ବିନୟ ମହାପାତ୍ର
ସନାତନ ଆମ ଗାଁର ସେମିତି କୋଉ ବଡ଼ ନାମଜାଦା ଲୋକ ନଥିଲା କି ବଡ଼ ଚାଷୀଟାଏ ବି ନଥିଲା । ବେଶି ପାଠୁଆ ନଥିଲା କି ସେମିତି କିଛି ବଡ଼ କିମ୍ବା ଛୋଟମୋଟ ନେତାଟିଏ ବି ନଥିଲା । ଆପଣମାନେ ଭାବୁଥିବେ ମୁଁ ତା ବିଷୟରେ କିଛି କହିବାକୁ କାହିଁକି ବାଛିଲି ? ଗାଁରେ ଏତେ ଲୋକ ଅଛନ୍ତି, ସେମାନଙ୍କ ବିଷୟରେ କହିବାକୁ ମୋତେ ବହୁତ କିଛି ମସଲା ମିଳିଥାନ୍ତା, କିନ୍ତୁ ଏମିତି କଣ ଅଛି ଏ ସନାତନର ଜୀବନରେ ଯେ ଅନ୍ୟମାନଙ୍କୁ ଛାଡ଼ି ମୁଁ ସନେଇ, ମାନେ ସନାତନ ଭୋଇର କଥା କହିବାକୁ ଭାବିଲି !
ଏଇଥିପାଇଁ କହୁଛି ସନେଇ କଥା, କାରଣ ତା ଘରଟା ଆମ ଗାଁ ମୁଣ୍ଡରେ, ମେଲଣ ପଡ଼ିଆ ପାଖରେ ଯେଉଁ ବରଗଛଟା ଅଛି ତାଠାରୁ ଅଳ୍ପ ଦୂରରେ । ତା ଅଗଣାରେ ଠିଆ ହେଲେ ବର ଗଛଟା ପୁରା ଦେଖାଯାଏ । ବରଗଛ ତଳେ କିଏ ବସିଛି କିଏ ଠିଆ ହୋଇଛି ପୁରା ଚିହ୍ନି ହୋଇଯାଏ । ସନେଇ ହେଉଛି ଆମ ସମାଜର ଗୋଟିଏ ନିର୍ଭୀକ ସୈନିକ । ଦେଶ ସୀମାରେ ବନ୍ଦୁକ ଧରି ପହରା ଦେଉନି ସିନା, କିନ୍ତୁ ଦେଶସେବା କରିବାକୁ ଦେଶବାସୀଙ୍କ ଥାଳିରେ ଭାତ ମୁଠାଏ ଦେବାକୁ ହଳ ବଳଦ ନେଇ ଭାଗ ଜମିରେ ତାର ରକ୍ତ ନିଗାଡ଼ି ଦିଏ । ଛନ୍ଦକପଟ ଜାଣେନା, ରାଜନୀତିରେ ମୁଣ୍ଡ ଖେଳାଏନି । ଦେଶ, ବିଦେଶ କଥା ଜାଣନା, ହେଲେ ସେ ତାର ଅଜାଣତରେ ଦେଶ ପାଇଁ କେତେ ଯେ କାମ କରିଯାଏ ତାର ତୁଳନା ନାହିଁ । ଛୋଟ କୃଷକଟିଏ, ତାର ଜମିରେ ନିଜ ଝାଳ ନିଗାଡ଼ି ଦିଏ । ତା’ରି ଝାଳ ନିଗିଡ଼ା ଫସଲର ଅସଲ ଲାଭ, ଲୋଭି ବେପାରୀ ଖାଇଯାଏ, ଆଉ ତା ପରିଶ୍ରମର ଫଳ ଉଚ୍ଚା ଦାମରେ କିଣି ଆମ ଖାଇବା ଥାଳିରେ ପରଶି ଦିଆଯାଏ । ସେମିତି ନିରୀହ ଚାଷିଟିଏ ସନିଆ ।
ଦିନେ ତାକୁ ପଚାରିଲି, ‘ଆରେ ସନେଇ ! ତୁ ଶୁଣିଛୁ ? ଆମ ନେତା କହୁଛନ୍ତି ଭଲ ଦିନ ଖୁବ୍ ଶିଘ୍ର ଆସିବ ! ସମସ୍ତଙ୍କର ସ୍ୱପ୍ନ ପୁରା ହୋଇଯିବ । ଆଚ୍ଛା ଭଲ ଦିନ କହିଲେ ତୁ କଣ ଭାବୁ ?’ ସନେଇ ଯାହା ଉତ୍ତର ଦେଲା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସତରେ କହନ୍ତି ମାଟିର ମଣିଷଟିଏ, ଯିଏ ମୁଣ୍ଡରୁ ନୁହେଁ ହୃଦୟରୁ ଭାବେ । ସନେଇ କହିଲା, ‘ଆଜ୍ଞା ! ଯେଉଁଦିନ ମୋ ବୁଢୀମାଆ, ମୋ ପୁଅ, ଝିଅ, ମୋ ସ୍ତ୍ରୀ ଦି’ ବକତ ପେଟ ପୁରେଇ ଖାଇବେ, ଯେଉଁଦିନ ଝଡ଼ି ବର୍ଷାରେ ମୋ ଚାଳରୁ ପାଣି ଗଳିବନି, ଶୀତ କାକରରେ ମୋ ପିଲାଏ ହନ୍ତସନ୍ତ ହେବେନି କି ମୋ ପରିବାରର କେହି ବି ରୋଗ ଯନ୍ତ୍ରଣା ଭୋଗି ଔଷଧ ଟୋପାଏ ନପାଇ ମରିବନି, ସେଇଦିନ ଆସିବ ଭଲ ଦିନ ।‘ ସନିଆ ପାଇଁ ସେ ଭଲ ଦିନ କେବେ ଆସିବ ? ଏ ପ୍ରଶ୍ନ ମୋ ପାଇଁ, ଆପଣଙ୍କ ପାଇଁ ଆଉ, ମୋ ଦେଶର ଶହେ କୋଟିରୁ ଅଧିକ ଜନତା, ମୋ ଦେଶର ରାଜନେତାଙ୍କ ପାଇଁ ଏକ ଯକ୍ଷ ପ୍ରଶ୍ନ । ଯାହାର ସିଧା ସଳଖ ଉତ୍ତର ଆମ କାହା ପାଖରେ ନାହିଁ । ସନିଆ କଣ ବହୁତ କିଛି ଆଶା କରି ବସିଛି ??
