ଆଇଆଇଏମସି ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ନେତାଜୀ ଜୟନ୍ତୀ

‘ନେତାଜୀଙ୍କ ଚେତନା ଚିର ଅମର’

ମୃଣାଳଙ୍କ ‘ୱିଣ୍ଡୋ ସିଟ୍‍’ ଉନ୍ମୋଚିତ

ଢେଙ୍କାନାଳ: ରକ୍ତର ମୂଲ୍ୟ ସର୍ବୋକୃଷ୍ଟ । ଏହି ରକ୍ତର ମୂଲ୍ୟ ଦେଇ ସ୍ୱାଧୀନତାକୁ ଛଡ଼ାଇ ଅଣାଯାଇପାରିବ । ସ୍ୱାଧୀନତା ମିଳେନି, ବରଂ ଅକ୍ତିଆର କରାଯାଏ । ତେଣୁ ଯୁଦ୍ଧ ହିଁ ଆମକୁ ସ୍ୱାଧୀନତା ଦେବ । ଏଭଳି ବିଚାରଧାରା ରଖି ସ୍ୱାଧୀନତା ସଂଗ୍ରାମକୁ ଏକ ଭିନ୍ନ ମୋଡ ଦେଇଥିଲେ ନେତାଜୀ । ନେତାଜୀ କେବଳ ରକ୍ତ, ମାଂସଧାରୀ ବ୍ୟକ୍ତିତ୍ୱ ନ ଥିଲେ, ସେ ଏକ ଚେତନା । ତାଙ୍କ ଚେତନା ସବୁଦିନେ ମାନବ ସମାଜରେ ଅମର ହୋଇ ରହିଥିବ ।ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି) ଓ ଅନୁଗୁଳ ‘ସମ୍ବାଦ ସାହିତ୍ୟ ଘର’  ତରଫରୁ ଆୟୋଜିତ ‘ନେତାଜୀ ଚିନ୍ତନ’ କାର୍ଯ୍ୟକ୍ରମରେ ଅନୁଗୁଳ ସରକାରୀ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ‘ସମ୍ବାଦ ସାହିତ୍ୟ ଘରର’ ସଭାପତି ଶାନ୍ତନୁ ସର ଏହା କହିଛନ୍ତି । ରବିବାର ସନ୍ଧ୍ୟାରେ  ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଭର୍ଚୁଆଲ ମିଡିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ନେତାଜୀଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋଚିତ ହୋଇଛି । ଏହି ଅବସରରେ ସାହିତ୍ୟିକ ମୃଣାଳଙ୍କ ‘ୱିଣ୍ଡୋ ସିଟ୍‍’ ପୁସ୍ତକକୁ ଶ୍ରୀ ସର ଉନ୍ମୋଚନ କରିଛନ୍ତି ।
ଆଇଆଇଏମ୍‍ସି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ସୁଭାଷଙ୍କୁ ଜଣେ ମହାନ ଯୋଗାଯୋଗକାରୀ ଭାବେ ବିବେଚନା କରିଛନ୍ତି । ବାର୍ତ୍ତା କେମିତି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ପ୍ରଭାବ ପକାଇବ, ସେଥିପାଇଁ ସୁଭାଷ ସବୁବେଳେ ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ଚେଷ୍ଟା କରୁଥିଲେ । ତାଙ୍କ ଦ୍ୱାରା ସ୍ଥାପିତ ‘ଆଜାଦ୍‍ ହିନ୍ଦ୍‍ ରେଡିଓ’ରେ ଖବରକୁ ବିଭିନ୍ନ ଭାରତୀୟ ଭାଷାରେ ପ୍ରସାରଣ କରାଉଥିଲେ । ଏମିତିକି ଜାତୀୟ ସଂଗୀତକୁ ହିନ୍ଦୁସ୍ତାନୀ ଭାଷାରେ ଅନୁବାଦ କରାଇଥିଲେ । ତାଙ୍କ ବିଚାରକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଖବରକାଗଜର ସଫଳ ପ୍ରୟୋଗ କରିଥିଲେ । ‘ଫରୱାର୍ଡ’ ଖବରକାଗଜ ସହ ସମ୍ପୃକ୍ତ ସହ ନିଜେ ‘ସ୍ୱରାଜ’ ପତ୍ରିକା ପ୍ରକାଶ କରି ତାଙ୍କର ସ୍ୱାଧୀନଚେତା ବିଚାରଧାରାକୁ ଲୋକଙ୍କ ପାଖରେ ପହଞ୍ଚାଉଥିଲେ ।
ଇତିହାସର ପ୍ରଫେସର ଡ. ରମା ଗଡ଼ନାୟକ ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଗାନ୍ଧୀଙ୍କ ବିଚାରଧାରା ସହ ସୁଭାଷଙ୍କର ମତଭେଦ ଥିଲା, ମାତ୍ର ଉଭୟଙ୍କର ଲକ୍ଷ୍ୟ ଗୋଟିଏ ଥିଲା, ପଥ ଭିନ୍ନ ଥିଲା । ସଶସ୍ତ୍ର ସଂଗ୍ରାମ କରି ସ୍ୱାଧୀନତା ପାଇଁ ସୁଭାଷ ସେନା ବାହିନୀ ପ୍ରତିଷ୍ଠା କରି ବିଭିନ୍ନ ଦେଶର ସମର୍ଥନ ପାଇଁ ଉଦ୍ୟମ କରିଥିଲେ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ସୁଭାଷଙ୍କ ଭୂମିକା ଉଜ୍ଜ୍ୱଳ ସାକ୍ଷର ବହନ କରେ ବୋଲି ଡ. ଗଡ଼ନାୟକ କହିଥିଲେ ।
କାର୍ଯ୍ୟକ୍ରମକୁ ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ପରିଚାଳନା କରିଥିଲେ । ସାହିତ୍ୟ ଘରର ସନତ ନାୟକ ଧନ୍ୟବାଦ ଦେଇଥିଲେ । ନେତାଜୀଙ୍କ ଜୀବନକୁ ନେଇ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ଭିଡିଓ ଓ ଅଡିଓ ଫିଚର ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ  ନେତାଜୀ ଓ ଜାତୀୟତାବାଦକୁ ନେଇ ଛାତ୍ରଛାତ୍ରୀ ଓ ସାହିତ୍ୟ ଘରର ସଦସ୍ୟମାନେ ସ୍ୱରିଚତ କବିତା ପାଠ କରିଥିଲେ । କବିତା ଆସରକୁ ଛାତ୍ରୀ ଅମ୍ରିତା ସିହ୍ନା, କୃଷ୍ନାକେଶୀ ବଳିଆରସିଂହ, ସାହିତ୍ୟ ଘରର ସଦସ୍ୟ ବିସ୍ମିତା ସାହୁ, ଗାୟତ୍ରୀ ଦାସ ସଂଯୋଜନା କରିଥିଲେ । ଆଇଆଇଏମ୍‍ସିର ଆଇଜଲ, କୋଟାୟମ, ଢେଙ୍କାନାଳର ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ, ସମ୍ବାଦ ସାହିତ୍ୟର ଘରର ସମସ୍ତ ସଦସ୍ୟ  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *