ରାମକୃଷ୍ଣ

ତଳେ ଉପରେ ବାହାରେ ଭିତରେ
କେଉଁଠି ଥାପିବ ପାଦ
କାକଳି ଯେଉଁଠି କଣ୍ଟା ସେଇଠି
ଗତିର ବିଲକ୍ଷଣ ସବୁ
ବହୁଧା ବିଭକ୍ତ ମାଟିର ଭାଗ୍ୟ ।
ବିରୋଧାଭାସରେ ଗୁନ୍ଥା ବୈଚିତ୍ର୍ୟ
ମହୁବୋଳା ଅଠାକାଠିରେ
ପ୍ରଜାପତିର ଓଠ
ବାଚାଳତାରେ ବନ୍ଧା ପ୍ରେମ
ଆତ୍ମୀୟତାରେ ବୃଥା ବାହାସ୍ପୋଟ
କେଉଁ ଡାଳରେ ଝୁଲିବ ଝୁଲ ।
ପାହାଚ ପରେ ପାହାଚ ପରେ ପାହାଚ
ସମ୍ଭୋଗ ଚାରିକଡ଼େ ଶ୍ମଶାନର ପହରା
କଅଁଳ ତୃଣଭୂମିର
ଏପଟେ ଜାଲ, ସେପଟେ ନିଆଁ
କେଉଁଠି ଈଶ୍ଵର ?
ଦିଶୁନି ବାଟ, ଶୁଭୁନି ଡାକ
ଜଣାନାହିଁ ଆରୋହଣର ମନ୍ତ୍ର
ଅଭିଯୋଗ ତ ଅନ୍ଧତ୍ଵ
ଆଗରେ ପଛରେ ଯିଏ ଛିଡ଼ା
ଶତ୍ରୁ ବେଶରେ
ସେଇ ତ ପରମ ମିତ୍ର !
ବାରମ୍ବାର ଝୁଣ୍ଟିବା
ଓ ଅଟକି ରହିବାରେ ଅଭ୍ୟସ୍ତ ପାଦକୁ
ଆଦୌ ଜଣା ନଥାଏ
କେଉଁ ପାହାଚରେ ତାର ପାଦ ।
କୁଦୋପାଲି, ବରଗଡ଼
ଲେଖକ ପରିଚୟ
ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।