଉଷ୍ମତା । ନିଦ ଭାଙ୍ଗିଗଲେ ବି କିଛି କହିପାରୁ ନଥଲା ବାବୁଲା । ସେ ତା ପିଚା ଉପରେ ଅନୁଭବ କରିପାରୁଥିଲା ଏକ କଠିନ ଜିନିଷର ଚାପ । ଶୁଣିପାରିଥିଲା ହସ୍ ହସ୍ ଗରମ ନିଶ୍ୱାସର ଆବାଜ । ଆଉ କିଛି ସମୟର ନୀରବତା ପରେ ଦିନା ସାହୁର ପ୍ରଶାନ୍ତିର ଘୁଙ୍ଗୁଡ଼ି ।

ଭୟ ଆଉ ଆତଙ୍କରେ କଟିଲା ବାବୁଲର ରାତି ।

ସକାଳଟା କଲିକତା ଆକାଶରେ ମେଞ୍ଚେ କୁହୁଡି ନେଇ ଆସିଥିଲା ।  ସ୍ୱାଭାବିକ ଥିଲା ବାତାବରଣ । ହୋଟେଲ କାମ ଆରମ୍ଭ ହେଲା । ଦିନା ସାହୁ ସବୁଦିନ ପରି ବ୍ୟବହାର କରିଥିଲା ବାବୁଲା ସହ । ସତେଯେପରି କିଛି ଘଟିନି କିମ୍ବା କିଛି ଜାଣିନି ସେ । ସଂଜ ହେଉହେଉ ବାବୁଲା ଏକପ୍ରକାର ହତାଶ ହେଇଗଲା । ରାତିର ପୁନରାବୃତ୍ତି ସେ ଚାହୁଁ ନଥିଲା । ଆଉ ଦିନା ସାହୁର ଅନୁରୋଧକୁ ଖାତିର ନକରି ରାତିରେ ସେ ନିଜର ବିଛଣାପତ୍ର ଧରି ଚାଲିଆସିଲା ହୋଟେଲର ବେଞ୍ଚ ଉପରକୁ । ତା ଚିରାଚରିତ ଜାଗାକୁ । ଏକାଠି ଶୋଇବାକୁ ଦିନା କେତେ ବୁଝାଇଲା । ବାବୁଲା କିନ୍ତୁ ନଛୋଡ଼ବନ୍ଧା । ଦିନା ସାହୁ ସତେକି ପାଗଳ ହେଇସାରିଥିଲା । ରାତି ଅଧାଅଧି ସମୟରେ ଦିନା ଏକ ପ୍ରକାର ଟାଣି ନେଇଗଲା ବାବୁଲାକୁ । ଭୟରେ ଶିହରି ଉଠିଲା ବାବୁଲା । ଦିନା ସାହୁର ଗୋଟେ ଶକ୍ତ ଚଟକଣାରେ, ମୁହୂର୍ତ୍ତେ ଲାଗିଲା ତା ଚିତ୍କାର ସବୁ ଲୁହରେ ବତୁରିଯିବାକୁ ।

ଗୋଟେ ହାତରେ ଦିନା ଝିଙ୍କିଦେଲା ବାବୁଲାର ପ୍ୟାଣ୍ଟ । ଦୁର୍ବଳ ବଟମ୍ କେଇଟା ଛିଡି ଯାଇ ପ୍ୟାଣ୍ଟଟି ଆଣ୍ଠୁ ତଳେ ଲଟକି ରହିଲା । ବାବୁଲାକୁ ତଳେ ପକେଇ ପଶୁ ପରି ହାମୁଡ଼ି ହେଇଗଲା ତା ଉପରେ ଦିନା । ସତେଯେପରି ପାହାଡ଼ ତଳେ ପେଷି ହେଇଯାଉଛି ବାବୁଲା । ଧୀରେ ଧୀରେ ଅଣନିଶ୍ଵାସୀ ହୋଇଉଠିଲା ସେ । ତା ବେକ ଆଉ ପିଠିରେ ଓଠର ଲାଳ । ଛାତିରେ ଦୁଇ ହାତର ଶକ୍ତ ଜାଵ । ଭୟରେ ପାଟି ତାର ଚୁପ ହେଇ ସାରିଥିଲା । ଦେହ ଥରି ଉଠୁଥିଲା କଷ୍ଟରେ । କିଛି ସମୟ ପରେ ସେ ଅନୁଭବ କଲା ସତେଯେମିତି ଗୋଟେ ଧାରୁଆ ଛୁରୀ ତାର ମଳଦ୍ୱାରଟାକୁ ବାରମ୍ବାର ଆଘାତ କରିଚାଲିଛି । ଏମିତି କେଇମିନିଟ ବିତିଯିବା ଭିତରେ ସଂଜ୍ଞାହୀନ ହେଇସାରିଥିଲା ବାବୁଲା ।

ଆଖି ଖୋଲିଲା ବେଳକୁ ଦିନ ଏଗାର । ଦେହରେ ଅସହ୍ୟ ପୀଡା । ଖଇଫୁଟା ତାତି । ଚଟାଣରେ ଠାଏ ଥାଏ ରକ୍ତ । ଗୋଡ଼ ଉଠେଇବାକୁ ଶକ୍ତି ନାହିଁ । କାନ୍ଥ ସେପଟୁ ଚିହ୍ନା ଗ୍ରାହକ କେଇଟାର ସ୍ୱର । ବାବୁଲାକୁ ଖୋଜା ପଡିଛି ।

ବାରଟା ବେଳକୁ ଦିନା ଭିତରକୁ ଆସିଲା । ଆଖି ଉଠେଇ ଚାହିଁଲା ବାବୁଲା । ଲେଞ୍ଜେରା ଭର୍ତ୍ତି ଆଖି । ତା ହାତକୁ ଦିନା ବଢ଼େଇଦେଲା ଦୁଇ ଖଣ୍ଡ ପାଆଁଶ ଟଙ୍କିଆ ନୋଟ । ରାତିର କଥା କଥା କାହାକୁ ନକହିବା ପାଇଁ ସାମାନ୍ୟ ଉଚ୍ଚ ସ୍ୱରରେ ତାଗିଦ କଲା । ଘୃଣାରେ ଥରି ଉଠିଲା ବାବୁଲା । ପାଟି ଖୋଲି କିଛି କହିପାରିଲା ନାହିଁ, ଧାରେ ଲୁହ ବୋହିଗଲା ଯାହା । ଦେହରେ ଯେମିତି ତାର ଶହେ ହାତୀର ବୋଝ । ପଇସାକୁ ଫିଙ୍ଗି ଦେଲା ଦିନା ସାହୁର ମୁହଁକୁ । ଦିନା ପୁଣି ଦୋକାନ ସମ୍ଭାଳିବାକୁ ଚାଲିଗଲା । ଲୋକଙ୍କ ଭୋକ ନମେଣ୍ଟିଲେ ଦୋକାନ କଣ ଚାଲିବ !

ଦିନ ସାରା ଆଉ କଥାବାର୍ତ୍ତା ନାହିଁ । ସଂଜକୁ ବାବୁଲାକୁ ନେଇ ଦିନା ବସେଇ ଦେଲା କଲିକତାରୁ ଓଡ଼ିଶା ଯାଉଥିବା ଡାଏନା ବସ୍ ରେ । ବାବୁଲା ଏକପ୍ରକାର ମୁକ ପାଲଟି ଯାଇଥିଲା । ଦିନା କଣ୍ଡକ୍ଟରକୁ ଟିକେଟ ବାବଦକୁ ପଇସା ବଢ଼େଇ ଦେଲା । ପରେ ଡ୍ରାଇଭରକୁ କହିଲା ବାଲେଶ୍ୱରରେ ଉତାରି ଦେବା ପାଇଁ । ବାବୁଲା ଚୁପଚାପ ବସିଥାଏ । ରୁଟି ଆଉ କିଛି ବଳକା ତରକାରୀ ଗୋଟେ ଜରି ପୁଡ଼ିଆରେ ବାନ୍ଧି ଦିନା ବଢ଼େଇ ଦେଲା ବାବୁଲାକୁ । “ବାଟରେ ଭୋକ ହେଲେ ଖାଇନେବୁ….”

ବାବୁଲା ଆଉ ସମ୍ଭାଳି ପାରିଲାନି । ସକାଳୁ ଏଯାଏ ପେଟରେ ଦାନା ପଡିନି । ଦିନା ହାତରୁ ପୁଡ଼ିଆଟା ଏକ ରକମ ଛଡେଇ ଆଣି ହାଉଁହାଉଁ କରି ଖାଇଗଲା ବାବୁଲା । “ଶଳା ! ଗରିବଗୁଡ଼ା ସବୁ ଆଜନ୍ମ ଭୋକିଲା ହେଇ ରହିବେ” ….ହସି ଉଠିଲା ଦିନା । ଗାଡି ଛାଡିବା ସଂକେତ ଦେଇ ସାରିଥିଲା । ଦିନା, ଦୋକାନ ମୁହାଁ ହେଲା ଆଉ ଗାଡି ଧୂଆଁ ଛାଡି ଦୌଡୁଥିଲା ଠିକ ବିପରୀତ ଦିଗରେ ।

ତା’ପରଦିନ ସକାଳ ଥିଲା ସବୁଦିନ ପରି ସାଧାରଣ । ବାବୁଲା ହୁଏତ ବାଲେଶ୍ଵରରେ ପହଂଚି ସାରିଥିଲା । ବାବୁଘାଟକୁ ଅଗଣିତ ବସ୍ ଆସିଲେ ଗଲେ । ଗଙ୍ଗାରେ ଜୁଆର ଆସିଲା । ସୂର୍ଯ୍ୟ ଦେବତା ପଶ୍ଚିମକୁ ଗଲେ ।

ସଞ୍ଜମୁଣ୍ଡକୁ ସୋମେନ ଦା ଆଉ ଗୋଟେ ବଙ୍ଗାଳି ପିଲା ଧରି ଆଣିଥିଲା ବଡ଼ବଜାରରୁ । ଗୋପାଳ । ଦୋକାନରେ କାମ କରିବ । ଦୁଇମୁଠା ଖାଇ ବଂଚିଯିବ । ସପ୍ତାହେ ଭିତରେ ଗ୍ରାହକ ବାବୁଲାକୁ ଭୁଲି ଗୋପାଳକୁ ଆପଣେଇ ସାରିଥିଲେ । ଦିନା ସାହୁ ବି ଗୋପାଳ କାମରେ ଖୁସି ଥିଲା ।

ଭୋକକୁ ହଟେଇ ଜୀବନର ମାନେ କିଛି ନାହିଁ । ସେଇ ମହାକାଳୀ ହିନ୍ଦୁ ହୋଟେଲ ପରିସର ଭିତରେ ଦିନା ଧୀରେଧୀରେ ଭୋକ ଆଉ ଜୀବନର ଜଟିଳ ସମିକରଣ ସବୁକୁ ସରଳ ଭାବରେ ବୁଝିଯାଉଥିଲା ।

କୃଷ୍ଣଚନ୍ଦ୍ରପୁର, ହିନ୍ଦୋଳ, ଢେଙ୍କାନାଳ, ମୋବାଇଲ : ୭୯୭୮୭୩୯୮୨୦

ଲେଖକ ପରିଚୟ

ପ୍ରାୟ ଦ୍ଵିତୀୟ ଶ୍ରେଣୀରୁ ମିନାବଜାର, ଜହ୍ନମାମୁଁ ଠାରୁ ଆରମ୍ଭ କରି ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳାଠୁ ପ୍ରାଚ୍ୟ ଆଉ ପାଶ୍ଚାତ୍ୟ ସାହିତ୍ୟ ଯାଏଁ ଅନେକ ଗଳ୍ପ ଓ ଉପନ୍ୟାସ, ନିଷିଦ୍ଧ ହେଉକି ବିବାଦୀୟ ପଢିବାକୁ ସୁଯୋଗ ପାଇଛି । ରାତିରାତି ଡିବିରି ଜାଳି ପଢୁପଢୁ କଅଁଳ ବୟସରେ ବି ମୋ ମାନସିକତା ଯୁବସୁଲଭ ତଥା ପରିପକ୍ଵ ହୋଇସାରିଥିଲା । କଲେଜ ଯିବା ସମୟରେ କିନ୍ତୁ ଗଳ୍ପ ଆଉ କବିତା ଲେଖିବା ଆରମ୍ଭ କଲି । କଲେଜ ବାର୍ଷିକ ମାଗାଜିନରେ ଛପିବା ଏବଂ ସାଙ୍ଗ ତଥା ଶିକ୍ଷକଙ୍କ ଦ୍ୱାରା ଆଦୃତ ମୋତେ ପ୍ରେରଣା ଦେଲା । ସେବେଠୁ ନିୟମିତ ଜୀବନର ଅନୁଭବକୁ ନେଇ ଗୀତି କବିତା ଓ ମୁକ୍ତଛନ୍ଦ କବିତା ତଥା କ୍ଷୁଦ୍ରଗଳ୍ପ ଲେଖୁଛି ।

Related Posts

One thought on “ଭୋକ

  1. ପ୍ରାୟତଃ ସମାଜର ଅକୁହା କଥା ଗୋଡ଼ିକ ମଧ୍ୟରୁ ୟେ ବି ଗୋଟିଏ, ଅନେକ ସଂକୋଚ କରି ପ୍ରକାଶ କାରିବାକୁ ଆଗ୍ରହ କରନ୍ତି ନାହିଁ… ମାତ୍ର ମାର୍ଜିତ ଶବ୍ଦ ସମାହାରରେ ନିଃସଙ୍କୋଚ ଭାବରେ ସୁନ୍ଦର ଉପସ୍ଥାପନା କଲେ ମୋର ଲେଖକ ବନ୍ଧୁ …
    ଭୋକ କେବଳ ପେଟର ନ ଥାଏ, ପେଟର ଭୋକଠୁ ଅଧିକ ଭୟଙ୍କର ଯେ ସେ ଦୀନା ସାହୁର ଦେହର ଭୋକ..ଏବଂ ତା’ର ସେଇ ଜ୍ୱାଳାର ପୂର୍ତ୍ତି ପୁଣି ଅପ୍ରାକୃତିକ ଓ ଜୋରଜବରଜସ୍ତ ଭାବରେ… ଏହାକୁ ଯଥାର୍ଥ ଭାବେ ରୂପ ଦେଇଛନ୍ତି ଲେଖକ ବନ୍ଧୁ ଏ ଗଳ୍ପ “ଭୋକ “ରେ…, “ଖୁବ ସୁନ୍ଦର ଲେଖା.. ମନଛୁଆଁ ହେଇଛି “

Leave a Reply

Your email address will not be published. Required fields are marked *