ସନାତନର ଛୋଟ ପରିବାରଟିଏ । ପରିବାର କହିଲେ, ବୁଢୀମାଆ, ସ୍ତ୍ରୀ ସୁମତି, ପୁଅ ବିକାଶ, ଆଉ ଝିଅଟିଏ, ନା ତାର କେତକୀ । ପୁଅକୁ ଏଇ ଦୋଳକୁ ନଅ ପୁରି ଦଶ ଚାଲିଲା, ଗାଁ ପ୍ରାଇମେରୀ ସ୍କୁଲରେ ପଞ୍ଚମରେ ପଢେ, ଝିଅ ସାନ, ଆଠ ବର୍ଷର କେତକୀ, ତୃତୀୟ ଶ୍ରେଣୀରେ ପଢେ । ସନେଇ ଯେତେବେଳେ ଛୋଟ ପିଲାଟିଏ ଥିଲା ସେତେବେଳେ ତାର ବାପା ମରି ଯାଇଥିଲା, ମାଆ ଥିଲା ବୋଲି ସେ ମଣିଷ ହୋଇପାରିଲା, ହାତକୁ ଦି’ହାତ ହେଲା । ବୁଢୀମାଆ ଖୁବ୍ ସମ୍ଭାଳିଥିଲା ଘରକୁ । ସନିଆ ସେତେବେଳ ଆଠ ବରଷର ଥିଲା, ସନିଆର ବାପା କୋଉ ଅଜଣା ବେମାରୀରେ ମରିଗଲେ । ବଇଦେ କହୁଥିଲେ କୁଆଡ଼େ ରାଜଯକ୍ଷ୍ମା ହେଇଯାଇଥିଲା ବୋଲି । ପ୍ରଥମେ ତ କାଶ ହେଲା, କାଶି କାଶି ନୟାନ୍ତ ହେଲାରୁ ବଇଦକୁ ଦେଖାଇଲେ, ଜମିବାଡ଼ି ବୋଲି କିଛି ବି ନଥିଲା, ମୂଲଚାଲ କରି ଘର ଚଳଉ ଥିଲା । ପଥି ପାଞ୍ଚଣ ପାଇଁ ଋଣ କରଜ କିଏ ବା ଦେଇ ଥାଆନ୍ତା ! ବଡ଼ କଷ୍ଟରେ କେଉଁଠୁ କେଉଁଠୁ ଧାରଉଧାର କରି ସନେଇର ମାଆ ତା ବାପାକୁ ବଇଦ ପାଖକୁ ନେଇଥିଲା । ବଇଦେ କିଛି ଔଷଧ ଦେଲେ, ମାସ ଦି’ଟାରେ ହାଡ଼କଙ୍କାଳ ଦିଶିଗଲା ସନେଇ ବାପର । ତାପରେ କାଶରେ ରକ୍ତ ପଡ଼ିଲା, ଦିନ ପନ୍ଦରଟାରେ ସବୁ ଶେଷ ।
ସନେଇ ମାଆ ବହେ କାନ୍ଦିଲା, ଶେଷକୁ ସନେଇ ମୁହଁକୁ ଚାହିଁ, କପାଳ ଆଦରି ପଡ଼ି ରହିଲା । ଘରଘର ପାଇଟି କରି, ସନେଇକୁ ବଡ଼ କଲା । ସନେଇ ଟିକେ ପାରିବାର ହେଲାରୁ ମୂଲ ଲାଗିବା ଆରମ୍ଭ କରିଦେଲା । ମାଆ ପୁଅ ମିଶି କାମରେ ଲାଗିଗଲେ, ଦି’ ପଇସା ଅଧିକ ଘରକୁ ଆସିଲା । ଖାଇବାକୁ ଦି’ ଜଣ ମଣିଷ, ତା’ ଜୀବନକାଳ ଭିତରେ ଦୁନିଆର ନାମକ ସ୍କୁଲ ଆଉ ଜୀବନ ବିଷୟରେ ବହୁତ କିଛି ଶିଖେଇ ଦେଇଥିଲା ବୁଢୀକୁ । ଭବିଷ୍ୟତ କଥାକୁ ଭାବି ବୁଢୀ ଦୁଇ ପଇସା ଏକାଠି କରିବାରେ ଲାଗିଗଲା । ବରଷ କେତେଟାରେ ଏତିକି ତ ହୋଇଗଲା କି ଯୋଡ଼ିଏ ବଳଦ ଆଉ ହଳ ନଙ୍ଗଳ କିଣା ହୋଇପାରିବ । ଭାବିଲା ହଳ ନଙ୍ଗଳ ହୋଇଗଲେ ସନେଇ ଆଉ ଅଧିକ ଦି ପଇସା ରୋଜଗାର କରିପାରିବ, କିଛି କିଛି ଅଧିକ ଯୋଡ଼ିଲେ ସନେଇକୁ ହାତକୁ ଦି’ହାତ କରି ଦେଇ ଘରକୁ ବୋହୂ ଆଣିବ । ତେଣିକି ସନେଇର ସଂସାର ଦେଖି ନିଶ୍ଚିତରେ ତା’ ଆଖି ବୁଜିବ, ନହେଲେ ଆର ପୁରକୁ ଯାଇ ସନେଇ ବାପାକୁ କଣ କହିବ ?
