ବିନୟ ମହାପାତ୍ର

ନାଉରୀଆ କହିଲା, ଗଣ୍ଠୁଲିଟା ଏଇଠି ରଖ, ସେ ପାରିକୁ ଏସବୁ ନେବାର ଅନୁମତି ନାହିଁ । ଏସବୁର ଆବଶ୍ୟକତା ବି ସେଠି ପଡ଼ିବନି । ତୁମର ଏ ଗଣ୍ଠୁଲିଟି ତୁମକୁ ଏପଟେ ହିଁ ଛାଡ଼ିଦେଇ ଯିବାକୁ ହେବ । ଦେଖୁନ ଏଡ଼ିକି ବକଟେ ନାଆ, ସେଥିରେ ତୁମେ ବସିଲା ପରେ ଏଥିରେ ଆଉ କିଛି ଜାଗା ବଳୁଛି ? ଏତେ ସବୁ ସମ୍ପତ୍ତି କେମିତି ନେଇକି ଯିବ ? ଆଚ୍ଛା କହିଲ ଦେଖି, କଣ କଣ ସବୁ ଏଇ ଗଣ୍ଠୁଲି ଭିତରେ ନେବା ପାଇଁ ବାନ୍ଧିଛ ? ବହୁତ ଭାରିଥିଲା ପରି ତ ଜଣାପଡୁଛି । ଆଗରୁ ଅନେକ ସମୟରେ ତୁମ ଘର ବାଟ ଦେଇ ରାସ୍ତାରେ ଗଲାବେଳେ, କେତେଥର ମୁଁ ତୁମକୁ ଦେଖିଛି, ସବୁବେଳେ କିଛିନା କିଛି କାମରେ ତୁମେ ବ୍ୟସ୍ତ ଥାଅ ।

ସବୁବେଳେ କାମରେ ଏତେ ବ୍ୟସ୍ତ ରହୁଥିଲ ଯେ ନିଜ ଘର, ପରିବାର, ବନ୍ଧୁ ବାନ୍ଧବମାନଙ୍କ ପାଇଁ ବି ଟିକିଏ ସମୟ ବଳୁ ନଥିଲା ତୁମ ପାଖରେ । କଣ ଏତେ ସବୁ କାମ କରୁଥିଲ, ଆଉ କାହିଁକି ? ଅଧିକ ଉପାର୍ଜନ ପାଇଁ ? ଜୀବନରେ କଣ କଣ ସବୁ ଉପାର୍ଜନ କଲ ??

ଏକା ନିଶ୍ୱାସରେ ଏତେ ସବୁ କଥା କହି ନାଉରୀଆ ନାଆର ମଙ୍ଗ ଉପରେ ଥକା ମାରି ବସି ପଡ଼ିଲା । ଦିଗମ୍ବର ଦାଶେ ଗଣ୍ଠୁଲିଟା ସେତେବେଳ ଯାଏ, ମୁଣ୍ଡରେ ବୋହି ଠିଆ ହୋଇ ନାଉରୀଆର ମୂଲ୍ୟହୀନ ବାଚାଳତା ଶୁଣୁଥିଲେ । ସେପାରିକୁ ଯିବା ପାଇଁ ଏଇ ଗୋଟିକ ନାଆ, ଆଉ ଏଇ ଗୋଟିଏ ନାଉରୀ, ଆଉ ଅନ୍ୟ କୌଣସି ରାସ୍ତା ନାହିଁ କି ବ୍ୟବସ୍ଥା ବି ନାହିଁ, ସେଇଥିପାଇଁ ବିରକ୍ତି ଅନୁଭବ କରୁଥିଲେ ବି ନାଉରୀଆର ଏଇ ବିତଣ୍ଡା କଥା ସବୁ ବରଦାସ୍ତ କରୁଥିଲେ । ଭାବୁଥିଲେ କିଛି ଦେଇନେଇ ନାଉରୀଆକୁ ଯଦି ପଟେଇ ପାରିଲେ, ତେବେ ତାଙ୍କ କାମଟା ସହଜରେ ହୋଇଯିବ । ସବୁତ ଆଣି ପାରିଲେନି କିନ୍ତୁ ଯେତିକି ଆଣି ପାରିଛନ୍ତି ତାକୁ ନିଜ ସାଙ୍ଗରେ ନେଇକି ଯାଇପାରିବେ । ଗଳାକୁ ଟିକିଏ ନରମ କରି ଦିଗମ୍ବର କହିଲେ, ‘ଆରେ ଭାଇ, ତୁମେ ତ ନାଆ ବାହିଁବା ଲୋକ, ତୁମେ କଣ ଜାଣିବ ଧନ ଅର୍ଜନ କରିବା କେତେ କଷ୍ଟକର କାମ । ଦିନର ଚବିଶ ଘଣ୍ଟା ବି କମ ପଡ଼େ କାମ କରିବାକୁ । ସେପାରିକୁ ଗଲେ ରାଜାଙ୍କୁ କହିବି, ଗୋଟିଏ ଦିନର ସମୟସୀମା ଚବିଶ ଘଣ୍ଟାରୁ ଆଉ ଦୁଇ, ଚାରି ଘଣ୍ଟା ବଢେଇ ଦେବେ । ଏଠି ସିଧା ଆଙ୍ଗୁଠିରେ ଘିଅ ବାହାରେନି ବୋଲି ଲୋକଙ୍କ ଉପରେ ଟିକିଏ ଜୋର ଜୁଲମ କରିବାକୁ ହୁଏ । ଯେତିକି କରିପାରିଲି ସେତିକି କଲି । ସିଧା ରାସ୍ତାରେ ବି ଧନ ଅର୍ଜନ କରି ହୁଏନା, ସିଧା ରାସ୍ତାରେ ଯାହା ଧନ ମିଳେ ସେଥିରେ ଭଲରେ ଦୁଇ ମୁଠା ଭାତ ବି ଖାଇବାକୁ ମିଳିବନି । ତେଣୁ ରାସ୍ତା ଯେମିତି ହେଉପଛେ, ଧନ ଅର୍ଜନ ପାଇଁ ମୁଁ କେବେ ପଛେଇନି, ସତ, ଅସତ୍, ଧର୍ମ, ଅଧର୍ମ କଥା କେବେ ମନରେ ଭାବିନି । ବହୁତ ଧନ ଅର୍ଜନ କଲି, ଅମାପ ଧନ, ଜମିବାଡି, ଆଲିଶାନ ରାଜପ୍ରସାଦ ପରି ଘର, ଗାଡ଼ିଘୋଡା ସବୁ କିଛି ଅଛି ମୋ ପାଖରେ । ନାଉରୀଆ ଟିକିଏ ହସିଦେଇ କହିଲା, ‘ଅଛି ନୁହେଁ, ସେ ସବୁ ତୁମ ପାଖରେ ଥିଲା’ ବୋଲି ଏବେ କୁହ । ନାଉରୀଆ କଥାକୁ ଅଣଶୁଣା କରି ଦିଗମ୍ବର କହିଲେ, ବୁଝିଲ ବାବୁ ମୋର ସମସ୍ତ ସମ୍ପତ୍ତି ତୁମ ଡଙ୍ଗାରେ ନେଇ ହେବନି, ସେଇଥିପାଇଁ ଅଳ୍ପ କିଛି ବଛାବଛା ବହୁମୂଲ୍ୟ ସମ୍ପତ୍ତି ସାଙ୍ଗରେ ନେଇ ଆସିଛି । ତୁମେ ଯଦି ଚାହିଁବ, ଏଥିରୁ କିଛି ବହୁମୂଲ୍ୟ ସମ୍ପତ୍ତି ମୁଁ ତୁମକୁ ଉପହାର ଭାବେ ଦେଇବି । ମୋତେ କେବଳ ଏତିକି ସମ୍ପତ୍ତି ସାଙ୍ଗରେ ନେବାକୁ ଦିଅ, ପ୍ଲିଜ୍ ।

: ନାଉରୀଆ ଟିକେ ହସିଲା । ପଚାରିଲା, ବହୁମୂଲ୍ୟ ସମ୍ପତ୍ତି ? କଣ କଣ ସେ ସବୁ ବସ୍ତୁ ?? ଆମକୁ ବି ଥରେ ଦେଖାଅ, ମର୍ତ୍ତ୍ୟ ମଣ୍ଡଳରେ କି କି ମୂଲ୍ୟବାନ ସମ୍ପତ୍ତି ସବୁ ମିଳୁଛି ।

ଦିଗମ୍ବର କହିଲେ ପ୍ରଥମେ ଗଣ୍ଠୁଲିଟାକୁ ନାଆ ଉପରେ ଥରେ ରଖିବାକୁ ଅନୁମତି ଦିଅ, ତାପରେ ମୁଁ ଗଣ୍ଟୁଲି ଖୋଲି ତୁମକୁ ସବୁ ଦେଖେଇ ଦେବି, ତୁମେ ଯାହା ନେବାକୁ ଚାହିଁବ ତୁମକୁ ଦେଇ ଦେବି, ଲାଞ୍ଚ ବୋଲି ଜମାରୁ ଭାବିବନି, ସେଇଟା ମୁଁ ତୁମକୁ ଖୁସିରେ ଉପହାର ଦେଇଦେବି । ନାଉରୀଆ ଟିକିଏ ହସି କହିଲା : ‘ନାହିଁରେ ବାବୁ, ନାଆ ଉପରେ ଆଉ କିଛି ରଖିବାକୁ ମୋତେ ମୋ ମାଲିକର ଅନୁମତି ନାହିଁ । ସେ କେବଳ ତୁମକୁ ସାଥିରେ ନେଇଯିବା ପାଇଁ ଏଇ ନାଆଟି ପଠେଇଛନ୍ତି । ତୁମ ଗଣ୍ଠିଲିଟି ସେଇ ତଳେ ରଖିକି ଖୋଲ, ଆମେ ହେଲେ ଥରେ ଦେଖିବା, ମର୍ତ୍ତ୍ୟଲୋକରୁ କଣ କଣ ସବୁ ମୂଲ୍ୟବାନ ବସ୍ତୁ ତୁମେ ସାଥିରେ ନେଇ ଯିବାକୁ ଭାବିଛ ।’

ଅଗତ୍ୟା ଦିଗମ୍ବର ବାବୁ କିଛି ଚାରା ନଦେଖି ଗଣ୍ଠୁଲିଟି ତଳେ ଥୋଇ ଚାରି ଦିଗକୁ ଥରେ ଭଲ ଭାବରେ ନିରୀକ୍ଷଣ କରି ନେଲେ, କେହି ଦେଖୁ ନାହିଁ ତ ? ଦୂରଦୂର ପର୍ଯ୍ୟନ୍ତ ଏକଦମ୍ ଶୂନ୍ ଶାନ୍, କେହି କୁଆଡ଼େ ନାହିଁ । କେବଳ ସିଏ ନିଜେ, ଡଙ୍ଗା ଏବଂ ନାଉରୀଆ ବ୍ୟତୀତ ଆଉ କେହି ଦୃଷ୍ଟିକୁ ଆସୁନି, କାଉ କୋଇଲିର ରାବ ବି ଶୁଭୁନି କେଉଁଠୁ । ବଡ଼ ସନ୍ତର୍ପଣରେ ଦିଗମ୍ବର ନିଜ ଗଣ୍ଠିଲିଟି ଖୋଲିଲେ । ସୁନା ରୂପା ହୀରା ମୋତି ମାଣିକରେ ଭରି ରହିଥିଲା ଗଣ୍ଠିଲିଟି । ରତ୍ନ ସବୁ ଚକ୍ ମକ୍ କରୁଥାଏ । ଗଣ୍ଠୁଲିଟି ଖୋଲି ସାରି ବଡ଼ ଗର୍ବରେ ଛାତି ଫୁଲେଇ ଦିଗମ୍ବର କହିଲେ, ‘କେବେ ଦେଖିଥିଲ ଏତେ ମୂଲ୍ୟବାନ ସମ୍ପତ୍ତି ?’ କୁହ, ଏଥିରୁ ତୁମର କଣ ଦରକାର, ଏଗୁଡ଼ିକ ସବୁ ବହୁମୂଲ୍ୟ ରତ୍ନ, ଏକରୁ ଆରେକ ବଳି । ଏଥିରୁ ଗୋଟିଏ ପାଇଲେ ତୁମକୁ ସାରା ଜୀବନ ଆଉ ନାଆ ବାହିବା ଦରକାର ପଡ଼ିବନି । ତୁମର ବାକି ଜୀବନ ବଡ଼ ଆରାମରେ କଟିଯିବ । ଏଥିରୁ ତୁମର ଯାହା ଇଚ୍ଛା ତୁମେ ନିଅ, ଏବଂ ମୋତେ ବାକିସବୁ ସାଥିରେ ନେଇଯିବାକୁ ଦିଅ ।

