ଶ୍ଵେତପଦ୍ମା ପାଢୀ

ପକ୍ଷୀଟିଏ ପରିଣତ ବୟସରେ ପହଞ୍ଚିଲେ ସାରା ଆକାଶେ ଉଡ଼ିବାକୁ ଚାହେଁ । ହେଲେ ବେଳେବେଳେ ଏକ ଭୟ ଓ ଲଜ୍ୟାର କଳାମେଘ ତା’ ଉଡ଼ାଣକୁ ରୋକିଦିଏ । ବିଜୁଳି ଚମକରେ ଚମକି ପଡ଼ି ଆଘାତ ପାଇବା ସ୍ଵାଭାବିକ । ତଥାପି ସେ ହାର ମାନେନା । କିନ୍ତୁ, ବେଳେବେଳେ ଜନ୍ମମରଣ ଦିଗବଳୟ ଭିତରେ ସେ ଏକାକୀ ଘୂରି ବୁଲୁବୁଲୁ ହୃଦୟ ପାଖରେ ଝୁଣ୍ଟି ପଡ଼ି କ୍ଷତାକ୍ତ ହେଇଯାଏ । ସେଇ ନୀରବ ଜୀବନେ ମନର କିଛି କଥା କଳା ସ୍ୟାହି ବଦଳରେ କଳା ଫର୍ଦ୍ଦରେ ସାଇତା ହେଇଯାଉ, ଯାହା ଅତି ହେଇ ଖୋଜୁଥିବା ମଣିଷଟିଏ ହିଁ ପାଇପାରିବ ।

ସ୍କେଚ୍ – ୧

ଏଇ ପରିଣତ ବୟସରେ ସେ, ଏକ ନବବିବାହିତା ବଧୂଟିଏ । ନୂଆ ସ୍ଵପ୍ନ, ନୂଆ ଜୀବନକୁ ଆଲିଙ୍ଗନ କରିବା ନିଶାରେ । ହେଲେ ସେଇ ଅଦୃଶ୍ୟ ଭୟ ତା’ ପିଛା ଛାଡ଼ୁନି । ସେଦିନର କାଳରାତ୍ରିକୁ ସେ ଆଜି ବି ଭୁଲିପାରି ନାହିଁ କି ମଶାଣିକୁ ଯିବା ଯାକେ ଭୁଲିପାରିବ ନାହିଁ । ଖରାଛୁଟି ହେଇଥାଏ । ଘରକୁ ଫେରୁଥିବାବେଳେ ସନ୍ଧ୍ୟାର ସାନ୍ଧ୍ରତା ଗାଢ଼ ହେଉଥାଏ । ଆଉ ତା’ ସହିତ ଜୀବନରେ ବି କଳା ଅନ୍ଧାକାରର ଛାଇଟେ କାୟା ବିସ୍ତାର କରୁଥାଏ । କିଏ ବା ଜାଣିଥିଲା, ମିଠା ଯନ୍ତ୍ରଣା ବୋଲାଉଥିବା ସମ୍ପର୍କର ନିଆଁ ଯେ ସିଗାରେଟ୍ ଲାଇଟର ଦେଇ ତା ଦେହରେ କଳାଫର୍ଦ୍ଦ ପାଲଟିଯିବ ବୋଲି ! ଆଉ ତାରି ସହ ତାକୁ ବଞ୍ଚିବାକୁ ହେବ ବୋଲି ! ଆଜିର ଏ ଶୁଭବେଳାରେ ମନକୁ ଘେରି ବସୁଛି ଅତୀତର ଅନ୍ଧକାର, ଏକ ଅଦ୍ଭୁତ ଭୟ । ସତକୁ ସତ ଯେତେବେଳେ ଅଣ୍ଟା ତଳକୁ ଖସୁଥିବା ସାୟା ସହିତ ହଳଦୀ ରଙ୍ଗର ଗୋରା ଦେହର ସ୍ପଷ୍ଟ ଦିଶିଲା ଅଙ୍ଗାରକଳା ପରି ପୋଡ଼ି ଯାଇଥିବା ମାଂସ, ଶୁଭିଲା ଗୋଟେ ବିକଟାଳ ଚିତ୍କାର …!!

ସ୍କେଚ୍ – ୨

ଗେରସ୍ତ ତ ମଦ ପିଇପିଇ ନିଶାରେ ବୁଡି ରହିଲା । ପୁଅର ପାଠପଢ଼ା ଆଉ ଘରଖର୍ଚ୍ଚ ପାଇଁ ଝିଅର ଦରମାକୁ ଚାହିଁ ରହିବାକୁ ପଡୁଛି । ଲାଜ ଲାଗିଲେ ବି ବୋଉ ନିରୁପାୟ । ସେଥିରେ ବଡ଼ବୋଉ କହିବ, ଝିଅ ରୋଜଗାର କରୁଛି ବରଂ ଭଲ…. ପୁଅ ପଢ଼ା ସରିଗଲେ, ଆପେ ଆପେ ଚାକିରି ଲୋଭରେ ଝିଅ ପାଇଁ ବର ଜୁଟିଯିବ ପା ! ନହେଲେ ଏଇ ହାଣ୍ଡିକାଳିକୁ କିଏ ବାହା ହେବ ?

ଦୁଇଦିନ ହେଲାଣି ଦେହଟା ଭଲ ନାହିଁ ବୋଲି ଝିଅ ଆଜି ଡାକ୍ତରଖାନା ଯାଇଛି । କ’ଣ ହେଲା କେଜାଣି ? ବୋଉ ଏମିତି ଭାବିଲାବେଳକୁ ସେମାନେ ପହଞ୍ଚିଲେ । ପ୍ରେମ ନୁହଁ ମନର ଉତ୍ତେଜନାରେ ମତୁଆଲା ହେଇ ଭୁଲ୍ ଟି କରିଦେବା ପରେ ସେ ବୋଉ ସହ ଆଖି ମିଳେଇ ପାରୁ ନଥିଲା । ବୋଉ ଆଁଟା କରି ବଡ଼ବୋଉକୁ ଅନେଇଲା । ବଡ଼ବୋଉ କହୁଥିଲା, “ଆଲୋ ସପ୍ତାଶ୍ଚର୍ଯ୍ୟ ଘଟଣା । ନୂଆ ଯୁଗରେ କଳାପାଣିର ଉଚ୍ଛୁଳା ନଈ ଟିକେ ବେଶୀ ଚହଲି ଗଲା !”

ସ୍କେଚ୍ – ୩

ଦୈାଡିଦୈାଡି ପହଞ୍ଚିଲୁ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ସାମ୍ନାରେ । କହନ୍ତି, ରଥାରୁଢ଼ କାଳିଆକୁ ଛୁଇଁ ଦେଲେ ବି ଜନ୍ମଜନ୍ମାନ୍ତର ପାପ ଧୋଇ ହେଇଯାଇ ପୁଣ୍ୟ ଲାଭ ହୁଏ । ପ୍ରାଚୀର ଛଳଛଳ ଆଖି ଦେଖି ଅରୁଣ କହିଲେ, ” ପ୍ବଳ ଭିଡ଼ ପାଇଁ ରଥ ଉପରକୁ ଚଢ଼ି ହେଲାନାହିଁ ସତ କିନ୍ତୁ ଦର୍ଶନ ତ ପାଇଲେ । ମନଊଣା କରନି ପ୍ରାଚୀ ।” ପ୍ରାଚୀ କହିଲା, “ପାର୍ଥକ୍ୟ ଅଛି, ଢେର ଅଛି । ରଥ ଉପରେ ଚଢ଼ି କାଳିଆକୁ ଛୁଇଁପାରିଲେ ମନକୁ ଶାନ୍ତି ମିଳିଥାନ୍ତା ଯେ !” ସେଇଠି ଛିଡ଼ା ହେଇ ସବୁ ଶୁଣୁଥିଲା ପୁଅ । ସେ ହଠାତ୍ ପଚାରିଲା, “ମାମା ଏ କାଠର କଳା ରଙ୍ଗର ଅଧାଗଢ଼ା ମୂର୍ତ୍ତିକୁ ଛୁଇଁଲେ ତମକୁ ପିସ୍ (peace) ମିଳିବ, ମାନେ ତମେ ଯୋଉ ଶାନ୍ତି ପାଇବା କଥା କହୁଛ ସେ ଦେଖିବାକୁ କେମିତିକା ?” ପୁଅର ପ୍ରଶ୍ନ ଶୁଣି ମନେମନେ ହସିଲା ପ୍ରାଚୀ ଆଉ ଭାବୁଥିଲା, ଯାହା ପାଖରେ କିଛି ନାହିଁ ସେ ତା ଦୁଃଖ କାଳିଆକୁ ଶୁଣେଇବାକୁ ଆସେ । ଆଉ ଯାହା ଜୀବନରେ ସବୁ ପୂର୍ଣ୍ଣତା ଥିବାପରେ ମଧ୍ୟ ତାକୁ ଏକ ଅନ୍ଧାରଭରା ଶୂନ୍ୟତାର ଭୟ ଗ୍ରାସ କରୁଥାଏ ସେଥିରୁ ମୁକ୍ତି ପାଇବା ପାଇଁ ସେ ମଧ୍ୟ ଶ୍ରୀକ୍ଷେତ୍ର ଧାଇଁ ଆସେ । କଳାକାହ୍ନୁକୁ ଅପଲକ ନୟନରେ ଚାହିଁ ଗୁଣୁଗୁଣୁ ହେଉଥିଲା ପ୍ରାଚୀ, ମୋ ଦେହେ ବୋଳି ଦେ, ତୋ ଦେହ କଳା …..!

ପୁନେ, ମହାରାଷ୍ଟ୍ର

ଲେଖକ ପରିଚୟ

ଲେଖିକା ଶ୍ଵେତପଦ୍ମା ପାଢ଼ୀ ଗଳ୍ପ, ଉପନ୍ୟାସ,  ଏକପଦୀ ଓ ଫିଚର୍ ଲେଖାଲେଖି କରନ୍ତି । ‘ସଖୀ କଣ୍ଢେଇ’ ତାଙ୍କର ପ୍ରଥମ ଉପନ୍ୟାସ I  ପ୍ରଥମେ ଇଂରାଜୀ ଲେଖାଲେଖିରେ ରୁଚି ରଖୁଥିବା ଶ୍ଵେତାପଦ୍ମା ଏବେ ମାତୃଭାଷା ମୋହରେ ଜଣେ ଯୁବଲେଖିକା ଭାବେ କଥାସାହିତ୍ୟ ଜଗତରେ ପରିଚିତା I ରହସ୍ୟ ଓ ରୋମାଞ୍ଚକର କାହାଣୀ ଲେଖିବାକୁ ସେ ବେଶୀ ପସନ୍ଦ କରନ୍ତି ।

Related Posts

One thought on “କଳା ଫର୍ଦ୍ଦ

Leave a Reply

Your email address will not be published. Required fields are marked *