ଭୋକ ହିଁ ମଣିଷର ପରମ ମିତ୍ର, ପରମ ହିତୈଷୀ । ଭୋକ ନଥିଲେ ହୁଏତ ମଣିଷ ଜାତି କେଉଁ ଯୁଗରୁ ସମାପ୍ତ ହୋଇ ସାରନ୍ତାଣି ଅବା ଆଜି ବି ସେମିତି ବଣ ଜଙ୍ଗଲରେ ବାଘ ଭାଲୁଙ୍କ ସାଥିରେ ବୁଲୁଥାନ୍ତା । ମଣିଷର ସବୁ ପ୍ରେରଣାର ଧାରା ତା’ ଭୋକରୁ ହିଁ ଆସେ । ଏଇ ଭୋକ ହିଁ ମଣିଷକୁ ଜୀବିତ ରଖେ, କାମ କରିବାକୁ ପ୍ରେରିତ କରେ, ଆଗକୁ ବଢିବା ପାଇଁ ନୂଆ ବୁଦ୍ଧି ବିଚାର ଦିଏ । ଭୋକ କେବଳ ପେଟରେ ନଥାଏ । ଭୋକ ପାଇଁ କିଏ ଦେହ ବିକୁଛି ତ କିଏ ନିଜ ଦେହର ଭୋକ ମେଣ୍ଟେଇବାକୁ ଦେହ କିଣୁଛି । ଭୋକ କ୍ଷମତା ପାଇଁ, ଭୋକ ନାଁ କରିବା ପାଇଁ, ଭୋକ ଜ୍ଞାନ ପାଇଁ, ବିଜ୍ଞାନ ପାଇଁ, ଭୋକ ଈଶ୍ୱର ଭକ୍ତି ପାଇଁ ଏମିତି ଅନେକ ଭୋକ । ଏଇ ଭୋକ ମଣିଷକୁ ସକାଳୁ ଉଠାଇ ଦିଏ ଆଉ ଦିନସାରା ବଳଦ ପରି ଖଟାଏ । ଭୋକ ନଥିଲେ କିଏ ବା କାହିଁକି ସକାଳୁ ଉଠନ୍ତା କି ରାତି ରାତି ନଶୋଇ ଦିନରାତି ଚବିଶ ଘଣ୍ଟା, ଘଡ଼ିର କଣ୍ଟା ପରି ଟିକ୍ ଟିକ୍ କରି କାମରେ ଲାଗି ଥାଆନ୍ତା ? ଯେତେବେଳେ ମଣିଷର ଭୋକ ସମାପ୍ତ ହୋଇଗଲା, ସେତେବେଳେ ଜାଣିବ ମଣିଷଟି ବି ସମାପ୍ତ ହେବାକୁ ଯାଉଛି ।
ସରକାର ଦୁଇ ଟଙ୍କିଆ ଚାଉଳ ଦେଇ ଖଟିଖିଆଙ୍କର ପେଟର ଭୋକକୁ ମାରିଦେଲେ ଆଉ ମାରିଦେଲେ କାମିକା ମଣିଷମାନଙ୍କର ମେହନତ କରିବାର ଇଚ୍ଛା ଏବଂ ଆବଶ୍ୟକତାକୁ, ଆଉ ସେମାନଙ୍କର କାମ କରିବାର ଭୋକକୁ । ମାଗଣାରେ ବାଣ୍ଟିବାଣ୍ଟି ସରକାର ଗୁଡ଼ାଏ ନିକମ୍ମା ଅଳସୁଆ ଲୋକରେ ଭରି ଦେଲେଣି ଦେଶଟାକୁ । ସରକାର ତ ରାଜନୀତି କରୁଛନ୍ତି । ଦାନା ଦେଖାଇ ଡେଣା କାଟି ଦେଉଛନ୍ତି । ଗୁଡ଼ାଏ କ୍ରୀତଦାସ ତିଆରି କରୁଛନ୍ତି ଦୁଇ ଟଙ୍କିଆ ଚାଉଳ ବଦଳରେ । କାରଣ କାଲି ପୁଣି ଭୋଟ ହେବ, ସେତେବେଳେ ଏଇ ନିକମ୍ମା ମଣିଷମାନେ ତ କାମରେ ଆସିବେ ! ଜୟ ଜୟକାର କରିବେ ପୁଣି ଭୋଟ ଦେଇ ଜିତାଇ ଦେବେ । ଆଉ ଜନତା ଅନେଇ ବସିଥିବ ଚାତକଙ୍କ ପରି । ପୁଣି ମହାଭାଗ କେଉଁ ଦୟାର ବୃଷ୍ଟି କରିବେ । ମାଗଣାରେ ଅମୁକ ମିଳିବ ସମୁକ ମିଳିବ । ଗୁଡ଼ାଏ ମାଗଣାଖିଆ ନିକମ୍ମା ମଣିଷଙ୍କର ଦେଶ ବନିଯିବ ଦେଶଟା, ଏବଂ ଏଇ ଶସ୍ୟଶ୍ୟାମଳା ଭୂଇଁ ଦିନେ ଟାଙ୍ଗରା ଭୂଇଁ ପାଲଟିଯିବ ।
ପେଟ ଚାଖଣ୍ଡଙ୍କ ପାଇଁ ସମସ୍ତେ ଅନେଇ ବସିଛନ୍ତି ଏଇ କୃଷକର ହାତକୁ । ସକାଳୁସକାଳୁ ସମସ୍ତେ ବ୍ୟାଗ୍ ଖଣ୍ଡେ ଧରି ହାଟ ବଜାରରେ ବୁଲିବୁଲି ଖୋଜୁଛନ୍ତି ସଜ ବାଇଗଣ ଗଣ୍ଡେ କି ଶାଗ ବିଡ଼ାଟେ ପାଇଁ । ଚୁଲି ମୁଣ୍ଡରେ ଘରଣୀ ଅନେଇ ବସିଛି ଚାଉଳ ଗଣ୍ଡେ କି ଅଟା ଦି’ ମୁଠା ପାଇଁ । ଖାଇଲାବେଳେ କେବେ କିଏ କଣ ମନେପକାଏ ସେହି ଅନ୍ନଦାତା ‘ବିଚରା ଚାଷୀ ବାପୁଡ଼ାର କଥା ? ହଁ ବେପାରୀ କେବଳ ଅନେଇ ବସିଛି ଚାଷୀ ବାପୁଡ଼ାର ହାତକୁ । କେତେବେଳେ କ୍ଷେତରେ ଧାନ ପାଚିବ କି ପିଆଜ, ଟମାଟର ଫଳିବ । କ୍ଷେତ ମୁଣ୍ଡରୁ ଆଠଣି ଚାରଣି ଭାଉ ଦେଇ ପିଆଜ ଟମାଟର କିଣି ନେବ, ଆଉ ବଜାରରେ ପଚାଷ ଷାଠିଏ ଟଙ୍କାରେ ବିକିବ । ବିଚରା ଚାଷୀ ଝାଳ ରକତ ନିଗାଡ଼ି ଦେଇ ଖାଲି ହାତରେ ଅନେଇ ବସିଥିବ, ଋଣ କରଜ କେଉଁଠୁ ମିଳିବ ଆସନ୍ତା ଫସଲ ପାଇଁ । କରଜ ସୁଝି ନପାରିଲେ ପାଞ୍ଚ ହାତର ଦଉଡ଼ିରେ ଗଛ ଡାଳରେ ଝୁଲେଇ ଦେବ ନିଜକୁ ।
ଯେତେବେଳେ ସନେଇର ସାଇଭାଇ ଭେଣ୍ଡିଆ ପଲକ ପିଣ୍ଡାରେ କି ଗାଁ ମୁଣ୍ଡ ବରଗଛ ଚଉତରାରେ ବସି ତାସ ଖେଳରେ ମସଗୁଲ ହେଉଥାନ୍ତି, ସେତେବେଳେ ସନେଇ ଲାଗିଥାଏ ତା କାମରେ, ନିଜର ଜମି ବୋଇଲେ ତ ଖାଲି ଘରଡିହ ଖଣ୍ଡକ । ତେଣୁ ମାହାନ୍ତି ଘର ଜମି ଭାଗରେ ଚାଷ କରେ । ମାହାନ୍ତି ବୁଢା ଆଗରୁ ନିଜେ ଚାଷ କରୁଥିଲେ, ଦି’ ଦି’ଟା ହଳିଆ କାମ କରୁଥିଲେ ତାଙ୍କ କ୍ଷେତରେ । ଦି’ ହଳ ବଳଦ ବନ୍ଧା ହେଉଥିଲେ ଗୁହାଳରେ ଆଉ ବଉଳା ଗାଈର ଗୁହାଳ ଅଲଗା । ପିଲାମାନେ ତାଙ୍କର ପାଠଶାଠ ପଢି ବଡ଼ ବଡ଼ ଅଫିସର ହୋଇଗଲେ, ଏବେ ପିଲା ଛୁଆଙ୍କୁ ନେଇ ସହରରେ ରହୁଛନ୍ତି । ବୁଢାକୁ ବି ମନା କରିଦେଲେ ଚାଷବାସ କରିବାକୁ, ଆଜିକାଲି ଚାଷରେ କିଛି ଲାଭ ନାହିଁ । ବଜାରରେ ତ ସବୁ କିଛି କିଣିବାକୁ ମିଳିଯାଉଛି । ଚାଷ କରି କାଦୁଅ ମାଟିରେ ଏତେ ହନ୍ତସନ୍ତ ହୋଇ ଲାଭ କଣ ? ଏକ୍ ତ ହଳିଆ ରହିବାକୁ ଲୋକ ମିଳିଲେନି, ଉପରେ ଆଜିକାଲି ମୂଲିଆ ବି ମିଳୁନାହାନ୍ତି କଣ ଗୋଟାଏ କାମ କରିବାକୁ । ହଳ ବଳଦ କଥା କିଏ ବୁଝିବ, ଜମିବାଡ଼ି ଚାଷ କିଏ କରିବ ? ତା ଉପରକୁ ଏତେ କଷ୍ଟ କରି, ପଇସା ଖର୍ଚ୍ଚ କରି ଚାଷ କରିବ, ଠିକ ସମୟରେ ଇନ୍ଦ୍ର ଦେବତା ନାରାଜ ହେଲେ କି ଫସଲରେ ପୋକ ଲାଗିଗଲେ ସବୁ ସରିଲା, ବର୍ଷ ଯାକର ମେହେନତ୍ ଚୁଲିକୁ ଗଲା । ଚାଷରେ ଆଉ ମନ ବଳୁନି ମାହାନ୍ତି ବୁଢାର । ଏବେ ଜମିଗୁଡ଼ାକ ସବୁ ପଡ଼ିଆ ପଡ଼ିଛି ।
ଦି’ ବର୍ଷ ଆଗରୁ ଦୋଳ ମେଲଣ ଜାତରେ ମାହାନ୍ତି ବୁଢା ସାଙ୍ଗରେ ଦେଖା ହୋଇଥିଲା ସନେଇର । ସନେଇ ଓଳଗି କରିଲା, ମାହାନ୍ତି ବୁଢା ଗାଁଆରେ ଜଣେ ପୁରୁଖା ଲୋକ, ସମସ୍ତଙ୍କୁ ଚିହ୍ନନ୍ତି, ଜାଣନ୍ତି । ଗାଁ ମାମଲତରେ ସମସ୍ତେ ତାଙ୍କୁ ଡାକନ୍ତି ନ୍ୟାୟ ନିଶାପ କି ଭାଇ ଭାଗ ସମୟରେ । ସନେଇର ମାଆ ନାଆଁ ଧରି ପଚାରିଲେ, ‘ତୁ ପଞ୍ଚେଇ ପୁଅ ନା ?’ ସନେଇ ହଁ କଲାରୁ ଦୁଃଖସୁଖ ବୁଝି ପଚାରିଲେ, ତୋ ମାଆ କେମିତି ଅଛି ? ପୁଣି କହିଲେ, ‘ବିଚାରି ଭାରି କାମିକା ମାଇପିଟାଏ, ସବୁବେଳେ ତୋରି କଥା କହେ, ତୋରି ଚିନ୍ତା କରେ ।‘ ପୁଣି ପଚାରିଲେ, ‘ଆଜିକାଲି କଣ କରୁଛୁ ତୁ ?’ ସନେଇ କହିଲା, ‘ତା’ ହଳ ବଲଦ କଥା, ଆଜିକାଲି କିଏ ଡାକିଲେ ଦିନ ମଜୁରୀରେ କ୍ଷେତ ଜୋଚି ଦେଉଛି ।‘ ମାହାନ୍ତି ବୁଢା କହିଲେ, ‘ଭଲ, ଭଲ । ତୁ ତୋ ମା ପରି କାମିକା ପିଲାଟିଏ ! ଦେଖୁନୁ ଆଜିକାଲି ଜୁଆନ ଭେଣ୍ଡିଆଯାକ କେମିତି ନିକମ୍ମା ହେଇଗଲେଣି, ମାସରେ ଚାରି ଛଅ ଦିନ କାମ କରି ଦେଲେ ମାସକ ପାଇଁ ଟଙ୍କାକିଆ ଚାଉଳ ଯୋଗାଡ଼ ହୋଇଗଲା । ବାକି ଦିନମାନ ସବୁ ଏଇ ବରଗଛ ମୂଳେ ବସି ତାସ ଖେଳରେ ବ୍ୟସ୍ତ । ଭୋକ ଲାଗିଲେ ଘରୁ ପଖାଳ କଂସେ ଠୁଙ୍କି ଦେଇ ଆସିବେ । ଚିନ୍ତା କଣ ? ସରକାର ତ ସବୁ ସୁବିଧା କରି ଦେଇଛି । ପିଲାଙ୍କୁ ବହିଠୁ ଡ୍ରେସ ଯାଏ ସବୁ ମାଗଣା, ଉପରେ ମାଗଣା ମଧ୍ୟାହ୍ନ ଭୋଜନ, ବିପିଏଲ ହେଇଗଲେ ମାଗଣା କୋଠାଘର ବି ମିଳୁଛି । ବେଶି କାମ କରିବା କଣ ଦରକାର ? ଆରେ ତୋତେ ବି ତ ଏମିତି ସବୁ ମିଳିଥିବ ?’
ସନେଇ କହିଲା, ‘ନାଇଁ ଆଜ୍ଞା, ଆମ କଥା କିଏ ପଚାରୁଛି, ଆମେ କୋଉ ଗାଈର ଗୋବର ଯେ ! ମାମଲତକାର କରି ଶିଖି ପାରିଲିନି ଏ ଯାଏ । ବୁଢି ମାଆର ବିଧବା ପେନସନ୍ ପାଇଁ ସରପଞ୍ଚଙ୍କୁ କେତେଥର କହିଲିଣି, କହିଲେ ଆଗଲା କୋଟା ଆସିଲେ କରିବେ । ଯାହା ଥିଲା ବଣ୍ଟାବଣ୍ଟି ସରିଲାଣି । ପଛରେ ଶୁଣିଲି କୁଆଡ଼େ ଲେନଦେନ୍ କଲେ କି ସୁପାରିଶ ଆଣିଲେ ମିଳୁଛି । ବଡ଼ବଡ଼ିଆ ଯାକ ତ ଗରିବଙ୍କ ବିପିଏଲ ଖାଉଛନ୍ତି, ଆଉ ଆମ କଥା ବୁଝୁଛି କିଏ ।‘ ମହାନ୍ତି ବୁଢା ମୁଣ୍ଡ ହଲାଇଲେ, କହିଲେ, ‘ହଁ ରେ, ହଁ, ଜାଣେରେ ସବୁ କଥା । ଆଜିକାଲିକା ନେତା ସବୁ ଏମିତି, ଏମାନେ କଣ ଗାନ୍ଧୀ ନା ଗୋପବନ୍ଧୁ ହୋଇଛନ୍ତି, ନା ହୋଇପାରିବେ ? ସମସ୍ତେ ନିଜ ସ୍ଵାର୍ଥ ପାଇଁ ରାଜନୀତି କରୁଛନ୍ତି । ଥରେ ସରପଞ୍ଚ ହୋଇଗଲେ ପାଞ୍ଚ ପୁରୁଷ ବସି ଖାଇବାର ବନ୍ଦୋବସ୍ତ କରିବାରେ ସେମାନଙ୍କର ପାଞ୍ଚ ବରଷ ବିତି ଯାଉଛି ।‘
ମାହାନ୍ତି ବୁଢା ପୁଣି କହିଲେ, ‘ଆରେ ସନେଇ ଗୋଟେ କଥା ଭାବୁଥିଲି, କରିବୁ ?’ ସନେଇ କହିଲା, ‘କୁହନ୍ତୁ ଆଜ୍ଞା, ଆପଣଙ୍କ କଥା ଆଜି ଯାଏ କିଏ ଟାଳିଲାଣି ?’ ମାହାନ୍ତି ବୁଢା କହିଲେ, ‘ଆରେ ସେମିତି କିଛି କଠିନ କଥା ନାହିଁ ମ, କଣ କହୁଥିଲି କି, ତୁ ତ ଜାଣିଥିବୁ, ଦି’ ବର୍ଷ ହେଲାଣି ମୁଁ ଚାଷ ବୁଡ଼େଇ ବସିଛି । ହଳିଆ ମୁଲିଆ ମିଳୁନାହାନ୍ତି, ତା ଉପରକୁ ମୋର ଆଉ ଧାଁ ଧପଡ଼ କରିବା ବୟସ ବି ଆଉ ନାହିଁ । ବାତ ବାହାରି ପଡ଼ିଲାଣି । ବେଶି ଚଲାବୁଲା କଲେ ଆଣ୍ଠୁ ଗଣ୍ଠି ଦରଜ ବାହାରି ପଡୁଛି । ପିଲାମାନେ ବି ମନା କରୁଛନ୍ତି ଚାଷ କରିବାକୁ । କହୁଛନ୍ତି ବଜାରରେ ତ ସବୁ କିଛି କିଣିବାକୁ ମିଳିଯାଉଛି, ଚାଷ କରିବା କଣ ଦରକାର ! ତୁ କହିଲୁ, ସମସ୍ତେ ଯଦି ଏମିତି ଭାବି ଚାଷ ବନ୍ଦ କରି ଦେବେ, ତାହା ହେଲେ ବଜାରକୁ ଚାଉଳ ହେଉ କି ପରିବା ଗଣ୍ଡାକ ହେଉ, କୋଉଠୁ ଆସିବ ? ଏସବୁ ମେସିନରେ ତ ତିଆରି ହେବନି ! ଯେଉଁଦିନ ଚଷା ବାପୁଡ଼ା ଚାଷ ବନ୍ଦ କରି ହାତ ବାନ୍ଧି ବସିଯିବ, ସେଇଦିନ ସମସ୍ତଙ୍କର ଭାତ ଥାଳି ବି ଶୂନ୍ୟ ହୋଇଯିବ । ମଣିଷ କଣ ଟଙ୍କା କି ସୁନା ରୂପା ଖାଇ ପେଟ ଭରିବ ? ତୁ ଯଦି ପାରିବୁ ଆମ ଜମି ଯାକ ଭାଗରେ ଚାଷ କରୁନୁ ! ଯେତେ ବେଳେ ଯାହା ଯେମିତି ଦରକାର ହେବ ମୁଁ ତୋତେ ସାହାଯ୍ୟ କରିଦେବି । ପୋଖରୀ ତଳିଆ ସାତ ଏକର ଅଉଲ ଜମି, ଟିକେ ମେହନତ କଲେ ସୁନା ଫଳିବରେ ସେଥିରେ । କରିବୁ ?’
ସନେଇର ଆଖି ତାଳୁକୁ ଉଠି ଆସିଲା ଖୁସିରେ । ନିଜର ଖୁସି ଲୁଚେଇ କହିଲା, ‘ଏଇଟା ତ ବହୁତ ଭଲ ପ୍ରସ୍ତାବଟିଏ, କିନ୍ତୁ ସାତ ଏକର ଜମି, ଇଏ ତ ବହୁତ ବେଶି ମୋ ପାଇଁ ।‘ ଆଗରୁ ନିଜେ ନିଜେ ଏମିତି କେବେ କିଛି ଚାଷ କରିନି ତଥାପି କହିଲା, ‘କରିବି ଆଜ୍ଞା, କିନ୍ତୁ ସାତ ଏକର ଜମିକୁ ଆଖି ପାଉନି, ଆପଣ ଟିକେ ବତେଇ ଦେଲେ ପ୍ରଥମେ ଏକର ଦି ଏକରରୁ ଆରମ୍ଭ କରିବି, ତା ପରେ ପୁଣି ଆପଣେ ଯେମିତି କହିବେ ।‘ ମହାନ୍ତି ବୁଢା ଖୁସି ହୋଇଗଲେ କହିଲେ, ‘ଜାଣିବା ବୁଝିବା ପିଲାଟେ ତୁ । ଠିକ୍ କଥା କହିଛୁ, ଅଳ୍ପରୁ ଆରମ୍ଭ କରିବା ସବୁବେଳେ ଭଲ । ପାଦେ ପାଦେ ଚାଲିଲେ, କୋଶ ସରିଯାଏ । ବ୍ୟସ୍ତ ହେବାର କିଛି ନାହିଁ, ମୁଁ ସବୁ ଶିଖେଇ ଦେବି ତୋତେ, କେବେ କଣ କେମିତି କରିବୁ ବୋଲି, ତୁ ଜମ୍ମାରୁ ଚିନ୍ତା କରିବୁନି । ଆରେ, ଚାଷ କରିକରି ପରା ମୁଣ୍ଡର ଚୁଟି ପାଚିଗଲା ମୋର । ଗୋଟିଏ ବର୍ଷରେ ତୁ ଚାଷବାସ ବିଷୟରେ ସବୁ ଜାଣିଯିବୁ, ତାପରେ ଦେଖିବା, ହଁ କେବେ ବିହନ କି ସାର କିଣିବାକୁ କିଛି ଅସୁବିଧା କି ଅନ୍ୟ କିଛି ଦରକାର ପଡ଼ିଲେ କହିବୁ, ଟଙ୍କା ପଇସାରେ ବି ମୁଁ ସାହାଯ୍ୟ କରିଦେବି । ସଂଧ୍ୟାବେଳେ ଘରକୁ ଆସେ, ସବୁ ବିଷୟରେ କଥା ହୋଇ ଯିବା ।‘ ସେବେଠାରୁ ସନେଇ ଭାଗରେ ଚାଷ କରୁଛି, ମହାନ୍ତି ବୁଢାର ଜମି । ଦୁଇ ଏକରରୁ ଆରମ୍ଭ କରି ଥିଲା, ଗତ ବର୍ଷ ଆଉ ଚାରି ଏକର ଚାଷ କରିଥିଲା, ଏ ବର୍ଷ ସବୁ ସାତ ଏକର ଜମି ଚାଷ କରିବ ବୋଲି ଭାବିଛି ।
ସକାଳର ପହିଲି କାଉ କାଆ କାଆ କରିବାବେଳକୁ ସନେଇ ତା ବଦଳ ହଳକୁ ଖୋଇପେଇ କ୍ଷେତକୁ ବାହାରି ପଡ଼େ, ଅଣ୍ଟିରେ ତାର ମୁଢି ଦୁଇ ମାଣ ବାନ୍ଧିନିଏ, ସେଇତକ ତାର ସକାଳର ଜଳଖିଆ । ଦୁଇପହର ବେଳକୁ ତା ଘରଣୀ ତା ପାଇଁ ପଖାଳ କଂସାଏ ନେଇ ପହଞ୍ଚିଯାଏ କ୍ଷେତ ମୁଣ୍ଡରେ । ବେଳ ବୁଡିବା ଯାଏ କାମରେ ଯୁଟି ଯାଆନ୍ତି ଗେରସ୍ତ ଭାରିଜା ଦି ଜଣ, ମାଟି ମାଆ ସାଙ୍ଗରେ ମାଟିର ପୁଅଝିଅ ହୋଇ । ଧାନକଟା ହୋଇଗଲା ପରେ, କ୍ଷେତରେ ତାର ପରିବା ଚାଷ କରିଦିଏ ସନେଇ, ବାଇଗଣ ଲଙ୍କା, ଶାଗ କାକୁଡି ଲାଉ ଠାରୁ ଆରମ୍ଭ କରି ଶୀତଦିନେ କୋବି, ମୂଳା, ଟମାଟର, ମଟର, ପିଆଜ, ରସୁଣ ଆଦି ସବୁ କିଶମର ଫସଲ । ସନେଇ କହେ, ‘ଆପଣା ହାତ ଜଗନ୍ନାଥ । ଠାକୁରେ ହାତ ଦେଇଛନ୍ତି କାମ କରିବାକୁ, ମାଗିବାକୁ ନୁହେଁ । ତାରି ପରି କେଉଁ ଏକ ଚାଷୀର ଝାଳରେ ଭିଜା ପରିବା, ଆମର ରୋଷେଇ ଘରେ ନିତି ରନ୍ଧା ଯାଏ, ଆମରି ଖାଇବା ଥାଳିରେ ପରଶା ଯାଏ । କିନ୍ତୁ କେହି କେବେ ବି ମନେ ପକାଏନା ସେଇ ମଳି ମୁଣ୍ଡିଆ ଚାଷୀଟିର କଥା । ଦି’ପହର ଖରାରେ ମୁଣ୍ଡରେ ଠେକାଟିଏ ଭିଡ଼ିଦେଇ ଉତପ୍ତ ସୂର୍ଯ୍ୟ କିରଣକୁ ପିଠି ଦେଖେଇ ଝୁକି ପଡ଼ିଥିବ ଧାନ କିଆରୀରେ ଅବା କୋଉ ବାଇଗଣ ଗଛ ମୂଳରେ । କେବେ ବି ମନେ ପଡ଼େନା ସେଇ ସନେଇ ! ଲଞ୍ଚ ଟେବୁଲରେ ଗରମ ଗରମ ଭାତ ଥାଳି ଉପରେ ନଇଁ ପଡ଼ି ସୁଆଦିଆ କୋବି ଆଳୁ ଝୋଳର ସ୍ଵାଦ ନେଲାବେଳେ କେବେ କେହି ମନେ ପକାଏନା, ଆଜି ବିଚରା ସନେଇ ତା ଲଞ୍ଚରେ କଣ ଖାଇଥିବ ! କଂସାଏ ପଖାଳ ସାଙ୍ଗରେ ବାଇଗଣ ପୋଡ଼ାଟିଏ କି ଶାଗ ଭଜା ଟିକିଏ !
ଦିନ ଦିପହରର ସେଇ ଉଦୁଉଦିଆ ଖରାରେ ହେଉ କି ଧାରା ଶ୍ରାବଣର ଝଡ଼ି ବର୍ଷାରେ ଭିଜି ଭିଜି କେତେ ସନେଇ ଏମିତି ମେହନତ କରୁଛନ୍ତି, ଆମ ଖାଇବା ଥାଳିର ଭାତ ମୁଠାକ ପାଇଁ କିମ୍ବା ରୁଟି ଦୁଇ ପଟ ପାଇଁ । ଖାଇଲାବେଳେ କେବେ ବି ମନେପଡ଼େନା ଟାଙ୍ଗରା ଭୂଇଁକୁ ଶସ୍ୟଶ୍ୟାମଳା କରୁଥିବା ଆଉ ମାଟି କାଦୁଅରେ ପଚପଚ ଗାଧୋଇ ପଡ଼ିଥିବା ସେଇ ସନେଇର କଥା । ବର୍ଷା ରାତିରେ ପାଣି ଗଳୁଥିବା ତାର ସେଇ ଚାଳଛପର ତଳେ ଶୋଇ ସେ ଭାବୁଥିବ ତା ଜମିରେ ଘାଇ ହୋଇ ଯାଇନି ତ ? ଫସଲ ଠିକ୍ ନହେଲେ ସାହୁକାର କରଜ କେମିତି ସୁଝିବ ? କେବେ ବି ହିସାବ ପାଏନା, ବେପାରି ଯେଉଁ ଟମାଟର ତା ଠାରୁ କିଲୋ ଆଠଣି ଦେଇ କିଣୁଛି ତାହା କେତେ ଦାମରେ ବଜାରରେ ବିକୁଛି । ଆଠଣି ହାତରେ ନେଇ ଖାଲି ଏତିକି ଭାବେ, ଏଇ ଦାମରେ ଫସଲ ବିକିଲେ ତାର କରଜ କେମିତି ସୁଝିବ ? ସେମିତି ଶୀତ ରାତିରେ ଗରମ ରେଜେଇ ତଳେ ଶୋଇ ଶୋଇ ଆମର ବି କେବେ ବି ମନେପଡ଼େନା ସେହି ସୈନିକଟିର କଥା । ଯିଏ ସିଆଚିନର ବରଫ ଗଦା ଭିତରେ ଅଧା ପୋତି ହୋଇ ସାରା ରାତି ସେମିତି ପହରା ଦେଉଥାଏ । କିନ୍ତୁ କେବେ କେଉଁ ସଭା ସମିତିରେ ବଡ଼ ଜୋରସୋରରେ ‘ଜୟ ଜବାନ, ଜୟ କିଷାନ’ର ସ୍ଲୋଗାନ ଦେଲାବେଳକୁ ଆମ ପାଟି କେବେ ଖନି ମାରିଯାଏନି । ଆଜି ବି ଯାଆନ୍ତୁ ସନେଇର ଗାଁ, ସନେଇକୁ ସେଇଠି ଦେଖିବେ, ସେଇ ମାଟିର ମଣିଷଟି କିପରି ମାଟି ସାଲୁବାଲୁ ହୋଇ ଆପଣଙ୍କ ଲଞ୍ଚ ଡିନରର ଥାଳି ପାଇଁ ଫସଲ ଅମଳ କରୁଛି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।