ବିନୟ ମହାପାତ୍ର
ତଥାପି ମୁଁ ହାରି ନଥିଲି,
ଯେତେବେଳେ
ମୋର ଭୋକିଲା ପେଟ ଆଗରେ
ୟୁନିଭରସିଟିର ଶ୍ରେଷ୍ଠ ଡିଗ୍ରୀ
ଆଣ୍ଠୁ ଭାଙ୍ଗି ବସିଗଲା ।
ତଥାପି,
ମନ ମୋର ହାରି ନଥିଲା,
ଯେତେବେଳେ,
କ୍ଲାସର ପଛ ବେଞ୍ଚରେ ବସୁଥିବା
ଜାତିଆଣ କୋଟା ହକଦାର,
ଦୁଇ ବର୍ଷେ ଗୋଟିଏ ସୋପାନ ଚଢି
ଜୀବନର ଦୌଡ଼ରେ,
ସରକାରୀ ଧୂଆଁ ଉଡ଼ାଇ
ମୋର, ଆଗେଆଗେ ଚାଲୁଥିଲା ।
ତଥାପି ମୁଁ ହାରି ନଥିଲି
ମଧ୍ୟବିତ୍ତ ସବର୍ଣ୍ଣର ମୋହର ମରା
ମୋର ପରିଚୟ ନେଇ,
ନା’ ବିପିଏଲ ପାଇବାକୁ ଯୋଗ୍ୟ ଥିଲି
ନା’ ଥିଲାବାଲା ଘରର ହେଲି ।
ମାଗିବାକୁ ଲାଜ ଲାଗେ
ଭୋକ କିନ୍ତୁ ବରଦାସ୍ତ ହୁଏନି,
କାମ କରି ଅର୍ଜିବାର ସାଧନ ମିଳେନି,
ସବୁ ସାମାଜିକ ଅଯୋଗ୍ୟତା ସତ୍ତ୍ୱେ
ତଥାପି, ମୁଁ ଭାଙ୍ଗିପଡ଼ିନି
ଜୀବନ ଦୌଡ଼ରେ, ଖସି ପଡ଼ିବା ଆଗରୁ
ନିଜକୁ ସମ୍ଭାଳି ନେଇଛି,
ଦୁଃଖ ନାହିଁ, ମାଆ ମାଟିଠାରୁ
ହଜାର ମାଇଲ୍ ଦୂରରେ
ଇଟା ଭାଟି, ସୁତା କଳେ ଦାଦନ ଖଟୁଛି ।
ହେଲେ କେବେ ବି ବୁଝିପାରେନା
ଏ ମୋର ଦୁର୍ଗତି ଅବା
ମୋର ଦେଶର ଦୁର୍ଭାଗ୍ୟ
ଯୋଗ୍ୟ ପୁଅ ବିଦେଶରେ ଦାଦନ ଖଟେ,
ଆଉ କିଛି ଜନ, ଦୟା ଅନୁକମ୍ପାରେ
ରାଜ ସିଂହାସନ ମାଡ଼ି ବସେ ।
ଆଜି ରାଜଧର୍ମେ
ମାଗଣାରେ ବାଣ୍ଟିବାଣ୍ଟି ସୁଶାସକ
ନିଷ୍କର୍ମା ସ୍ଥାଣୁ ଜନତା ସୃଜକ,
ମାଟିର କର୍ମଠ ବୀରପୁତ୍ର କେତେ
ଅବେଳରେ ଝାଉଁଳି ଯାଆନ୍ତି,
ଜାତି, ଧର୍ମର ଭୋଟ ବ୍ୟାଙ୍କ,
ରାଜନୀତିର ପଶାପାଲିରେ
ଯୋଗ୍ୟ ସୈନିକ ଯେତେ ବଳି ପଡ଼ିଯାନ୍ତି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।