ନାଉରୀଆ ଥରେ ଗଣ୍ଟିଲିର ରତ୍ନଗୁଡ଼ିକୁ ବଡ଼ ବେଖାତିରି ଭାବେ ଦେଖିନେଲା, ଆଉଥରେ ଦିଗମ୍ବର ବାବୁଙ୍କ ମୁହଁକୁ ଚାହିଁ ହୋ ହୋ ହୋଇ ହସି ଉଠିଲା । କହିଲା, ‘ଏସବୁ ବସ୍ତୁକୁ ତୁମେ ମୂଲ୍ୟବାନ ସମ୍ପତ୍ତି କହୁଛ ? ଆଉ ଏଇ ସବୁ ତୁମ କଥନ ଅନୁସାରେ ମୂଲ୍ୟବାନ ସମ୍ପତ୍ତିକୁ ଏକାଠି କରିବା ପାଇଁ, ତୁମେ ତୁମର ଦୁର୍ଲ୍ଲଭ ମଣିଷ ଜୀବନର ଅତି ମୂଲ୍ୟବାନ ସମୟ ସବୁ ନଷ୍ଟ କରିଦେଲ ? ଠିକ୍ ଅଛି, ତୁମକୁ ଯାହା ଠିକ୍ ଲାଗିଲା ତୁମେ କଲ । କିନ୍ତୁ, ତୁମର ଏ ମୂଲ୍ୟବାନ ରତ୍ନ ସବୁ ମୋର କିଛି କାମର ଜିନିଷ ନୁହେଁ, ମୋ ପାଇଁ ଏସବୁର କିଛି ମୂଲ୍ୟ ନାହିଁ । ଛାଡ଼ ସେ ଯାହାହେଉ ! ମନେକର, ମୁଁ ତୁମକୁ ଏ ସବୁ ସମ୍ପତ୍ତି ସାଙ୍ଗରେ ନେଇଯିବାକୁ ଅନୁମତି ଦେଇ ଦେବି, ଏସବୁ ସାଥିରେ ନେଇ ତୁମକୁ ସେଠି ପହଞ୍ଚାଇ ଦେବି । କିନ୍ତୁ ତୁମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ, ଏସବୁ ନେଇ, ତୁମେ ସେଠି କରିବ କଣ ?’

ଦିଗମ୍ବର ବାବୁ ନାଉରୀଆକୁ ବଡ଼ ଉତ୍ସୁକତାଭରା ନୟନରେ ଚାହିଁ କହିଲେ, ତୁମକୁ ଲୁଚାଇଲେ ଆଉ ଲାଭ କଣ ? ମୋ ପାଖକୁ ଆସ, ମୁଁ ତୁମ କାନରେ ବଡ଼ ଗୁମର କଥା କହିବି । କାଳେ ଆଉ କିଏ ଶୁଣି ଦେବ ମୋର ଏଇ ଗୋପନ ଯୋଜନା କଥା । ତୁମେ ଜାଣିନ, ଏ କମ୍ପିଟେସନ ଯୁଗରେ ବିଜିନେସ୍ ସିକ୍ରଟସ୍ କେତେ ଗହନ କଥା । ଏ କାନ କଥା ସେ କାନକୁ ଖବର ହେବନି । ନାଉରୀଆ ଟିକେ ମୁଚୁକି ହସିଲା, କହିଲା ଦେଖୁନ, ଆଖପାଖ ତ ଦୂରର କଥା, ଯୋଜନ ଯୋଜନ କୋଶ ଦୂର ପର୍ଯ୍ୟନ୍ତ ଜନଜୀବନ କେହି କୁଆଡ଼େ ନାହାନ୍ତି । ଏଇଠି କେବଳ ତୁମ ମୋ ଛଡ଼ା ଆଉ ତୃତୀୟ କେହି ନାହିଁ । ଦିଗମ୍ବର ଟିକେ ଆସ୍ୱସ୍ଥ ହେଲେ । କହିଲେ ଆଜିକାଲି ଯୁଗରେ ଧନ ସବୁଠି ଦରକାର । ଧନ ନଥିଲେ କେହି ବି କାହାକୁ ବାସି ମୁହଁରେ ପଚାରେ ନାହିଁ । ଆଉ, ମୁଁ ନୂଆ ଦେଶ, ନୂଆ ଜାଗା ଯାଉଛି, ଏ ଦେଶର କରେନ୍ସି ନୋଟ ତ ସେଠି ଚାଲିବନି, କିନ୍ତୁ ସୁନା, ରୂପା, ହୀରା, ମୋତି ମାଣିକ ସବୁଠି ଚାଲିଯିବ । ତେଣୁ ସେଠି ଏସବୁ ବଦଳେଇ, ଜାଗା ଖଣ୍ଡେ କିଣି ନିଜର ମହଲଟିଏ ତିଆରି କରିବି ତାପରେ ଲୋକଙ୍କୁ ଟଙ୍କା ପଇସା, ମଦ, ମାଂସ ଖୋଇ ପେଇ ଇଲେକ୍ସନରେ ଠିଆ ହୋଇ ମନ୍ତ୍ରୀ ବନିଗଲେ ପୁଣି ଦେଖିବ ମୋ କମାଲ, ଦିନେ ମୁଁ ତୁମର ସେ ଦେଶରେ ରାଜା ବି ହୋଇଯାଇ ପାରିବି ।

ଦିଗମ୍ବରଙ୍କ କଥା ଶୁଣି ନାଉରୀଆ ଖୁବ୍ ଜୋରରେ ହୋ ହୋ ହୋଇ ପାଗଳଙ୍କ ପରି ହସି ଉଠିଲା, ସେ ହସି ହସି ପୁରା ବେଦମ ହୋଇଗଲା । ତାପରେ ହସ ବନ୍ଦ କରି ଟିକେ ଦମ୍ ନେଇ କହିଲା: ‘ଆଚ୍ଛା ଦିଗମ୍ବର, ତୁମେ ଯେଉଁ ଦେଶକୁ ଯାଉଛ ସେ ଦେଶ ବିଷୟରେ କିଛି ଜାଣିଛ ? ମୋତେ ଲାଗୁଛି ତୁମେ କିଛି ଜାଣିନ କି କେବେ କିଛି ଶୁଣିନ । ହଁ, ତୁମେ ତ ସାରା ଜୀବନ ଧନ ଅର୍ଜନରେ ବ୍ୟସ୍ତ ରହିଲ, ଏସବୁ ଜ୍ଞାନ ପାଇଁ ତୁମ ପାଖରେ ସମୟ ବା କେଉଁଠି ଥିଲା । ଜାଣିନ ଯଦି ମୁଁ କହୁଛି ଶୁଣ । ତୁମେ ଯେଉଁ ଦେଶକୁ ଯାଉଛ ସେ ଦେଶରେ ଦୁଇଟି ଜାଗା ଅଛି । ଗୋଟିଏ ହେଉଛି ସ୍ୱର୍ଗଲୋକ, ଆରଟି ନର୍କଲୋକ । ତୁମେ ତା ମଧ୍ୟରୁ କେଉଁ ଜାଗାକୁ ଯିବ ସେକଥା ସେଠି ପହଞ୍ଚିଲା ପରେ ତୁମକୁ ଜଣାଇ ଦିଆଯିବ । ଦ୍ୱିତୀୟ କଥା, ତୁମେ ସେଠି ପହଞ୍ଚିଲା ବେଳକୁ ତୁମର ଏ ଶରୀର ସେଠି ନଥିବ । ସେଠି କାହାର ବି ଶରୀର ନାହିଁ । ଶରୀର ନାହିଁ ତ ନାମ ବି ନାହିଁ । ଶରୀର ନାହିଁ, ତ ପୋଷାକର ଆବଶ୍ୟକତା ନାହିଁ, ଶରୀର ନାହିଁ ତ ଭୋକ ବି ନାହିଁ, ଶୋଷ ବି ନାହିଁ, କାମନା ନାହିଁ । କିଛି ଅନୁଭବ ବି ନାହିଁ, ଶୀତ ଖରା ବର୍ଷାର ଡର ନାହିଁ, କାହା ସହିତ କାହାର କିଛି ସମ୍ପର୍କ ନାହିଁ, ଲୋଭ ନାହିଁ, ପ୍ରେମ, ଘୃଣା, ଇର୍ଷା, ହିଂସା, ଦୟା, କ୍ଷମା, ମାୟା ମମତା କିଛି ନାହିଁ । କିଛି ନାହିଁର ସେ ସଂସାରରେ କେବଳ ଅଛି ଆନନ୍ଦ, ପରମାନନ୍ଦ । ପାଇବା, ହରାଇବା କିଛି ନାହିଁ ସେଠି । କିନ୍ତୁ ଅବସୋସ, ଗୋଟିଏ ବଡ଼ ଦୁଃଖର କଥା କଣ ଜାଣ ?’ ପ୍ରଶ୍ନିଳ ଆଖିରେ ଦିଗମ୍ବର ନାଉରୀଆ ମୁହଁକୁ ଚାହିଁ ରହିଲେ । ନାଉରୀଆ ନିର୍ବିକାର ଭାବେ କହିଲା, ‘ଦିଗମ୍ବର, ତୁମକୁ ବଡ଼ ଦୁର୍ଲଭ ମଣିଷ ଜନ୍ମ ମିଳିଥିଲା । କିନ୍ତୁ ତୁମେ ଅସଲ ମୂଲ୍ୟବାନ ସମ୍ପତ୍ତି ଏକାଠି ନକରି କେବଳ ମାଟି ଗୋଡ଼ି, ପଥର ଏକାଠି କରିବାରେ ତୁମର ସାରା ଜୀବନ ବ୍ୟର୍ଥରେ ବିତେଇ ଦେଲ ।’

ଦିଗମ୍ବର ବଡ ନିରାଶ ନୟନରେ ନାଉରୀଆ ମୁହଁକୁ ଚାହିଁ ପଚାରିଲେ, ଏସବୁ ସୁନା, ରୂପା ହୀରା, ମୋତି, ମାଣିକ ଯଦି ମାଟି ଗୋଡି ପଥର ତେବେ ଅସଲ ମୂଲ୍ୟବାନ ସମ୍ପତ୍ତି ପୁଣି କାହାକୁ କହୁଛ ତୁମେ ? ନାଉରୀଆ ଟିକିଏ ହସି କହିଲା, କେବେ କେଉଁ ଦୁଃଖି ମୁହଁରେ ଟିକେ ହସ ଦେଲା ବେଳେ ଯେଉଁ ଆତ୍ମ ତୃପ୍ତି ମିଳେ, କେଉଁ ଭୋକିଲା ଲୋକକୁ ମୁଠାଏ ଖାଇବାକୁ ଦେଇ ଯେଉଁ ଆଶିର୍ବାଦ ମିଳେ । କେଉଁ ଅସହାୟ ବ୍ୟକ୍ତିକୁ ଟିକେ ସହାୟତା ଦେଇ ଯେଉଁ ଖୁସି, ନିଜର ଆତ୍ମୀୟଜନଙ୍କ ସହିତ ଦୁଇ ଘଢି ସମୟ ବିତେଇବାର ଆନନ୍ଦ, ବନ୍ଧୁ ମାନଙ୍କର ଶୁଭେଚ୍ଛା, ଗୁରୁଜନ ମାନଙ୍କୁ ସେବା କରିବାରେ ସେମାନଙ୍କର ଯେଉଁ ଆଶିର୍ବାଦ ମିଳେ, ଛୋଟ ମାନଙ୍କୁ ସ୍ନେହ ପ୍ରେମ ଦେଇ ଯେଉଁ ଆନନ୍ଦ ମିଳେ ଏବଂ ସେମାନଙ୍କର ଯେଉଁ ଶ୍ରଦ୍ଧା ମିଳେ ସେସବୁ ହେଉଛି ଅସଲ ମୂଲ୍ୟବାନ ସମ୍ପତ୍ତି । କିନ୍ତୁ ତୁମେ ସେ ସବୁରୁ କାଣିଚାଏ ବି ଅର୍ଜନ କରି ପାରିଲନି । ତୁମେ ସବୁ ଜିନିଷକୁ ପଇସାରେ ତଉଲି କରି ଦେଖିଲ । ଭାବିଲ ସବୁ କିଛି ପଇସା ବଦଳରେ କିଣି ହୋଇଯିବ । ଅବଶୋଷ ତୁମେ ଯେଉଁ ସମ୍ପତ୍ତି ଏକାଠି କଲ ସେସବୁ ଆଜି ତୁମର କିଛି କାମରେ ଆସିବନି । ସେସବୁ ତୁମେ ସାଥିରେ ବି ନେଇକି ଯାଇ ପାରିବ ନାହିଁ । ଏତେ କଷ୍ଟରେ ଅର୍ଜନ କରିଥିବା ତୁମର ଏ ସବୁ ସମ୍ପତ୍ତି ଏଇଠି, ଏମିତି ଅନ୍ୟର ଭୋଗ ବିଳାଶ ପାଇଁ ତୁମକୁ ଛାଡିଦେଇ ଯିବାକୁ ହେବ । ତୁମକୁ ଛୋଟ ଗୋଟିଏ କାହାଣୀ କହୁଛି ଶୁଣ, ‘ମାଠିଆ ଆଉ ପଲମ’ର କାହାଣୀ;

ଅନେକ ଦିନ ତଳର କଥା, ଉଡ୍ର ଦେଶରେ ସୋମନାଥ ନାମରେ କୁମ୍ଭାରଟିଏ ଥିଲା । ସେ ନିତି ମାଟିରେ ବିଭିନ୍ନ ପ୍ରକାରର ପାତ୍ର ତିଆରି କରେ । ମାଟିରେ ପାଣି ପକାଇ ତାକୁ ନିଜ ଗୋଡ଼ରେ ଦଳିଚକଟି ପାତ୍ର ତିଆରି ପାଇଁ ମାଟି ପ୍ରସ୍ତୁତ କରେ, ତା’ପରେ ସେଇ ମାଟି ପିଣ୍ଡୁଳାକୁ ଚକରେ ବୁଲାଇ ଆକାର ଦିଏ ପୁଣି ସେଇ ଆକାରଗୁଡ଼ିକୁ ପଟିପିଟି ସଠିକ୍ ଆକାରର ବିଭିନ୍ନ ବସ୍ତୁ ହାଣ୍ଡି, ମାଠିଆ କଡ଼େଇ ପଲମ ଆଦି ତିଆରି କରେ । ତାପରେ ସେଇ କଞ୍ଚମାଟିର ପାତ୍ର ସବୁକୁ ନିଆଁ ଭାଟିରେ ପୋଡ଼ି ମଜବୁତ୍ କରିଦିଏ ।

ନିଜେ ତିଆରି କରିଥିବା ପାତ୍ର ସବୁ ନେଇ ବଜାରରେ ବିକ୍ରି କରିଦିଏ । ଦିନେ ଜଣେ ସୌଦାଗର ସେଇ ପାତ୍ର ମଧ୍ୟରୁ ଗୋଟିଏ ତାୱା (ପଲମ) ଆଉ ଗୋଟିଏ ମାଠିଆ କିଣି ନେଲେ । ସୌଦାଗର ପ୍ରତିଦିନ ମାଟି ମାଠିଆଟିରେ ପାଣି ଭରି ଦିଅନ୍ତି ଏବଂ ସୌଦାଗରଙ୍କ ପତ୍ନୀ ପଲମଟି ନେଇ ପିଠା କରିବା ପାଇଁ ଚୁଲିରେ ବସାଇ ଦିଏ । ସବୁ ଦିନ ଏପରି ହୁଏ । ପ୍ରତିଦିନ ପାଣି ସରିବା ଆଗରୁ ମାଠିଆରେ ପାଣି ଭରି ଦିଆଯାଏ ଆଉ ପଲମକୁ ପିଠା କି ରୁଟି ସେକିବା ପାଇଁ ଚୁଲି ନିଆଁ ଉପରେ ବସେଇ ଦିଆଯାଏ । ପିଠା ପୋଡ଼ିଯିବା ଆଗରୁ ପିଠାକୁ ବାହାର କରି ଦିଆଯାଏ । ଦିନେ ପଲମ ଦୁଃଖି ହୋଇ ମାଠିଆକୁ କହିଲା, ଭାଇ, ତୁମେ କେତେ ଭାଗ୍ୟବାନ । କେହି ତୁମ ପେଟ କେବେ ଖାଲି ହେବାକୁ ଦେଉନି । ତୁମ ପେଟ ଖାଲି ହେବା ଆଗରୁ କେହିନା କେହି, ପୁଣି ଶୀତଳ ଜଳରେ ତୁମ ପେଟରେ ଭରି ଦେଉଛି । ତୁମେ ଦିନରାତି ଚବିଶ ପ୍ରହର ଶୀତଳତା ଭିତରେ ଜୀବନ କାଟୁଛ । ତିଆରି ହେଲାବେଳେ ଏତେ କଷ୍ଟରେ ଆକାର ପାଇଲି ଆଉ ନିଆଁ ଭାଟିରେ ଜଳିଲି ଏବଂ ଆଜିବି ପ୍ରତିଦିନ ଚୁଲି ଉପରେ ତିଳତିଳ ଜଳୁଛି ମୁଁ । ମୋତେ ସବୁବେଳେ ଗରମ ଚୁଲା ଉପରେ ବସେଇ ଦିଆଯାଉଛି । ମୋତେ ଖାଇବାକୁ ପିଠା ଦେଉଛନ୍ତି କିନ୍ତୁ ମୁଁ କିଛି ଖାଇବା ଆଗରୁ ସୌଦାଗର ପତ୍ନୀ ମୋ ଖାଦ୍ୟ ମୋ ମୁହଁରୁ ବାହାର କରି ନେଉଛି । ମୁଁ ପିଠା ତିଆରି କରୁଛି ହେଲେ ସବୁଦିନ ଭୋକିଲା ରହୁଛି । ମୋର ଏତେ କଷ୍ଟସାଧ୍ୟ ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରୁଛନ୍ତି । ସବୁ ଶୁଣି ସାରିଲାପରେ ମାଠିଆ ପାଖରେ ପଲମକୁ କହିବା ପାଇଁ କିଛି ସାନ୍ତ୍ୱନାବାଣୀ ନଥିଲା ତେଣୁ ସେ ଚୁପ ରହିଲା ।

ଗପଟିକୁ ଏଇଠି ଶେଷକରି ନାଉରୀଆ ଦିଗମ୍ବରକୁ ପଚାରିଲା: ‘ଏବେ କୁହ ଦିଗମ୍ବର, କୁମ୍ଭାର ମାଠିଆ ଆଉ ପଲମକୁ ଏକା ପ୍ରକାର ପ୍ରଣାଳୀରେ ଗଢିଲା । ମାଟିକୁ ପାଦରେ ଦଳି ଚକଟିଲା, ଚକରେ ବୁଲାଇ ପୁଣି ଦୁହିଁଙ୍କୁ ଆକାର ଦେଲା, ପିଟି ପିଟି ପଲମ ଆଉ ମାଠିଆ ଗଢିଲା, ପୁଣି ନିଆଁ ଭାଟିରେ ପୋଡି ଦୁହିଁଙ୍କୁ ମଜବୁତ କଲା । ହେଲେ ମାଠିଆ ଆଉ ପଲମ ଦୁହିଁଙ୍କର ଭାଗ୍ୟ କେତେ ଅଲଗା । ଜଣେ ଶାନ୍ତିରେ ଶୀତଳତା ଭିତରେ ଆରାମରେ ଦିନ କାଟୁଛି, ଆଉ ଜଣେ ନିତି ନିତି ପୁଣି ସେଇ ନିଆଁରେ ପୋଡୁଛି ଏବଂ ଭୋକିଲା ବି ରହୁଛି । ପଲମ ମାଠିଆକୁ ତାର ଯେଉଁ ଦୁଃଖ କାହାଣୀ ଶୁଣାଇଲା ତାର ଉତ୍ତର ତୁମକୁ ଜଣାଥିଲେ କୁହ ।’

ଦିଗମ୍ବର ଟିକେ ଭାବିଚିନ୍ତି କହିଲେ: ‘ଏସବୁ ତ ଭାଗ୍ୟର ଫଳ, ପଲମ ଭାଗ୍ୟରେ ନିତି ନିଆଁରେ ଜଳି ବି ଭୋକିଲା ରହିବା ଲେଖା ହୋଇଛି ଏବଂ ମାଠିଆ ଭାଗ୍ୟ ବହୁତ ଭଲ ତା ପେଟ ସବୁବେଳେ ଶୀତଳ ଜଳରେ ଭରି ରହୁଛି ।’ ଦିଗମ୍ବରଙ୍କ ଉତ୍ତର ଶୁଣି ନାଉରୀଆ ଟିକେ ମୁଚୁକି ହସି କହିଲା: ‘ନା’ ଏସବୁ ଭାଗ୍ୟର ଫଳ ନୁହେଁ । ଏ ସବୁ କର୍ମର ଫଳ ! ମଣିଷର କର୍ମ ହିଁ ତାର ଭାଗ୍ୟ ଲେଖି ଥାଏ । ଯେପରି କର୍ମ କରିବ ଭାଗ୍ୟ ସେହି ପରି ଫଳ ଦେବ । ଏଇ ଦେଖୁନ, ସବୁଦିନ ମାଠିଆରେ ଜଳ ତ ଭରି ଦିଆଯାଉଛି, କିନ୍ତୁ ମାଠିଆ ତାର ଯେତିକି ଆବଶ୍ୟକ ସେତିକି ପିଇ ବାକି ପାଣିକୁ ନିର୍ଲୋଭ, ନିର୍ବିକାର ଚିତ୍ତରେ ତୃଷାର୍ତ୍ତ ମାନକୁ ପିଇବାକୁ ଦେଇ ଦେଉଛି । ତିଳେ ବି କୃପଣତା ଦେଖାଉ ନାହିଁ, ତେଣୁ ତା ପେଟ ଖାଲି ହେବା ପୂର୍ବରୁ ସେଥିରେ ପୁଣି ପାଣି ଭରି ଦିଆଯାଉଛି, କିନ୍ତୁ ପଲମର ଅବସ୍ଥା ପୁରା ଓଲଟା, ପଲମର ପ୍ରକୃତି ସବୁକିଛି ଆତ୍ମସାତ କରିନେବା । ଯଦି ତା ଉପରେ ପିଠାକୁ ଛାଡ଼ି ଦିଆଯାଏ ତେବେ କଣ ହେବ? ପଲମ ସମ୍ପୂର୍ଣ୍ଣ ପିଠାକୁ ଆତ୍ମସାତ କରି ଖାଇଯିବ (ଜାଳି ଦେବ) କିଛି ବି ଛାଡ଼ିବନି କାହାପାଇଁ । ସେଥିପାଇଁ ଠିକ୍ ସମୟରେ ପିଠାକୁ ବାହାର କରି ନିଆଯାଏ, ଆଉ ପଲମ ନିତି ନିଜେ ଜଳେ କିନ୍ତୁ ତାର ପରିଶ୍ରମର ଫଳ ଭୋଗ କରିପାରେନା, ତା ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରନ୍ତି । ସେମିତି ତୁମେ ତୁମ ଜୀବନକୁ ପଲମଟିଏ ପରି କରିଦେଲ । ଦିନରାତି କଠିନ ପରିଶ୍ରମ କଲ, ଅମାପ ଧନସମ୍ପତ୍ତି ଅର୍ଜନ କଲ, କିନ୍ତୁ ତୁମ ଶ୍ରମର ଫଳ ଅନ୍ୟମାନେ ଭୋଗ କଲେ ଏବଂ ଆଜି ଯାହା କିଛି ବି ବଳିଛି ସେସବୁ ତୁମର କିଛି କାର୍ଯ୍ୟରେ ଆସିବନି । ସେଇ ଧନ ସବୁ ଏଇଠି ଅନ୍ୟମାନଙ୍କର ଭୋଗ ବିଳାଶ ପାଇଁ ଛାଡ଼ିଦେଇ ଯିବ । ଯଦି ତୁମେ ତୁମ ଜୀବନକୁ ମାଠିଆ ପରି କରିପାରି ଥାଆନ୍ତ, ତେବେ ସାରା ଜୀବନ ସୁଖ ଭୋଗି ଥାଆନ୍ତ ଏବଂ ଆଜି ତୁମ ପାଖରେ ଅଜସ୍ର ଅସଲ ମୂଲ୍ୟବାନ ସମ୍ପତ୍ତି ଜମା ଥାଆନ୍ତା, ଯାହା ତୁମ ଠାରୁ କେହି ଛଡ଼ାଇ ନେଇ ପାରି ନଥାନ୍ତା, ଏବଂ ସେ ସମ୍ପତ୍ତି ଆରପାରିରେ ତୁମକୁ ସ୍ୱର୍ଗ ସୁଖ ଦେଇପାରି ଥାଆନ୍ତା । ଜୀବନର ଅସଲ ଉଦ୍ଦେଶ୍ୟ ସବୁକିଛି ପାଇ କରି ଆତ୍ମସାତ କରିବା ନୁହେଁ, ସବୁ କିଛି ବାଣ୍ଟି ଯିବା ହିଁ ଅସଲ ମାନବ ଧର୍ମ, ନେଇ ନେଇ କେହି ଅମର ହୋଇନି, ବରଂ ଦେଇ ଦେଇ ହିଁ ଅସଲ ମଣିଷପଣିଆ ଦେଖାଇ ହୁଏ । ଦେବା ଲୋକକୁ ସମସ୍ତେ ମନେ ରଖନ୍ତି, କେବଳ ନେଉଥିବା ଲୋକଟି ଘୃଣାର ପାତ୍ର ହୋଇ ରହିଯାଏ । ଏତିକି କହି ନାଉରୀଆ ଚୁପ୍ ହୋଇଗଲା ।’

ନାଉରୀଆର କଥା ଶୁଣି ଦିଗମ୍ବର ନିଜ ମଥାରେ ହାତ ବାଡ଼େଇ ତଳେ ଥକା ମାରି ବସିଗଲେ । କହିଲେ ହେ ନାଉରୀଆ ଆପଣ ଠିକ୍ କହିଲେ । ମଣିଷ ତାର ଜୀବନରେ ଭାଗ୍ୟର ଫଳ ନୁହେଁ, ନିଜ କର୍ମର ଫଳ ହିଁ ଭୋଗିଥାଏ । ଆପଣ ମୋର ଆଖି ଖୋଲିଦେଲେ । ହେଲେ ମୁଁ ହତଭାଗା, ଆଜି ନିଜକୁ ସୁଧାରିବା ପାଇଁ ମୋ ପାଖରେ ତିଳେ ବି ସମୟ ବଳକା ନାହିଁ । ହେ ନାଉରୀଆ, ହେ ପରମ ମହାଜ୍ଞାନୀ, ଆପଣ ଜଣେ ସାମାନ୍ୟ ନାଉରୀଆ ହୋଇ ନପାରନ୍ତି । ଆପଣ ଦୟାକରି ମୋତେ ନିଜ ପରିଚୟ ଦିଅନ୍ତୁ, ଆପଣ କିଏ ?

ନାଉରୀଆ କହିଲା : ‘ମୁଁ କାଳ, ମୋତେ ତୁମେ ମୃତ୍ୟୁ ଭାବେ ଜାଣିଛ । ସମସ୍ତେ ଭାବନ୍ତି ମୁଁ ସମସ୍ତଙ୍କର ପରମ ଶତ୍ରୁ, ମୁଁ ବିକରାଳ ମୁହଁ ଦେଖାଇ ଅଟ୍ଟହାସ୍ୟ କରେ । ମୁଁ ସମସ୍ତଙ୍କୁ ସେମାନଙ୍କର ପ୍ରିୟଜନଙ୍କୁ ଛଡ଼େଇ ନେଇ ସେମନଙ୍କୁ ଦୁଃଖ ସାଗରରେ ଭସାଇ ଦିଏ । କିନ୍ତୁ ଯିଏ ବି ମୋତେ ଥରେ ଦେଖିଛି, ଯିଏ ମୋତେ ଥରେ ଜାଣିଛି, ସିଏ ତ କେବେ ବି ଫେରିଯାଇ ପାରିନି ତେବେ ଏତେ କଥା ପୁଣି ସମସ୍ତଙ୍କୁ କହିଲା କିଏ । ହେ ବନ୍ଧୁ, ମୁଁ ତୁମ ଜନ୍ମ ଦିବସର ପ୍ରଥମ ଦିନରୁ ପ୍ରତି ମୁହୁର୍ତ୍ତରେ ତୁମ ସାଥିରେ ଅଛି । ତୁମେ ମୋତେ ଦେଖିପାରୁନ, କେବେ ଦେଖିବାକୁ ବି ଚାହୁଁନ । କେହି ମୋତେ ଭଲପାଏନା, ଶୁଣା କଥାରେ ବିଶ୍ୱାସ କରି ସମସ୍ତେ ମୋତେ ସତରେ କେତେ ଘୃଣା କରନ୍ତି ! ଆଜି ମୁଁ ତୁମ ପାଇଁ ଯେପରି ଆସିଛି, ସମସ୍ତଙ୍କ ପାଇଁ ଦିନେ ନା ଦିନେ ଠିକ୍ ଏହିପରି ଠିକ୍ ସମୟରେ ଆସିବି । ନା’ ସମୟର ଆଗରୁ ଆସିବି ନା’ ପଛରେ, ଗୋଟିଏ ମୂହୁର୍ତ୍ତର ଫରକ ବି ରହିବନି । ସମସ୍ତେ ଦିନେ ମୋ ସାଥିରେ ଏଇ ଶୂନ୍ୟତାର ସଂସାରକୁ ଆସିବେ । ଏଇ ଶୂନ୍ୟତାର ସଂସାର ପରମ ଆନନ୍ଦରେ ପରିପୂର୍ଣ୍ଣ । ନା’ ଏଠି କଷ୍ଟ ଅଛି, ନା’ ଲୁହ’ ନା’ ହସର ଜୁଆର ଅଛି । ଆସକ୍ତିର ବହୁତ ଦୂରରେ ନିରାସକ୍ତର ଏଇ ଦୁନିଆ, ନା ଏଠି ସମ୍ପର୍କ ଥାଏ, ନା କେହି ବନ୍ଧୁ ନା କେହି ଶତ୍ରୁ, ନା କିଛି ମାୟାର ବନ୍ଧନ ଥାଏ । ନିର୍ମାୟା, ନିର୍ଲିପ୍ତ, ଅନାସକ୍ତର ଏଇ ମୋର ସଂସାର । ଲୋଭ ନାହିଁ, ହିଂସା ନାହିଁ, ପ୍ରେମ ନାହିଁ କିମ୍ବା ବିରହର ଯନ୍ତ୍ରଣା ବି ନାହିଁ । ଏଇଠି କାହାର ଶରୀର ନାହିଁ, ରୂପ ନାହିଁ, ଯୌବନ ନାହିଁ, ବୟସର କିଛି ଫରକ ନାହିଁ, କାମ କାମନାର ଜ୍ୱଳନ, କ୍ଷୁଧା, ତୃଷା ଲୋଭ ଅଂହକାର କିଛିବି ନାହିଁ । ଏଇଠି ନା’ ଜନ୍ମ ଅଛି ନା’ ପୁଣି ଥରେ ମୃତ୍ୟୁର ଭୟ ଅଛି । କିଛି ନାହିଁର ଏଇ ମୋର ଦୁନିଆ । ଏଇ ଶୂନ୍ୟତାରେ ନିରାନନ୍ଦ, ନିରାସକ୍ତ, ନିର୍ଲିପ୍ତତାର ପରମାନନ୍ଦକୁ ସମସ୍ତେ କାହିଁକି ଏତେ ଡରନ୍ତି କେଜାଣି ? ମୁଁ ସମସ୍ତଙ୍କୁ ପରମ ଶାନ୍ତି ପ୍ରଦାନ କରିଥାଏ, ସଂସାରର ସମସ୍ତ ଦୁଖ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ମୁଁ ଆଉ କେହି ନୁହେଁ, ମୁଁ ସମସ୍ତ ଜୀବଜଗତର ପରମ ମିତ୍ର ‘ମୃତ୍ୟୁ’ !

ଥରେ ଦେଖାହେଲା ପରେ, ତୁମେ ମୋର ହୋଇଯିବ ଆଉ ମୁଁ ତୁମର ହୋଇଯିବି, ଏବଂ ତୁମ, ମୋ ମଝିରେ ଆଉ କେହି ବି ନଥିବ । ମୋ ନିବିଡ଼ ବାହୁ ବନ୍ଧନରୁ ନା ତୁମେ ମୁକୁଳି ଯାଇପାରିବ, ନା ତୁମେ ଯିବାକୁ ଚାହିଁବ । କେବଳ ମୁଁ ହିଁ ସମସ୍ତ କଷ୍ଟରୁ ମୁକ୍ତି, ସମସ୍ତ ମାୟା ବନ୍ଧନରୁ ମୁକ୍ତି ଦେଇପାରେ ।’

ଦିଗମ୍ବର ହାତଯୋଡ଼ି ମୃତ୍ୟୁଙ୍କୁ ପ୍ରଣାମ କରି କହିଲେ, ‘ହେ ପରମ ମିତ୍ର, ମୋତେ ଯଦି ଆଉ ଥରେ ମାନବ ଜନ୍ମ ମିଳେ ମୁଁ ମାଟିର ମାଠିଆଟିଏ ପରି ହେବାକୁ କାୟା, ମନ, ବାକ୍ୟରେ ସମ୍ପୁର୍ଣ୍ଣ ଚେଷ୍ଟା କରିବି । ମୁଁ ଆଜି ମୋର ସମସ୍ତ ସମ୍ପତ୍ତି ଏଇଠି ଛାଡ଼ି ରିକ୍ତ ହସ୍ତରେ ଆପଣଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ । ଆପଣ ମୋତେ ଆପଣଙ୍କର ଶରଣରେ ନିଅନ୍ତୁ । ମୃତ୍ୟୁ ନିଜର ବାହୁ ପଶାରୀ ଦିଗମ୍ବରଙ୍କୁ ଆପଣାର ନିବିଡ଼ ବାହୁ ବନ୍ଧନରେ କୁଣ୍ଢେଇ ଧରିଲେ ।’

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *