ରାମକୃଷ୍ଣ ବାରିକ

ଭୋଟ ସରିବା ପରେ…
ଗାଁରେ ଆଉ କେହି କାଇଁ
କାନ ପାଖେ ଫୁସଫାସ୍ ହେଉନି
ଷଡ଼ଯନ୍ତ୍ରର ଶବ୍ଦ ଫାନ୍ଦି ସମର୍ଥନ ପାଇବାକୁ
ଆଉ କିଏ କାଇଁ ଘରକୁ ଅନ୍ଧାରୀବିଜେ କରୁନି…

ଅଦିନିଆ ଭଲମନ୍ଦ ବୁଝାର ପର୍ବ ସରିଛି
ମିଛିମିଛିକା ହସର ହାଟ ଉଠିଯାଇଛି…
ଯିଏ ଭୋଟ୍ ପାଇ ଜିତିଛି
ସିଏ ଜିତ୍ ର ଜସନ୍ ମନାଉଛି
ଯିଏ ହାରିଛନ୍ତି, ସିଏ ହିସାବ କରୁଛନ୍ତି
ହାଟକୁ ଆସୁନାହାନ୍ତି କି
ହସିକି ପଦେ କଥା ବି ହେଉନାହାନ୍ତି…

ନିର୍ବାଚନର ଏ ମହାନାଟକ ସରିଯିବା ପରେ
ଯେଝା ବାଟରେ ତ ଯେଝେ ଚାଲିଗଲେ…
ଜିତିବା ଲୋକ ଜିତିଲେ
ହାରିବା ଲୋକ ହାରିଲେ
ହେଲେ, ଯିଏ ଅଟକି ଯାଇଛି
ସିଏ ଅନୁତାପର ଲୁହ ନିଗାଡୁଛି
ଆଖି ଉଠାଇ ଆଖି ମିଶେଇ ପାରୁନି
ଭଲମନ୍ଦରେ ସାମିଲ ହୋଇପାରୁନି
ପଡ଼ୋଶୀ ଘର ପାଖରେ ନିଜେ କରିଥିବା
ଅଦୃଶ୍ୟ ପାଚେରୀକୁ ଭାଙ୍ଗି ବି ପାରୁନି…
କ’ଣ କହି ସମ୍ପର୍କ ସଜାଡ଼ିବ ତାର ସୂତ୍ର ପାଉନି…
ଭୋଟ ଖଣ୍ଡେ ପାଇଁ ସାହି ଭାଇ ସହ
ଘୃଣା, ନିନ୍ଦା, ଅପବାଦ, ଲୁହଲହୁର
ଯେଉଁ ଲକ୍ଷ୍ମଣରେଖା ଟଣା ହୋଇଥିଲା
ତାହା ଲିଭି ବି ପାରୁନି
ସମ୍ପର୍କ ସୁଧୁରୁନି, ସ୍ଥିତି ବଦଳୁନି…

ଯଦିଓ,
ଗାଁ ବରଗଛରୁ ପୋଷ୍ଟର ଚିରି ଗଲାଣି
ପୋଖରୀ ହୁଡ଼ାରେ ଟଙ୍ଗା ଯାଇଥିବା
ପୁଳାପୁଳା ବ୍ୟାନର ଛିଡ଼ିଗଲାଣି
ଦୋକାନ କାନ୍ଥରେ ଚୂନ ମରା
ଦଳୀୟ ଚିହ୍ନ ରଙ୍ଗଛଡାଡ଼ା ହେଲାଣି
‘ମାଛ’ ଚିହ୍ନ ପାଣିକୁ ଗଲାଣି
‘ଶଗଡ଼’ ଭାଙ୍ଗି ଗଲାଣି
‘ବହି’ ବସ୍ତାନିକୁ ବାଛିଲାଣି
‘ସୂର୍ଯ୍ୟ’ ଚିହ୍ନରେ ପରାଗ ଲାଗିଲାଣି
ତଥାପି ମନରୁ ଚିହ୍ନ ଜମା ଛାଡୁନି
ଅଲିଭା ଦାଗକୁ ବିବେକ ପଚାରୁଛି
ଏ ଭୋଟ୍ ରୁ ତମକୁ ମିଳିଲା କ’ଣ ?
ପାଇଲ କେତେ ?
ହରେଇଲ କେତେ ?

ମନେରଖ !
ନଈ, ନିଆଁ ଓ ନିର୍ବାଚନ
ଦେଇଯାଆନ୍ତି ଅଲିଭା ଚିହ୍ନ… ।

ଶିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର, ମୋ- ୯୭୭୬୭୩ ୧୨୧୫

ଲେଖକ ପରିଚୟ

ଗରିବର ହକ ଓ ଅସହାୟଙ୍କ ପାଇଁ ମୋ କଲମ ଚଳାନ୍ତି ଲେଖକ, ହେଉ ସେ ତାଙ୍କ ପେସା ସାମ୍ବାଦିକତା କିମ୍ବା ନିଶା କବିତା, ଗଳ୍ପ, ଲିରିକ୍ସ ଅବା ସମାଜ ସେବା । ସବୁ ଲେଖାରେ ତାଙ୍କର ଥାଏ ପ୍ରେମର ଛୁଙ୍କ ଆଉ ସେଇଟା ହିଁ ତାଙ୍କ ସ୍ଵତନ୍ତ୍ରତା । ତେବେ ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ପ୍ରଥମ ପୁସ୍ତକ ସଙ୍କଳନ “ରାମର ରଫଖାତା” ଆତ୍ମପ୍ରକାଶ କରିବା ଅପେକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *