ସୁପ୍ରିୟା ପ୍ରଶାନ୍ତ
ଭାଗ –୧୨
ଆତ୍ମବିଶ୍ଳେଷଣ
ମୁଁ, ରମେଶ ଓ ରଘୁ ଭାଇ ଆଜି ଖରାବେଳେ ଏକାଠି ହେବୁ ବୋଲି କଥା ହେଇଥିଲୁ। ସେମାନେ ଦି ଜଣ ମୋ ଘରକୁ ଆସିବା କଥା। ଗତକାଲି ସନ୍ଧ୍ୟାର କାର୍ଯ୍ୟକ୍ରମ ପରେ ଆମେ କ୍ଲାନ୍ତ ଥିଲୁ। ଦୂରଦର୍ଶନର ବୈଠକ ଘରେ କେତେ ଅବା ଖୋଲାଖୋଲି ଆଲୋଚନା କରି ହେଇଥାନ୍ତା? ଆମେ ଏକାଠି ହେଲେ ଯେ କାଲିର କାର୍ଯ୍ୟକ୍ରମର ବ୍ୟବଚ୍ଛେଦ କରିବୁ, ସେକଥା ଥୟ।
ରଘୁ ଭାଇ ଜଣାଇଲେ, ତାଙ୍କ ଝିଅ ଦେହ ପୁଣି ଖରାପ। ସେ ତାକୁ ନେଇ ଡାକ୍ତରଖାନା ବାହାରିଛନ୍ତି। ସନ୍ଧ୍ୟାବେଳକୁ ଦେଖାହେବ। ରଘୁଭାଇ ଆସିବେନି ଶୁଣି ରମେଶ କହିଲା, “ମାଆ କହୁଛନ୍ତି ଟିକେ ମାର୍କେଟ୍ ବିଲଡିଙ୍ଗ ନେଇଯିବାକୁ, କଣ କିଣାକିଣି କରିବେ। ମୁଁ ବି ତାହେଲେ ସନ୍ଧ୍ୟାରେ ଆସିବି।”
ମୁଁ ଠିକ୍ କଲି ଯାହାହେଲେ ଆଜି ଟିଭିସଜଡା ମିସ୍ତ୍ରୀଠୁ ମୋ ଟିଭି ଆଣିବି। ମୁଁ ଯାଇ ତା ଦୋକାନରେ ପହଞ୍ଚିଲି। ଭାଗ୍ୟକୁ ଦୋକାନ ଖୋଲା ଥିଲା। ମୋତେ ଦେଖି ସେ କହିଲା, “ଆପଣଙ୍କ କାମ ହେଇଯାଇଛି। ଦୋକାନ ଛାଡି ଯାଇ ପାରୁନଥିଲି। ମୋତେ ସାହାଯ୍ୟ କରିବା ପିଲାଟା ଆଠ ଦିନ ହେଲାଣି ଗାଁକୁ ଯାଇଛି ଯେ ଯାଇଛି।”
ମୋତେ କିଛି କହିବାକୁ ନଦେଇ ସେ ମୋ ଟିଭିଟା କାଢି ଝଡାଝଡି କଲା। କହିଲା, “ଚାଲନ୍ତୁ, ମୁଁ ଲଗେଇ ଦେଇ ଆସିବି।”
ମୁଁ ଟିଭିଟାକୁ ଧରିଲି। ସେ ଦୋକାନ ବନ୍ଦ କରି ମୋ ହାତରୁ ଟିଭିଟା ନେଲା। ଆମେ ଦିହେଁ ମୋ ବସାକୁ ଆସିଲୁ। ସେ କାନ୍ଥରେ ଟିଭିଟିକୁ କଣ୍ଟା ସାହାଯ୍ୟରେ ଲଗେଇ ଦେଲା। ଟିଭି ସ୍ୱିଚ୍ ଦେଇ ଗୋଟେ ଓଡିଆ ଖବର ଚାନେଲ୍ ଲଗାଇ ଦେଲା।
“କେତେ ଟଙ୍କା ଦେବି।” ମୁଁ ପଚାରିଲି।
“ଆଜ୍ଞା, ଦିହଜାର ସାତଶହ ଟଙ୍କା। ଭିତରେ ତାର ଖରାପ ହେଇଥିଲା, ତେଣୁ ଛବି ସ୍ପଷ୍ଟ ଆସୁନଥିଲା। ମୁଁ ବଦଳାଇ ଦେଇଛି।”
ସେ ଟଙ୍କା ନେଇ ଫେରିଗଲା।
ମୋର ଏଇ ସୋନି କଂପାନୀର ଚବିଶ ଇଞ୍ଚ ଏଲସିଡି ଟିଭିଟା ତିନିବର୍ଷ ତଳେ କିଣିଥିଲି। ଯାହା ହେଉ ସଜଡା ହେଇଗଲା। ନ ହେଲେ ଏବେ ନୂଆ କିଣିବାକୁ ପଡିଥିଲେ କୋଡିଏ, ପଚିଶ ହଜାର ଟଙ୍କା ଖର୍ଚ୍ଚ ହେଇଥାନ୍ତା। ମୁଁ ଆରାମ ଚୌକିରେ ଲଥ୍ କିନା ବସି ଟିଭିରେ କୋଉ ଚାନେଲରେ କଣ ଦେଉଛି ଦେଖିବାକୁ ରିମୋଟରେ ଗୋଟେ ପରେ ଗୋଟେ ବଟନ୍ ଟିପିଲି।
ଗୋଟେ ପରେ ଗୋଟେ ଚାନେଲ୍ ଡେଇଁ ଡେଇଁ ମୁଁ ଗୋଟେ ଓଡିଆ ମେଗା ଧାରାବାହିକ ଦେଖି ଅଟକିଗଲି। ଏ ଧାରାବାହିକରେ ଗୋଟେ ଦୃଶ୍ୟର ନେପଥ୍ୟ ସଂଗୀତ ପାଇଁ ରମେଶ ତାବଲା ବଜାଇଥିଲା। ସେ ଦୃଶ୍ୟଟି ଥିଲା ଏମିତି – ଶାଶୁଘରେ ନୂଆବୋହୁକୁ ବହୁ ପ୍ରକାର ହଇରାଣ କରାଯାଉଛି। ବୋହୁଟି ଆଜନ୍ମ ମହାଦେବଙ୍କ ଭକ୍ତ। ବୋହୁ ମହାଦେବଙ୍କ ଉପରେ ଜଳ ଢାଳୁଥିବା ବେଳେ ପରଦା ପଛରୁ ତବଲାର ଧ୍ୱନୀ। ରୁଚିକର ହେଇଥିଲା ସେଇ ଦୃଶ୍ୟର ପରିକଳ୍ପନା ଓ ଚିତ୍ରାୟନ।
ମୁଁ କୌତୂହଳୀ ହୋଇ ଧାରାବାହିକଟି କେତେ ଆଗେଇଲାଣି ଦେଖେ ଭାବି କିଛି ସମୟ ଦେଖିଲି।
ମୁଖ୍ୟ ଚରିତ୍ର ବୋହୁଟିର ସ୍ୱାମୀର ଅନ୍ୟ କେଉଁ ଝିଅ ସହ ସଂପର୍କ। ସେ ଝିଅଟି କାନ୍ଦକାନ୍ଦ ହେଇ କହୁଥାଏ – “ତୁମେ ମୋ ସହ ଏମିତି କଲ? ତୁମେ ମୋ ବିଶ୍ୱାସରେ ବିଷ ଦେଇ ପାରିଲ?”
ବର୍ତ୍ତମାନ ପୁରୁଷଟିର ମୁହଁ ଉପରେ କ୍ୟାମେରା କିଛି ସମୟ ସ୍ଥିର। ପରଦା ପଛରୁ ସଂଗୀତ ବାଜୁଥାଏ — ଧିନ୍ ତାନା ନା ନା ଧିନ୍ ତାନା ନା ନା ଧିନ୍ ତାନା ନା ନା ନା ଧିନ୍ ତାନା ନା ନା ଧିନ୍ ତାନା ନା ନା ଧିନ୍ ତାନା ନା ନା…
ପାଞ୍ଚ ମିନିଟ୍ ପରେ ଝିଅର ମୁହଁଟି ଦେଖାଗଲା – ଧିନ୍ ତାନା ନା ନା ଧିନ୍ ତାନା ନା ନା ଧିନ୍ ତାନା ନା ନା ନା ଧିନ୍ ତାନା ନା ନା ଧିନ୍ ତାନା ନା ନା ଧିନ୍ ତାନା ନା ନା…
ମୁଁ ବାଧ୍ୟ ହେଇ ଚାନେଲ୍ ବଦଳେଇଲି। ଦୂରଦର୍ଶନ ଲଗେଇଲି। ଆଜି ମଧ୍ୟାହ୍ନରେ ଆମ କାର୍ଯ୍ୟକ୍ରମର ପୁନଃପ୍ରସାରଣ ଥିଲା। ଆଉ କିଛି ସମୟରେ ଦେବ। ଗୋଟେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଦେଉଥିଲା। କେଉଁ ମାଟିରେ ଭଲ ବ୍ରକୋଲି ଚାଷ କରିହେବ ସେ ନେଇ କଥା ଚାଲିଥାଏ। ମୋତେ ବ୍ରକୋଲି ଆଦୌ ଭଲ ଲାଗେନି। ବରଂ ଆମ ଦେଶୀ ଫୁଲକୋବି ତାଠୁଁ ସ୍ୱାଦରେ ଢେର୍ ଭଲ। ଶୀତ ଆରମ୍ଭରେ ଯୋଉ ଛୋଟିଆ ଛୋଟିଆ ଫୁଲକୋବି ଆସେ ସେ ଫୁଲକୋବି ଭଜା ସାଙ୍ଗରେ ଗରମ ଗରମ ରୁଟି ମୋର ପିଲାଦିନୁଁ ଭାରୀ ପସନ୍ଦ। ମୋ ବୋଉ ସେଥିରେ ଚୁନ୍ ଚୁନ୍ କରି ଗାଜର, ମଟରଛୁଇଁ, କଞ୍ଚାଲଙ୍କା ପକଉଥିଲା।
ଆମ ସଂଗୀତ କାର୍ଯ୍ୟକ୍ରମଟି ଦେବାର ସୂଚନା ଦେଲା। ମୁଁ ଉତ୍କଣ୍ଠାର ସହ ନିଜକୁ ଦେଖିବାକୁ ଅପେକ୍ଷା କଲି। ଘୋଷିକା ସ୍ନାନପୂର୍ଣ୍ଣିମା ପାଇଁ ଏଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସୂଚନା ଦେଇ ଗାୟକ ଓ ବାଦକ ମାନଙ୍କର ନାମ ଘୋଷଣା କଲେ। ମୋ ଘରର ନୀରବତା ଭିତରେ ମୁଁ ହଠାତ୍ ଆତ୍ମସଚେତନ ହେଇପଡିଲି। ମୁଁ ନିଜକୁ ନିଜଠୁଁ କେତେ ଦୂରେଇ ପାରିବି? ନିଜକୁ ଅନ୍ୟ କେହି ଗାଉଛି ଭାବି କେତେ ବିଶ୍ଳେଷଣ କରିପାରିବି? ଅନ୍ୟକୁ ତର୍ଜମା କରିବା ଯେତେ ସହଜ, ନିଜକୁ ତର୍ଜମା କରିବା ବ୍ୟାପାରଟା ହେଲେ ସେତେ ସହଜ ହେଇଥାନ୍ତା! ହେଲେ ଏକଥା ମଧ୍ୟ ସତ, ମୋତେ ମୋ ନିଜ ସ୍ୱର ବେଳେ ବେଳେ ଅଲଗା ଶୁଣାଯାଏ। ମୋତେ ଲାଗେ ଯେମିତି ଏହା ଆଉ କାହାର ସ୍ୱର, ମୋର ନୁହେଁ!
ଗତକାଲି ଷ୍ଟୁଡିଓର ସାଜସଜ୍ଜାକୁ ଦେଖିକି ଯେତିକି ଭଲ ଲାଗିଥିଲା, ଦୂରଦର୍ଶନ ପରଦାରେ ଦେଖି ତାଠୁ ଆହୁରି ବେଶୀ ଭଲ ଲାଗିଲା। ସତରେ ମନୋହର ଦିଶୁଥାଏ। ମୁଁ ନିଜର ଗାୟନକୁ ତର୍ଜମା କରିବାରେ ଲାଗିଲି। ଆଉ କେଉଁଠି ଗାୟିକୀକୁ ଆଉ ଟିକେ ଅଧିକ ଭଲ କରିପାରିବି, ଗାଇବା ବେଳେ ହାତକୁ କେମିତି ବେଶୀ ଏପଟ ସେପଟ ନକରିବି ଭାବିଲି। ମୋ ସହ ବଜାଉଥିବା କଳାକାରମାନଙ୍କୁ ବି ଏକାଗ୍ରତା ଦେଇ ଶୁଣିଲି। ମୁଁ ନିଜେ ନିଜକୁ ପ୍ରଂଶସା କଲି। ଶ୍ରୋତା ଓ ଦର୍ଶକଙ୍କ ମନକୁ ଛୁଇଁଲା ଭଳି କାର୍ଯ୍ୟକ୍ରମଟିଏ।
ମୋ ଗାଇବା ପରେ କଣ୍ଠଶିଳ୍ପୀ ସୋନାଲି ସାହୁଙ୍କର ପାଳି। ଗତକାଲି ରାତିରେ ଦେବେନ୍ଦ୍ର ବାବୁ ମଦନିଶାରେ ଦେଇଥିବା ଟିପ୍ପଣୀ ସବୁ ମନକୁ ଆସିଲାରୁ ମୋତେ ହସ ମାଡିଲା।
ମୁଁ ମନ ଦେଇ ଶୁଣିଲି। ମହାଶୟାଙ୍କର ଗଳା ପତଳା। ତାଙ୍କର ଶାସ୍ତ୍ରୀୟ ଗାୟନରେ ପ୍ରବେଶ ଥିବା ଭଳି ମନେ ହେଲାନି। ମୁଁ ବହୁ ଗାୟକଙ୍କୁ ଜାଣେ ଯେଉଁମାନେ ୟାଙ୍କଠୁ ଭଲ ଗାଇପାରିବେ। କିନ୍ତୁ ସେସବୁ କଥା ଭାବି ଲାଭ କଣ? ଏ ସଂସାରଟା ହିଁ ଏମିତି। ସବୁ ଜାଗାରେ ଏକା ସମସ୍ୟା। ଯିଏ ଯେମିତି ହେଉ ନିଜ ପାଇଁ ସୁଯୋଗଟିଏ ଖୋଜୁଛି, ସେଥିପାଇଁ କାହାକୁ ଅଟକେଇ ହେବକି? ଆମ ଜୀବିକା କ୍ଷେତ୍ରରେ ଯିଏ ଭଲ କଳାକାର, ଯାହାଙ୍କର ପ୍ରଶଂସନୀୟ ପ୍ରତିଭା ଅଛି, ସେମାନଙ୍କ ଭିତରୁ ଅନେକଙ୍କର ଶୃଙ୍ଖଳାଜ୍ଞାନ ନାହିଁ। ସେମାନଙ୍କର ସବୁ କିଛି ନିଜ ଖିଆଲରେ ଚାଲେ। ସେମାନଙ୍କ ଭିତରେ କଳାକାର ହେଇ ନିଜ କଳାର ଉତ୍କର୍ଷତା ପ୍ରତିପାଦିତ କରିବା ଅପେକ୍ଷା ନିଜକୁ ସ୍ୱତନ୍ତ୍ର ବୋଲି ଦେଖାଇବାର ଇଚ୍ଛା ପ୍ରବଳ। ସେମାନେ ପ୍ରାୟ ଗୁଡାଏ ଅଯଥା ହୋହଲ୍ଲାରେ ସମୟ ବିତାନ୍ତି।
ଆଉ ଯେଉଁମାନେ ହୁଏତ ସେମିତି ଖୁବ୍ ବେଶୀ ପ୍ରତିଭାବାନ୍ ନୁହଁନ୍ତି, କିନ୍ତୁ ଖୁବ୍ ଶୃଙ୍ଖଳିତ। ସେମାନେ ନିଜ କାମକୁ ଗମ୍ଭୀରତାର ସହ ନିଅନ୍ତି। ପ୍ରତିଭାରେ ନହେଲେ ବି ପରିଶ୍ରମରେ ନିଜକୁ ଠିଆ କରାନ୍ତି। ଆମ ଭିତରୁ ପ୍ରତିଭାମୟ ଆଉ ଶୃଙ୍ଖଳିତ କେତେ ଜଣ ବାହାରିବେ ଯେ? ମୁଁ ନିଜେ ବି ଯେତିକି ଉଦଯୋଗୀ ହେବା କଥା କଣ ହେଇଛି? ହେବାକୁ ଚେଷ୍ଟା କରୁଛି? ଯାହା ସହଜରେ ଆସୁଛି, ସେତିକି ଧରି ଚାଲିଛି। ମୋର ଭାଗ୍ୟ, ରଘୁଭାଇଙ୍କ ଭଳି ଜଣେ ଅଭିଜ୍ଞଙ୍କ ଶ୍ରଦ୍ଧାଭାଜନ ହେଇଛି। ରମେଶ ଭଳି ସାନଭାଇଟିଏ ପାଇଛି। ଶ୍ରୋତାଙ୍କର ଆଦର ଓ ପ୍ରଶଂସା ମୋତେ ଜୁଟିଛି। ଜୀବନରେ ୟାଠୁ ଅଧିକ ଆଉ କଣ ଦରକାର?
(କ୍ରମଶଃ)