ଜହ୍ନରାତି : ଦୃଶ୍ୟାନ୍ତର

ଅନୁପ କୁମାର ମିଶ୍ର

ଜହ୍ନରାତି କ’ଣ ଖାଲି ଦେହତାତି ନା ଆଉକିଛି
ଜହ୍ନରାତି କ’ଣ ଖାଲି ଦରଲିଭା ସ୍ମୃତି ନା ମୂକସାକ୍ଷୀ

ମୁଁ ଦରାଣ୍ଡି ଦରାଣ୍ଡି ଜହ୍ନରାତି
ପଛ ଆଖିମାନଙ୍କୁ ଟାଳିଦେଇ, ତୁମ କୁଡ଼ିଆରେ
ଓଜାଡ଼ି ଅଣାୟତ ଅନ୍ତର୍ଦାହ ଅନୁରକ୍ତି
ପଚାରୁଛ, ଜହ୍ନ ପରି ମୁଁ ନା ତମେ
କହିଲି ତୁମ ପରି ଜହ୍ନ
ମୁଁ ତୁମ ଜୋଛନା ଅନ୍ତରଙ୍ଗ ରାତି ।

ସମୁଦ୍ରର ପାଦତଳେ ଜଳୁଥିଲା ସଞ୍ଜବତୀ
ଜଳୁଥିଲା କ’ଣ, ଲିଭୁଥିଲା ବାରବାର
ଇନ୍ଧନ ଯେ ଢାଳୁଥିଲା ସେଇ
ପୁନେଇଁର ଶିହରିତ କାନ୍ତି ।

ଦୂର ଝାଉଁବଣରେ ଏବେ ବିଛେଇ ପଡ଼ିଛି
ସେ ଅମାନିଆ ଜହ୍ନରାତି
ଜହ୍ନ ପଛର ଯାଯାବରମାନେ ବେଶ୍ ମାତାଲ୍‌
ଆଉ ଏକ ଶିକାର ପଛରେ
ମୁଁ ତୁମକୁ ଖୋଜି ଖୋଜି ନୟାନ୍ତ
କେଉଁ ବଣରେ ପାରିଛ ପଣତ ?

ଡାକଦେଲି ସଖୀ, ଆସ ରାତି ପାହି ନଯାଉ
ଝରକା ଆରପାଖେ ଏବେ ଜହ୍ନଧୁଆ ଛାଇ
କ୍ରମଶଃ ଛୋଟ ହେଉଥାଏ
ମୋ ଦେହରୁ ପୁରପୁର ଋତୁ ଛେଲି ।

ଆଖିମଳି ଦେଖନ୍ତେ ଜହ୍ନରାତି ଉଭାନ୍
କେଉଁ ଦିଗେ ଅଛ ସିଦ୍ଧାର୍ଥ ?

ବଡ଼ଖେମୁଣ୍ଡି ସାହି, ବ୍ରହ୍ମପୁର, ମୋବାଇଲ : ୯୪୩୭୩୨୩୧୯୪

ଲେଖକ ପରିଚୟ

ଛାତ୍ର ଜୀବନରୁ ସାହିତ୍ୟମଗ୍ନ । ଗପ, କବିତା ଓ ନାଟକ ଆଦି ଲେଖନ୍ତି । ବ୍ରହ୍ମପୁରର ସାହିତ୍ୟ କ୍ଷେତ୍ରରେ ଜଣେ ପରିଚିତ ଓ ଚର୍ଚ୍ଚିତ ନାଁ । ଅଭିନୟରେ ରୁଚି ରଖୁଥିବା କବିତାର ନିଶାଗ୍ରସ୍ତ ଅନୁପ କୁମାର ମିଶ୍ରଙ୍କ ପ୍ରଥମ କବିତା ସଂକଳନ “ବେଲୁନ୍ ବାଲା” ପ୍ରକାଶ ପାଏ ୧୯୯୭ରେ ।  ବିଭିନ୍ନ ସାହିତ୍ୟ ସଂଗଠନ ସହ ଜଡ଼ିତ ଓ ସକ୍ରିୟଥିବାବେଳେ ଚଳମାନ ସାହିତ୍ୟରୁ ଦୀର୍ଘ ବର୍ଷର ଉର୍ଦ୍ଧ୍ଵ ଜୀବନ ବିତେଇ ସେ ଫେରନ୍ତି ପୁଣି କବିତା ଭିତରକୁ । ଦ୍ଵିତୀୟ କବିତା ସଂକଳନ “ନଞ୍ ତତ୍ ପୁରୁଷ” ସଂପ୍ରତି ଯନ୍ତ୍ରସ୍ଥ ଏବଂ ପ୍ରକାଶ ଅପେକ୍ଷାରେ । 

Related Posts

Leave a Reply

Your email address will not be published. Required fields are marked *